ବୁଧବାର ‘ଇଡି’ରେ ହାଜର ହେବେ ତ କେଜରୀୱାଲ ?


ପ୍ରସାଦ ରାଓ
ଜାନୁୟାରୀ ୦୨/୨୦୨୪
ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ସଂପୃକ୍ତ ଏକ ପିଏମଏଲଏ ମାମଲାରେ କାଲି (ବୁଧବାର) ଇଡିରେ ହାଜର ହେବାକୁ ନୋଟିସ ହୋଇଛି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ କେଜରୀୱାଲ ପୂର୍ବରୁ ଦୁଇ ଥର ନଭେମ୍ବର ୦୨ ଓ ଡିସେମ୍ବର ୨୧ରେ ହାଜର ହେବାକୁ ସମନ ପାଇଥିଲେ ମଧ୍ୟ ଇଡିର ସମନ ‘ଆଇନସମ୍ମତ ନୁହେଁ’ ଏବଂ ‘ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ’ ଦର୍ଶାଇ ଏଡାଇ ଯାଇଥିଲେ । କାଲି ହାଜର ହେବାକୁ ତାଙ୍କୁ ଇଡି ପୁଣି ଥରେ ସମନ କରିଛି । ଏହା ଇଡିର ତୃତୀୟ ସମନ ହୋଇଥିବାରୁ କେଜରୀୱାଲ ଇଡିରେ ହାଜର ହେଉଛନ୍ତି କି ନାହିଁ (?) ଜାଣିବାକୁ ଚାହିଁଥିଲେ ଗଣମାଧ୍ୟମ ପ୍ରତିନିଧିମାନେ । ଦିଲ୍ଲୀରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ‘ଆପ୍’ର ଜାତୀୟ ମୁଖ୍ୟ ମୁଖପାତ୍ର ପ୍ରିୟଙ୍କା କକ୍କରଙ୍କୁ ଏହି ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ‘ଦଳର ଲିଗାଲ ଟିମ୍ ହିଁ ଏହାର ଉତ୍ତର ଦେଇ ପାରିବେ’ । ତଥାପି, ଆଇନ ଅନୁଯାୟୀ ଦଳ ପଦକ୍ଷେପ ନେବ ବୋଲି ସେ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ମାସରେ ‘ଆମ୍ ଆଦମୀ ପାର୍ଟି’ ପକ୍ଷରୁ ଦିଲ୍ଲୀରେ ‘ମେଁ ଭି କେଜରୀୱାଲ’ ନାମରେ ଏକ ଜନମତ ସଂଗ୍ରହ ଅଭିଯାନ ହୋଇଥିଲା । କେଜରୀୱାଲ ଯଦି ଗିରଫ ହୁଅନ୍ତି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଠିକ ହେବ କି (?) ବୋଲି ‘ଆପ୍’ ନେତାମାନେ ଘର ଘର ବୁଲି ଜନମତ ସଂଗ୍ରହ କରିଥିଲେ । ମୁଖ୍ୟମନ୍ତ୍ରୀ ଭାବେ କେଜରୀୱାଲ ଦିଲ୍ଲୀବାସୀଙ୍କ ପାଇଁ ବହୁ ବିକାଶମୂଳକ କାର୍ଯ୍ୟ କରିଛନ୍ତି । ତେଣୁ, ସେ ଯଦି ଗିରଫ ହୁଅନ୍ତି ତେବେ ଇସ୍ତଫା ନଦେଇ ଜେଲରେ ଥାଇ ସରକାର ଚଳାଇବା ଆବଶ୍ୟକ ବୋଲି ଦିଲ୍ଲୀବାସୀ ମତ ଦେଇଥିବା ଦଳ ପକ୍ଷରୁ କୁହାଯାଇଥିଲା । ବିଜେପି ଆସନ୍ତା ଲୋକସଭା ନିର୍ବାଚନରେ ପରାଜୟ ଭୟରେ କେଜରୀୱାଲଙ୍କ ବିରୋଧରେ ଷଡଯନ୍ତ୍ର କରିଛି ଏବଂ ଇଡି ସମନ ପଛରେ ରାଜନୈତିକ ଅଭିସନ୍ଧି ରହିଛି ବୋଲି ଦିଲ୍ଲୀବାସୀ ଅନୁଭବ କରି ଦଳ ସପକ୍ଷରେ ମତ ରଖିଥିବା ‘ଆପ୍’ର ବରିଷ୍ଠ ନେତା ତଥା ମନ୍ତ୍ରୀ ଗୋପାଳ ରାଏ ଗଣମାଧ୍ୟମରେ ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀ କେଜରୀୱାଲ ବୁଧବାର ଇଡିରେ ହାଜର ହେବାକୁ ସମନ ପାଇଥିବାରୁ ସେ ହାଜର ହେଉଛନ୍ତି କି ନାହିଁ, ଯଦି ଇଡି ତାଙ୍କୁ ଗିରଫ କରୁଛି ଜେଲରୁ ସେ ସରକାର ଚଳାଇବେ କି (?) ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ସମସ୍ତଙ୍କ ନଜର କେଜରୀୱାଲଙ୍କ ଉପରେ ରହିଛି । କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଗତକାଲି ‘ଏକ୍ସ’ରେ ଏକ ପୋଷ୍ଟ କରି କେଜରୀୱାଲ ଅତୀତରେ ଅନ୍ୟମାନଙ୍କୁ ଯେଉଁ ଉପଦେଶ ଦେଉଥିଲେ ଏବେ ତାହା ସେ ନିଜେ କାର୍ଯ୍ୟକାରୀ କରି ଦେଖାଇବା ସମୟ ଆସିଛି ବୋଲି କହିଛନ୍ତି । କିଛି ବର୍ଷ ତଳେ କେଜରୀୱାଲ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଲେଖିଥିଲେ, ‘ଯେତେବେଳେ ଆମ ଦୁର୍ନୀତିଗ୍ରସ୍ତ ନେତାମାନେ ସିବିଆଇ ଓ ଇଡିରୁ ଏକାଧିକ ସମନ ପାଇ ହାଜର ହେଉ ନାହାନ୍ତି, ଯେତେବେଳେ କି ସେମାନେ ଅଭିଯୋଗ ହେବା ସଂଗେ ସଂଗେ ନିଜ ଥିବା ପଦରୁ ଇସ୍ତଫା ଦେଇ ତଦନ୍ତର ସାମ୍ନା କରିବା କଥା, ଜଣେ ଦେଶଭକ୍ତ ଭାବେ ମୋ ମୁଣ୍ଡ ଲଜ୍ୟାରେ ନଇଁ ଯାଉଛି’ । ସିଦ୍ଧୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ସେହି ପୋଷ୍ଟର ରି-ଟ୍ୱିଟ୍ କରି ୨୦୦୬ରେ ସେ (ସିଦ୍ଧୁ) ବିଜେପି ସାଂସଦ ଥିବା ସମୟରେ ଏକ ‘ହିଟ୍ ଏଣ୍ଡ ରନ୍’ ମାମଲାରେ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ତୁରନ୍ତ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ବୋଲି ଦର୍ଶାଇବା ସହ କେଜରୀୱାଲ ଇଡି ମ୍ୟୁଜିକ (ସମନ) ତାଙ୍କ କାନକୁ ଭଲ ଲାଗୁ ବା ନଲାଗୁ ନିଜକୁ ନିର୍ଦୋଷ ସାବ୍ୟସ୍ତ କରିବା ପର୍ଯ୍ୟନ୍ତ ପଦବୀରୁ ଇସ୍ତଫା ଦେବା ସହ ଅତୀତରେ ଅନ୍ୟମାନଙ୍କୁ ଦେଉଥିବା ଉପଦେଶ ନିଜେ କ୍ଷେତ୍ରରେ କାର୍ଯ୍ୟକାରୀ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ‘ଆମ୍ ଆଦମୀ ପାର୍ଟି’ ଓ କଂଗ୍ରେସ ବିରୋଧୀ ମେଂଟ ‘ଇଣ୍ଡିଆ’ରେ ଦୁଇ ସହଯୋଗୀ ଦଳ ଥିବା ସମୟରେ କଂଗ୍ରେସ ନେତା ସିଦ୍ଧୁ ‘ଆପ୍’ ମୁଖ୍ୟ କେଜରୀୱାଲଙ୍କୁ ଗତକାଲି ଯେଭଳି କଟାକ୍ଷ କରିଛନ୍ତି ତାହା ଆଗାମୀ ଦିନରେ ଦୁଇ ଦଳ ମଧ୍ୟରେ ସଂପର୍କକୁ ଅଧିକ ତୀକ୍ତ କରିବା ଆଶଙ୍କା ସୃଷ୍ଟି କରିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS