ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ କି ବ୍ୟବସ୍ଥା ହୋଇଛି ଜଣାଅ – ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶ


ପ୍ରସାଦ ରାଓ
ଜାନୁୟାରୀ ୦୨/୨୦୨୪
ଓଡ଼ିଶା ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଗତ ବର୍ଷ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଅନ୍ୟୁନ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ ହଜାରରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏହା ଥିଲା ଦେଶର ସବୁଠାରୁ ଭୟଂକର ଓ ଲୋମଟାଂକୁରା ରେଳ ଦୁର୍ଘଟଣା । ଦେଶବାସୀ ଆଜି ମଧ୍ୟ ଏହି ଭୟାବହ ଦୁର୍ଘଟଣାକୁ ମନେ ପକାଇ ଶିହରୀ ଉଠୁଛନ୍ତି । କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଦେଶର ସମସ୍ତ ରୁଟ୍ ରେ ଚଳାଚଳ କରୁଥିବା ଟ୍ରେନରେ ସ୍ୱୟଂକ୍ରୟ ସୁରକ୍ଷା ‘କବଚ’ ଲଗାଇବାକୁ ଯୋଜନା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇପାରିନାର୍ହି । ଫଳରେ, ବିିଭିନ୍ନ ସମୟରେ, ବିିଭନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଘଟି ଚାଲିଛି । ରେଳ ଦୁର୍ଘଟଣା ଉପରେ ଲଗାମ ଲଗାଇବାକୁ ସବୁ ରେଳଗାଡିରେ ସ୍ୱୟଂକ୍ରୀୟ ‘କବଚ’ ବ୍ୟବସ୍ଥା ଲଗାଇବା ରେଳବାଇର ଲକ୍ଷ୍ୟ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେବାରେ ମନ୍ଥରତା ଦେଖିବାକୁ ମିଳୁଛି । ତେଣୁ, ସମସ୍ତ ରେଳଗାଡିରେ ସ୍ୱୟଂକ୍ରିୟ ‘କବଚ’ ବ୍ୟବସ୍ଥା ଲଗାଇବା କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ କେନ୍ଦ୍ର ସରକାର ନିର୍ଦେଶବଳୀ ଜାରି କରିବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦିଅନ୍ତୁ ବୋଲି ଏକ ଆବେଦନ ହୋଇଥିଲା । ଏହି ଆବେଦନ ଉପରେ ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ କେ.ଭି.ବିଶ୍ୱନାଥଙ୍କୁ ଗଠିତ ଏକ ଦୁଇ ଜଣିଆ ବେଂଚ ଶୁଣାଣୀ କରିଛନ୍ତି ଓ ରେଳ ସୁରକ୍ଷା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି, ବିଶେଷକରି ସବୁ ରେଳଗାଡିରେ ସ୍ୱୟଂକ୍ରିୟ ‘କବଚ’ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ କେତେଦୂର ଅଗ୍ରଗତି ଘଟିଛି ତାହା ଜାଣିବାକୁ ଚାହିଁଛନ୍ତି । ସରକାର ଚାରି ସପ୍ତାହ ମଧ୍ୟରେ ଅଦାଲତଙ୍କୁ ତାହା ଅବଗତ କରାନ୍ତୁ ବୋଲି ସୁପ୍ରିମ କୋର୍ଟ ବେଂଚ ଆଟର୍ଣ୍ଣି ଜେନେରାଲଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ଚାରି ସପ୍ତାହ ପରେ ଏହି ଆବେଦନ ଉପରେ ପରବର୍ତ୍ତୀ ଶୁଣାଣୀ ହେବ । ସମଗ୍ର ଦେଶରେ ‘କବଚ’ ବ୍ୟବସ୍ଥାକୁ ପୂର୍ଣ୍ଣତଃ କାର୍ଯ୍ୟକାରୀ କରିବା ସକାଶେ କେତେ ବ୍ୟୟ ଅଟକଳ ହୋଇଛି ତାହା ମଧ୍ୟ ଅଦାଲତ ଜାଣିବାକୁ ଚାହିଁଥିବା ଜଣାପଡିଛି । ସୁପ୍ରିମ କୋର୍ଟରେ ଆବେଦନକାରୀ ଦର୍ଶାଇଛନ୍ତି, ରେଳ ଦୁର୍ଘଟଣା ଏଡାଇବା ସକାଶେ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥାକୁ ଜେରା ଦେଇ ସ୍ୱୟଂକ୍ରିୟ ‘କବଚ’ ବ୍ୟବସ୍ଥା କାର୍ଯ୍ୟକାରୀ କରୁଥିବା କହୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ସବୁ ରୁଟରେ ସମ୍ଭବ ହୋଇନଥିବାରୁ ରେଳଯାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ରହୁଛି । ବାହାନଗା ରେଳ ଦୁର୍ଘଟଣାରୁ ଏକଥା ଅଧିକ ସ୍ପଷ୍ଟ ହୋଇଛି । ତେଣୁ, ରୋଳଯାତ୍ରୀଙ୍କ ସୁରକ୍ଷାକୁ ସରକାର ପ୍ରାଧାନ୍ୟ ଦେବା ସହ ଦେଶବ୍ୟାପୀ ସମସ୍ତ ରେଳ ରୁଟରେ ଏହି ବ୍ୟବସ୍ଥାକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ଅଦାଲତ ସରକାରଙ୍କୁ ନିର୍ଦେଶ ଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS