ସୁପ୍ରିମ କୋର୍ଟରୁ ମିଳିଲାନି ଆଶ୍ୱସ୍ତି, ବଜେଟ ଅଧିବେଶରେ ଭାଗ ନେବା ଆଶା ମଉଳିଲା


ପ୍ରସାଦ ରାଓ
ଜାନୁୟାରୀ ୦୩/୨୦୨୪
ପ୍ରଶ୍ନ ପଚାରିବା ପାଇଁ ଲାଂଚ ନେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭାରେ ସାଂସଦ ପଦରୁ ବହିଷ୍କୃତ ହୋଇଥିବା ତୃଣମୂଳ କଂଗ୍ରେସ (ଟିଏମସି) ନେତ୍ରୀ ମହୁଆ ମୈତ୍ରଙ୍କୁ ଆଜି ସୁପ୍ରିମ କୋର୍ଟରୁ କୌଣସି ଆଶ୍ୱସ୍ତି ମିଳି ନାହିଁ । ତାଙ୍କୁ ସଂସଦରୁ ବହିଷ୍କାର କରାଯିବା ଅବୈଧ ବୋଲି ଦର୍ଶାଇ ମହୁଆ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି ସୁପ୍ରିମ କୋର୍ଟରେ ମହୁଆଙ୍କ ଆବେଦନର ଶୁଣାଣୀ ହୋଇଥିଲା । ସର୍ବୋଚ୍ଚ ନ୍ୟାୟାଳୟ ମହୁଆଙ୍କ ଆବେଦନକୁ ଖାରଜ କରିନଥିଲେ ମଧ୍ୟ ଲୋକସଭା ସଚିବାଳୟର ନିଷ୍ପତ୍ତିକୁ ସମୀକ୍ଷା କରିବା ଅଧିକାର ବିଚାର ବିଭାଗର ରହିଛି କି ନାହିଁ ପ୍ରଥମେ ତାହା ତର୍ଜମା କରାଯିବ କହି ମାମଲାର ପରବର୍ତ୍ତୀ ଶୁଣାଣୀକୁ ମାର୍ଚ୍ଚ ୧୧ ତାରିଖ ପର୍ଯ୍ୟନ୍ତ ଟାଳି ଦେଇଛନ୍ତି । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆଜି ସୁପ୍ରିମ କୋର୍ଟରେ ଲୋକସଭା ସଚିବାଳୟ ପକ୍ଷରୁ ଉପସ୍ଥିତ ହୋଇ ସଂସଦର ନିଷ୍ପତ୍ତିରେ ସୁପ୍ରିମ କୋର୍ଟ ହସ୍ତକ୍ଷେପ କରିବା ଠିକ ହେବ ନାହିଁ ବୋଲି ଯୁକ୍ତି ରଖି ଥିଲେ । ଏସଜିଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମ କୋର୍ଟ ଲୋକସଭା ସଚିବାଳୟର କାର୍ଯ୍ୟାନୁଷ୍ଠାନର ବିଚାର ବିଭାଗୀୟ ସମୀକ୍ଷା ହୋଇପାରିବ କି ନାହିଁ ତାହା ପ୍ରଥମେ ତର୍ଜମା କରିବେ, ଯଦି କୋର୍ଟଙ୍କ ଅଧିକାର ଭିତରେ ତାହା ଥିବ ତେବେ ମାମଲାର ଶୁଣାଣୀ କରିବେ ବୋଲି କହିଛନ୍ତି । ସୁପ୍ରିମ କୋର୍ଟ ଏହା କହିବା ସହ ଲୋକସଭା ସଚିବାଳୟକୁ ତିନି ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନୋଟିସ କରିଛନ୍ତି । ଏହାଦ୍ୱାରା ବହିଷ୍କୃତ ସାଂସଦ ମହୁଆ ମୈତ୍ର ମଧ୍ୟ ନିଜ ପକ୍ଷ ରଖିବାକୁ ତିନି ସପ୍ତାହ ସମୟ ପାଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ବହିଷ୍କୃତ ସାଂସଦ ସୁଶ୍ରୀ ମହୁଆ ମୈତ୍ର ଦେଶର ପ୍ରମୁଖ ବ୍ୟବସାୟ ପ୍ରତିଷ୍ଠାନ ‘ଆଦାନୀ ଗୃପ’ ବିରୋଧରେ ଲୋକସଭାର ଗତ ମୌସୁମୀ ଅଧିବେଶନରେ ୫୦ରୁ ଅଧିକ ପ୍ରଶ୍ନ କରିଥିଲେ । ପ୍ରଶ୍ନ ପଚାରିବା ପାଇଁ ସେ ଆଦାନୀ ଗୃପର ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱୀ ଦର୍ଶନ ହୀରାନନ୍ଦାନିଙ୍କଠାରୁ ନଗଦ ଏବଂ ମୂଲ୍ୟବାନ ଉପହାର ଆକାରରେ ଦୁଇ କୋଟିରୁ ଅଧିକ ଟଙ୍କା ଲାଂଚ ନେଇଥିଲେ ବୋଲି ମହୁଆଙ୍କ ପୂର୍ବତନ ଘନିଷ୍ଟ ବନ୍ଧୁ ତଥା ସୁପ୍ରିମ କୋର୍ଟ ଆଇନଜୀବୀ ଅଜୟ ଅନନ୍ତ ଦେହାଦ୍ରୀ ସିବିଆଇକୁ ଲେଖିଥିବା ଚିଠିରେ ଅଭିଯୋଗ କରିଥିଲେ । ଏହି ଚିଠିକୁ ଧରି ବିଜେପି ସାଂସଦ ନୀଶିକାନ୍ତ ଦୁବେ ଲୋକସଭାରେ ମହୁଆଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି ଲେଖି ଥିଲେ । ବାଚସ୍ପତି ଓମ୍ ବିରଳା ବିଜେପି ସାଂସଦ ଦୁବେଙ୍କ ଅଭିଯୋଗପତ୍ର ଲୋକସଭା ସଦାଚାର କମିଟିକୁ ପଠାଇ ତାହାର ତଦନ୍ତ ନିର୍ଦେଶ ଦେଇଥିଲେ । ବାଚସ୍ପତିଙ୍କ ନିର୍ଦେଶରେ ଲୋକସଭା ସଦାଚାର କମିଟି (ଏଥିକ୍ସ କମିଟି) ମହୁଆଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରିଥିଲେ ଓ ଅଭିଯୋଗରେ ସତ୍ୟତା ଥିବା ଦର୍ଶାଇ କାର୍ଯ୍ୟାନୁଷ୍ଠାନ ପାଇଁ ବାଚସ୍ପତିଙ୍କୁ ସୁପାରିଶ କରିଥିଲେ ।
ଲୋକସଭା ସଦାଚାର କମିଟି ସୁପ୍ରିମ କୋର୍ଟ ଆଇନଜୀବୀ ଦେହାଦ୍ରୀ ଓ ବିଜେପି ସାଂସଦ ଦୁବେଙ୍କୁ ଡକାଇ ବୟାନ ଲିପିବଦ୍ଧ କରାଇବା ସହ ମହୁଆଙ୍କୁ ମଧ୍ୟ ସମନ କରି ଜେରା କରିଥିଲେ । ତେବେ, ଜେରା ବେଳେ ସଦାଚାର କମିଟି ଅଧ୍ୟକ୍ଷ ତାଙ୍କୁ ବ୍ୟକ୍ତିଗତ ପ୍ରଶ୍ନ ପଚାରି ଅପମାନିତ କରିଥିବା ଦର୍ଶାଇ ମହୁଆ ଅଧପନ୍ତୁରିଆ ଭାବେବ ଜେରାକୁ ଏଡାଇ ଯାଇଥିଲେ । ସେ ତଦନ୍ତରେ ସହଯୋଗ କରିନଥିବା ସଦାଚାର କମିଟି ପକ୍ଷରୁ ଅଭିଯୋଗ ହୋଇଥିଲା । ଲୋକସଭାର ଗତ ଅଧିବେଶନରେ ଗୃହରେ ସଦାଚାର କମିଟିର ରିପୋର୍ଟ ଉପସ୍ଥାପନ ପରେ ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । କମିଟି ସର୍ବାଧିକ ମତରେ ‘ପ୍ରଶ୍ନ ପାଇଁ ଲାଂଚ’ ଅଭିଯୋଗରେ ମହୁଆଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ମହୁଆଙ୍କ ବିରୋଧରେ ଆଉ ଏକ ଗୁରୁତର ଅଭିଯୋଗ ମଧ୍ୟ ରହିଛି । ସାଂସଦ ଭାବରେ ସେ ଯେଉଁ ୱେବ୍ ସାଇଟ ୟୁଜର ଆଇଡି ଓ ପାସୱାର୍ଡ ପାଇଛନ୍ତି ତାହାର ଦୁରୁପଯୋଗ କରିଛନ୍ତି । ଆଦାନୀ ଗୃପ୍ ବିରୋଧରେ ପ୍ରଶ୍ନ ଅପଲୋଡ୍ କରାଇବାକୁ ବେଆଇନ ଭାବେ ତାଙ୍କ ୱେବ୍ ୟୁରାଏଲ ଓ ପାସୱାର୍ଡ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନିଙ୍କ ଦ୍ୱାରା ବ୍ୟବହାର ହୋଇଛି । ମହୁଆ ଭାରତରେ ଥିବା ସମୟରେ ତାଙ୍କ ୱେବ୍ ପୃଷ୍ଠାରେ ବିଦେଶରୁ ମଧ୍ୟ ପ୍ରଶ୍ନ ଅପଲୋଡ୍ କରାଯାଇଛି ।
ମହୁଆ ବେଆଇନ ଭାବେ ବ୍ୟବସାୟୀ ହୀରାନନ୍ଦାନୀଙ୍କୁ ଆଦାନୀ ଗୃପ ବିରୋଧରେ ପ୍ରଶ୍ନ ଅପଲୋଡ୍ ପାଇଁ ସଂସଦ ୱେବ୍ ସାଇଟର ୟୁଜର ଆଇଡି ଓ ନିଜ ପାସୱାର୍ଡ ହସ୍ତାନ୍ତର କରିଥିଲେ ବୋଲି ଯେଉଁ ଅଭିଯୋଗ ହୋଇଥିଲା ତାହାକୁ ମହୁଆ ପରବର୍ତ୍ତୀ ସମୟରେ ସ୍ୱୀକାର କରିଛନ୍ତି । ତେବେ, ତାଙ୍କ ଯୁକ୍ତି ହେଉଛି, ସବୁ ଏମପି ସାଧାରଣତଃ ସଂସଦୀୟ ୱେବ୍ ପୃଷ୍ଠା ବ୍ୟକ୍ତିଗତ ସଚିବଙ୍କ ମାଧ୍ୟମରେ ପରିଚାଳିତ କରିଥା’ନ୍ତି ଏବଂ ସେମାନଙ୍କ ପାସୱାର୍ଡ ବ୍ୟକ୍ତିଗତ ସଚିବଙ୍କୁ ହସ୍ତାନ୍ତର କରିଥା’ନ୍ତି । ସେ ୟୁଜର ଆଇଡି ଓ ପାସୱାର୍ଡ ହସ୍ତାନ୍ତର କରି କୌଣସି ବେନିୟମ କାର୍ଯ୍ୟ କରି ନାହାନ୍ତି । ତେବେ, ବାହାର ଲୋକକୁ ଲୋକସଭା ୱେବ୍ ସାଇଟ୍ ୟୁଜର ଆଇଡି ଓ ସାଂସଦଙ୍କ ପାସୱାର୍ଡ ହସ୍ତାନ୍ତର ହେବା ଦ୍ୱାରା ଦେଶର ସୁରକ୍ଷା ବିପନ୍ନ ହେଉଛି ବୋଲି ବୋଲି ବିଜେପି ଅଭିଯୋଗ କିରିଛି । ଆଜି ମହୁଆଙ୍କୁ ସୁପ୍ରିମ କୋର୍ଟରୁ ଆଶ୍ୱସ୍ତି ନ ମିଳିବାରୁ ସେ ଆସନ୍ତା ମାସରେ ହେବାକୁ ଥିବା ସଂସଦର ବଜେଟ ଅଧିବେଶନରେ ଭାଗ ନେବା ବାଟ ବନ୍ଦ ହୋଇଯାଇଛି । ସୁପ୍ରିମ କୋର୍ଟ ତାଙ୍କ ମାମଲାର ତ୍ୱରିତ ଶୁଣାଣୀ କରିବାକୁ ମହୁଆ ନିବେଦନ କରିଥିଲେ ମଧ୍ୟ ମାମଲା ମାର୍ଚ୍ଚକୁ ଗଡି ଯାଇଛି । ମହୁଆ ତାଙ୍କ ବିରୋଧରେ ହୋଇଥିବା ପ୍ରଶ୍ନ ପାଇଁ ଲାଂଚ ଅଭିଯୋଗକୁ ଲଗାତର ଅସ୍ୱୀକାର କରୁଥିଲେ ମଧ୍ୟ ଲୋକସଭା ୱେବ୍ ସାଇଟ ୟୁରାଲ ଓ ପାସୱାର୍ଡ ହସ୍ତାନ୍ତର କଥାକୁ ସ୍ୱୀକାର କରୁଛନ୍ତି । ୪୯ ବର୍ଷ ବୟସ୍କା ମହୁଆଙ୍କୁ ଟିଏମସି ସମେତ ବିରୋଧ ଦଳମାନେ ସମର୍ଥନ ଦେଉଥିଲେ ମଧ୍ୟ ଆଜି ସୁପ୍ରିମ କୋର୍ଟରୁ ଆଶ୍ୱସ୍ତି ନ ମିଳିବାରୁ ନିକଟରେ ସଂସଦକୁ ଫେରିବା ଆଶା ମଉଳି ଯାଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS