କେଜରୀୱାଲ ତୃତୀୟ ଥର ପାଇଁ ଏଡାଇ ଗଲେ ଇଡି ସମନ


ପ୍ରସାଦ ରାଓ
ଜାନୁୟାରୀ ୦୩/୨୦୨୪
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଆଜି ତୃତୀୟ ଥର ପାଇଁ ଏଡାଇ ଯାଇଛନ୍ତି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ସମନକୁ । ଗତ ନଭେମ୍ବର ଓ ଡିସେମ୍ବର ମାସରେ ହାଜିରା ପାଇଁ ଇଡିର ସମନକୁ ସେ ଏଡାଇ ଯାଇଥିବା ବେଳେ ତୃତୀୟ ଥର ପାଇଁ ଇଡି ତାଙ୍କୁ ସମନ ଜାରି କରି ଆଜି ହାଜର ହେବାକୁ କହିଥିଲା । କେଜରୀୱାଲ ଆଜି ଇଡିରେ ହାଜର ହେବେ କି ନାହିଁ – ତାହା ଉପରେ ସମଗ୍ର ଦେଶର ନଜର ରହିଥିଲା । ତେବେ, ସେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ ପ୍ରସ୍ତୁତି ଓ ରାଜ୍ୟସଭା ନିର୍ବାଚନକୁ ନେଇ ବ୍ୟସ୍ତ ଥିବାରୁ ଇଡି ତାଙ୍କୁ ଯଦି କିଛି ପଚାରିବାକୁ ଚାହୁଁଛି ପ୍ରଶ୍ନପତ୍ର ତାଙ୍କୁ ପଠାଇ ଦେଲେ ବିନା ଦ୍ୱିଧାରେ ସେ ଉତ୍ତର ଦେବାକୁ ପ୍ରସ୍ତୁତ ବୋଲି ଜଣାଇ ଦେଇଛନ୍ତି । କେଜରୀୱାଲ ଆଜି ଇଡିକୁ ଚିଠି ଲେଖି ତାଙ୍କ ପୁରୁଣା ଅଭିଯୋଗକୁ ଦୋହରାଇଛନ୍ତି । ଇଡିର ସମନ ରାଜନୈତିକ ଉଦ୍ଦେଶ ପ୍ରଣୋଦିତ’ ବୋଲି କହିଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ତାଙ୍କୁ ଯେଉଁ ସମନ କରୁଛି ତାହା ଜଣେ ସନ୍ଦିଗ୍ଧ ଭାବେ ନା ସାକ୍ଷୀ ଭାବେ, ସେ ଜାଣିପାରୁ ନାହାନ୍ତି ବୋଲି କେଜରୀୱାଲ କହିଛନ୍ତି । ଇଡି ତାଙ୍କୁ ବ୍ୟକ୍ତିଗତ ଭାବେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ନା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଭାବେ ସମନ କରୁଛି (?) ବୋଲି କେଜରୀୱାଲ ତାଙ୍କ ଚିଠିରେ ପ୍ରଶ୍ନ କରିଛନ୍ତି । ‘ଆପ୍’ ପକ୍ଷରୁ ମଧ୍ୟ ଇଡି ସମନକୁ ନେଇ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରାଯାଇଛି । କେଜରୀୱାଲ ଯେପରି ଆଗାମୀ ଲୋକସଭା ନିର୍ବାଚନରେ ପ୍ରଚାର କରିନପାରିବେ ତାହା ଦୃଷ୍ଟିରେ ରଖି ଶାସକ ବିଜେପିର ଇଂଗିତରେ ଇଡି ତାଙ୍କୁ ଗିରଫ କରିବାକୁ ବାରମ୍ବାର ଏଭଳି ସମନ କରୁଛି ବୋଲି ଦଳ ଅଭିଯୋଗ କରିଛି । ତେବେ, ସେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ‘କିଂଗପିନ୍’ ହୋଇଥିବାରୁ ଗିରଫ ହେବା ଭୟରେଇଡି ସମନକୁ ଏଡାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବରୁ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ରାଜ୍ୟସଭା ସାଂସଦ ସଂଜୟ ସିଂହ ଗିରଫ ହୋଇ ଜେଲରେ ଅଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS