ନୀତୀଶ ହେବେ ‘ଇଣ୍ଡିଆ’ ମେଂଟର ଜାତୀୟ ସଂଯୋଜକ ?
ପ୍ରସାଦ ରାଓ
ଜାନୁୟାରୀ ୦୪/୨୦୨୪
ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିକୁ ପରାଜିତ କରିବା ଲକ୍ଷ୍ୟ ନେଇ ଗଠିତ ବିରୋଧୀ ମେଂଟର କଂଟା ଗୋଟିଏ ଜାଗାରେ ଅଟକିଛି । ତାହା ହେଉଛି, କାହାକୁ କରାଯିବ ମେଂଟର ଆବାହକ ? ଏହି ପ୍ରଶ୍ନକୁ ନେଇ ଏପର୍ଯ୍ୟନ୍ତ ୨୮ ବିରୋଧୀ ଦଳର ନେତା ସହମତିରେ ପହଂଚି ନଥିବା ବେଳେ ‘ଇଣ୍ଡିଆ’ ମେଂଟ ନେତାମାନଙ୍କ ଭର୍ଚୁଆଲ ବୈଠକରେ ବିହାର ମୁଖ୍ୟମନ୍ତ୍ରୀଙ୍କ ନାମ ଆସିଛି । ବୈଠକରେ ମୁଖ୍ୟତଃ ଦୁଇଟି ପ୍ରମୁଖ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ପ୍ରଥମଟି ହେଉଛି, ‘ଇଣ୍ଡିଆ’ ମେଂଟର ଆବାହକ କିଏ ହେବ ? ଆଲୋଚନାର ଦ୍ୱିତୀୟ ପ୍ରସଙ୍ଗ ଥିଲା ୨୦୨୪ ନିର୍ବାଚନରେ ବିଜେପିର ମୁକାବିଲା ପାଇଁ ମେଂଟର ମିଳିତ ରଣକୌଶଳ କଣ ରହିବ । ବିରୋଧୀ ମେଂଟର ଦୁଇଟି ପ୍ରମୁଖ ଅଂଶୀଦାର ଆମ ଆଦମୀ ପାର୍ଟି (ଆପ୍) ଓ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବେ ସଂକଟରେ । ଏହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ (ଦିଲ୍ଲୀ) ଓ ହେମନ୍ତ ସୋରେନ (ଝାଡଖଣ୍ଡ) ଭିନ୍ନ ଭିନ୍ନ ଦୁର୍ନୀତି ଅଭିଯୋଗରେ ଫସି ଜେରା ପାଇଁ ‘ଇଡି’ର ସମନକୁ ଏଡାଇ ଚାଲି ଥିବାରୁ ଯେକୌଣସି ସମୟରେ ସେମାନେ ଗିରଫ ହେବା ଆଶଙ୍କା ବଢିବାରେ ଲାଗିଛି । ଦିଲ୍ଲୀ ପାଇଁ ୨୦୨୦ରେ ପ୍ରସ୍ତୁତ ହୋଇଥବା ଏବଂ ୨୦୨୧ରେ କାର୍ଯ୍ୟକାରୀ ହୋଇଥିବା ନୂତନ ଅବକାରୀ ନୀତିର କାର୍ଯ୍ୟକାରିତାରେ ବ୍ୟାପକ ଦୁର୍ନୀତି ଏବଂ ଆର୍ଥିକ ଅନିୟମିତା ହୋଇଥିବା ଅଭିଯୋଗ ରହିଛି । ତାହାର ତଦନ୍ତ କରୁଛନ୍ତି ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) । ପୂର୍ବରୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ଥାଇ ଗିରଫ ହୋଇଥିବା ମନୀଷ ସିସାଦିଆ ପାଖାପାଖି ବର୍ଷେ ହେଲା ଜେଲରେ ଅଛନ୍ତି । ଦଳର ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କୁ ମଧ୍ୟ ଇଡି ଗିରଫ କରି ଜେଲରେ ରଖିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଏହି ଦୁର୍ନୀତିର ମୁଖ୍ୟ ଷଡଯନ୍ତ୍ରକାରୀ ବା ‘କିଂଗପିନ୍’ ବୋଲି ବିଜେପି କହୁଛି ଏବଂ ଇଡି ତାଙ୍କୁ ଜେରା କରିବା ପାଇଁ ତିନି ଥର ସମନ କଲାଣି । କେଜରୀୱାଲ ତିନିଟି ଯାକ ସମନ ଏଡାଇ ଯିବାରୁ ଚତୁର୍ଥ ସମନ ପଠାଇବାକୁ ଇଡି ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ସେହିଭଳି, ଝାଡଖଣ୍ଡରେ ହୋଇଥିବା ମାଇନିଂ ଓ ଜମିଜମା ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସଂପୃକ୍ତିକୁ ନେଇ ସିବିଆଇ ଓ ଇଡି ତଦନ୍ତ କରୁଛନ୍ତି । ରାଂଚି ଜମି ଦୁର୍ନୀତି ମାମଲାରେ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଛଅ ଥର ସମନ କଲାଣି । ତେବେ, ବିଭିନ୍ନ ଆଳରେ ସେ ସମନକୁ ଏଡାଇ ଚାଲିଛନ୍ତି । ବିରକ୍ତ ହୋଇ ଇଡି ସୋରେନଙ୍କୁ ଷଷ୍ଠ ସମନ ପଠାଇଛି ଓ ତାହାକୁ ଏଡାଇଲେ କଠୋର କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଛି । ଦୁଇ ମୁଖ୍ୟମନ୍ତ୍ରୀ ନିଜସ୍ତରରେ ‘ଇଡି’ ସମନକୁ ‘ରାଜନୈତିକ ଉଦ୍ଦେଶ୍ୟମୂଳକ’ ଓ ‘ବେଆଇନ’ ଦର୍ଶାଇ ହାଜିରାକୁ ଏଡାଇ ଚାଲିଛନ୍ତି । ଇଡି ସମନ ବିରୋଧରେ ମଧ୍ୟ ଜନମତ ସୃଷ୍ଟି ଉଦ୍ୟମ ହେଉଛି । ଅପରପକ୍ଷରେ ଶାସକ ବିଜେପି ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତି ମାମଲାରେ ଜେଲର ପୁରାଇ ସବୁ ବିରୋଧୀ ମେଂଟ ନେତା ଦୁର୍ନୀତିଗ୍ରସ୍ତ ବୋଲି ସାଧାରଣ ନିର୍ବାଚନ ପୂର୍ବରୁ ଏକ ବ୍ୟାଖ୍ୟାୟନ (ନ୍ୟାରେଟିଭ) ସୃଷ୍ଟି କରିବାକୁ ଉଦ୍ୟମ କରୁଛି । ଏଭଳି ପୃଷ୍ଠଭୂମିରେ ଦିଲ୍ଲୀରେ ବିରୋଧୀ ମେଂଟର ଭର୍ଚୁଆଲ ବୈଠକକୁ ବେଶ ଗୁରୁତ୍ୱ ଦିଆଯାଉଛି । ବିରୋଧୀ ନେତାମାନେ କେବଳ ଦୁର୍ନୀତି ଅଭିଯୋଗରେ ଫସି ନାହାନ୍ତି, ମେଂଟ ଗଠନ ଦିନରୁ ନେତୃତ୍ୱ କାହା ହାତରେ ସମର୍ପିର୍ବେ ନିଷ୍ପତ୍ତି ନେଇପାରୁ ନଥିବାରୁ ସମାଲୋଚନାର ଶରବ୍ୟ ହୋଇଛନ୍ତି । ଶାସକ ଦଳ ଆଡୁ ସମାଲୋଚନା ହେବା ସ୍ୱାଭାବିକ । ଗଣମାଧ୍ୟମ ମଧ୍ୟ ଏହି କାରଣରୁ ‘ଇଣ୍ଡିଆ’ ମେଂଟକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି । ଇଣ୍ଡିଆ ମେଂଟର ଗତ ଦିଲ୍ଲୀ ବୈଠକରେ ଟିଏମସି ମୁଖ୍ୟା ମମତା ବାନାର୍ଜୀ ଓ ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ ମେଂଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମକୁ ଉପସ୍ଥାପନ କରି ମେଂଟ ପାଇଁ ଏକ ଅଶ୍ୱସ୍ତିକର ବାତାବରଣ ସୃଷ୍ଟି କରିଥିଲେ । ବିଜେପିର ମୁକାବିଲା ପାଇଁ ବିରୋଧୀଙ୍କୁ ଏକାଠି କରିବା କାର୍ଯ୍ୟରେ ଲାଗିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ନାମ ମେଂଟ ସଂଯୋଜକ ଭାବେ ଘୋଷଣା ହେଉନଥିବାରୁ କ୍ଷୁବ୍ଧ । ସେ ପୁନର୍ବାର ବିଜେପି ମୁହାଁ ହେଉଥିବା ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ନେତୃତ୍ୱ ତାଙ୍କୁ ମନାଇବାକୁ ଉଦ୍ୟମ କରିଥିଲେ । ନୀତୀଶଙ୍କ ପ୍ରତି କେବଳ ଜେଡିୟୁ ନୁହେଁ, ବିରୋଧୀ ମେଂଟରେ ବ୍ୟାପକ ସମର୍ଥନ ଥିବାରୁ ସେ ‘ଇଣ୍ଡିଆ’ ମେଂଟର ଜାତୀୟ ସଂଯୋଜକ ହେବା ପ୍ରତିଦ୍ୱନ୍ଦ୍ୱିତାରେ ବହୁ ଆଗରେ ଥିବା ମଧ୍ୟ ଆଲୋଚନା ହେଉଛି । ନୀତୀଶ ଜଣେ ଅଭିଜ୍ଞ ତଥା ବରିଷ୍ଠ ନେତା । ତେଣୁ, ବିରୋଧୀ ମେଂଟ ତାଙ୍କୁ ଜାତୀୟ ସଂଯୋଜକ କରିପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି । ସେଭଳି ପ୍ରସ୍ତାବ ଆସିଲେ ବିହାର ପାଇଁ ତାହା ବଡ ଉପଲବ୍ଧୀ ହେବ ବୋଲି ନିକଟରେ ଆରଜେଡି ନେତା ତଥା ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମନ୍ତବ୍ୟ ଦେଇ ନୀତୀଶ ମେଂଟର ଜାତୀୟ ସଂଯୋଜକ ହେବା ସମ୍ଭାବନାକୁ ପୃଷ୍ଟି କରିଛନ୍ତି । ତେବେ, ଟିଏମସି ମୁଖ୍ୟା ମମତା ବାନାର୍ଜୀ ଓ ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲଙ୍କ ଉପରେ ଅନେକ କିଛି ନିର୍ଭର କରୁଛି । ଇଣ୍ଡିଆ ମେଂଟ ନେତାମାନଙ୍କ ପରବର୍ତ୍ତୀ ବୈଠକରେ ଏନେଇ ବଡ ନିଷ୍ପତ୍ତି ହୋଇପାରେ ବୋଲି ଆଶା କରାଯାଉଛି । ଏହାଛଡା, ଆଗାମୀ ଲୋକସଭା ନିର୍ବାଚନ ନିମନ୍ତେ ଆସନ ବୁଝାମଣା ଏବଂ ବିଜେପିର ମୁକାବିଲା ପାଇଁ ମିଳିତ କାର୍ଯ୍ୟକ୍ରମ ଘୋଷଣା ଉପରେ ମଧ୍ୟ ବିରୋଧୀ ନେତାମାନେ ଚୂଡାନ୍ତ ନିଷ୍ପତ୍ତି ନେବାକୁ ବାକି ରହିଛି । ଇଣ୍ଡିଆ ମେଂଟ ନେତାମାନେ ଏକାଠି ବସିଲେ ଦିଲ୍ଲୀ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନକୁ ଉପୁଜି ଥିବା ପରିସ୍ଥିତି ଉପରେ ଆଲୋଚନା କରିବେ ଏବଂ ମିଳିତ ଭାବେ ତାହାର ନିନ୍ଦା କରିବେ ବୋଲି ମେଂଟ ସୂତ୍ରରୁ ସୂଚନା ମିଳୁଛି । ତେବେ, ବିଭିନ୍ନ ରାଜ୍ୟରେ ଲୋକସଭା ଆସନ ଭାଗବଂଟାକୁ ନେଇ ବିରୋଧୀ ମେଂଟ ନେତାଙ୍କ ମଧ୍ୟରେ ଯେଭଳି ତୁତୁ..ମେଁମେଁ ଚାଲିଛି ତାହା ମେଂଟ ଭବିଷ୍ୟତକୁ ଅନିଶ୍ଚିତ ମଧ୍ୟକୁ ଠେଲି ଦେଉଥିବା ରାଜନୈତିକ ବିଶ୍ଲେଷକମାନେ ଅନୁଭବ କରୁଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS