ବିବାଦରେ ହାଇଟେକ୍ – ମୃତକ ଦଲ୍ଲୀପ ନା ଜ୍ୟୋତି ରଂଜନ ?
ପ୍ରସାଦ ରାଓ
ଜାନୁୟାରୀ ୦୫/୨୦୨୪
ଭୁବନେଶ୍ୱର ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଡିସେମ୍ବର ୨୯ ତାରିଖ ଘଟିଥିବା ଏସି କଂପ୍ରେସର ବିସ୍ଫୋରଣ ଘଟଣା ଏବେ ଏକ ବିବାଦୀୟ ମୋଡ ନେଇଛି । ହସ୍ପିଟାଲରେ ଲାଗି ଥିବା ଏୟାର କଂଡିସନର (ଏସି)ର ମରାମତି ଓ ଗ୍ୟାସ୍ ଫିଲିଂ ସମୟରେ ସେଦିନ କୌଣସି କାରଣରୁ କଂପ୍ରେସର ଫାଟି ଯିବାରୁ ବିସ୍ଫୋରଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ଖୋର୍ଦ୍ଦା ଜିଲ୍ଲା ଜଟଣୀ ନିକଟ ହରିରାଜପୁର ବଅଙ୍ଗ ଗ୍ରାମର ଏସି ମେକାନିକ ଦିଲ୍ଲୀପ ସାମନ୍ତରାୟ ଏହି ବିସ୍ଫୋରଣରେ ସଂକଟାପନ୍ନ ହୋଇପଡିବାରୁ ତାଙ୍କୁ ହସ୍ପିଟାଲର ଭେଂଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା । ଦୁଇ ଦିନ ପରେ ଦିଲ୍ଲୀପଙ୍କ ମୃତ୍ୟୁ ଘଟିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ଏବଂ ଡିସେମ୍ବର ୩୧ ତାରିଖ ମୃତ ଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ । ପରିବାରବର୍ଗ ଦିଲ୍ଲୀପଙ୍କ ଶବକୁ ଗାଁକୁ ଆଣି ଅନ୍ତିମ ସଂସ୍କାର କରିଥିବା ବେଳେ ତାଙ୍କ ପତ୍ନୀ ସୌମ୍ୟାଶ୍ରୀ ଓରଫ ସୋନା ସ୍ୱାମୀଙ୍କ ମୃତ୍ୟୁ ପରେ ସଂପୂର୍ଣ୍ଣ ମୂକ ପାଲଟି ଯିବାରୁ ସୋନାଙ୍କ ପିତା ତାଙ୍କୁ ନିଜ ଗାଁ ନୂଆଗାଁ ଗାନ୍ଧୀନଗରକୁ ନେଇ ଆସିଥିଲେ । ସୋନା କିଛି ଦିନ ବାପ ଘରେ ରହିଲେ ତାଙ୍କ ମାନସିକ ଅବସ୍ଥା ସୁଧୁରି ଯିବ ବୋଲି ବାପ ଘର ଲୋକ ଆଶା କରିଥିଲେ । ତେବେ, ସୋନା ସ୍ୱାମୀଙ୍କ ମୃତ୍ୟୁକୁ ନେଇ ଏତେଦୂର ଭାଂଗି ପଡିଥିଲେ ଯେ ଜାନୁୟାରୀ ୧ ତାରିଖ ନୂଆ ବର୍ଷର ପ୍ରଥମ ସୂର୍ଯ୍ୟଦୋୟ ପୂର୍ବରୁ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ । ସ୍ୱାମୀଙ୍କ ଜୁଇ ଲିଭି ନଥିବା ବେଳେ ସୋନାଙ୍କ ଜୁଇ ଜଳି ଥିଲା ଏବଂ ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା । ଏହି ଦୁର୍ଘଟଣାରେ ଦିଲ୍ଲୀପଙ୍କ ସହଯୋଗୀ ଜ୍ୟୋତି ରଂଜନ ମଲ୍ଲିକ ଗୁରୁତର ଥିବା ତାଙ୍କୁ ଭେଂଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିବା ହସ୍ପିଟାଲ ପକ୍ଷରୁ ଜ୍ୟୋତିଙ୍କ ପରିବାରକୁ ଜଣାଇ ଥିଲେ । ତେବେ, ଗୁରୁବାର ରାତିରେ ଭେଂଟିଲେଟରରୁ ବାହାରିବା ପରେ ଯେଉଁ ଯୁବକ ଜଣକୁ ଜ୍ୟୋତି ରଂଜନ ମଲ୍ଲିକ ବୋଲି କୁହାଯାଉଥିଲା ସେ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି ଦାବି କଲେଣି । ଯାହାକି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । ଭେଂଟିଲେଟରରୁ ବାହାରି ଥିବା ଯୁବକ ଜଣକ ଯଦି ଦିଲ୍ଲୀପ ସାମନ୍ତରାୟ ତେବେ ଜ୍ୟୋତି ରଂଜନ କୁଆଡେ ଗଲେ (?) ବୋଲି ଏବେ ଜ୍ୟୋତି ରଂଜନଙ୍କ ପରିବାର ପ୍ରଶ୍ନ ଉଠାଇଲେଣି । ଜ୍ୟୋତି ରଂଜନଙ୍କ ଦୁଃଖରେ ଭାଗି ପଡିଛନ୍ତି । ଗତକାଲି ଯାଏ ଜ୍ୟୋତି ରଂଜନ ହସ୍ପିଟାଲର ଭେଂଟିଲେଟରରେ ଥିବା କର୍ତ୍ତୃପକ୍ଷ କହୁଥିଲେ । ଏବେ ଗୁରୁବାର ରାତିରେ ଭେନଟିଲେଟରରୁ ବାହାରି ଥିବା ଯୁବକ ଦିଲ୍ଲୀପ ସାମନ୍ତରାୟ ବୋଲି କୁହାଯାଉଛି । ମୋ ସ୍ୱାମୀ କୁଆଡେ ଗଲେ (?) ବୋଲି ଜ୍ୟୋତି ରଂଜନଙ୍କ ପତ୍ନୀ ଆଜି ପ୍ରଶ୍ନ କରିଛନ୍ତି । ହାଇଟେକ୍ ହସ୍ପିଟାଲ କର୍ତ୍ତୃପକ୍ଷ ଦିଲ୍ଲୀପ ସାମନ୍ତରାୟଙ୍କ ମୃତଦେହକୁ ଚିହ୍ନଟ କରି ଡିସେମ୍ବର ୩୧ ତାରିଖରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ବେଳେ ଏବେ ଭେଂଟିଲେଟରରୁ ବାହାରି ଥିବା ବ୍ୟକ୍ତି ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି ଦାବି କରିବା ଏବଂ ଜ୍ୟୋତି ରଂଜନ ମଲ୍ଲିକ ଭେଂଟିଲେଟରରେ ଥାଇ ଚିକିତ୍ସିତ ହେଉଛନ୍ତି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ଗତକାଲି ଯାଏଁ କହି ଆସୁଥିବା ବେଳେ ଆଜି ଜ୍ୟୋତିଙ୍କ ସ୍ଥିତାବସ୍ଥାକୁ ନେଇ ପ୍ରଶ୍ନ ଉଠୁଥିବା ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଡିସେମ୍ବର ୩୧ ତାରିଖ ଦିନ ଯେଉଁ ଶବ ଦିଲ୍ଲୀପ ସାମନ୍ତରାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା ତାହା ବାସ୍ତବରେ ଦିଲ୍ଲୀପଙ୍କ ନା ଜ୍ୟୋତି ରଂଜନଙ୍କ – ତାହା ବଡ ପ୍ରଶ୍ନ ହୋଇଛି । ଶବ ହସ୍ତାନ୍ତର ପୂର୍ବରୁ ହସ୍ପିଟାଲ କର୍ତ୍ତୃପକ୍ଷ ତାହାର ସଠିକ ଚିହ୍ନଟ କରିବାରେ ଅବହେଳା (ମିଷ୍ଟେକନ୍ ଆଇଡେଂଟିଟି)ରୁ ଏଭଳି ଘଟଣା ଘଟିଛି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଥିବା ବେଳେ ହାଇଟେକ୍ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷ କହୁଛନ୍ତି, ଏହା ଏକ ମେଡିକୋ ଲିଗାଲ କେସ୍ (ଏମଏଲସି) ହୋଇଥିବାରୁ ନିୟମ ମୁତାବକ ଶବକୁ ବ୍ୟବଚ୍ଛେଦ ପାଇଁ ପୁଲିସକୁ ହସ୍ତାନ୍ତର କରାଯାଇଥାଏ, ପରିବାରବର୍ଗଙ୍କୁ ନୁହେଁ । ମୃତ ବ୍ୟକ୍ତି ହସ୍ପିଟାଲର କର୍ମଚାରୀ ହୋଇଥିଲେ ଡାକ୍ତରମାନେ ଚିହ୍ନଟ କରିବା ସମ୍ଭବ ହୋଇଥା’ନ୍ତା ଏବଂ ହସ୍ପିଟାଲ ମଧ୍ୟ ଚିହ୍ନଟ କରିବା ଦାୟିତ୍ୱ ମୁଣ୍ଡାଇ ଥା’ନ୍ତା । କିନ୍ତୁ, ଏସି ମରାମତି ପାଇଁ ନିୟୋଜିତ ଲୋକମାନେ ତୃତୀୟ ପକ୍ଷ ଭେଣ୍ଡରଙ୍କ କର୍ମଚାରୀ ଥିବାରୁ ମୃତକଙ୍କ ସଠିକ ଚିହ୍ନଟ କରିବା ଡାକ୍ତରଙ୍କ ପାଇଁ ସମ୍ଭବ ନଥିଲା । ହାଇଟେକ୍ ମେଡିକାଲ କର୍ତ୍ତୃପକ୍ଷ ଶବ ହସ୍ତାନ୍ତର ଘଟଣାକୁ ଏବେ ବିବାଦରେ ଫସିଥିବା ବେଳେ ଏସି ବିସ୍ଫୋରଣ ଓ ଏହାକୁ ନେଇ ଉପୁଜି ଥିବା ପରିସ୍ଥିତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଏବେ ଦାବି ହେଲାଣି । ଇତିମଧ୍ୟରେ, ଏସି କଂପ୍ରେସର ବିସ୍ଫୋରଣ ଘଟଣାରେ ଅନ୍ୟତମ ଗୁରୁତର ଆହତ ସୀତାରାମ ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗତ ମଂଗଳବାର ରାତିରେ ମୃତ୍ୟୁ ଘଟି ସାରିଛି । ହସ୍ପିଟାଲ କର୍ତ୍ତୃପକ୍ଷ ଡିସେମ୍ବର ୩୧ ତାରିଖ ଦିନ ଏସି ମେକାନିକ ଦିଲ୍ଲୀପ ସମାନ୍ତରାଙ୍କ ପରିବାରକୁ ଯେଉଁ ମୃତଦେହ ହସ୍ତାନ୍ତରିତ କରାଯାଇଛି ତାହା ଦିଲ୍ଲୀପଙ୍କର ନା ଜ୍ୟୋତି ରଂଜନ ମଲ୍ଲିକଙ୍କ – ଏବେ ବଡ ପ୍ରଶ୍ନ ହୋଇଛି । ଯଦି ମିଷ୍ଟେକେନ୍ ଆଇଡେଂଟିଟିରୁ ଏଭଳି ଏକ ଗୁରୁତର ଘଟଣା ଘଟିଛି ତେବେ ଦିଲ୍ଲୀପଙ୍କ ପତ୍ନୀ ସୌମ୍ୟାଶ୍ରୀ ଓରଫ ସୋନାଙ୍କ ଦୁଃଖଦ ଆତ୍ମହତ୍ୟା ପାଇଁ କାହାକୁ ଦାୟୀ କରାଯିବ (?)ବୋଲି ମଧ୍ୟ ପ୍ରଶ୍ନ ହେଉଛି । ତେଣୁ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ପ୍ରକୃତ ସତ୍ୟର ଉନ୍ମୋଚନ କରିବା ନିତାନ୍ତ ଆବଶ୍ୟକ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS