ମହାଦେବ ବେଟିଂ ଆପ୍ – ଇଡି ଚାର୍ଜସିଟରେ ଭୂପେଶ ବାଘେଲାଙ୍କ ନାମ !
ପ୍ରସାଦ ରାଓ
ଜାନୁୟାରୀ ୦୬/୨୦୨୪
ବହୁ ଚର୍ଚ୍ଚିତ ମହାଦେବ ବେଟିଂ ଆପ୍ ମାମଲାରେ ଇଡି (କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ) ପକ୍ଷରୁ ଜାନୁୟାରୀ ୦୧ ତାରିଖ ଦିନ ଛତିଶଗଡର ଏକ ସ୍ୱତନ୍ତ୍ର ପିଏମଏଲଏ କୋର୍ଟରେ ସପ୍ଲିମମେଂଟାରୀ ଚାର୍ଜସିଟ୍ ଦାଖଲ ହୋଇଛି । ଯେଉଁଥିରେ କି ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲାଙ୍କ ନାମ ରହିଥିବା ସୂଚନା ମିଳିଛି । ‘ଆପ୍’ ସଂଚାଳକମାନେ ଦୁବାଇରୁ ସେମାନଙ୍କ ଏହି ବେଆଇନ ବେଟିଂ ଆପ୍ ଚଳାଇ ଥିଲେ ଏବଂ ସେମାନଙ୍କ ବ୍ୟବସାୟିକକୁ ସୁରକ୍ଷା ଯୋଗାଇ ଦେବାକୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଥିବା ବାଘେଲା ପ୍ରାୟ ୫୦୮ କୋଟି ଟଙ୍କା ଲାଂଚ ନେଇଥିଲେ ବୋଲି ଠିକ୍ ଛତିଶଗଡ ବିଧାନସଭା ନିର୍ବାଚନ ସମୟରେ ଅଭିଯୋଗ ହୋଇଥିଲା । ୨୦୨୩ ନଭେମ୍ବର ୦୭ ଓ ୧୭ ତାରିଖ ଦିନ ଛତିଶଗଡ ବିଧାନସଭା ପାଇଁ ଦୁଇ ପର୍ଯ୍ୟାୟରେ ଭାଟ ହୋଇଥିବା ବେଳେ ନଭେମ୍ବର ୦୨ ତାରିଖ ଦିନ ଇଡି ଅସୀମ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ମାଡି ବସି ତାଙ୍କ ଘରୁ ନଗଦ ୫.୩୯ କୋଟି ଜବତ କରିଥିଲେ । ଛତିଶଗଡ ବିଧାନସଭା ନିର୍ବାଚନରେ ପ୍ରଚାର କାର୍ଯ୍ୟ ପାଇଁ ଏହି ଟଙ୍କା ମହାଦେବ ଆପ୍ ପ୍ରମୋଟରମାନେ କଂଗ୍ରେସ ଦଳକୁ ଦେଇଛନ୍ତି ଏବଂ ଟଙ୍କା ମୁଖ୍ୟମନ୍ତ୍ରୀ ବାଘେଲାଙ୍କ ନିକଟରେ ପହଂଚାଇ ଦେବାକୁ ତାଙ୍କୁ ନିର୍ଦେଶ ଥିଲା ବୋଲି ଅସୀମ ଦାସ କୁଆଡେ ଜେରା ବେଳେ ଇଡି ଅଧିକାରୀଙ୍କ ନିକଟରେ ଖୁଲାସା କରିଥିଲେ । ଏହା ପ୍ରଥମ ନୁହେଁ, ମହାଦେବ ଆପ୍ ପ୍ରମୋଟରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ବାଘେଲା ପ୍ରାୟ ୫୦୮ କୋଟି ଟଙ୍କା ଲାଂଚ ନେଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟତମ ଲୋକଙ୍କ ଜରିଆରେ ଟଙ୍କା ବାଘେଲାଙ୍କ ନିକଟରେ ପହଂଚିଛି ବୋଲି ଇଡି ଅଭିଯୋଗ କରିବା ପରେ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା । ଇଡିର ଅଭିଯୋଗ ନିର୍ବାଚନ ବାତାବରଣକୁ ଉଷ୍ଣ କରିଥିଲା । ସେତେବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ଥିବା ବାଘେଲା ମହାଦେବ ଆପ୍ ପ୍ରମୋଟରଙ୍କଠାରୁ ଲାଂଚ ନେଇଥିବା ଅଭିଯୋଗକୁ ଦୃଢ ଭାବେ ଅସ୍ୱୀକାର କରିଥିବା ବେଳେ ନିର୍ବାଚନରେ କଂଗ୍ରେସକୁ ପରାଜିତ କରିବା ପାଇଁ ବିଜେପିର ଏହା ଏକ ଷଡଯନ୍ତ୍ର ବୋଲି ଅଭିଯୋଗ କରିଥିଲେ । ତେବେ, ଡିସେମ୍ବର ୩ ତାରିଖରେ ପ୍ରକାଶିତ ନିର୍ବାଚନ ଫଳାଫଳ କଂଗ୍ରେସ ବିରୋଧରେ ଯାଇଥିଲା । କଂଗ୍ରେସ କ୍ଷମତାଚ୍ୟୁତ ହୋଇଥିବା ବେଳେ ରାଜ୍ୟରେ ବିଜେପି ସରକାର କରିଛି । ଇଡି ଗଲା ଜାନୁୟାରୀ ୦୧ ତାରିଖରେ ଛତିଶଗଡର ରାୟପୁରରେ ଥିବା ସ୍ୱତନ୍ତ୍ର ପିଏମଏଲଏ (ପ୍ରିଭେନ୍ସନ୍ ଅଫ୍ ମନିଲଂଡରିଂ ଆକ୍ଟ) କୋର୍ଟରେ ମହାଦେବ ଆପ୍ ମାମଲାରେ ସପ୍ଲିମେଂଟାରୀ ଚାର୍ଜସିଟ ଦାଖଲ କରିଛି । ଏହି ସପ୍ଲିମେଂଟାରୀ ଚାର୍ଜସିଟରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାଘେଲାଙ୍କ ନାମ ସହ ଶୁଭମ ସୋନି, ଅନୀଲ କୁମାର ଅଗ୍ରୱାଲ ଓରଫ ଅତୁଲ ଅଗ୍ରୱାଲ, ରୋହିତ ଗୁଲାଟି, ଭୀମ ସିଂହ ଯାଦବ ଏବଂ ଅସୀମ ଦାସଙ୍କ ନାମ ଅଭିଯୁକ୍ତ ତାଲିକାରେ ଥିବା ଜଣାପଡିଛି । ମହାଦେବ ଆପ୍ ପ୍ରମୋଟର ତଥା ଅଭିଯୁକ୍ତ ଶୁଭମ ସୋନି ଜେରା ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଇଡିକୁ ଦେଇଥିବା ସପ୍ଲିମେଂଟାରୀ ଚାର୍ଜସିଟରେ ଦର୍ଶାଯାଇଛି । ଇଡି କହିଛି, ୫.୩୯ କୋଟି ଟଙ୍କା ସହ ନଭେମ୍ବର ୦୨ ତାରିଖରେ ଧରା ପଡିଥିବା ଅସୀମ ଦାସ ଜେରା ବେଳେ ଭୂପେଶ ବାଘେଲାଙ୍କ ନିକଟରେ ଏହି ଟଙ୍କା ପହଂଚାଇ ଦେବାକୁ କୁଆଡେ ମହାଦେବ ଅନ୍ ଲାଇନ୍ ଆପ୍ ପ୍ରମୋଟର ଶୁଭମ ସୋନି ତାଙ୍କୁ ନିର୍ଦେଶ ଦେଇଥିଲେ ବୋଲି ବୟାନ ଦେଇଛନ୍ତି । ୨୦୨୩ ଅକ୍ଟୋବର ୨୫ ତାରିଖରେ ଦିନ ସୋନି ତାଙ୍କୁ (ଅସୀମ ଦାସଙ୍କୁ) ଦୁବାଇ ଡକାଇ ଟଙ୍କା ହସ୍ତାନ୍ତର କରିଥିଲେ । ଭୂପେଶ ବାଘେଲାଙ୍କୁ ଟଙ୍କା ପହଂଚାଇବା ସାକଶେ ସୋନି ଅସୀମଙ୍କୁ ନିର୍ଦେଶ ଦେଇଥିବା ଦାସଙ୍କ ଜବତ ଫୋନରୁ ମିଳିଥିବା ଏକ ଭଏସ୍ ମେସେଜରୁ ସ୍ପଷ୍ଟ ହୋଇଛି ବୋଲି ଇଡି ଅଧିକାରମାନେ ଚାର୍ଜସିଟରେ ଦର୍ଶାଇଛନ୍ତି । ଆସନ୍ତା ଏପ୍ରିଲ-ମେ’ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ମହାଦେବ ଅନଲାଇନ ଆପ୍ ମାମଲାର ବରିଷ୍ଠ କଂଗ୍ରେସ ନେତା ତଥା ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ବାଘେଲାଙ୍କ ନାମ ସପ୍ଲିମେଂଟାରୀ ଚାର୍ଜସିଟରେ ରହିବା କଂଗ୍ରେସର ଅଡୁଆ ବଢାଇବା ନିଶ୍ଚିତ । କଂଗ୍ରେସ ସମେତ ବିରୋଧୀ ମେଂଟରେ ଥିବା ଦଳମାନେ ବଂଶବାଦୀ, ଦୁର୍ନୀତିଗ୍ରସ୍ତ ଓ ତୁଷ୍ଟିକରଣ ସପକ୍ଷବାଦୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମତେ ବିଜେପିର ବରିଷ୍ଠ ନେତାମାନେ ବରମ୍ବାର ଅଭିଯୋଗ କରିବା ସହ କଂଗ୍ରେସ ମହାଦେବଙ୍କୁ ମଧ୍ୟ ଛାଡିଲା ନାହିଁ ବୋଲି ଆକ୍ଷେପ କରୁଛନ୍ତି । ୨୦୦୬ରେ ହରିୟାଣାରେ ହୋଇଥିବା ଜମି କିଣାବିକାରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ପ୍ରଥମ ଥର ପାଇଁ ଇଡି ନିକଟରେ ଦାଖଲ କରିଥିବା ଚାର୍ଜସିଟରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମ ଉଲ୍ଲେଖ କରିଥିଲା । ଏବେ, ମହାଦେବ ଆପ୍ ମାମଲାରେ କୋର୍ଟରେ ଦାଖଲ ସପ୍ଲିମେଂଟାରୀ ଚାର୍ଜସିଟରେ ଇଡି ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲାଙ୍କ ନାମ ଆସି ଯିବା କଂଗ୍ରେସର ଅଡୁଆ ବଢାଇ ଥିବା ବେଳେ ବିରୋଧୀଙ୍କୁ ଆକ୍ରମଣ ପାଇଁ ବିଜେପି ହାତରେ ଆଉ ଏକ ଅସ୍ତ୍ର ଲାଗି ଗଲା ବୋଲି ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS