ମୋଦୀଙ୍କୁ ନେଇ ମାଳଦ୍ୱୀପ ମନ୍ତ୍ରୀଙ୍କ ବିବାଦୀୟ ଟ୍ୱିଟ୍, ଭାରତରେ ତୀବ୍ର ପ୍ରତିକ୍ରିୟା
ପ୍ରସାଦ ରାଓ
ଜାନୁୟାରୀ ୦୭/୨୦୨୪
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କ୍ଷୁଦ୍ରତମ କେନ୍ଦ୍ର ଶାସିତ ଅଂଚଳ ଲକ୍ଷାଦ୍ୱୀପ ଗସ୍ତରେ ଯାଇ ଆର୍ଚିପେଲାଗୋ ସମୁଦ ବେଳାରେ କିଛି ସମୟ ବିଶ୍ରାମ କରିବା ସହ ବୁଡାଳିଙ୍କ ପୋଷାକ ପିନ୍ଧି ସମୁଦ୍ରରେ ସ୍ନାନ କରୁଥିବାର ଦୃଶ୍ୟ କେବଳ ସାମାଜିକ ଗଣମାଧ୍ୟମ ନୁହେଁ, ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମରେ ମଧ୍ୟ ବହୁଳ ଭାବେ ପ୍ରସାରିତ ହୋଇଥିଲା । ଲକ୍ଷାଦ୍ୱୀପ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀଙ୍କ ଏହା ଫଟୋସୁଟ୍ ଥିଲା ବୋଲି ଦେଶରେ ବିରୋଧୀ ଦଳମାନେ କଟାକ୍ଷ କରିଥିବା ବେଳେ ବିଜେପି ତାହା ବିରୋଧୀ ଦଳମାନଙ୍କ ନକାରାତ୍ମକ ମନୋଭାବ ବୋଲି ସମାଲୋଚନା କରିବାକୁ ପଛାଇ ନଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ଚରମରେ ଥିବାରୁ ବିରୋଧୀ ତାହାକୁ ସହ୍ୟ କରିପାରୁନାହାନ୍ତି ଏବଂ ଅନାବଶ୍ୟକ ସମାଲୋଚନା କରୁଛନ୍ତି ବୋଲି ଶାସକ ଦଳର ନେତୃବର୍ଗ ପାଲଟା ସମାଲୋଚନା କରିଥିଲେ । ଚଳିତ ବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଏପ୍ରକାର ଆକ୍ଷେପ, ପ୍ରତ୍ୟାକ୍ଷେପ ହେବା ସ୍ୱାଭାବିକ କଥା । ବିରୋଧୀଙ୍କୁ ଉସୁକାଇବା ପାଇଁ ଶସକ ଦଳର ପ୍ରଚାରକ ସାଜିଥିବା କିଛି ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ଲଗାତର କିଛି ଦିନ ମୋଦୀଙ୍କ ଲକ୍ଷାଦ୍ୱୀପ ଗସ୍ତର ମନମୋହକ ଦୃଶ୍ୟ ସେମାନଙ୍କ ଟିଭି ଓ ଜାତୀୟ ଗଣମାଧ୍ୟମରେ ପ୍ରସାରିତ କରିଥିଲେ । ଏହା ଥିଲା ଦେଶ ଭିତର କଥା । ତେବେ, ପ୍ରଧାନମନ୍ତ୍ରୀଙ୍କ ଲକ୍ଷାଦ୍ୱୀପ ଗସ୍ତ ସମୟରେ ଆର୍ଚିପେଲାଗୋ ସମୁଦ୍ର ବେଳାରେ ସେ ଆରାମ ଚୌକିରେ ବସି ଆରାମ କରୁଥିବା ଓ ବୁଡାଳୀ ପୋଷାକରେ ସମୁଦ୍ରରେ ପଶି ଗାଧୋଉ ଥିବାର ଦୃଶ୍ୟ ଭାଇରାଲ ହେବା ପରେ ପଡୋଶୀ ଦେଶ ମାଳଦ୍ୱୀପରୁ ଯେଉଁ ପ୍ରତିକ୍ରିୟା ଆସିଛି ତାହା ବିବାଦ ସୃଷ୍ଟି କଲା ଭଳି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷାଦ୍ୱୀପ ବିଚ୍ ବା ସମୁଦ୍ର ବେଳାର ଫଟୋସୁଟ୍ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେବା ସହ ଏହି ଉପଦ୍ୱୀପ ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ମାଳଦ୍ୱୀପର ବିକଳ୍ପ ହେବାକୁ ଯାଉଛି ବୋଲି ପ୍ରଚାର ଚାଲିବାରୁ ମାଳଦ୍ୱୀପର ଜଣେ ମନ୍ତ୍ରୀ ମାରିୟମ ସ୍ୟୁନା ତାହାକୁ ନେଇ ଏକ ନକାରାତ୍ମକ ଟ୍ୱିଟ୍ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂପର୍କରେ ନକାରାତ୍ମକ ଟିପ୍ପଣୀ ଦେବା ସହ ବେଳାଭୂମି ପର୍ଯ୍ୟଟନରେ ଭାରତ ମାଳଦ୍ୱୀପ ସହ ପ୍ରତିଦ୍ୱନ୍ଦ୍ୱିତାରେ ଗୁରୁତର ଚ୍ୟାଲେଂଜର ସମ୍ମୁଖୀନ ହେଉଥିବାରୁ ମାଳଦ୍ୱୀପ ପର୍ଯ୍ୟଟନ ଶିଳ୍ପକୁ ଟାର୍ଗେଟ କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ମାଳଦ୍ୱୀପ ମନ୍ତ୍ରୀ ମାରିୟମ ସ୍ୟୁନାଙ୍କ ଏହି ଟ୍ୱିଟ୍ ଭାରତରେ ପ୍ରତିକ୍ରିୟା ସୃଷ୍ଟି କରିବା ସହ ମାଳଦ୍ୱୀପରେ ମଧ୍ୟ ପ୍ରତିକ୍ରିୟା ସୃଷ୍ଟି କରିଥିବା ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାସିଦଙ୍କ ସମାଲୋଚନାରୁ ସ୍ପଷ୍ଟ ହେଉଛି । ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ନାସିଦ ମନ୍ତ୍ରୀ ସ୍ୟୁନାଙ୍କ ଟ୍ୱିଟ୍ କୁ ନିନ୍ଦା କରିବା ସହ ଏହା ମାଳଦ୍ୱୀପ ସରକାରଙ୍କ ମତ ନୁହେଁ ବା ଏହା ସରକାରଙ୍କ ନୀତିର ପ୍ରତିଫଳନ କରୁନି ବୋଲି ସ୍ପଷ୍ଟ କରି ଦେବାକୁ ବର୍ତ୍ତମାନର ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ଆହ୍ୱାନ ଦେଇଛନ୍ତି । ମନ୍ତ୍ରୀ ସ୍ୟୁନାଙ୍କ ମନ୍ତବ୍ୟର କିଛି ଘଂଟା ପରେ ମାଳଦ୍ୱୀପ ସରକାର ଏକ ବିବୃତିରେ ସ୍ପଷ୍ଟ କରିଛନ୍ତି, ମନ୍ତ୍ରୀ ସ୍ୟୁନା ଦେଇଥିବା ମତ ମାଳଦ୍ୱୀପ ସରକାରଙ୍କ ମତ ନୁହେଁ, ତାଙ୍କ ବ୍ୟକ୍ତିଗତ ମତ । ସାମାଜିକ ଗଣମାଧ୍ୟମରେ କିଛି ବିଦେଶୀ ନେତା ଓ ପଦସ୍ଥ ବ୍ୟକ୍ତିଙ୍କ ବିରୋଧରେ ନକାରାତ୍ମକ ମନ୍ତବ୍ୟ ଦିଆଯାଇଥିବା ସରକାରଙ୍କ ନଜରକୁ ଆସିଛି । ତାହା ସରକାରଙ୍କ ମତକୁ ପ୍ରତିନିଧିତ୍ୱ କରୁନାହିିଁ, କିଛି ବ୍ୟକ୍ତିଙ୍କ ନିଜସ୍ୱ ମତ । ସରକାର ମତବ୍ୟକ୍ତ କରିବାର ସ୍ୱାଧୀନତାରେ ବିଶ୍ୱାସ ରଖନ୍ତି । ତେବେ, ତାହା ଗଣତାନ୍ତ୍ରିକ ଓ ଦାୟିତ୍ୱ ସଂପନ୍ନ ହେବା ଆବଶ୍ୟକ । ଘୃଣା, ନକାରାତ୍ମକ ଭାବର ପ୍ରସାର ପାଇଁ ଉଦ୍ଦିଷ୍ଟ ହେବା ଏବଂ ମାଲଦ୍ୱୀପ ସହ ଘନିଷ୍ଟତା ଥିବା ବିଦେଶୀ ରାଷ୍ଟ୍ରଙ୍କ ସହ ସଂପର୍କରେ ପ୍ରତିବନ୍ଧକ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ହେବା ଉଚିତ ନୁହେଁ ବୋଲି ମାଳଦ୍ୱୀପ ସରକାର ଏହି ବିବୃତିରେ କହିଛନ୍ତି । ଏଭଳି ପ୍ରତିକୂଳ ମନ୍ତବ୍ୟ ଦେଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ମାଳଦ୍ୱୀପ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଶ୍ଚାଦପଦ ହେବେ ନାହିଁ ବୋଲି ମଧ୍ୟ ସରକାର ସ୍ପଷ୍ଟ କରିଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ମାଳଦ୍ୱୀପର ପୂର୍ବତନ ରାଷ୍ଟପତି ମହମ୍ମଦ ନାସାଦଙ୍କ ସମୟରେ ଭାରତ ସହ ମାଳଦ୍ୱୀପର ସଂପର୍କ ଉତ୍ତମ ଥିଲା । ମହମ୍ମଦ ମୁଇଜୁ ମାଳଦ୍ୱୀପ ରାଷ୍ଟପତି ହେବା ପରେ ଦୁଇ ଦେଶ ମଧ୍ୟରେ ସଂପର୍କରେ କିଛିମାତ୍ରାରେ ତୀକ୍ତ ହୋଇଛି । ମୁଇଜୁଙ୍କ ନିର୍ବାଚନ ପ୍ରତିଶ୍ରୁତି ଥିଲା, କ୍ଷମତାକୁ ଆସିଲେ ସେ ମାଳଦ୍ୱୀପରେ ଅବସ୍ଥାପିତ ଥିବା ଭାରତର ୭୭ ଜଣିଆ ସେନା କଂଟିଜେଂଟକୁ ହଟାଇ ଦେବେ । ଦେଶର ‘ଭାରତ ପ୍ରଥମ’ ନୀତିର ମଧ୍ୟ ସମୀକ୍ଷା ହେବ । ଭାରତର ପଡୋଶୀ ଚୀନ ସହ ମାଲଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କ ଭଲ ସଂପର୍କ ରହିଛି । ଚୀନ ରାଷ୍ଟ୍ରପତି ସି ଜିନପିଂଗଙ୍କ ନିମନ୍ତ୍ରଣକ୍ରମେ ମୁଇଜୁ ସୋମବାର ଦିନ ଚୀନ ଗସ୍ତରେ ଯାଉଥିବା ଚୀନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନୟିଂ ଶୁକ୍ରବାର ଦିନ ଏକ ବିବୃତିରେ କହିଛନ୍ତି । ଗତ ସେପ୍ଟେମ୍ବରରେ ଅନୁଷ୍ଠିତ ନିର୍ବାଚନରେ ଚୀନ ସପକ୍ଷବାଦୀ ନେତା ମୁଇଜୁ ଭାରତ ସପକ୍ଷବାଦୀ ନେତା ଇବ୍ରହିମ ମହମ୍ମଦ ସୋଲିହାଙ୍କୁ ପରାଜିତ କରି ମାଳଦ୍ୱୀପ ରାଷ୍ଟ୍ରପତି ହୋଇଛନ୍ତି । ରାଷ୍ଟ୍ରପତି ହେବା ପରେ ମୁଇଜୁ ମାଳଦ୍ୱୀପରେ ଅବସ୍ଥାପିତ ଥିବା ଭାରତର ୭୭ ଜଣିଆ ସେନା କଂଟିଜେଂଟକୁ ପ୍ରତ୍ୟାହାର କରିନେବାକୁ ଭାରତକୁ କହିଥିଲେ । ଦୁଇ ଦେଶ ମଧ୍ୟରେ ଥିବା ଶହେରୁ ଅଧିକ ଦ୍ୱିପାକ୍ଷିକ ରାଜିନାମାର ସମୀକ୍ଷା କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ନେଇଥିଲେ । ଏହାସତ୍ତ୍ୱେ, ଗତ ଡିସେମ୍ବର ମାସରେ ଦୁବାଇରେ ଅନୁଷ୍ଠିତ ସିଓପି୨୮ ବିଶ୍ୱ ପର୍ଯ୍ୟାବରଣ ବୈଠକ ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ ଏବଂ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଦୁଇ ଦେଶ ମଧ୍ୟରେ ବହୁବିଧ କ୍ଷେତ୍ରରେ ସଂପର୍କରେ ଉନ୍ନତି ଘଟାଇବା ସକାଶେ କୋର କମିଟି ଗଠନ ପାଇଁ ଦୁଇ ନେତା ନିଷ୍ପତ୍ତି ନେଇଥିଲେ । ମାଳଦ୍ୱୀପର ନୂତନ ଉପ ରାଷ୍ଟ୍ରପତି ହୁସେନ ମହମ୍ମଦ ଲତିଫ ଗତ ମାସରେ ଚୀନ ଗସ୍ତରେ ଯାଇ ଚୀନର ଭିତ୍ତିଭୂମି ପ୍ରକଳ୍ପଗୁଡିକର ଉଚ୍ଚ ପ୍ରଶଂସା କରିଥିଲେ । ଲକ୍ଷାଦ୍ୱୀପ ମିନିକୋଇରୁ ପ୍ରାୟ ୭୦ ନଟିକାଲ ମାଇଲ ଓ ଭାରତର ପଶ୍ଚିମ ଉପକୂଳଠାରୁ ୩୦୦ ନଟିକାଲ ମାଇଲ ଦୂରରେ ଅବସ୍ଥିତ ଲକ୍ଷାଦ୍ୱୀପ ସାମରିକ ରଣନୀତି ଦୃଷ୍ଟିରୁ ବେଶ ଗୁରୁତ୍ୱ ବହନ କରୁଥିବା ବେଳେ ଚୀନ ସହ ମୁଇଜୁ ସରକାରଙ୍କ ଘନିଷ୍ଟତା ଭାରତ ପାଇଁ ଚିନ୍ତାର କାରଣ ରହିଛି । ମୁଇଜୁ ସରକାରରେ ମନ୍ତ୍ରୀ ଥିବା ମାରିୟମ ସ୍ୟୁନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚଳିତ ମାସର ଲକ୍ଷାଦ୍ୱୀପ ଗସ୍ତ ଏବଂ ଆର୍ଚିପେଲାଗୋ ସମୁଦ୍ର ବେଳାରେ ଫଟୋସୁଟକୁ ନେଇ ସାମାଜିକ ଗଣମଧ୍ୟମରେ ପ୍ରତିକୂଳ ମନ୍ତବ୍ୟ ରଖିବା ପରେ ମାଳଦ୍ୱୀପ ସରକାର ତାହା ମାଳଦ୍ୱୀପ ସରକାରଙ୍କ ମତ ନୁହେଁ, ସ୍ୟୁନାଙ୍କ ବ୍ୟକ୍ତିଗତ ମତ କହି ଟାଳି ଦେଇଥିଲେ ମଧ୍ୟ ଏହା ପଛରେ ରାଜନୈତିକ ଅଭିସନ୍ଧି ରହିଥିବା ଅନେକ ସନ୍ଦେହ କରୁଛନ୍ତି । ପ୍ରତି ବର୍ଷ ବହୁ ସଂଖ୍ୟାରେ ଭାରତୀୟ ପର୍ଯ୍ୟଟକ ବେଳାଭୂମି ସୌନ୍ଧର୍ଯ୍ୟ ଉପଭୋଗ ପାଇଁ ମାଳଦ୍ୱୀପ ଯାଇଥା’ନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷାଦ୍ୱୀପ ଆର୍ଚିପେଲାଗୋ ସମୁଦ୍ର ବେଳା ଭ୍ରମଣ ଓ ଫଟୋସୁଟକୁ ନେଇ ସାମାଜିକ ଗଣମାଧ୍ୟମରେ ମାଳଦ୍ୱୀପ ମନ୍ତ୍ରୀ ସ୍ୟୁନାଙ୍କ ଟ୍ୱିଟ୍ ଆସିବା ପରେ ବହୁ ସଂଖ୍ୟକ ଭାରତୀୟ ପର୍ଯ୍ୟଟକ ସେମାନଙ୍କ ମାଳଦ୍ୱୀପ ଗସ୍ତ ବାତିଲ କରିଥିବା ଏବଂ ବିମାନ ଟିକଟ ବାତିଲ କରାଇ ଥିବାର ସ୍କ୍ରିନସଟ୍ ସମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ମାଳଦ୍ୱୀପ ସରକାରଙ୍କୁ ଚାପରେ ରଖିବ ବୋଲି ଅନୁମାନ କରାଯାଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS