ବିଲକିସ୍ ବାନୋ ମାମଲା : ଗୁଜରାଟ ସରକାରଙ୍କୁ ସୁପ୍ରିମ କୋର୍ଟ ଝଟକା !
ପ୍ରସାଦ ରାଓ
ଜାନୁୟାରୀ ୦୮/୨୦୨୪
ବହୁଚର୍ଚ୍ଚିତ ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ୧୧ କଏଦୀଙ୍କୁ ଗୁଜରାଟ ସରକାର ଗତ ବର୍ଷ ଅଗଷ୍ଟ ମାସରେ ଆଗୁଆ ଦଣ୍ଡମୁକ୍ତ କରି ଜେଲରୁ ଖଲାସ କରି ଦେବା ଆଇନସମ୍ମତ ନଥିଲା ବୋଲି ସୁପ୍ରିମ କୋର୍ଟ ଆଜି ରାୟ ଦେବା ସହ ସରକାରଙ୍କ ରେମିସନ (ଆଗୁଆ ଦଣ୍ଡମୁକ୍ତି) ନିର୍ଦେଶକୁ ଖାରଜ କରି ଦେଇଛନ୍ତି । ଫଳରେ, ଜେଲରୁ ମୁକୁଳି ସାରିଥିବା ୧୧ କଏଦୀ ପୁନର୍ବାର ଜେଲକୁ ଫେରିବା ନିଶ୍ଚିତ ହୋଇଯାଇଛି । ସୁପ୍ରିମ କୋର୍ଟ ଆଗୁଆ ମୁକ୍ତି ପାଇଥିବା ୧୧ କଏଦୀଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜେଲ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି । ବିଲକିସ୍ ବାନୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଏହି ୧୧ ଜଣ କଏଦୀ ଦୀର୍ଘ ବର୍ଷ ହେଲା କାରାଦଣ୍ଡ ଭୋଗୁଥିଲେ । ଜେଲରେ ରହଣୀ କାଳରେ ଏହି କଏଦୀମାନଙ୍କ ଅଚରଣ ସନ୍ତୋଷଜନକ ଥିବା ଦର୍ଶାଇ ଗୁଜରାଟ ସରକାର ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ସେମାନଙ୍କୁ ୧୯୯୨ ରେମିସନ୍ ଏଣ୍ଡ ପ୍ରିମେଚର ରିଲିଜ ପଲିସି ଆଧାରରେ ଜେଲରୁ ଆଗୁଆ ମୁକ୍ତ କରି ଦେଇଥିଲେ । ଏକ ଗଣଦୁଷ୍କର୍ମ ଓ ହତ୍ୟା ଭଳି ଘୃଣ୍ୟ ଅପରାଧରେ ଦୋଷୀଙ୍କୁ ଗୁଜରାଟ ସରକାର ଆଗୁଆ ଦଣ୍ଡମୁକ୍ତ କରିବା ଘଟଣା ସମଗ୍ର ଦେଶରେ ଭୃକୁଂଚନ ସୃଷ୍ଟି କରିଥିଲା । ଗୁଜରାଟ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସିପିଆଇ (ଏମ) ନେତ୍ରୀ ସୁଭାଷିନୀ ଅଲ୍ଲୀ, ପ୍ରଫେସର ରୂପଲେଖା ବର୍ମା, ସାମ୍ବାଦିକା ରେବତୀ ଲାଲୁ ଓ ଟିଏମସି (ତୃଣମୂଳ କଂଗ୍ରେସ ପାର୍ଟି) ନେତ୍ରୀ ମହୁଆ ମୈତ୍ର ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ପରେ, ପୀଡିତା ବିଲକିସ୍ ବାନୋ ମଧ୍ୟ ସୁପ୍ରିମ କୋର୍ଟରେ ପହଂଚି ଥିଲେ । ଗଣଦୁଷ୍କର୍ମ ଓ ହତ୍ୟ ଭଳି ଜଘଣ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଅଦାଲତ ଦ୍ୱାରା ଦଣ୍ଡିତ ୧୧ ଜଣଙ୍କୁ ଗୁଜରାଟ ସରକାର ଜେଲରେ ସେମାନଙ୍କ ଆଚରଣ ଭଲ ଥିବା ଦର୍ଶାଇ ଗୋଟିଏ ଦିନରେ ଜେଲରୁ ମୁକ୍ତ କରି ଦେବା ସଭ୍ୟ ସମାଜର ଅନ୍ତରାତ୍ମାକୁ ଦୋହଲାଇ ଦେଇଛି ବୋଲି ବିଲକିସ୍ ସୁପ୍ରିମ କୋର୍ଟରେ ଦାଖଲ କରିଥିବା ଆବେଦନପତ୍ରରେ ଦର୍ଶାଇବା ସହ ଏହି ଲୋକମାନେ ଏବେ ମୁକ୍ତ ଭାବରେ ସମାଜରେ ବିଚରଣ କରୁଥିବାରୁ ତାଙ୍କ ପାଇଁ ଓ ତାଙ୍କ ବଢିଲା ଝିଅ ଏବଂ ପରିବାର ପାଇଁ ଭୟର କାରଣ ହୋଇଛି ବୋଲି ଅଭିଯୋଗ କରିଥିଲେ । ଗୁଜରାଟ ସରକାରଙ୍କ ୧୧ କଏଦୀଙ୍କ ମୁକ୍ତି ପାଇଁ ଯେଉଁ ରେମିସନ ଆଦେଶ ଦେଇଛନ୍ତି ତାହାକୁ ରଦ୍ଦ କରାଯିବାକୁ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଗୁହାରି କରିଥିଲେ । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ବି.ଭି.ନାଗରତ୍ନା ଓ ଜଷ୍ଟିସ ଉଜ୍ଜଳ ଭୂୟାଁଙ୍କୁ ନେଇ ଗଠିତ ବେଂଚ ସେମାନଙ୍କ ଆବେଦନର ଶୁଣାଣୀ କରି ଆଜି ଏହି ରାୟ ଦେଇଛନ୍ତି । ବିଲକିସ୍ ବାନୋ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା କଏଦୀଙ୍କ ରେମିସନ ଆବେଦନକୁ ଗ୍ରହଣ କରିବା ଓ ତାହା ଉପରେ ଦୋଷୀଙ୍କୁ ଆଗୁଆ ଦଣ୍ଡମୁକ୍ତ କରିବା ପାଇଁ ଆଦେଶ ଦେବା ଗୁଜରାଟ ସରକାରଙ୍କ କ୍ଷମତା ବାହାରେ । କାରଣ, ଆଇନ ଅନୁସାରେ ଏହି ଆବେଦନର ବିଚାର ପାଇଁ ଆଇନ ଅନୁଯାୟୀ ଗୁଜୁରାଟ ସରକାର ‘ଆପ୍ରୋପ୍ରିଏଟ୍ ଗଭର୍ଣ୍ଣମେଂଟ’ ନୁହନ୍ତି ବୋଲି ସୁପ୍ରିମ କୋର୍ଟ ବେଂଚ ସ୍ପଷ୍ଟ କରି ଦେଇଛନ୍ତି । ସୁପ୍ରିମ କୋର୍ଟ କହିଛନ୍ତି, ଦଣ୍ଡିତ ହୋଇଥିବା ବ୍ୟକ୍ତିମାନଙ୍କ ରେମିସନ୍ (ଆଗୁଆ ଦଣ୍ଡମୁକ୍ତି) ଆବେଦନକୁ ଗ୍ରହଣ କରିବା ଓ ତାହା ଉପରେ ନିଷ୍ପତ୍ତି ନେବା ଅଧିକାର ରାଜ୍ୟର ରହିଛି । ତେବେ, ଯେଉଁ ରାଜ୍ୟରେ ଅପରାଧ ଘଟିଛି ସେହି ରାଜ୍ୟର ନୁହେଁ, ଯେଉଁ ରାଜ୍ୟରେ ମାମଲାର ବିଚାରଣା ହୋଇ ଦଣ୍ଡାଦେଶ ହୋଇଛି ସେହି ରାଜ୍ୟର । ସୁପ୍ରିମ କୋର୍ଟ ଗୁଜରାଟ ସରକାରଙ୍କୁ ୨୦୨୨ ମେ’ ୨୩ରେ ଦେଇଥିବା ନିର୍ଦେଶ ସଂପର୍କରେ ଜଷ୍ଟିସ ବି.ଭି.ନାଗରତ୍ନା ଓ ଜଷ୍ଟିସ ଉଜ୍ଜଳ ଭୂୟାଁଙ୍କ ବେଂଚ କହିଛନ୍ତି, ସେତେବେଳେ ପ୍ରକୃତ ତଥ୍ୟ ଚାପି ଦିଆଯାଇ ଜାଲିଆତି ଉପାୟରେ ସୁପ୍ରିମ କୋର୍ଟରୁ ଏଭଳି ଏକ ଆଦେଶ ଆଣାଯାଇଥିଲା । ୧୯୯୨ ରେମିସନ୍ ଏଣ୍ଡ ପ୍ରିମେଚର ରିଲିଜ ପଲିସି ଆଧାରରେ ଗୁଜରାଟ ସରକାର ରେମସିନ (ଆଗୁଆ ଦଣ୍ଡମୁକ୍ତି) ଆବେଦନକାରୀଙ୍କ ଆବେଦନର ବିଚାର କରିବାକୁ ସୁପ୍ରିମ କୋର୍ଟ ଗୁଜରାଟ ସରକାରଙ୍କୁ ନିର୍ଦେଶ ଦେଇଥିଲେ । ତେବେ, ଗୁଜରାଟ ସରକାର ‘ଆପ୍ରୋପ୍ରିଏଟ୍ ଗଭର୍ଣ୍ଣମେଂଟ’ ହୋଇନଥିବା ସତ୍ତ୍ୱେ କାହିଁକି ସୁପ୍ରିମ କୋର୍ଟଙ୍କ ଆଦେଶର ରିଭ୍ୟୁ ପାଇଁ ଯାଇନଥିଲେ ବୋଲି ସୁପ୍ରିମ କୋର୍ଟ ବେଂଚ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ମୁମ୍ବାଇର ଏକ ସିବିଆ କୋର୍ଟ ଦ୍ୱାରା ଆଜୀବନ କାରାଦଣ୍ଡାଦେଶ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ରାଧେଶ୍ୟାମ ଶାହା ଜେଲରେ ୧୫ ବର୍ଷ ୪ ମାସ କଟାଇ ସାରିଥିବାରୁ ଆଗୁଆ ଦଣ୍ଡମୁକ୍ତି (ରେମିସନ) ପାଇଁ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ସେହି ଆଧାରରେ ସୁପ୍ରିମ କୋର୍ଟଙ୍କ ୨୦୨୨ ମେ’ ୨୩ ତାରିଖ ଆଦେଶକୁ ଦ୍ୱାହି ଦେଇ ଗୁଜରାଟ ସରକାର ଦଣ୍ଡ ଭୋଗୁଥିବା ୧୧ ଜଣଙ୍କୁ ୧୯୯୨ ରେମିସନ୍ ଏଣ୍ଡ ପ୍ରିମେଚର ରିଲିଜ ପଲିସି ଆଧାରରେ ଆଗୁଆ ମୁକ୍ତ କରି ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ୨୦୦୨ରେ ଗୁଜରାଟରେ ନରେନ୍ଦ୍ର ମୋଦୀଙ୍କ ସରକାର ଥିବା ସମୟରେ ଗୋଧ୍ରାରେ କରସେବକଙ୍କ ଟ୍ରେନ୍ ପୋଡି ଏବଂ ତାହାର ପ୍ରତିକ୍ରିୟା ସ୍ୱରୂପ ଗୁଜରାଟ ଦଂଗା ଘଟିଥିଲା । ୨୦୦୨ ମାର୍ଚ୍ଚ ୩ ତାରଖ ଦିନ ଗୁଜରାଟ ଦାହୋଡ ଜିଲ୍ଲା ଲିମଖାଡେ ତାଲିକାରେ ଉଗ୍ର ଲୋକଙ୍କ ଏକ ଭିଡ ବିଲକିସ୍ ବାନୋଙ୍କୁ ଗଣଦୁଷ୍କର୍ମ କରିବା ସହ ୧୪ ଜଣଙ୍କୁ ହତ୍ୟା କରିଥିଲେ । ଦଂଗାକାରୀଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିବା ୧୪ ଜଣଙ୍କ ମଧ୍ୟରେ ବିଲକିସ୍ ବାନୋଙ୍କ ତିନି ବର୍ଷ ବୟସର ଝିଅ ମଧ୍ୟ ଥିଲା । ଗଣଦୁଷ୍କର୍ମ ସମୟରେ ବିଲକିସ୍ ବାନୋ ଗର୍ଭବତୀ ଥିଲେ । ଏହା ଅତ୍ୟନ୍ତ ସ୍ପର୍ଶକାତର ମାମଲା ହୋଇଥିବା ଦୃଷ୍ଟିରୁ ସୁପ୍ରିମ କୋର୍ଟ ୨୦୦୪ରେ ମାମଲାର ବିଚାରଣା ଗୁଜରାଟରୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରି ଦେଇଥିଲେ । ମୁମ୍ବାଇର ସିବିଆଇ କୋର୍ଟ ୨୦୦୮ରେ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ । ଆଇନ ଅନୁସାରେ ଆଜୀବନ କରାଦଣ୍ଡ ଭୋଗୁଥିବା ବ୍ୟକ୍ତିଙ୍କ ରେମିସନ (ଆଗୁଆ ମୁକ୍ତି) ଆବେଦନ ଶୁଣାଣୀ ଓ ଦଣ୍ଡକୁ କୋହଳ କରି ମୁକ୍ତି ଦେବାର କ୍ଷମତା ଦଣ୍ଡାଦେଶ ଶୁଣାଇ ଥିବା ରାଜ୍ୟ (ମହାରାଷ୍ଟ୍ର) ସରକାରଙ୍କର ଥିବା ବେଳେ ଗୁଜରାଟ ସରକାର ସୁପ୍ରିମ କୋର୍ଟଙ୍କ ୨୦୨୨ ମେ’ ୨୩ ତାରିଖ ନିର୍ଦେଶର ଦ୍ୱାହି ଦେଇ ବିଲକିସ୍ ବାନୋ ମାମଲାରେ ୧୧ ଜଣ ଦଣ୍ଡିତ ବ୍ୟକ୍ତିଙ୍କୁ ୨୦୨୩ ଅଗଷ୍ଟ ୧୫ ତାରିଖ ଦିନ ଦଣ୍ଡମୁକ୍ତ କରି ଜେଲରୁ ଖଲାସ କରିଛନ୍ତି । ଜେଲରେ ଥିବା ସମୟରେ ୧୧ କଏଦୀଙ୍କ ଆଚରଣ ସନ୍ତୋଷଜନକ ଥିବା ଦର୍ଶାଇ ଜେଲ ପରାମର୍ଶଦାତା କମିଟି (ଜେଏସି)ର ସୁପାରିଶକ୍ରମେ ସେମାନଙ୍କୁ ଆଗୁଆ ମୁକ୍ତ କରାଯାଇଥିବା ଗୁଜରାଟ ସରକାର ମୁକ୍ତି ଦେବା ସମୟରେ କହିଥିଲେ । ୨୦୦୨ରୁ ବିଲକିସ୍ ନ୍ୟାୟିକ ଲଢେଇ ଲଢୁଛନ୍ତି । ତାଙ୍କ ଦୁଷ୍କର୍ମକାରୀଙ୍କୁ ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପରେ ବିଲକିସ୍ ସନ୍ତୁଷ୍ଟ ହୋଇନଥିଲେ ମଧ୍ୟ କିଛିଟା ଆଶ୍ୱସ୍ତ ହୋଇଥିଲେ । ତେବେ, ଗତ ବର୍ଷ ଗୁଜରାଟ ସରକାର ସମସ୍ତଙ୍କ ଦଣ୍ଡକୁ କୋହଳ କରି ଆଗୁଆ ଜେଲରୁ ମୁକ୍ତ ଦେଇଥିବା କଥାକୁ ସେ ସହଜରେ ଗ୍ରହଣ କରିପାରି ନାହାନ୍ତି । ତେବେ, ଆଜିର ସୁପ୍ରିମ କୋର୍ଟ ରାୟ ତାଙ୍କୁ ଆଶ୍ୱସ୍ତ କରିଥିବ ବୋଲି ଅନୁମାନ କରାଯାଇପାରେ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS