ବିଜେପିଠାରୁ ବିରୋଧୀ ଅନେକ କିଛି ଶିଖିବାକୁ ବାକି ଅଛି !

ପ୍ରସାଦ ରାଓ
ଜାନୁୟାରୀ ୧୦/୨୦୨୪
ଏମିତି ଅନେକ କଥା ଅଛି ଯାହାକି ବିରୋଧୀ ବିଜେପିର ଅନ୍ଧ ଭକ୍ତଙ୍କଠାରୁ ଶିଖିବା କଥା । ସେଥିରୁ ଗୋଟିଏ ହେଉଛି – ‘ହାସଟ୍ୟାଗ୍ ଟ୍ରେଣ୍ଡିଂ’ । ତିନି କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ସମୟରେ ବିରୋଧୀଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଶାସକ ବିଜେପି ସମର୍ଥକଙ୍କ ଆଡୁ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ‘ହାସଟ୍ୟାଗ୍’ ପୋଷ୍ଟ୍ ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ତାହା ଦେଖିବାକୁ ମିଳିଛି । ଏବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷାଦ୍ୱୀପ ଗସ୍ତକୁ ନେଇ ମାଳଦ୍ୱୀପର କିଛି ମନ୍ତ୍ରୀଙ୍କ ଅରୁଚିକର ମନ୍ତବ୍ୟକୁ ନେଇ ଭାରତରେ ସମାନ ପ୍ରକାର ହାସଟ୍ୟାଗ୍ ପୋଷ୍ଟ୍ ଟ୍ରେଣ୍ଡ୍ କରୁଛି । ଦେଶର ମୁଖ୍ୟସ୍ରୋତ ଓ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଏଭଳି ବାତାବରଣ ସୃଷ୍ଟି କରାଯାଇଛି ଯେ ମାଳଦ୍ୱୀପ ସରକାର ଭାରତ ବିରୋଧୀ ଅଭିଯାନ ଚଳାଇ ଆସିଥିବା ଚୀନର ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଲକ୍ଷାଦ୍ୱୀପର ଆର୍ଚିପେଲାଗୋ ସମୁଦ୍ର ବେଳାଭୂମି ଗସ୍ତରେ ଯାଇ ସେଠାରେ କିଛି ସମୟ ବିତାଇ ଥିଲେ । ଗସ୍ତ ସମୟରେ ସେ ଏହି ବେଳାଭୂମିରେ ବିଚରଣ କରିବା ସହ କୂଳରେ ଆରମ ଚୌକିରେ ବସି ବେଳାଭୂମିର ମୋନରମ ଦୃଶ୍ୟକୁ ଉପଭୋଗ କରୁଥିଲେ । ବୁଡାଳୀ ପୋଷାକ ପିନ୍ଧି ଦୁଇ ଜଣ ବୁଡାଳୀଙ୍କ ସହାୟତାରେ ସେ ସମୁଦ୍ରରେ ସ୍ନାନ କରୁଥିବାର ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଦେଶରେ ଏତେ ସୁନ୍ଦର ବେଳାଭୂମି ପର୍ଯ୍ୟଟନ ସ୍ଥଳ ଥିବାରୁ ପର୍ଯ୍ୟଟକମାନେ ଛୁଟି କଟାଇବାକୁ ବିଦେଶକୁ ନଯାଇ ଭାରତୀୟ ବେଳାଭୂମି ପର୍ଯ୍ୟଟନକୁ ସମୃଦ୍ଧ କରିବାକୁ ଆହ୍ୱାନ ଦେଇଥିଲେ । ମୋଦୀ ତାଙ୍କ ପୋଷ୍ଟରେ ପଡୋଶୀ ମାଳଦ୍ୱୀପର ନାମ ନେଇ ନଥିଲେ ମଧ୍ୟ ମାଳଦ୍ୱୀପରେ ଭୟଂକର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ସେଠାକାର କିଛି ମନ୍ତ୍ରୀ ପ୍ରତିକ୍ରିୟାଶୀଳ ହୋଇ ପ୍ରଧାନମନ୍ତ୍ରୀ ମୋଦୀ ମାଳଦ୍ୱୀପ ବେଳାଭୂମି ପର୍ଯ୍ୟଟନ ଶିଳ୍ପକୁ କ୍ଷତିଗ୍ରସ୍ତ କରିବା ଉଦ୍ଦେଶ୍ୟରେ ଏପ୍ରକାର ପୋଷ୍ଟ କରିଛନ୍ତି ବୋଲି ଆକ୍ଷେପ କରିଥିଲେ ।
ଅବଶ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ମାଳଦ୍ୱୀପ ମନ୍ତ୍ରୀମାନଙ୍କ ନକାରାତ୍ମକ ମନ୍ତବ୍ୟକୁ ନେଇ ଭାରତ ସରକାରଙ୍କ ଆଡୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ମାଳଦ୍ୱୀପ ସରକାର ଦେଶର ତିନି ଜଣ ମନ୍ତ୍ରୀଙ୍କୁ ସାମୟିକ ଭାବେ ନିଲମ୍ବନ କରିଛନ୍ତି । ତେବେ, ମାଳଦ୍ୱୀପ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମେ ଭାରତ ଗସ୍ତରେ ନ ଆସି ଚୀନ ଗସ୍ତରେ ଯାଇଥିବାରୁ ଭାରତ କ୍ଷୁବ୍ଧ ରହିଛି । ‘ତିନି ମନ୍ତ୍ରୀଙ୍କୁୁ ସାମୟିକ ଭାବେ ନିଲମ୍ବନ କଲେ ଚଳିତ ନାହିଁ, ବହିଷ୍କାର କର’ ବୋଲି ଭାରତରେ ଯେଉଁ ମାଳଦ୍ୱୀପ ବିରୋଧୀ ‘ହାସଟ୍ୟାଗ୍’ ଅଭିଯାନ ଚାଲିଛି ସେଥିରେ ସବୁ କ୍ଷେତ୍ରରେ ଥିବା ସେଲିବ୍ରିଟିମାନେ ଭାଗ ନେଇ ‘ବୟକଟ୍ ମାଳଦ୍ୱୀପ’ ଅଭିଯାନକୁ ଶାଣିତ କରିଛନ୍ତି । ମାଳଦ୍ୱୀପ ପର୍ଯ୍ୟଟନ ଶିଳ୍ପରେ ଭାରତୀୟ ବୋଳାଭୂମି ପର୍ଯ୍ୟଟକଙ୍କ ଯୋଗଦାନ ସବୁଠାରୁ ଅଧିକ ଥିବାରୁ ଏବେ ଭାରତରେ ଚାଲିଥିବା ‘ମାଳଦ୍ୱୀପ ବୟକଟ୍’ ଅଭିଯାନ ମାଳଦ୍ୱୀପ ସରକାରଙ୍କ ଚିନ୍ତା ବଢାଇ ଦେଇଛି ।
କାରଣ, ମାଳଦ୍ୱୀପର ଅର୍ଥନୀତି ବହୁମାତ୍ରାରେ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭରଶୀଳ । ଏହି କ୍ଷୁଦ୍ର ଦେଶର ଜିଡିପିରେ ପର୍ଯ୍ୟଟନ ଶିଳ୍ପର ଯୋଗଦାନ ହେଉଛି ୨୦ ପ୍ରତିଶତ, ଯାହାକି ଅଶି ଦଶକରେ ଥିଲା ୧୩ ପ୍ରତିଶତ । ମତ୍ସ୍ୟ ଓ କୃଷି ଉପରେ ନିର୍ଭରଶୀଳ ମାଳଦ୍ୱୀପରେ ଗତ କିଛି ବର୍ଷ ମଧ୍ୟରେ ପର୍ଯ୍ୟଟନ ଶିଲ୍ପରେ ବିଶେଷ ଅଭିବୃଦ୍ଧି ଘଟିଛି । ଦେଶର ଜିଡ଼ିପିରେ ପର୍ଯ୍ୟଟନ ଶିଳ୍ପର ଯୋଗଦାନ ୨୦ ପ୍ରତିଶତ ଥିଲେ ମଧ୍ୟ ପରୋକ୍ଷରେ ତାହାର ଯୋଗଦାନ ୮୦ ପ୍ରତିଶତ ରହିଥିବା ବିଶେଷଜ୍ଞ ସୂତ୍ରରୁ ଜଣପଡିଛି । ବହୁ ସଂଖ୍ୟାରେ ଭାରତୀୟ ପର୍ଯ୍ୟଟକ ଛୁଟି କଟାଇବା ପାଇଁ ମାଳଦ୍ୱୀପ ଯାଉଥିବାରୁ ମାଳଦ୍ୱୀପ ଅର୍ଥନୀତିରେ ଭାରତର ଭାଗିଦାରୀ ଯଥେଷ୍ଟ ଅଧିକ ରହିଛି । ତେବେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ମାଳଦ୍ୱୀପ ମନ୍ତ୍ରୀଙ୍କ କଟୁ ମନ୍ତବ୍ୟ ଓ ତାହାର ପ୍ରତିକ୍ରିୟା ସ୍ୱରୂପ ଭାରତରେ ଚାଲିଥିବା ‘ବୟକଟ୍ ମାଳଦ୍ୱୀପ’ ହାସଟ୍ୟାଗ୍ ଅଭିଯାନ ମାଳଦ୍ୱୀପ ଅର୍ଥନୀତିକୁ ବିଶେଷ ଭାବେ କ୍ଷତିଗ୍ରସ୍ତ କରିବା ନିଶ୍ଚିତ ହୋଇଯାଇଛି ।
ମହମ୍ମଦ ମୁଇଜୁ ମାଳଦ୍ୱୀପ ରାଷ୍ଟ୍ରପତି ହେବା ପୂର୍ବରୁ ଦେଶର ବିଦେଶ ନୀତି ଥିଲା – ‘ପ୍ରଥମେ ଭାରତ’ । ଗତ ବର୍ଷ ମୁଇଜୁ ଦେଶର ମୁଖ୍ୟ ଭାବେ ନିର୍ବାଚିତ ହେବା ପରେ ନୀତି ବଦଳିଛି । ଚୀନ ରାଷ୍ଟ୍ରପତି ସି ଜିନପିଂଗଙ୍କ ସହ ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କ ଘନିଷ୍ଟତା ମାଳଦ୍ୱୀପକୁ ଚୀନ ମୁହାଁ କରିଛି । ମୁଇଜୁ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଚୀନକୁ ପ୍ରଥମ ସରକାରୀ ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲକ୍ଷାଦ୍ୱୀପ ଗସ୍ତକୁ ନେଇ ମାଳଦ୍ୱୀପର କିଛି ମନ୍ତ୍ରୀ ବିବାଦୀୟ ମନ୍ତବ୍ୟ ଦେବା ପରେ ମାଳଦ୍ୱୀପର ପର୍ଯ୍ୟଟନ ଶିଳ୍ପ ପ୍ରତି ବିପଦ ଦେଖା ଦେଇଥିବାରୁ ତାହାର ଭରଣା ପାଇଁ ଚୀନ ସମେତ ବିଭିନ୍ନ ବାମପନ୍ଥୀ ରାଷ୍ଟ୍ର ମାଳଦ୍ୱୀପକୁ ଅଧିକରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ପଠାଇବାକୁ ଚୀନରୁ ରାଷ୍ଟ୍ରପତି ମୁଇଜୁ ନିବେଦନ କରିଛନ୍ତି ।
ତେବେ, ମାଳଦ୍ୱୀପର ବିରୋଧୀ ଦଳ ନେତା ତଥା ମାଲଭିଆନ ଡେମୋକ୍ରେଟିକ ପାର୍ଟି ଅଧ୍ୟକ୍ଷ ଫୟଜ ଇସମାଇଲ ଆଜି ମାଲେରେ ସ୍ୱୀକାର କରିଛନ୍ତି – ରାଷ୍ଟ୍ରପତି ମୁଇଜାଙ୍କ ସରକାର ଚୀନର ନିକଟତର ଥିବା କଥା ସତ । ତେବେ, ଇସ୍ରାଏଲ ବ୍ୟତୀତ ଅନ୍ୟ ରାଷ୍ଟ୍ରଙ୍କ ସହ ମାଳଦ୍ୱୀପ ଉତ୍ତମ ସଂପର୍କ ରଖିବା ନୀତିରେ ଅଟଳ । ମାଳଦ୍ୱୀପର ଯେଉଁ ମନ୍ତ୍ରୀ ତିନି ଜଣ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇଥିଲେ ସେମାନଙ୍କୁ ସରକାରରୁ ନିଲମ୍ବିତ କରାଯାଇଛି । ସେମାନଙ୍କ ମନ୍ତବ୍ୟ ସହ ମାଳଦ୍ୱୀପ ସରକାରଙ୍କ ନୀତିର ସଂପର୍କ ନାହିଁ, ତାହା ସେମାନଙ୍କ ବ୍ୟକ୍ତଗତ ମତ ଥିଲା ବୋଲି ମଧ୍ୟ ମଧ୍ୟ ସରକାରଙ୍କ ଆଡୁ ସ୍ପଷ୍ଟ କରାଯାଇଛି । ଏବେ, ମୁଇଜୁ ସରକାର ଭାରତ ସହ ବିଗିଡି ଯାଇଥିବା ସଂପର୍କକୁ ସୁଧାରିବାରେ ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଇସମାଇଲ କହିଛନ୍ତି ।
ଅବଶ୍ୟ, ମୋଦୀଙ୍କ ପ୍ରତି ମାଳଦ୍ୱୀପ ମନ୍ତ୍ରୀଙ୍କ କଟୁ ମନ୍ତବ୍ୟକୁ ନେଇ ଇସମାଇଲଙ୍କ ପୂର୍ବରୁ ସେଠାକାର ପୂର୍ବତନ ରାଷ୍ଟ୍ରପତିଙ୍କ ସମେତ ବହୁ ବିରୋଧୀ ନେତା ପ୍ରତିକ୍ରିୟା ରଖି ସାରିଛନ୍ତି । ସେମାନେ ମାଳଦ୍ୱୀପ ମନ୍ତ୍ରୀଙ୍କ ବକ୍ତବ୍ୟର ନିନ୍ଦା କରିବା ସହ ଭାରତ ସହ ସଂପର୍କ ସୁଧାରିବାକୁ ମୁଇଜୁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ପଛାଇ ନାହାନ୍ତି । ତଥାପି, ମୁଇଜୁ ସରକାର ଚୀନ ମୁହାଁ ହୋଇଥିବା ବେଳେ ଭାରତରେ ଚାଲିଥିବା ‘ହାସଟ୍ୟାଗ୍’ ଅଭିଯାନ ମାଳଦ୍ୱୀପ ସରକାରଙ୍କୁ ଭାରତ ନିକଟରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛି । ତେଣୁ, ଭାରତର ବିରୋଧୀ ଦଳମାନେ ‘ହାସଟ୍ୟାଗ୍ କମାଲ୍’କୁ ନେଇ ମୋଦୀ ସରକାରଙ୍କଠାରୁ ଅନେକ କିଛି ଶିଖିବାକୁ ବାକି ରହିଛି ବୋଲି ଏବେ ରାଜନୈତିକ ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS