ତେଜୁଛି ରାମଙ୍କୁ ନେଇ ରାଜନୀତି !

ପ୍ରସାଦ ରାଓ
ଜାନୁୟାରୀ ୧୧/୨୦୨୪
ଗତ ବର୍ଷ ନୂଆଦିଲ୍ଲୀରେ ନୂତନ ସଂସଦ ଭବନ ଉଦ୍ଘାଟନ ସମୟରେ ଯେଭଳି ରାଜନୈତିକ ହଟ୍ଟଚମଟ ସୃଷ୍ଟି ହୋଇଥିଲା ଠିକ୍ ସେହିଭଳି ହଟ୍ଟଚମଟ ଆସନ୍ତା ୨୨ ତାରିଖ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିରର ଉଦ୍ଘାଟନ ଏବଂ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ବିଗ୍ରହର ପ୍ରାଣପ୍ରତିଷ୍ଠା ଉତ୍ସବରେ ଦେଖିବାକୁ ମିଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ନୂତନ ସଂସଦ ଭବନ ଉଦ୍ଘାଟନ ସମୟରେ ବିରୋଧୀ ଦଳମାନେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୁହେଁ, ରାଷ୍ଟ୍ରପତିଙ୍କ ଦ୍ୱାରା ଗଣତନ୍ତ୍ରର ଏହି ମନ୍ଦିର ଉଦ୍ଘାଟନ ହେବା ଚାହିଁଥିଲେ । ବିରୋଧୀଙ୍କ ଦାବିକୁ ହେୟଜ୍ଞାନ କରି ଶାସକ ବିଜେପି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସଂସଦ ଭବନ ଉଦ୍ଘାଟନ କରାଇବାରୁ କଂଗ୍ରେସ ସମେତ ସମସ୍ତ ଅଣ ବିଜେପି ବିରୋଧୀ ଦଳ ସେହି କାର୍ଯ୍ୟକ୍ରମକୁ ବର୍ଜନ କରିଥିଲେ । ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ହେବାକୁ ଥିବା କାର୍ଯ୍ୟକ୍ରମକୁ ମଧ୍ୟ ଦେଶର ଅଧିକାଂଶ ବିରୋଧୀ ଦଳ ବର୍ଜନ କରିବାକୁ ଘୋଷଣା କରି ନୂତନ ସଂସଦ ଭବନ ଉଦ୍ଘାଟନ ସମୟର କଥା ମନେ ପକାଇ ଦେଇଛନ୍ତି ।
ଅଯୋଧ୍ୟାରେ ନିର୍ମାଣାଧୀନ ଭବ୍ୟ ଶ୍ରୀରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଆଉ ଆଠ ମାସ ସମୟ ଲାଗିବ ବୋଲି ନିକଟରେ ଶ୍ରୀରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ମନ୍ଦିରର ନିର୍ମାଣ କାର୍ଯ୍ୟ ନସରୁଣୁ ତାହାର ଉଦ୍ଘାଟନ ଏବଂ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ବିଗ୍ରହର ପ୍ରାଣପ୍ରତିଷ୍ଠା କାର୍ଯ୍ୟ ହେବା ଅନୁଚିତ ବୋଲି ହିନ୍ଦୁ ଧର୍ମର ଚାରି ପ୍ରମୁଖ ଗୁରୁ ବା ଚାରି ଶଙ୍କରାଚାର୍ଯ୍ୟ ବାରମ୍ବାର ମତ ରଖିବା ସହ ଜାନୁୟାରୀ ୨୨ ତାରିଖ କାର୍ଯ୍ୟକ୍ରମରେ ସେମାନେ ଭାଗ ନେବେ ନାହିଁ ବୋଲି କହି ଦେଲେଣି । ଏଭଳି ସ୍ଥିତିରେ, କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି ଜାନୁୟାରୀ ୨୨ରେ ଏହି କାର୍ଯ୍ୟ ସଂପନ୍ନ କରିବାକୁ ପ୍ରସ୍ତୁତି ଚଳାଇଛି । ଶଙ୍କରାଚାର୍ଯ୍ୟଙ୍କ ଅନୁପସ୍ଥିତିରେ କାର୍ଯ୍ୟକ୍ରମ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ତ୍ତା ସାଜି ମନ୍ଦିର ଉଦ୍ଘାଟନ ଓ ଗର୍ଭଗୃହରେ ରାମଲାଲାଙ୍କ ବିଗ୍ରହର ପ୍ରାଣପ୍ରତିଷ୍ଠା କରିବେ – ତାହା ଅନେକଙ୍କ ପାଇଁ ଗ୍ରହଣୀୟ ହେଉ ନାହିଁ ।
ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପୀଠର ଶଙ୍କରାଚାର୍ଯ୍ୟଙ୍କ ମତାମତ ସମ୍ବଳିତ ଭିଡ଼ିଓ ବହୁଳ ଭାବେ ପ୍ରସାରିତ ହେଉଛି । ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କ ଭିଡ଼ିଓ ମଧ୍ୟ ଦେଖିବାକୁ ମିଳୁଛି, ଯେଉଁଥିରେ କି ସେ କହୁଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ କର୍ତ୍ତା ସାଜି ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା କରିବେ, ଆମେ ଶଙ୍କରାଚାର୍ଯ୍ୟମାନେ ଦୂରରେ ବସି କେବଳ ତାଳି ମାରିବାକୁ ଅଯୋଧ୍ୟା ଯିବୁ କି ? ପୁରୀ ଶଙ୍କରାଚାର୍ଯ୍ୟ କେବଳ ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗରେ ନୁହେଁ, ଜାନୁୟାରୀ ୧୭ରେ ଓଡ଼ିଶା ସରକାରଙ୍କ ଦ୍ୱାରା ଉଦ୍ଘାଟନ ହେବାକୁ ଯାଉଥିବା ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପରକୁ ନେଇ ମଧ୍ୟ ସମାନ ପ୍ରତିକ୍ରିୟା ରଖିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତେ ବଡ ଧାର୍ମିକ କାର୍ଯ୍ୟ ଚାଲିଥିବା ବେଳେ ଥରେ ବି ତାଙ୍କ ମତାମତ ନିଆଯାଇ ନଥିବା ପୁରୀ ଶଙ୍କରାଚାର୍ଯ୍ୟ ଅଭିଯୋଗ କରି ଅଭିମାନରେ ଥିବାରୁ ପୁରୀ ଗଜପତିଙ୍କ ମାଧ୍ୟମରେ ତାଙ୍କ ମାନଭଂଜନ ଉଦ୍ୟମ ହୋଇଥିବା ଜଣାପଡିଛି ।
ଆମେ ଏବେ ଆସିବା ଅଯୋଧ୍ୟା ରାମ ମନ୍ଦିର ରାଜନୀତିକୁ । ଜାନୁୟାରୀ ୨୨ ତାରିଖରେ ହେବାକୁ ଥିବା ଭବ୍ୟ ଶ୍ରୀରାମ ମନ୍ଦିର ଉଦ୍ଘାଟନ ଓ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ବିଗ୍ରହର ପ୍ରାଣପ୍ରତିଷ୍ଠା ଉତ୍ସବକୁ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ବିରୋଧୀ ଦଳ ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ କିଏ ଯୋଗ ଦେବେ, କିଏ ନାହିଁ – ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ବାମପନ୍ଥୀ ଦଳ ନେତାମାନେ ଜାନୁୟାରୀ ୨୨ କାର୍ଯ୍ୟକ୍ରମରେ ଯୋଗ ଦେଉନଥିବା କହି ସାରିଛନ୍ତି । ବିରୋଧୀ ମେଂଟ ‘ଇଣ୍ଡିଆ’ର ଅନ୍ୟତମ ପ୍ରମୁଖ ସଦସ୍ୟ ଥିବା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ମୁଖ୍ୟା ମମତା ବାନାଜୀ ମଧ୍ୟ ଯୋଗ ଦେଉନଥିବା ଘୋଷଣା କରିଛନ୍ତି । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାହୁଲ (ଗାନ୍ଧୀ) ଓ ବର୍ତ୍ତମାନର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସହ ଜାନୁୟାରୀ ୨୨ ତାରିଖ ଅଯୋଧ୍ୟା ଯିବେ ବୋଲି ପ୍ରଥମେ କୁହାଯାଉଥିଲା । କିନ୍ତୁ, ଗତକାଲି ସେମାନେ ସଂଭ୍ରମତାର ସହ ନିମନ୍ତ୍ରଣକୁ ପ୍ରତ୍ୟାଖାନ କରିଛନ୍ତି । ‘ଇଣ୍ଡିଆ’ ମେଂଟର ଅନ୍ୟ ନେତାଙ୍କ ନିଷ୍ପତ୍ତି ମଧ୍ୟ ଏକାଭଳି ହେବା ଅନୁମାନ କରାଯାଉଛି ।
ବିରୋଧୀଙ୍କ ଅଭିଯୋଗ ହେଉଛି, ଅଯୋଧ୍ୟରେ ଶ୍ରୀରାମଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବା ବେଳେ ଜାନୁୟାରୀ ୨୨ ତାରିଖ ଦିନ ତାହାର ଉଦ୍ଘାଟନ ଓ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ବିଗ୍ରହର ପ୍ରାଣପ୍ରତିଷ୍ଠା ପାଇଁ ଯେଭଳି ଆୟୋଜନ ଚାଲିଛି ତାହା ‘ଧାର୍ମିକ’ ନୁହେଁ, ଶାସକ ବିଜେପିର ରାଜନୈତିକ କାର୍ଯ୍ୟକ୍ରମ ଭଳି ମନେ ହେଉଛି । ୨୦୨୪ ଏପ୍ରିଲ-ମେ’ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ବିଜେପି ସମଗ୍ର ଦେଶକୁ ‘ରାମମୟ’ କରି ଭୋଟ ହାତେଇବାକୁ ଜାନୁୟାରୀରେ ଏତେ ବଡ କାର୍ଯ୍ୟକ୍ରମର ଆୟୋଜନ କରିଛି । ତେଣୁ, ସେମାନେ ଏଥିରେ ସାମିଲ ହେବାକୁ ଚାହୁଁ ନାହାନ୍ତି । କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ ଓ ଲୋକସଭାରେ ବିରୋଧୀ ଦଳ ନେତା ଥିବା ଅଧିର ରଂଜନ ଚୌଧୁରୀ ବୁଧବାର ବିନମ୍ରତାର ସହ ୨୨ ତାରିଖ କାର୍ଯ୍ୟକ୍ରମର ନିମନ୍ତ୍ରଣକୁ ପ୍ରତ୍ୟାଖାନ କରିବା ପରେ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ବିରୋଧୀ ୨୨ ଜାନୁୟାରୀ ଅଯୋଧ୍ୟା କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ଉଦ୍ୟମରେ ଥିବା ବିଜେପି ବାରମ୍ବାର ଆଶଙ୍କା ବ୍ୟକ୍ତ କରୁଛି ।
କଂଗ୍ରେସ ଅଭ୍ୟାସଗତ ଭାବେ ଭାରତୀୟ ସଂସ୍କୃତି ଓ ହିନ୍ଦୁ ଧର୍ମକୁ ବିରୋଧ କରି ଆସୁଛି । ଅଯୋଧ୍ୟା ନିମନ୍ତ୍ରଣକୁ ଦଳ ପ୍ରତ୍ୟାଖାନ କରିବା ତାହାର ହାନମନ୍ୟତାକୁ ପଦାରେ ପକାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଇର୍ଷା ଓ ଘୃଣାଭାବ ସହ ନିଜର ହୀନମନ୍ୟତା ଯୋଗୁଁ କଂଗ୍ରେସ ସରକାରଙ୍କ ବିଭିନ୍ନ ଐତିହାସିକ କାର୍ଯ୍ୟକୁ ବିରୋଧ କରୁଥିବା ବେଳେ ଏବେ ଭଗବାନଙ୍କୁ ମଧ୍ୟ ବିରୋଧ କରିବାକୁ ପଛାଇ ନାହିଁ ବୋଲି ବିଜେପିର ଜାତୀୟ ପ୍ରବକ୍ତା ତଥା ସାଂସଦ ସୁଧାଂଶୁ ତ୍ରିବେଦୀ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଅଯୋଧ୍ୟ ଶ୍ରୀରାମ ମନ୍ଦିର ଭାରତୀୟ ପରଂପରା ଓ ସଂସ୍କୃତିର ଉଚ୍ଚ ମୂଲ୍ୟବୋଧର ପ୍ରତୀକ ହୋଇଥିବା ସମୟରେ କଂଗ୍ରେସ ଓ ବିରୋଧୀ ଦଳମାନେ ସେମାନଙ୍କ ଉଗ୍ର ରାଜନୈତିକ ଚିନ୍ତାଧାରାକୁ ପ୍ରଧାନ୍ୟ ଦେଇଛନ୍ତି । କଂଗ୍ରେସ ନିଜକୁ ଦେଶର ମୁଖ୍ୟ ବିରୋଧୀ ଦଳ ବୋଲି ଦାବି କରୁଛି । କିନ୍ତୁ, ଯେକୌଣସି ଐତିହାସିକ କାର୍ଯ୍ୟ ସଂପନ୍ନ ସମୟରେ ବିରୋଧ କରୁଛି ବୋଲି ଦର୍ଶାଇ ତ୍ରିବେଦୀ ଗତ ବର୍ଷ ନୂତନ ସଂସଦ ଭବନ ଉଦ୍ଘାଟନ ସମୟ କଥା ମନେ ପକାଇ ଦେଇଛନ୍ତି ।
ଅଯୋଧ୍ୟାରେ ରାମଙ୍କୁ ନେଇ ଚାଲି ଥିବା ରାଜନୀତି ଏତେଶୀଘ୍ର ଥମିବାର ନାହିଁ । କାରଣ, ବିଜେପି ୨୦୨୪ ସାଧାରଣ ନିର୍ବାଚନରେ ରାମଙ୍କ ନାମରେ ଭୋଟ ମାଗି ୪୦୦ରୁ ଅଧିକ ଆସନରେ ଜିତିବା ଆଶା ରଖିଛି । ବିଜେପିର ଏହି ଧ୍ରୁବୀକରଣ ରାଜନୀତିରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ କ୍ଷତିଗ୍ରସ୍ତ ହେବା ଆଶଙ୍କା କରୁଥିଲେ ମଧ୍ୟ ଅଯୋଧ୍ୟା ରାମ ମନ୍ଦିର ଉଦ୍ଘାଟନ କାର୍ଯ୍ୟକ୍ରମରେ ଭାଗ ନେଇ ବିଜେପି ରଣନୀତିକୁ ଅଧିକ ବଳ ଦେବାକୁ ଚାହୁଁ ନାହାନ୍ତି । ଭାଗବାନ ରାମ କୌଣସି ନିର୍ଦ୍ଦିଷ୍ଟ ଦଳର ସଂପତ୍ତି ନୁହନ୍ତି, ସାମଗ୍ରୀକ ଭାବେ ମାନବ ଧର୍ମର ସଂପତ୍ତି । ଦେଶରେ ବେକାରୀ, ଦରଦାମ ବୃଦ୍ଧି, ମୁଦ୍ରାସ୍ଫୀତି, ଗଣତାନ୍ତ୍ରିକ ଅନୁଷ୍ଠାନର ସ୍ୱାଧୀନତା ଭଳି ବହୁ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ରହିଛି । ଦେଶବାସୀ ଭୋଟ ଦେବା ସମୟରେ ସେସବୁ ପ୍ରସଙ୍ଗକୁ ମଧ୍ୟ ବିଚାରକୁ ନେବେ ଏବଂ ବିରୋଧୀ ମେଂଟ ସପକ୍ଷରେ ସକାରାତ୍ମକ ଭୋଟ ଦେବେ ବୋଲି ସେମାନେ ବିଶ୍ୱାସ କରୁଛନ୍ତି । ଏହି ବିଶ୍ୱାସର ଲଢେଇରେ କିଏ ଜିତିବ ଭିନ୍ନ କଥା । ତେବେ, ନିର୍ବାଚନ ସରିବା ଯାଏଁ ଏହି ବିଶ୍ୱାସର ଲଢେଇ ଚାଲିବ, ଏଥିରେ କାହାର ଦ୍ୱିମତ ହେବାର ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS