ଧର୍ମ ସଂକଟରେ ଶିବସେନା ଉଦ୍ଧବ ଗୋଷ୍ଠୀ ବିଧାୟକ !


ପ୍ରସାଦ ରାଓ
ଜାନୁୟାରୀ ୧୨/୨୦୨୪
ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରୱେକର ବୁଧବାର ଦିନ ଶିବସେନା ବିବାଦ ଉପରେ ନିଜର ରାୟ ଶୁଣାଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଗୋଷ୍ଠୀକୁ ‘ପ୍ରକୃତ ଶିବସେନା’ ବୋଲି ସ୍ୱୀକୃତି ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀରେ ଥିବା ବିଧାୟକମାନେ ଅଡୁଆରେ ପଡିଛନ୍ତି । ବାଚସ୍ପତି ନରୱେକର ଶିବସେନା ସିନ୍ଧେ ଗୋଷ୍ଠୀକୁ ‘ପ୍ରକୃତି ଶିବସେନା’ ବୋଲି ସ୍ୱୀକୃତି ଦେବା ସହ ସିନ୍ଧେଙ୍କ ଦ୍ୱାରା ବିଧାନସଭାରେ ନିଯୁକ୍ତ ମୁଖ୍ୟ ସଚେତକ ଭରତ ଗୋଗୱାଲେଙ୍କୁ ମଧ୍ୟ ସ୍ୱୀକୃତି ଦେଇଛନ୍ତି । ଫଳରେ, ଗୋଗୱାଲେ ଦ୍ୱାରା ଜାରି ‘ହ୍ୱିପ୍’ ଶିବସେନାର ସମସ୍ତ ବିଧାୟକ ମାନିବାକୁ ବାଧ୍ୟ । ଉଦ୍ଧବ ଗୋଷ୍ଠୀ ଶିବସେନା ବିଧାୟକଙ୍କ ପାଇଁ ଏହା ଧର୍ମ ସଂକଟ ହୋଇଛି । ସିନ୍ଧେ ଶିବସେନାରେ ବିଦ୍ରୋହର ସୂତ୍ରପାତ କରି ବିଭାଜନ ଘଟାଇବା ପରେ ସଂଖ୍ୟାଧିକ ବିଧାୟକଙ୍କ ସହ ବିଜେପି ସମର୍ଥନରେ ରାଜ୍ୟରେ ସରକାର ଗଠନ କରିଛନ୍ତି ଏବଂ ନିଜେ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଉଦ୍ଧବ ଠାକରେ ଶିବସେନା ମୁଖ୍ୟ ଭାବେ ବିଧାନସଭାର ଯାହାକୁ ମୁଖ୍ୟ ସଚେତକ ନିଯୁକ୍ତ ଦେଇଥିଲେ ତାଙ୍କୁ ହଟାଇ ସିନ୍ଧେ ନିଜ ସମର୍ଥକ ବିଧାୟକ ଭରତ ଗୋଗୱାଲେଙ୍କୁ ବିଧାନସଭା ମୁଖ୍ୟ ସଚେତକ ନିଯୁକ୍ତ କରିଛନ୍ତି । ବାଚସ୍ପତି ବୁଧବାର ସିନ୍ଧେ ଗୋଷ୍ଠୀକୁ ସ୍ୱୀକୃତି ଦେବା ସହ ଦଳର ମୁଖ୍ୟ ସଚେତକ ଭାବେ ଗୋଗୱାଲେଙ୍କୁ ସ୍ୱୀକୃତି ଦେଇଥିବାରୁ ସେ ବିଧାନସଭାରେ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭୋଟିଂ ସମୟରେ ଦଳୀୟ ବିଧାୟକଙ୍କ ଉପରେ ଯେଉଁ ହ୍ୱିପ୍ ଜାରି କରିବେ ତାହା ଶିବସେନାର ସମସ୍ତ ବିଧାୟକ ମାନିବାକୁ ବାଧ୍ୟ । ତାହାକୁ ଅବମାନନା କଲେ ବିଧାୟକ ପଦ ରଦ୍ଦ ଆଶଙ୍କା ରହିଛି । ଗୁରୁବାର ଦିନ ଏକ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମକୁ କହିଛନ୍ତି, ସେ ବିଧାନସଭାରେ ଶିବସେନା ବିଧାୟକ ଦଳ ଗୋଷ୍ଠୀକୁ ‘ପ୍ରକୃତ ଶିବସେନା’ ବୋଲି ସ୍ୱୀକୃତି ଦେଇଥିବାରୁ ଗୋଟିଏ ଦଳର ଦୁଇଟି ‘ହ୍ୱିପ୍’ ସମ୍ଭବ ନୁହେଁ । ତେଣୁ, ସ୍ୱୀକୃତ ଶିବସେନା ଗୋଷ୍ଠୀର ‘ହ୍ୱିପ୍’ ହିଁ ଦଳର ‘ହ୍ୱିପ୍’ ଭାବେ ଗ୍ରହଣୀୟ ହେବ । ଶିବସେନାର ସମସ୍ତ ବିଧାୟକ ତାହାକୁ ମାନିବାକୁ ବାଧ୍ୟ । ନରୱେକର ଗୁରୁବାର ଦିନ ଏହା ମଧ୍ୟ କହିଛନ୍ତି, ବୁଧବାର ସେ ଦେଇଥିବା ରୁଲିଂ ସୁପ୍ରିମ କୋର୍ଟଙ୍କ ନିର୍ଦେଶାବଳୀର ଶତପ୍ରତିଶତ ପାଳନ କରିଛି । ତାଙ୍କ ରୁଲିଂକୁ ରାଜନୀତି ଦ୍ୱାରା ପ୍ରେରିତ ବୋଲି ହେଉଥିବା ସମାଲୋଚନାକୁ ଅଗ୍ରାହ୍ୟ କରି ନରୱେକର କହିଛନ୍ତି, ଏହାର ରାଜନୈତିକ ପରିଣତି ଯାହା ହେଉନା କାହିଁକି ସେ ସମ୍ବିଧାନ, ବିଧାନସଭାର ନୀତି ନିୟମ ଏବଂ ସୁପ୍ରିମ କୋର୍ଟଙ୍କ ନିର୍ଦେଶାବଳୀ ସଠିକ ଭାବେ ପାଳନ କରିଛନ୍ତି । ମହାରାଷ୍ଟ୍ର ବିଧାନସଭା ବିଚସ୍ପତିଙ୍କ ବୁଧବାରର ରୁଲିଂ ପରେ ଉଦ୍ଧବ ଠାକରେ ଗୋଷ୍ଠୀ ପାଇଁ ନିଜ ଅସ୍ତିତ୍ୱ ବଜାୟ ରଖିବା ମଧ୍ୟ ଆଉ ଏକ ସମସ୍ୟା ହୋଇଛି । ରାଜ୍ୟରେ ଶିବସେନା ନେତୃତ୍ୱରେ ସରକାର ଚାଲି ଥିବାରୁ ଉଦ୍ଧବ ଗୋଷ୍ଠୀରେ ଥିବା ସେନା ବିଧାୟକମାନେ ଆଉ ବିରୋଧୀ ଆସନରେ ନୁହଁ, ଏଥର ଶାସକ ଦଳ ବିଧାୟକଙ୍କ ପାଇଁ ଉଦ୍ଦିଷ୍ଟ ଆସନରେ ବସିବାକୁ ବାଧ୍ୟ । ବିଧାନସଭାରେ ଶାସକ ଦଳ ବିଧାୟକଙ୍କ ପାଇଁ ଉଦ୍ଦିଷ୍ଟ ଆସନ ମଧ୍ୟରୁ ଯାହାକୁ ଯେଉଁ ଆସନ ଦିଆଯିବ ସେଠାରେ ସେ ବସିବେ । ଯଦି କେହି ଭିନ୍ନମତ ରଖି ଅଲଗା ବସିବାକୁ ଚାହିଁବେ, ପରିଣତି ପାଇଁ ସେ ନିଜେ ଦାୟି ରହିବେ ବୋଲି ମଧ୍ୟ ବାଚସ୍ପତି ନରୱେକର ଗତକାଲି ଚେତାଇ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାରେ ଶିବସେନାର ୫୪ ବିଧାୟକ ଥିବା ବେଳେ ସେଥିରୁ ୪୦ ଜଣ ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ସହ ଓ ୧୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ରହିଛନ୍ତି । ସିନ୍ଧେ ଶିବସେନା ନେତୃତ୍ୱ (ଉଦ୍ଧବ ଠାକରେ) ବିରୋଧରେ ବିଦ୍ରୋହ ଘୋଷଣା କରି ୫୪ରୁ ୪୦ ବିଧାୟକଙ୍କ ସହ ଅଲଗା ହୋଇଯିବା ଏବଂ ବିଜେପି ସହ ମିଶି ସରକାର କରିବା ପରେ ସେନାର ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଶିବସେନା ଉପରେ କର୍ତ୍ତୃତ୍ୱକୁ ନେଇ ବିବାଦ ଲାଗି ରହିଛି । ଉଦ୍ଧବ ଗୋଷ୍ଠୀ ଦଳୀୟ ‘ହ୍ୱିପ୍’ର ଅବମାନନା କରିଥିବା ଅଭିଯୋଗରେ ସିନ୍ଧେଙ୍କ ସମେତ ୨୦ ଶିବସେନା ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ କରାଯିବାକୁ ବିଧାନସଭା ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିବା ବେଳେ ସିନ୍ଧେ ଗୋଷ୍ଠୀ ସମାନ ଅଭିଯୋଗ କରି ୧୪ ସେନା ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରାଯିବାକୁ ଆବେଦନ କରିଥିଲେ । ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ ବିଳମ୍ବିତ ହେବାରୁ ଦୁଇ ଗୋଷ୍ଠୀ ପରସ୍ପର ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ଇତିମଧ୍ୟରେ, ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ) ଶିବସେନା ସିନ୍ଧେ ଗୋଷ୍ଠୀକୁ ‘ପ୍ରକୃତି ଶିବସେନା ବୋଲି ସ୍ୱୀକୃତି ଦେଇ ଦଳର ମୂଳ ନିର୍ବାଚନ ଚିହ୍ନ ମଧ୍ୟ ଏହି ଗୋଷ୍ଠୀ ହାତରେ ସମର୍ପି ଦେଇଥିଲା । ଏହି ସବୁ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ବିବାଦ ସୁପ୍ରିମ କୋର୍ଟଙ୍କ ବିଚାରାଧୀନ ଥିବା ସମୟରେ ସୁପ୍ରିମ କୋର୍ଟ ଦଳୀୟ ‘ହ୍ୱିପ୍’ର ଅବମାନନା ଜନିତ ଶିବସେନା ବିଧାୟକଙ୍କ ବିଧାୟକ ପଦ ରଦ୍ଦ ପାଇଁ ହୋଇଥିବା ଆବେଦନ ଉପରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ହିଁ ନିର୍ଣ୍ଣୟ ନେଇ ପାରିବେ ବୋଲି ରାୟ ଦେଇଥିଲେ ଏବଂ ଦୁଇ ପକ୍ଷର ଆବେଦନ ଉପରେ ତ୍ୱରିତ ନିଷ୍ପତ୍ତି ନେବାକୁ ଗତ ବର୍ଷ ମେ’ରେ ବାଚସ୍ପତିଙ୍କୁ ନିର୍ଦେଶ ଦେଇଥିଲେ । ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ନରୱେକର ଦୀର୍ଘ ଆଠ ମାସ ଧରି ଝୁଲାଇ ରଖିବା ପରେ ୨୦୨୪ ଜାନୁୟାରୀ ୧୦ ତାରିଖ (ବୁଧବାର) ଦିନ ରାୟ ଦେଇଛନ୍ତି । ଶିବସେନା ସିନ୍ଧେ ଗୋଷ୍ଠୀରେ ସବାଧିକ ସଂଖ୍ୟକ (୫୪ରୁ୪୦) ବିଧାୟକ ଥିବାରୁ ସିନ୍ଧେ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ବୋଲି ରୁଲିଂ ଦେବା ସହ ଉଭୟ ଗୋଷ୍ଠୀ ପକ୍ଷରୁ ୩୪ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି । ବାଚସ୍ପତିଙ୍କ ନିଷ୍ପତ୍ତିରେ ଉଦ୍ଧବ ଗୋଷ୍ଠୀ ଆଶ୍ୱସ୍ତ ହୋଇଥିଲେ ମଧ୍ୟ ସିନ୍ଧେ ଗୋଷ୍ଠୀକୁ ବିଧାନସଭାରେ ‘ପ୍ରକୃତ ଶିବସେନା’ ଭାବେ ବାଚସ୍ପତି ସ୍ୱୀକୃତି ଦେଇଥିବାରୁ ତାହା ବିରୋଧରେ ସୁପ୍ରିମ କୋର୍ଟକୁ ଯିବେ ବୋଲି ଚେତାବନୀ ଦେଇଛନ୍ତି । ୨୦୧୯ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବ । ଏବେ, ରାଜ୍ୟରେ ଶିବସେନା (ସିନ୍ଧେ ଗୋଷ୍ଠୀ), ବିଜେପି ଓ ଏନସିପି (ଅଜିତ ପାୱାର ଗୋଷ୍ଠୀ)ର ମିଳିତ ସରକାର ଚାଲିଛି । ସିନ୍ଧେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଓ ଏନସିପି ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଦୁଇ ଉପ ମୁଖ୍ୟମନ୍ତ୍ରୀ ଅଛନ୍ତି । ଅପରପକ୍ଷରେ, ରାଜ୍ୟରେ ଶିବସେନା (ଉଦ୍ଧବ ଠାକରେ), କଂଗ୍ରେସ ଓ ଏନସିପି (ଶରଦ ପାୱାର)ମେଂଟ ବା ମହାଗଠବନ୍ଧନ ମୁଖ୍ୟ ବିରୋଧୀ ଦଳ ରହିଛି । ବାଚସ୍ପତିଙ୍କ ରୁଲିଂ ପରେ ଉଦ୍ଧବ ଗୋଷ୍ଠୀର ବିଧାୟକମାନେ ଶାସକ ଦଳ ବିଧାୟକଙ୍କ ସହ ବସିବେ ବା ବିଧାୟକ ପଦ ରଦ୍ଦ ହେବା ଭୟ ଥିଲେ ମଧ୍ୟ ବିରୋଧୀ ମେଂଟର ବିଧାୟକଙ୍କ ସହ ବସିବେ, ତାହା ଦେଖିବା ସମୟ ଆସୁଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS