ଖାର୍ଗେ ହେଲେ ବିରୋଧୀ ମେଂଟ ଅଧ୍ୟକ୍ଷ; ମମତା, ଅଖିଳେଶ ବୈଠକରେ ଯୋଗ ଦେଲେନି


ପ୍ରସାଦ ରାଓ
ନୂଆଦିଲ୍ଲୀ
ଜାନୁୟାରୀ ୧୩
୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ମହାସମର ପାଇଁ ପ୍ରସ୍ତୁତ ହେଉଥିବା ବିରୋଧୀ ମେଂଟ ‘ଇଣ୍ଡିଆ’ର ନେତୃତ୍ୱ ନେବେ ଏଆଇସିସି ସଭାପତି ମଲ୍ଲିକାଜ୍ଜୁନ ଖାର୍ଗେ । ଆଜି ବିରୋଧୀ ମେଂଟ ନେତାମାନଙ୍କ ବୈଠକରେ ଦୀର୍ଘ ସମୟ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡିଛି । ଜେଡିୟୁ ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମେଂଟର ନେତୃତ୍ୱ ନେବାକୁ ଆଗ୍ରହୀ ଥିଲେ ମଧ୍ୟ ତାଙ୍କ ପ୍ରତି ସମର୍ଥନର ଅଭାବ ଥିବା ଦେଖି କଂଗ୍ରେସ ଦଳରୁ କେହି ମେଂଟର ନେତୃତ୍ୱ ନିଅନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ । ପରେ, ଖାର୍ଗଙ୍କୁ ମେଂଟର ଅଧ୍ୟକ୍ଷ ଭାବେ ଚୟନ କରାଯାଇଥିବା ଆଭ୍ୟନ୍ତରୀଣ ସୂତ୍ରରୁ ସୂଚନା ମିଳିଛି ।
ଆସନ୍ତା ଏପ୍ରିଲ/ମେ’ ଆଡକୁ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ନେତୃତ୍ୱ ପ୍ରସଙ୍ଗକୁ ନେଇ ମେଂଟରେ ଘୋର ଅନିଶ୍ଚିତତା ଦେଖିବାକୁ ମିଳିଥିଲା । ନୀତୀଶ କୁମାର ମେଂଟର ଅଧ୍ୟକ୍ଷ ନହେଲେ ମଧ୍ୟ ଜାତୀୟ ସଂଯୋଜକ ହେବାକୁ ଆଗ୍ରହୀ ଥିଲେ । ଜେଡିୟୁ ପକ୍ଷରୁ ଏନେଇ ବିରୋଧୀ ମେଂଟ ନେତାଙ୍କ ଉପରେ ଲଗାତର ଚାପ ସୃଷ୍ଟି ହେଉଥିଲା । ତେବେ, ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ମୁଖ୍ୟ ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ , ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ସମେତ ଅନ୍ୟ କିଛି ବିରୋଧୀ ମେଂଟ ନେତା ନୀତୀଶ କୁମାର ମେଂଟର ନେତୃତ୍ୱ ନେବା ଚାହୁଁ ନଥିଲେ । ଏପରିକି ବିରୋଧୀ ମେଂଟ ‘ଇଣ୍ଡିଆ’ର ଗତ ଦିଲ୍ଲୀ ବୈଠକରେ ଟିଏମସି ମୁଖ୍ୟା ମମତା ବାନାର୍ଜୀ ଓ ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ କଂଗ୍ରେସ ମୁଖ୍ୟ ଖୋର୍ଗେଙ୍କୁ ମେଂଟ ଅଧ୍ୟକ୍ଷ କରାଯିବା ପ୍ରସ୍ତାବ ଦେଇ ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ରୋଷର ସମ୍ମୁଖୀନ ହୋଇଥିଲେ ।
ନୀତୀଶ ଅଭିମାନ କରିବାରୁ ଏବଂ ସେ ପୁଣିଥରେ ବିଜେପି ଆଡକୁ ଢଳି ପାରନ୍ତି ବୋଲି ଗଣମାଧ୍ୟମରେ ପ୍ରଚାର ଜୋର ଧରିବାରୁ କଂଗ୍ରେସ ମୁଖ୍ୟ ଖାର୍ଗେ ନୀତୀଶଙ୍କୁ ବ୍ୟକ୍ତିଗତ ଭାବେ ଭେଟି ମନାଇ ଥିଲେ । ସେ ମେଂଟର ‘ପ୍ରଧାନମନ୍ତ୍ରୀ ଚେହେରା’ ହେବାକୁ ଆଗ୍ରହୀ ନୁହନ୍ତି । ସାମୁହିକ ନେତୃତ୍ୱରେ ‘ଇଣ୍ଡିଆ’ ମେଂଟ ନିର୍ବାଚନ ଲଢିବ । ନିର୍ବାଚନ ପରେ ମେଂଟର କିଏ ନେତା ହେବ ତାହା ନିର୍ବାଚିତ ସାଂସଦମାନେ ନିଷ୍ପତ୍ତି ନେବେ ବୋଲି ଖାର୍ଗେ ବୟାନ ଦେବା ପରେ ନୀତୀଶଙ୍କ ମାନଭଂଜନ ହୋଇଥିଲା । ଆଜି ଭର୍ଚୁଆଲ ମାଧ୍ୟମରେ ମେଂଟ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ମେଂଟ ଅଧ୍ୟକ୍ଷ କିମ୍ବା ଜାତୀୟ ସଂଯୋଜକ ପଦ ପାଇଁ ନୀତୀଶଙ୍କ ନାମ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଥିଲା । ତେବେ, ସମସ୍ତଙ୍କୁ ଚକିତ କଲା ଭଳି ଜେଡିୟୁ ମୁଖ୍ୟ ନୀତୀଶ କୁମାର କଂଗ୍ରେସ ଦଳର କେହି ମେଂଟର ନେତୃତ୍ୱ ନିଅନ୍ତୁ ବୋଲି ପ୍ରସ୍ତାବ ରଖିଥିଲେ ଏବଂ ମେଂଟ ନେତାମାନେ ଏଆଇସିସି ସଭାପତି ଖାର୍ଗେଙ୍କୁ ଅଧ୍ୟକ୍ଷ ଚୟନ କରିଥିଲେ ବୋଲି ବୈଠକ ପରେ ଜଣାପଡିଛି ।
ଆଜିର ବୈଠକରେ ଟିଏମସି ଓ ସମାଜବାଦୀ ପାର୍ଟି ବ୍ୟତୀତ ‘ଇଣ୍ଡିଆ’ ମେଂଟର ଅନ୍ୟ ସମସ୍ତ ସଦସ୍ୟ ଦଳର ନେତା ଯୋଗ ଦେଇଥିଲେ । ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟରେ ଆସନ ବୁଝାମଣା ପାଇଁ କଂଗ୍ରେସ ଓ ବିରୋଧୀ ମେଂଟର ଅନ୍ୟ ଦଳଙ୍କ ମଧ୍ୟରେ କଥାବାର୍ତ୍ତା ଚାଲୁ ରହିଛି । କିଛି ରାଜ୍ୟରେ କଂଗ୍ରେସ ଓ ବିରୋଧୀ ମେଂଟର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଆଲୋଚନାରେ ସନ୍ତୋଷଜନକ ଅଗ୍ରଗତି ଘଟିଥିବା ବେଳେ ପଶ୍ଚିମ ବଂଗରେ ଟିଏମସି ଓ କଂଗ୍ରେସ ମଧ୍ୟରେ ସମସ୍ୟା ରହିଛି । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ପଶ୍ଚିମ ବଂଗର ୪୨ଟି ଲୋକସଭା ଆସନରୁ ଦୁଇଟିରେ ବିଜୟୀ ହୋଇଥିଲା । ୨୦୨୪ ନିର୍ବାଚନରେ କଂଗ୍ରେସ ସାତଟି ଆସନରୁ ନିର୍ବାଚନ ଲଢିବାକୁ ଚାହୁଁଥିବା ବେଳେ ଟିଏମସି ମାତ୍ର ଦୁଇଟି ଆସନ (୨୦୧୯ରେ ଜିତିଥିବା) କଂଗ୍ରେସକୁ ଛାଡିବ ବୋଲି ଅଡି ରହିଛି । ଏହାକୁ ନେଇ ପଶ୍ଚିମ ବଂଗରେ କଂଗ୍ରେସ ଓ ଟିଏମସି ମୁହାଁମୁହିଁ ହୋଇଛନ୍ତି । ଟିଏମସି ସାତଟି ନହେଲେ ମଧ୍ୟ ଅନ୍ତତଃ ତିନିଟି ଆସନ କଂଗ୍ରେସକୁ ଦେବା ଆବଶ୍ୟକ ବୋଲି କଂଗ୍ରେସ ପଶ୍ଚିମ ବଂଗ ଶାଖା ନେତାମାନେ ଦାବି କରୁଛନ୍ତି ।
ଆଜିର ଭର୍ଚୁଆଲ ବୈଠକରେ ମମତା ଯୋଗ ଦେଉନଥିବା ଜାଣିବା ପରେ ଆସନ ବୁଝାମଣା ଆଲୋଚନା ସକାଶେ ସେ ଅନ୍ତତଃ ନିଜର ପ୍ରତିନିଧିଙ୍କ ପଠାଇବାକୁ ‘ଇଣ୍ଡିଆ’ ମେଂଟର ନ୍ୟାସନାଲ ଆଲାଏନ୍ସ କମିଟି ବା ଜାତୀୟ ସଂଯୋଜନା କମିଟି ମମତାଙ୍କୁ ଅନୁରୋଧ କରିଥିଲେ । ତେବେ, ମମତା ତାହାକୁ ପ୍ରତ୍ୟାଖାନ କରି ଦେଇଛନ୍ତି । ସେହିଭଳି, ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗତ ନଭେମ୍ବରରେ ହୋଇଥିବା ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଆଡୁ ହୋଇଥିବା ଅପମାନକୁ ବୋଧହୁଏ ଭୁଲି ନାହାନ୍ତି । ‘ଇଣ୍ଡିଆ’ ମେଂଟର ପ୍ରମୁଖ ସଦସ୍ୟ ଥାଇ ଅଖିଳେଶ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ (୨୦୨୩) କଂଗ୍ରେସ ସହ ଆସନ ବୁଝାମଣା କରିବାକୁ ଚାହିଁଥିଲେ । ସେ ମାତ୍ର ୬ଟି ଆସନ ମାଗି ଥିଲେ ମଧ୍ୟ ସେହି ସମୟରେ କଂଗ୍ରେସର ରାଜ୍ୟ ସଭାପତି ଥାଇ ଏକକ ଭାବେ ନିର୍ବାଚନ ପରିଚାଳନା କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ତାଙ୍କ ଅନୁରୋଧକୁ କେବଳ ପ୍ରତ୍ୟାଖାନ କରିନଥିଲେ, ତାଙ୍କ ପ୍ରତି ଅପମାନସୂକ ମନ୍ତବ୍ୟ ମଧ୍ୟ ଦେଇଥିଲେ ।
ଅବଶ୍ୟ, ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ନେତୃତ୍ୱ କମଳନାଥଙ୍କୁ ରାଜ୍ୟ ସଭାପତି ପଦରୁ ହଟାଇ ନୂତନ ସଭାପତିଙ୍କୁ ନିଯୁକ୍ତ କରିଛନ୍ତି । ତଥାପି, ଅଖିଳେଶଙ୍କ କଂଗ୍ରେସ ପ୍ରତି ଆକ୍ରୋଶ କମି ନାହିଁ । ମଧ୍ୟ ପ୍ରଦେଶରେ ହୋଇଥିବା ଅପମାନକୁ ସେ ଗଂଠି ପକାଇ ଧରିିଛନ୍ତି । ୟୁପିରେ ଦେଶର ସର୍ବାଧିକ ୮୦ ଲୋକସଭା ଆସନ ରହିଛି । କେନ୍ଦ୍ରରେ ସରକାର ଗଠନ କରିବାକୁ ହେଲେ ୟୁପି ତାହାର ମୁଖ୍ୟ ପ୍ରବେଶ ଦ୍ୱାର ବୋଲି ସବୁ ରାଜନୈତିକ ଦଳ ଜାଣନ୍ତି । ସମାଜବାଦୀ ପାର୍ଟି ହେଉଛି ୟୁପିର ମୁଖ୍ୟ ବିରୋଧୀ ଦଳ । ସେ ପିଡିଏ (ପଛୁଆ, ଦଳିତ ଓ ଆଦିବାସୀ) ମେଂଟ ବ୍ୟତୀତ ଅନ୍ୟ କୌଣସି ମେଂଟକୁ ଜାଣନ୍ତି ନାହିଁ ବୋଲି ଅଖିଳେଶ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଆୟୋଜିତ ବିଭିନ୍ନ ଟିଭି କାର୍ଯ୍ୟକ୍ରମ ବା ବିତର୍କରେ ମତ ରଖି ଆସିଛନ୍ତି । ୟୁପିର ୮୦ ଆସନରେ ବୁଝାମଣା ପାଇଁ ଆଲୋଚନା ବେଳେ ସେ କଂଗ୍ରେସକୁ ଉଚିତ ଜବାବ ଦେବେ ବୋଲି ଅନୁମାନ କରାଯାଉଛି । ଆଜି ଗୁରୁତ୍ୱପୂର୍ଣ୍ଣ ମେଂଟ ବୈଠକରେ ଅଖିଳେଶଙ୍କ ଅନୁପସ୍ଥିତି ଚର୍ଚ୍ଚାର ଖୋରାକ ଯୋଗାଇଛି ।
ସେହିଭଳି, ଦିଲ୍ଲୀ ଓ ପଂଜାବରେ କଂଗ୍ରେସ ସମସ୍ୟାରେ ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି । ଏହି ଦୁଇ ରାଜ୍ୟରେ ଆମ୍ ଆଦମୀ ପାର୍ଟି (ଆପ୍) ସରକାର ରହିଛି । କଂଗ୍ରେସ ଦିଲ୍ଲୀରେ ୪ଟି ଓ ପଂଜାବରେ ୭ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବାକୁ ଚାହୁଁଥିବା ବେଳେ ‘ଆପ୍’ ଏହି ଦୁଇ ରାଜ୍ୟରେ ସର୍ବାଧିକ ସଂଖ୍ୟକ ଆସନରେ ପ୍ରାର୍ଥୀ ଦେବାକୁ ଆଗ୍ରହୀ । ଏହାଛଡା, ‘ଆପ୍’ ଗୋଆ, ହରିୟାଣା ଓ ଗୁଜରାଟରେ ନିଜର ପ୍ରାର୍ଥୀ ଦେବ ବୋଲି ଘୋଷଣା କରି କଂଗ୍ରେସର ଅଡୁଆ ବଢାଇଛି । ଏଭଳି ସ୍ଥିତିରେ ମେଂଟ ବୈଠକରେ ଯୋଗ ଦେଇଥିବା ଅଧିକାଂଶ ବିରୋଧୀ ଦଳ ନେତା ରାଜ୍ୟସ୍ତରରେ ଆସନ ବୁଝାମଣାକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱଠାରୁ ଦୂରରେ ରହି ଜାତୀୟସ୍ତରରେ ମେଂଟକୁ ସୁରକ୍ଷିତ ରଖିବା ଦିଗରେ ନେତୃତ୍ୱ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇଥିବା ଆଭ୍ୟନ୍ତରୀଣ ସୂତ୍ରରୁ ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଏଆଇସିସି ସଭାପତି ଖାର୍ଗେ ବିରୋଧୀ ମେଂଟର ଅଧ୍ୟକ୍ଷ ମନୋନୀତ ହୋଇଥିବାରୁ ଜେଡିୟୁ, ଆପ୍, ଟିଏମସି ଓ ସମାଜବାଦୀ ପାର୍ଟି ନେତାଙ୍କୁ ମନାଇବା ପାଇଁ କି ରଣନୀତି ପ୍ରସ୍ତୁତ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS