ଅଯୋଧ୍ୟା ରାମ ମନ୍ଦିର, ରାଜନୀତି ଓ ଚାରି ଶଙ୍କରାଚାର୍ଯ୍ୟ …


ପ୍ରସାଦ ରାଓ
ଜାନୁୟାରୀ ୧୪
ସନାତନ ଧର୍ମର ସର୍ବମାନ୍ୟ ଗୁରୁ ହେଉଛନ୍ତି ଚାରି ଶଙ୍କରାଚାର୍ଯ୍ୟ । ସେମାନଙ୍କ ଉପଦେଶ ଓ ଉପସ୍ଥିତି ବିନା ଯେକୌଣସି ଧାର୍ମିକ କାର୍ଯ୍ୟ ଅଧୁରା ବୋଲି ବିଚାର କରାଯାଇଥାଏ । ବୈଦିକ ଯୁଗରୁ ସନାତନ ଧର୍ମରେ ଏହି ବ୍ୟବସ୍ଥା ଚାଲି ଆସିଛି । ଚାରି ଶଙ୍କରାଚାର୍ଯ୍ୟଙ୍କୁ ହିନ୍ଦୁ ଧର୍ମକୁ ସର୍ବୋଚ୍ଚ ମାନ୍ୟତା ଦିଆଯାଇ ଆସିଛି । ତେବେ, ଦେଶରେ ରାଜନୈତିକ ଚିତ୍ର ବଦଳିବା ସହ ଶଙ୍କରାଚାର୍ଯ୍ୟଙ୍କ ଗୁରୁତ୍ୱ କମି ଚାଲିଥିବା ଗତ କିଛି ବର୍ଷ ହେଲା ଲକ୍ଷ୍ୟ କରାଯାଉଛି । ରାଜନେତା ଓ ପ୍ରଶାସକମାନେ ନିଜକୁ ଶଙ୍କରାଚାର୍ଯ୍ୟଙ୍କଠାରୁ ଉର୍ଦ୍ଧରେ ବୋଲି ବିଚାର କରିବା ଦିନରୁ ଶଙ୍କରାଚାର୍ଯ୍ୟମାନେ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଅଲୋଡା ହୋଇଯାଉଥିବା ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ବିଭିନ୍ନ ସମୟରେ ଓଡ଼ିଶା ସରକାର ଓ ପ୍ରଶାସନ ବିରୋଧୀରେ କରି ଆସୁଥିବା ଅଭିଯୋଗରୁ ସ୍ପଷ୍ଟ ହେଉଛି । ପୁରୀ ଶ୍ରୀମନ୍ଦିର ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ତାଙ୍କ ସହ ପରାମର୍ଶ ନେବାର ଆବଶ୍ୟକତାକୁ ଆଉ ଅନୁଭବ କରୁନଥିବା ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚିଳାନନ୍ଦ ସରସ୍ୱତୀ ମହାରାଜ ବିଭିନ୍ନ ସମୟରେ ଅଭିଯୋଗ କରିଛନ୍ତି । ପୁରୀରେ ରଥଯାତ୍ରା ହେଉ ବା ଅନ୍ୟ କିଛି ଧାର୍ମିକ କାର୍ଯ୍ୟ ସମୟରେ ତାଙ୍କ ସହ ପରାମର୍ଶ କରାଯାଇନଥିବା ଅଭିଯୋଗ କରି ସେ ଅଭମାନ ମଧ୍ୟ କରିଛନ୍ତି । ବିଭିନ୍ନ ସମୟରେ ପୁରୀ ଗଜପତି ମହାରାଜାଙ୍କ ମାଧ୍ୟମରେ ଓଡିଶା ସରକାର ତାଙ୍କୁ ମନାଇବାକୁ ଉଦ୍ୟମ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଆସନ୍ତା ୧୭ ତାରିଖ ଦିନ ପୁରୀରେ ଉଦ୍ଘାଟନ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା ସମ୍ବଳିତ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ବେଶ ପ୍ରସାରିତ ହେଉଛି, ଯେଉଁଥିରେ କି ପୁରୀ ଭଳି ଏକ ଧାର୍ମିକ ସ୍ଥଳକୁ ଭୋଗର ସ୍ଥଳରେ ପରିଣତ କରାନଯିବା ଆହ୍ୱାନ ଦେଉଥିବା ଦେଖିବାକୁ ମିଳୁଛି । ଏହି ଭିଡ଼ିଓକୁ ନେଇ ଓଡ଼ିଶା ସରକାରଙ୍କ ଆଡୁ ସେଭଳି କିଛି ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳି ନାହିଁ । ତେବେ, ଜାନୁୟାରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଲୋକାର୍ପଣ ଓ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ପାଇଁ ହୋଇଥିବା ଆୟୋଜନକୁ ଅନୁଚିତ କହି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟଙ୍କ ସମେତ ଦେଶର ଚାରି ଶଙ୍କରାଚାର୍ଯ୍ୟ ତଥାକଥିତ ସନାତନୀଙ୍କ ଆଡୁ ଟ୍ରୋଲ୍ ବା ସମାଲୋଚନାର ଶରବ୍ୟ ହୋଇଥିବା ସମସ୍ତଙ୍କୁ ଆଚମ୍ବିତ କରିଛି । କର୍ଣ୍ଣାଟକସ୍ଥିତ ଶ୍ରୀ ଶ୍ରୀଂଗେରୀ ଶାରଦା ପୀଠ ଶଙ୍କରାଚାର୍ଯ୍ୟ, ଗୁଜରାଟ ଦ୍ୱାରକା ଶାରଦା ପୀଠ ଶଙ୍କରାଚାର୍ଯ୍ୟ, ଉତ୍ତରାଖଣ୍ଡ ଜ୍ୟୋତିର୍ ପୀଠ ଶଙ୍କରାଚାର୍ଯ୍ୟ ଓ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ୨୨ ତାରିଖ ଅଯୋଧ୍ୟା କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ଘୋଷଣା କରି ସାରିଛନ୍ତି । ଅଯୋଧ୍ୟାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନଥିବାରୁ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବା ଠିକ୍ ନୁହେଁ ବୋଲି ଜ୍ୟୋତିର୍ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ସମେତ ଅନ୍ୟ ଶଙ୍କରାଚାର୍ଯ୍ୟମାନେ ମତ ରଖିବା ପରଠାରୁ ସେମାନଙ୍କ ମତକୁ ସମ୍ମାନ ଦିଆଯିବା ବଦଳରେ ସେମାନେ ବିରୋଧୀ ଦଳଙ୍କ ଅସ୍ତ୍ର ସାଜିଥିବା ସମାଲୋଚନା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୨୨ ତାରିଖ ଦିନ କର୍ତ୍ତା ସାଜି ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରିବା କାର୍ଯ୍ୟକ୍ରମ ରହିଛି । ବିଜେପି ଏହି ଧାର୍ମିକ କାର୍ଯ୍ୟକୁ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରି ନିଜ ଫାଇଦା ପାଇଁ ବ୍ୟବହାର କରୁଛି ବୋଲି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ ଅଭିଯୋଗ କରିବା ସହ ୨୨ ତାରିଖ କାର୍ଯ୍ୟକ୍ରମ ବର୍ଜନ କରିବେ ବୋଲି ଘୋଷଣା କରିସାରିଛନ୍ତି । ଚାରି ଶଙ୍କରାଚାର୍ଯ୍ୟ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ବିରୋଧୀଙ୍କ ଦୃଷ୍ଟିକୋଣରୁ ନଦେଖି ଅଯୋଧ୍ୟା ରାମ ମନ୍ଦିରକୁ ଆଶୀର୍ବାଦ ଦେବାକୁ ଆଗେଇ ଆସିବା ଆବଶ୍ୟକ ବୋଲି କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ମହାରାଷ୍ଟ୍ରର ପାଲଘରଠାରେ ଗତକାଲି ଗଣମାଧ୍ୟମ ସହ ଆଲୋଚନା ବେଳେ ମତ ଦେଇଥିବା ଏବଂ ହିନ୍ଦୁ ଧର୍ମ ପାଇଁ ସେମାନଙ୍କ ଅବଦାନ କଣ (?) ଶଙ୍କରାଚାର୍ଯ୍ୟମାନେ ସ୍ପଷ୍ଟ କରିବାକୁ ଆହ୍ୱାନ ଦେଇଥିବା ସୂଚନା ମିଳିଛି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ କେହି ସକ୍ଷମ ହୋଇନଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ତାହା ସମ୍ଭବ କରିଛନ୍ତି । ଚାରି ଶଙ୍କରାଚାର୍ଯ୍ୟ ନବନିର୍ମତ ମନ୍ଦିରକୁ ଆଶୀର୍ବାଦ ଦେବା ଠିକ୍ କି ପ୍ରଧାନମନ୍ତ୍ରୀ ଓ ବିଜେପିକୁ ସମାଲୋଚନା କରିବା ଠକ୍ (?) ବୋଲି ରାଣେ ପ୍ରଶ୍ନ କରିବା ସହ ରାଜନୈତିକ ଦୃଷ୍ଟିରୁ ଏହି ବିରୋଧ ହେଉଛି ବୋଲି ଅଭିଯୋଗ କରିଛନ୍ତି । ରାଣେଙ୍କ ମନ୍ତବ୍ୟ ହିନ୍ଦୁ ଧର୍ମ ଓ ସନାତନ ଧର୍ମର ସର୍ବୋଚ୍ଚ ଗୁରୁଙ୍କ ପ୍ରତି ଅପମାନ ବୋଲି ମହାରାଷ୍ଟ୍ର କଂଗ୍ରେସ ଅଭିଯୋଗ କରିଛନ୍ତି । ରାଜ୍ୟ କଂଗ୍ରେସ ମୁଖପାତ୍ର ଅତୁଲ ଲୋନ୍ଧେ ରାଣେଙ୍କ ମନ୍ତବ୍ୟ ଉପରେ ବିଜେପି ପ୍ରତିକ୍ରିୟା ରଖିବାକୁ ଆହ୍ୱାନ ଦେଇଛନ୍ତି । ଗତ ଶୁକ୍ରବାର ଦିନ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର କହିଥିଲେ, ଚାରି ଶଙ୍କରାଚାର୍ଯ୍ୟଙ୍କ ମଧ୍ୟରୁ ଦୁଇ ଜଣ ୨୨ ତାରିଖ କାର୍ଯ୍ୟକ୍ରମକୁ ଖୋଲା ସମର୍ଥନ ଦେଇଥିଲେ ମଧ୍ୟ ସେମାନେ ସେଦିନର କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି । ନିଜ ସୁବିଧା ଅନୁସାରେ ଅଯୋଧ୍ୟା ଯାଇ ସେମାନେ ରାମଲାଲାଙ୍କ ଦର୍ଶନ କରିବେ । ଅଯୋଧ୍ୟରେ ନିର୍ମାଣାଧୀନ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବାକୁ ଆଉ ପ୍ରାୟ ଆଠ ମାସ ଲାଗିବ ବୋଲି ରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ କୁହାଯାଇଥିବା ବେଳେ ଜାନୁୟାରୀ ୨୨ ତାରିଖ ଦିନ ତରବରିଆ ଭାବେ ମନ୍ଦିର ଲୋକାର୍ପଣ ଓ ଗର୍ଭଗୃହରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ପାଇଁ ସରକାର କାର୍ଯ୍ୟକ୍ରମ ରଖିବା ରାଜନୀତି ଦ୍ୱାରା ପ୍ରେରିତ ବୋଲି ବିରୋଧୀ ଅଅଭିଯୋଗ କରୁଥିଲେ । ଅସଂପୂର୍ଣ୍ଣ ମନ୍ଦିରରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ଅନୁଚିତ କହି ଚାରି ଶଙ୍କରାଚାର୍ଯ୍ୟ ଶାସକ ଦଳ ଆଡୁ ସମାଲୋଚନାର ଶରବ୍ୟ ହୋଇଛନ୍ତି । ଚାରି ଜଣ ଯାକ ଶଙ୍କରାଚାର୍ଯ୍ୟ ଏକାସମୟରେ ଗୋଟିଏ ପ୍ରସଙ୍ଗରେ ଶାସକ ଦ୍ୱାରା ଟ୍ରୋଲ୍ ହେବା ଏହା ପ୍ରଥମ ଘଟଣା । ନିଜକୁ ସନାତନ ଧର୍ମର ପ୍ରବକ୍ତା ବୋଲି ଦାବି କରୁଥିବା ରାଜନେତାମାନେ ସେମାନଙ୍କ ରାଜନୈତିକ ସ୍ୱାର୍ଥରେ ଆଂଚ ଆସିଲେ ସର୍ବମାନ୍ୟ ଧର୍ମଗୁରୁଙ୍କୁ ମଧ୍ୟ ସମାଲୋଚନା କରିବାକୁ ପଛାଇ ନଥା’ନ୍ତି, ତାହା ଚାରି ଶଙ୍କରାଚାର୍ଯ୍ୟଙ୍କୁ ହେଉଥିବା ଟ୍ରୋଲ୍ ରୁ ସ୍ପଷ୍ଟ ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS