ଅଶ୍ୱିନୀ ବାଲେଶ୍ୱର ନୁହେଁ, କଟକରୁ ପ୍ରାର୍ଥୀ ହୋଇପାରନ୍ତି !


ପ୍ରସାଦ ରାଓ
ଜାନୁୟାରୀ ୧୫
୨୦୨୪ ଲୋକସଭା ନିର୍ବାଚନରେ ସେ ଓଡ଼ିଶାର ବାଲେଶ୍ୱର ଆସନରୁ ପ୍ରାର୍ଥୀ ହେଉ ନାହାନ୍ତି ବୋଲି କେନ୍ଦ୍ର ରେଳବାଇ ତଥା ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ବାଲେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସ୍ପଷ୍ଟ କରିଛନ୍ତି । ରବିବାର ସକାଳେ ସେ ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସହ ବାଲେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବାଲେଶ୍ୱର ଷ୍ଟେସନରେ ରେଳବାଇ ପକ୍ଷରୁ ଇଂରାଜୀରେ ଲେଖା ଥିବା ‘ବାଲେଶୋର୍’କୁ ବଦଳାଇ ‘ବାଲେଶ୍ୱର’ ଲେଖା ଯିବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବାଲେଶ୍ୱର ସାଂସଦ ଷଡଙ୍ଗୀଙ୍କ ସହ ସେ ଝାଡେଶ୍ୱର ଶିବ ମନ୍ଦିର ପରିଦର୍ଶନ କରିବା ସହ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟକୁ ଏକ ଆମ୍ବୁଲାନ୍ସ ମଧ୍ୟ ଦାନ କରିଥିଲେ । ସେ ‘ଏମସ୍’ର ସାଟେଲାଇଟ ହସ୍ପିଟାଲ ମଧ୍ୟ ପରିଦର୍ଶନ କରିଥିଲେ । ଏହି ଅବକାଶରେ ବାଲେଶ୍ୱରର ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ‘ସେ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେଉଛନ୍ତି କି (?)’ ବୋଲି ପ୍ରଶ୍ନ କରିବାରୁ ବୈଷ୍ଣବ ମନା କରିବା ସହ ଏଠାରୁ ଆମ ପ୍ରତାପ ‘ନନା’ (ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ) ଦଳର ସାଂସଦ ଅଛନ୍ତି ବୋଲି କହିଥିଲେ । ବୈଷ୍ଣବ ଗତ ସପ୍ତାହରେ କଟକ ଗସ୍ତରେ ଯାଇଥିବା ବେଳେ ସେଠାରେ ମଧ୍ୟ ଗଣମାଧ୍ୟମ ପ୍ରତିନିଧି ‘ସେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ଯାଉଛନ୍ତି କି (?)’ ବୋଲି ପ୍ରଶ୍ନ କରିଥିଲେ । ତେବେ, ବୈଷ୍ଣବ ଏହି ସମ୍ଭାବନାକୁ ଅଗ୍ରାହ୍ୟ ନକରି ବିଜେପିର ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ତାହାକୁ ସେ ନିର୍ବାହ କରି ଆସୁଛନ୍ତି କହି ଏହି ସମ୍ଭାବନାକୁ ଜୀବନ୍ତ ରଖିଛନ୍ତି । ରାଜସ୍ଥାନର ମୂଳ ବାସିନ୍ଦା ବୈଷ୍ଣବ ହେଉଛନ୍ତି ୧୯୯୪ ଓଡ଼ିଶା କ୍ୟାଡରର ଆଇଏଏସ୍ । ଚାକିରୀରେ ଥିବା ସମୟରେ ସେ ଉଭୟ କଟକ ଓ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳ ଥିଲେ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ଆଗୁଆ ଅବସର ନେଇ ରାଜନୀତିରେ ପ୍ରବେଶ କରିଥିଲେ । ବିଜେପି ତାଙ୍କୁ ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ କରିଥିଲେ ମଧ୍ୟ ବିଜେଡି ସମର୍ଥନରେ ନିଦ୍ୱର୍ନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୧ ଜୁଲାଇରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍ତ୍ରୀ ପରିଷଦରେ ଗୁରୁତ୍ୱପୂର୍ଣ୍ଣ ରେଳବାଇ, ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ବାଲେଶ୍ୱର ଜିଲ୍ଲା ବାହନାଗାଠାରେ ଗତ ବର୍ଷ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସମୟରେ ସେ ତୁରନ୍ତ ଘଟଣାସ୍ଥଳରେ ପହଂଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ ଏବଂ ସେ ରୁଟ୍ ରେ ରେଳ ଚଳାଚଳ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ବାଲେଶ୍ୱରରେ ରହି ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ ତଦାରଖ କରିଥିଲେ । ବିଜେପି କେନ୍ଦ୍ରୀୟ ନେତୃତ୍ୱ ୨୦୨୩ ନଭେମ୍ବରରେ ହୋଇଥିବା ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ତେଲେଂଗାନା ବିଧାନସଭା ନିର୍ବାଚନରେ ଦଳର କେନ୍ଦ୍ର ମନ୍ତ୍ରୀ ଓ ସାଂସଦମାନଙ୍କୁ ବିଧାନସଭା ପ୍ରାର୍ଥୀ କରିବା ଏବଂ ସାମୁହିକ ନେତୃତ୍ୱ ନାମରେ ମୋଦୀଙ୍କୁ ସାମ୍ନାରେ ରଖି ନିର୍ବାଚନ ଲଢିବାର ଯେଉଁ କୌଶଳ ଆପଣାଇ ଥିଲା ତାହା ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରୟୋଗ କରିପାରେ ବୋଲି ଚର୍ଚ୍ଚା ହେଉଥିବାରୁ ରାଜ୍ୟର ଦୁଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ସମସ୍ତଙ୍କ ଆଖି ରହିଛି । ଏହି ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ବିଜେପି ବିଧାନସଭା ନିର୍ବାଚନରେ ବ୍ୟବହାର କରିବ କି ଲୋକସଭା ନିର୍ବାଚନରେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ । ତେବେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ଅନୁଗୁଳ ବା ସମ୍ବଲପୁରରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହୋଉଥିବା ବେଳେ ଅଶ୍ୱିନୀ କଟକ ବା ବାଲେଶ୍ୱରରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ତେବେ, ବାଲେଶ୍ୱର ଲୋକସଭା ଆସନ ୨୦୧୯ରୁ ବିଜେପି ହାତରେ ରହିଛି ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଷଡଙ୍ଗୀ ସେଠାରୁ ସାଂସଦ ଅଛନ୍ତି । ଅଶ୍ୱିନୀ ବାଲେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେଉନଥିବା ଗତକାଲି କହି ଦେବା ପରେ କଟକରୁ ତାଙ୍କୁ ପ୍ରାର୍ଥୀ କରାଯିବା ସମ୍ଭାବନାକୁ ନେଇ ଆଲୋଚନା ଜୋର ଧରିଛି । ୧୯୯୮ରୁ ଲଗାତର କଟକ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଆସୁଥିବା ଛଅ ଥରର ସାଂସଦ ଭର୍ତ୍ତୃହରି ମହତାବ ବିଜେଡ଼ିରେ ଥାଇ ମଧ୍ୟ କୋଣଠେସା ହୋଇ ରହିଛନ୍ତି । ବିଜେଡ଼ି ନେତୃତ୍ୱ ତାଙ୍କୁ ପୂର୍ବ ଭଳି ଭରସି ପାରୁନି । ଗଲା କିଛି ବର୍ଷ ହେଲା ମହତାବ ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟତର ହୋଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଥିବାରୁ ୨୦୨୪ ନିର୍ବାଚନରେ ମହତାବଙ୍କ ଭୂମିକା କଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହି ପରିସ୍ଥିତିରେ ବିଜେପି ନେତୃତ୍ୱ ଅଶ୍ୱିନୀଙ୍କୁ କଟକରୁ ପ୍ରାର୍ଥୀ କରିବାକୁ ଚିନ୍ତା କରିବେ କି ଭତ୍ତୃହରିଙ୍କୁ ନେଇ କିଛି ନୂଆ ଖେଳ କରିବେ, ତାହା ଦେଖିବା ସମୟ ଆସୁଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS