ଭାଇକୁ ହରାଇବା ପାଇଁ ଭଉଣୀ ‘ଅସ୍ତ୍ର’ ! ଶର୍ମିଲା ହେଲେ ଆନ୍ଧ୍ର କଂଗ୍ରେସ ମୁଖ୍ୟ


ପ୍ରସାଦ ରାଓ
ଜାନୁୟାରୀ ୧୬
ରାଜନୀତିରେ ସବୁ କିଛି ସମ୍ଭବ । ଏହା ପ୍ରତିପାଦିତ କରିବାକୁ ଯାଇ କଂଗ୍ରେସ ଆଜି ୱାଇ.ଏସ.ଶର୍ମିଲାଙ୍କୁ ଆନ୍ଧ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ନିଯୁକ୍ତି କରିଛି । ଶର୍ମିଲା ହେଉଛନ୍ତି ଆନ୍ଧ୍ର ପ୍ରଦେଶର ଦିବଂଗତ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ୱାଇ.ଏସ.ରାଜଶେଖର ରେଡ୍ଡୀଙ୍କ ଝିଅ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ୱାଇ.ଏସ.ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ । ଚଳିତ ଜାନୁୟାରୀରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । ଆସନ୍ତା ଏପ୍ରିଲ-ମେ’ରେ ଲୋକସଭା ସହ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶ ରହିଛି । ଶର୍ମିଲାଙ୍କୁ ଆନ୍ଧ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତି ଦେବାକୁ ଏଆଇସିସି ନିଷ୍ପତ୍ତି ନେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ଥିବା ରୁଦ୍ର ରାଜୁଙ୍କୁ ହଟାଇ ଦେଇଛି । ରୁଦ୍ର ରାଜୁ ସୋମବାର ଦିନ ନିଜ ପଦରୁ ଇସ୍ତଫା ଦେବା ପରେ ତାଙ୍କୁ କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କମିଟି ସିଡବ୍ଲୁସିର ସ୍ୱତନ୍ତ୍ର ନମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଥିବା ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି । ରାଜୁଙ୍କ ସ୍ଥାନରେ ଶର୍ମିଲାଙ୍କୁ ଆନ୍ଧ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ନିଯୁକ୍ତି ହୋଇଥିବା ଏଆଇସିସି ଚିଠିରେ ବରିଷ୍ଠ କଂଗ୍ରେସ ନେତା କେ.ସି.ବେଣୁଗୋପାଳଙ୍କ ସ୍ୱାକ୍ଷର ରହିଛି । ଏହି ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେଲା ବୋଲି ଏଆଇସିସି ଜଣାଇ ଦେଇଛି । ଶର୍ମିଲା ଜାନୁୟାରୀ ୦୪ ତାରିଖ ଦିନ ନୂଆଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଓ ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଥିଲେ । ଏହା ସହ ଶମିଁଲା ତାଙ୍କ ଦ୍ୱାରା ପରିଚାଳିତ ରାଜନୈତିକ ଦଳ ୱାଇଏସଆର ତେଲେଂଗାନା ପାର୍ଟି କଂଗ୍ରେସରେ ବିଲିନ ହୋଇଗଲା ବୋଲି ମଧ୍ୟ ଘୋଷଣା କରିଥିଲେ । ୨୦୧୯ରୁ ଆନ୍ଧ୍ରରେ ମୁଖ୍ୟମନ୍ତ୍ରୀ ୱାଇ.ଏସ.ଜଗନ ମୋହନ ରେଡ୍ଡିଙ୍କ ୱାଇଏସଆରସିପି କ୍ଷମତାରେ ଅଛି । ଚଳିତ ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ କଂଗ୍ରେସ ଶର୍ମିଲାଙ୍କ ହାତରେ ନେତୃତ୍ୱ ସମର୍ପି ଜଗନ ମୋହନଙ୍କ ସରକାରକୁ କ୍ଷମତାଚ୍ୟୁତ କରିବା ଯୋଜନା କରିଛି ବୋଲି ଶର୍ମିଲାଙ୍କ କଂଗ୍ରେସରେ ଯୋଗଦାନ ଦିନରୁ ଆଲୋଚନା ଆରମ୍ଭ ହୋଇସାରିଛି । ଶର୍ମିଲା ଯେଉଁ ଦିନ କଂଗ୍ରେସରେ ଯୋଗଦେଲେ ସେହିଦିନ ତାଙ୍କ ଭାଇ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ହାଇଦ୍ରାବାଦ ଯାଇ ପୂର୍ବତନ ତେଲେଂଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି (ବିଆରଏସ) ମୁଖ୍ୟ କେ.ଚନ୍ଦ୍ରଶେଖର ରାଓଙ୍କୁ ସାକ୍ଷାତ କରିବା ଗଣମାଧ୍ୟମରେ ବେଶ ଚର୍ଚ୍ଚିତ ଖବର ଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ରାଓ ନିକଟରେ ଏକ ବଡ ଧରଣର ଅସ୍ତ୍ରୋପଚାର ପରେ ଘରେ ରହି ସୁସ୍ଥ ହେଉଛନ୍ତି । ପୂର୍ବତନ ତେଲେଂଗାନା ମୁଖ୍ୟମନ୍ତ୍ରୀ ରାଓଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ରେଡ୍ଡୀ ଭେଟିବା ପଛରେ ୨୦୨୪ ବିଧାନସଭା ରାଜନୀତି ଥିବା ବିରୋଧୀ ଆଲୋଚନା କରୁଥିବା ବେଳେ ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ୱାଇଏସଆରସିପି କହିଛି । ତେବେ, ଆସନ୍ତା କିଛି ମାସ ମଧ୍ୟରେ ଆନ୍ଧ୍ରରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ରେଡ୍ଡୀ-ରାଓ ସାକ୍ଷାତକୁ ରାଜନୈତିକ ବିଶ୍ଲେଷକମାନେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ୨୦୧୪ରେ ଆନ୍ଧ୍ରରେ ବିଭାଜନ ଘଟି ନୂତନ ତେଲେଂଗାନା ରାଜ୍ୟ ଗଠନ ଦିନରୁ କେସିଆର (କେ.ଚନ୍ଦ୍ରଶେଖର ରାଓ) ଦୀର୍ଘ ଦଶ ବର୍ଷ ହେଲା ତେଲେଂଗାନା ମୁଖ୍ୟମନ୍ତ୍ରୀ ଥିଲେ । ୨୦୨୩ ନଭେମ୍ବରରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ରାଓଙ୍କ ବିଆରଏସକୁ କ୍ଷମତାଚ୍ୟୁତ କରି ତେଲେଂଗାନାରେ କ୍ଷମତା ଦଖଲ କରିଛି । ଗତ ବିଧାନସଭା ନିର୍ବାଚନରେ ତେଲେଂଗାନାରେ କଂଗ୍ରେସର ବିପୁଳ ବିଜୟ ପଛରେ ଶର୍ମିଲାଙ୍କ ବିଶେଷ ଅବଦାନ ଥିବା ଆଲୋଚନା ହୋଇ ଆସୁଛି । କଂଗ୍ରେସ ହେଉଛି ଦେଶର ସବୁଠାରୁ ବଡ ଜାତୀୟ ଧର୍ମନିରପେକ୍ଷ ଦଳ ବୋଲି ଶର୍ମିଲା ପ୍ରଶଂସା କରିଥିଲେ । ରାହୁଲ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହେବା ତାଙ୍କ ପିତା (ୱାଇଏସ ରାଜଶେଖର ରେଡ୍ଡୀ)ଙ୍କ ସ୍ୱପ୍ନ ଥିଲା ବୋଲି ମଧ୍ୟ ସର୍ବସାଧାରଣରେ କହିଥିଲେ । ତେଣୁ, କଂଗ୍ରେସ ତାଙ୍କୁ ଭରସା କରିଥିବା ଅନୁମାନ କରାଯାଉଛି । ଗତ ବର୍ଷ ପ୍ରାରମ୍ଭରେ କର୍ଣ୍ଣାଟକରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ସମସ୍ତଙ୍କୁ ଚକିତ କଲା ଭଳି ପ୍ରଦର୍ଶନ କରି ବିଜେପିକୁ କ୍ଷମତାଚ୍ୟୁତ କରିଥିଲା । ପରେ, ନଭେମ୍ବରରେ ଅନୁଷ୍ଠିତ ତେଲେଂଗାନା ବିଧାନସଭା ନିର୍ବାଚନରେ ବିଆରଏସକୁ କ୍ଷମତାରୁ ହଟାଇ ସରକାର କରିଛି । ଦଳ ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜୟୀ ହେବାରେ ସଫଳ ହୋଇ ନଥିଲେ ମଧ୍ୟ ଦକ୍ଷିଣ ଭାରତର ଏହି ଦୁଇ ରାଜ୍ୟରେ ନିଜକୁ ପ୍ରତିଷ୍ଠିତ କରିବା ପରେ ଏବେ ଶର୍ମିଲାଙ୍କ ମାଧ୍ୟମରେ ଆନ୍ଧ୍ର ପ୍ରଦେଶର ୱାଇଏସଆରସିପି ସରକାରକୁ କ୍ଷମତାଚ୍ୟୁତ କରିବା ଲକ୍ଷ୍ୟରେ ରହିଛି । ଓଡ଼ିଶାର ବିଜେଡ଼ି ଭଳି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସଆରସିପି ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ)ରେ ସାମିଲ ନଥିଲେ ମଧ୍ୟ ପାଂଚ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମସ୍ତ ବଡ ବଡ ନିଷ୍ପତ୍ତିକୁ ସଂସଦରେ ସମର୍ଥନ ଦେଇ ଆସିଛି । ଜଗନ ମୋହନ ରେଡ୍ଡୀ ବିଜେପିର ନିକଟତର ରହି ଥିବାରୁ କଂଗ୍ରେସର ପ୍ରମୁଖ ଟାର୍ଗେଟ ହୋଇଛନ୍ତି । ୨୦୧୯ ଆନ୍ଧ୍ର ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଏକ ପ୍ରତିଶତରୁ କମ୍ ଭୋଟ ମିଳିଥିବା ବେଳେ ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କ ୱାଇଏସଆରସିପିକୁ ୫୦ ପ୍ରତିଶତରୁ ଅଧିକ ଭୋଟ ମିଳିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ହେଉଛି ଆନ୍ଧ୍ରରେ ମୁଖ୍ୟ ବିରୋଧୀ ଦଳ । ତେବେ, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ବିଭିନ୍ନ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଜେଲ ଯିବା ସହ ଏବେ ଜାମିନରେ ବାହାରେ ରହି ଅଦାଲତୀ ଲଢେଇରେ ବ୍ୟସ୍ତ ଅଛନ୍ତି । ତେଣୁ, ଶର୍ମିଲା କଂଗ୍ରେସ ଦଳକୁ ସଂଗଠିତ କରି ରାଜ୍ୟରେ ବଡ ବିଜୟ ଦେଇ ପାରିବେ ବୋଲି କଂଗ୍ରେସ ନେତୃତ୍ୱ ଆଶା ରଖିଛି । ଶର୍ମିଲା ନିର୍ବାଚନ ରାଜନୀତିରେ ଅପରିପକ୍ୱ ନୁହନ୍ତି । ୨୦୧୪ରେ ଆନ୍ଧ୍ରରେ ବିଭାଜନ ଘଟି ସ୍ୱତନ୍ତ୍ର ତେଲେଂଗାନା ରାଜ୍ୟ ଗଠନର ଦୁଇ ବର୍ଷ ପୂର୍ବରୁ, ଅର୍ଥାତ ୨୦୧୨ରୁ ଶର୍ମିଲା ରାଜ୍ୟ ରାଜନୀତିରେ ଅଛନ୍ତି । ସ୍ୱତନ୍ତ୍ର ତେଲେଂଗାନା ରାଜ୍ୟ ଗଠନ ପାଇଁ ଆନ୍ଧ୍ରରେ କେସିଆରଙ୍କ ନେତୃତ୍ୱରେ ଆନ୍ଦୋଳନ ଜୋର ଧରିଥିବା ବେଳେ ଜଗନ ମୋହନ ରେଡ୍ଡୀ କଂଗ୍ରେସରୁ ଇସ୍ତଫା ଦେଇ ନିଜ ଦଳ ୱାଇଏସଆର କଂଗ୍ରେସ ପାର୍ଟ ବା ୱାଇଏସଆରସିପି ଗଠନ କରିଥିଲେ । ୧୮ ଜଣ ବିଧାୟକ ଓ ଜଣେ କଂଗ୍ରେସ ସାଂସଦ ତାଙ୍କ ସହ ଯୋଗ ଦେଇଥିଲେ । ଖାଲି ପଡିଥିବା ବିଧାୟକ ଆସନରେ ଉପ ନିର୍ବାଚନ ହେବା ସମୟରେ ୱାଇଏସଆରସିପି ମୁଖ୍ୟ ଥିବା ୱାଇ.ଏସ.ଜଗନ ମୋହନ ରେଡ୍ଡିଙ୍କୁ ତତ୍କାଳୀନ ସରକାର ଏକାଧିକ ଦୁର୍ନୀତି ଅଭିଯୋଗରେ ଛନ୍ଦି ଜେଲକୁ ପଠାଇ ଦେଇଥିଲେ । ସେତେବେଳେ ଜଗନ ମୋହନ ରେଡ୍ଡୀଙ୍କ ମା’ ୱାଇ.ଏସ.ବିଜୟାମ୍ମା ଓ ଭଉଣୀ ଶର୍ମିଲା ଉପ ନିର୍ବାଚନ ପ୍ରଚାର ସମ୍ଭାଳି ଥିଲେ ଏବଂ ୱାଇଏସଆରସିପିକୁ ଉପ ନିର୍ବାଚନରେ ବଡ ବିଜୟ ଦେଇଥିଲେ । ଏହାର ନଅ ବର୍ଷ ପରେ ଶର୍ମିଲା ଭାଇ ଜଗନଙ୍କ ଠାରୁ ଅଲଗା ହୋଇ ୱାଇଏସଆର ତେଲେଂଗାନା ପାର୍ଟି ଗଠନ କରିଥିଲେ, ଯାହାକି ଗତ ୦୪ ତାରିଖ ଦିନ ସେ କଂଗ୍ରେସରେ ଯୋଗ ଦେବା ପରେ କଂଗ୍ରେସରେ ବିଲିନ ହୋଇଯାଇଛି । ଏବେ ଶର୍ମିଲା ଆନ୍ଧ୍ର କଂଗ୍ରେସର ମଂଗ ଧରି ଥିବାରୁ ତାଙ୍କର ଦୀର୍ଘ ରାଜନୈତିକ ଅଭିଜ୍ଞତା ମାଧ୍ୟମରେ କଂଗ୍ରେସକୁ ପୁଣି ଥରେ କ୍ଷମତାସୀନ କରିବେ ବୋଲି କଂଗ୍ରେସ ନେତୃତ୍ୱ ଆଶା ରଖିଛନ୍ତି । ତେବେ, ଏହି ଆଶା କେତେଦୂର ବାସ୍ତବ ରୂପ ନେଉଛି ତାହା ଆସନ୍ତା ନିର୍ବାଚନରେ ହିଁ ଜଣାପଡିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS