ଗୁଜରାଟ ‘ମିଛ ଏନକାଉଂଟର’ ପୁରୁଣା ପେଡି ଖୋଲିବାକୁ ଯାଉଛି !


ପ୍ରସାଦ ରାଓ
ଜାନୁୟାରୀ ୧୮
ଗୁଜରାଟରେ ୨୦୦୨ରୁ ୨୦୦୬ ମଧ୍ୟରେ ହୋଇଥିବା ମିଥ୍ୟା ଏନକାଂଟର ସବୁର ତଦନ୍ତ କରାଯିବା ପାଇଁ ୨୦୦୭ରେ ବରିଷ୍ଠ ସାମ୍ବାଦିକ ବି.ଜି.ଭର୍ଗିଜ, ଗୀତିକାର ଜାଭେଦ ଅକ୍ତାର ଓ ଅଭିନେତ୍ରୀ ସାବନା ଆଜମୀ ସୁପ୍ରମ କୋର୍ଟରେ ଭିନ୍ନ ଭିନ୍ନ ଆବେଦନ କରିଥିଲେ । ଇତିମଧ୍ୟରେ, ସାମ୍ବାଦିକ ଭର୍ଗିଜଙ୍କ ୨୦୧୪ରେ ଦେହାନ୍ତ ଘଟି ସାରିଛି । ତେବେ, ସୁପ୍ରିମ କୋର୍ଟରେ ହୋଇଥିବା ଦୁଇଟି ଆବେଦନର ଶୁଣାଣୀ ଚାଲିଛି । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ବି.ଆର.ଗଭାଇ ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଦୁଇ ଆବେଦନର ଶୁଣାଣୀ କରୁଛନ୍ତି । ସେହି ନିର୍ଦ୍ଧିଷ୍ଟ ସମୟ ଖଣ୍ଡରେ ଅନ୍ୟ ରାଜ୍ୟରେ ମଧ୍ୟ ପୁଲିସ ଏନକାଉଂଟର ହୋଇଥିଲା । ତେବେ, ଆବେଦନକାରୀମାନେ ଗୁଜରାଟରେ ସେହି ସମୟରେ ହୋଇଥିବା ପୁଲିସ ଏନକାଉଂଟରକୁ ନେଇ ଏତେ ଆଗ୍ରହୀ କାହିଁକି ଓ ସେଥିରେ କି ଜନସ୍ୱାର୍ଥ ରହିଛି ପ୍ରଥମେ ଅଦାଲତକୁ ସନ୍ତୁଷ୍ଟ କରିବା ଆବଶ୍ୟକ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଆଜି ଗୁଜରାଟ ସରକାରଙ୍କ ପକ୍ଷରୁ ଖଣ୍ଡପୀଠରେ ପକ୍ଷ ରଖି ଯୁକ୍ତି ଉପସ୍ଥାପନ କରିଥିଲେ । ଆବେଦନକାରୀଙ୍କ ମଧ୍ୟରୁ ଗୋଟିଏ ପକ୍ଷର ଓକିଲ ଥିବା ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଆଜି ସୁପ୍ରିମ କୋର୍ଟ ଖଣ୍ଡପୀଠରେ ପକ୍ଷ ରଖି ଜଣାଇ ଥିଲେ ଯେ, ପୂର୍ବରୁ ସୁପ୍ରିମ କୋର୍ଟ ପକ୍ଷରୁ ୨୦୦୨ରୁ ୨୦୦୬ ମଧ୍ୟରେ ଗୁଜରାଟରେ ହୋଇଥିବା ୧୭ଟି ମିଥ୍ୟା ଏନକାଉଂଟର ଅଭିଯୋଗର ତଦନ୍ତ ପାଇଁ ପୂର୍ବତନ ସୁପ୍ରିମ କୋର୍ଟ ବିଚାରପତି ଏଚ.ଏସ.ବେଦୀଙ୍କ ଅଧ୍ୟକ୍ଷତାରେ ଏକ ମନିଟରିଂ କମିଟି ଗଠନ କରାଯାଇଥିଲା । ୨୦୧୯ରେ ମନିଟରିଂ କମିଟି ପକ୍ଷରୁ ସୁପ୍ରିମ କୋର୍ଟରେ ଜଉମୁଦ ଲଫାଫାରେ ତଦନ୍ତ ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ୧୭ଟି ମିଥ୍ୟା ଏନକାଉଂଟର ମାମଲାରୁ ତିନିଟିରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗୁଜରାଟ ପୁଲିସ ମିଛ ଏନକାଂଟରରେ ମାରି ଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି ବୋଲି କମିଟି ଜଣାଇବା ସହ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ପାଇଁ ସୁପାରିଶ କରିଥିଲା । କମିଟିର ତଦନ୍ତ ରିପୋର୍ଟ ଅଦାଲତଙ୍କ ନିକଟରେ ରହିଛି । ରିପୋର୍ଟରେ ଯେଉଁ ସବୁ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହୋଇଛି ସେମାନଙ୍କ ବିଚାର ବାକି ରହିଛି ବୋଲି ପିଟିସନକାରୀଙ୍କ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଆଜି ଖଣ୍ଡପୀଠଙ୍କୁ ଜଣାଇଛନ୍ତି । ବିଚାରପତି ଜଷ୍ଟିସ ଗଭାଇ ଓ ଜଷ୍ଟିସ ମେହଟ୍ଟାଙ୍କ ଖଣ୍ଡପୀଠ ଆଜି ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ‘ମାମଲାର ଶୁଣାଣୀ ହେବାର ଆବଶ୍ୟକତା ରହିଛି’ ଦର୍ଶାଇ ଦୁଇ ସପ୍ତାହ ପରେ ଶୁଣାଣୀ ପାଇଁ ସମୟ ଧାର୍ଯ୍ୟ କରିଛନ୍ତି । ଗୁଜରାଟ ସରକାର ପୂର୍ବରୁ ଆବେଦନକାରୀଙ୍କ ଔଚିତ୍ୟକୁ ନେଇ ଅଦାଲତରେ ପ୍ରଶ୍ନ ଉଠାଇ ଥିଲେ । ଜଷ୍ଟିସ ବେଦୀଙ୍କ ମନିଟରିଂ କମିଟି ୨୦୧୯ରେ ଯେଉଁ ଚୂଡାନ୍ତ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ ସେଥିରେ ୧୭ଟି ଏନକାଉଂଟରର ତଦନ୍ତ ହୋଇଥିବା ବେଳେ ତିନିଟି ମାମଲା – ସମୀର ଖାନ, କସମ ଜାଫର ଓ ହାଜି ଇସମାଇଲଙ୍କୁ ଗୁଜରାଟ ପୁଲିସ ମିଥ୍ୟା ଏନକାଉଂଟରରେ ମାରି ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ପୃଷ୍ଟି କରିଛନ୍ତି । ନଅ ଜଣ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଟି ସୁପାରିଶ କରିଛନ୍ତି । କାର୍ଯ୍ୟାନୁଷ୍ଠାନ ତାଲିକାରେ ତିନି ଜଣ ଇନିସପେକ୍ଟର ର୍ୟାଂକ ଅଧିକାରୀ ଥିବା ବେଳେ କୌଣସି ଆଇପିଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହୋଇନି । କମିଟି ଜଉମୁଦ ଲଫାଫାରେ ସୁପ୍ରିମ କୋର୍ଟରେ ଦାଖଲ କରିଥିବା ଚୂଡାନ୍ତ ତଦନ୍ତ ରିପୋର୍ଟକୁ ଗୋପନୀୟ ରଖା ଯିବାକୁ ସେତେବେଳ ଗୁଜରାଟ ସରକାର ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ ମଧ୍ୟ ତତ୍କାଳୀନ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ୨୦୧୯ ଜାନୁୟାରୀ ୦୯ ତାରିଖ ଦିନ ଆବେଦନକୁ ଖାରଜ କରିଥିଲେ । ଜଷ୍ଟିସ ଗଭାଇ ଓ ଜଷ୍ଟିସ ମେହେଟ୍ଟାଙ୍କ ସୁପ୍ରିମ କୋର୍ଟ ଖଣ୍ଡପୀଠ ୨୦୦୨ରୁ ୨୦୦୬ ମଧ୍ୟରେ ଗୁଜରାଟରେ ହୋଇଥିବା ମିଥ୍ୟା ଏନକାଉଂଟର ସଂପର୍କିତ ଅଭିଯୋଗ ଏବଂ ଜଷ୍ଟିସ ବେଦୀ କମିଟିର ରିପୋର୍ଟ ଉପରେ ଦୁଇ ସପ୍ତାହ ପରେ ଶୁଣାଣୀ କରିବାକୁ ଧାର୍ଯ୍ୟ କରିଥିବାରୁ ପୁଣି ଥରେ ଗୁଜରାଟର ସେହି ପୁରୁଣା ପେଡି ଖୋଲିବାକୁ ଯାଉଛି ବୋଲି ଆଲୋଚନା ହେଉଛି । ଏସବୁ ପୁଲିସ ଏନକାଉଂଟର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS