ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ବିଗ୍ରହ ସ୍ଥାପିତ


ପ୍ରସାଦ ରାଓ
ଜାନୁୟାରୀ ୧୯
ସୋମବାର (୨୨ ତାରିଖ) ଅଯୋଧ୍ୟାର ନିର୍ମାଣାଧୀନ ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବା କାର୍ଯ୍ୟକ୍ରମ ଥିବା ବେଳେ ଗୁରୁବାର ଦିନ ମନ୍ଦିର ଗର୍ଭଗୃହରେ ପାଂଚ ବର୍ଷ ବୟସ ଶିଶୁ ଶ୍ରୀରାମଚନ୍ଦ୍ରଙ୍କ ବିଗ୍ରହ ସ୍ଥାପନ କରାଯାଇଛି । କଳା ପଥରରେ ନିର୍ମିତ ରାମଲାଲାଙ୍କ ଏହି ୫୧ ଇଂଚ ଉଚ୍ଚତାର ମୂର୍ତ୍ତି ମହୀଶୂରର ଜଣେ ପଥର ମୂର୍ତ୍ତିକାରଙ୍କ ଦ୍ୱାରା ନିର୍ମିତ ହୋଇଛି । ବୁଧବାର ଦିନ ରାମଲାଲାଙ୍କ ବିଗ୍ରହ ଅଯୋଧ୍ୟା ରାମ ମନ୍ଦିରକୁ ଅଣା ଯିବା ପରେ ଗୁରୁବାର ତାହା ମନ୍ଦିର ଗର୍ଭଗୃହରେ ସ୍ଥାପନ କରାଯାଇଥିଲା । ବୈଦିକ ରୀତିରେ ଅନୁଷ୍ଠିତ ବିଗ୍ରହ ସ୍ଥାପନ ଉତ୍ସବରେ ବୈଦିକ ବ୍ରାହ୍ମଣ ଓ ଆଚାର୍ଯ୍ୟମାନଙ୍କ ସମେତ ବିଶ୍ୱ ହିନ୍ଦୁ ପରିଷଦ ଓ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟମାନେ ଉପସ୍ଥିତ ଥିଲେ । ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ବିଗ୍ରହ ସ୍ଥାପନ ପରେ ହଳଦିଆ ପଟିରେ ଆଖି ଦୁଇଟି ଘୋଡା ଯାଇଥିବା ବିଗ୍ରହର ଫଟୋ ବିଶ୍ୱ ହିନ୍ଦୁ ପରିଷଦ ଗଣମାଧ୍ୟମ ଅଧିକାରୀଙ୍କ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେୟାର କରାଯାଇଛି । ୨୨ ତାରିଖ ଅପରାହ୍ନରେ ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପିତ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ତ୍ତା ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଜାନୁୟାରୀ ୨୩ ତାରିଖ ଦିନ ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲା ଯିବା ଆଶା କରାଯାଉଛି । ଆଜି ଯେଉଁ ସ୍ଥାନରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହୋଇଛି ସେହି ସ୍ଥାନରେ ୧୯୯୨ ପର୍ଯ୍ୟନ୍ତ ବାବରୀ ମସଜିଦର ଅସ୍ତିତ୍ୱ ରହିଥିଲା । ୧୯୯୨ରେ ବିଶ୍ୱ ହିନ୍ଦୁ ପରିଷଦର ‘କରସେବକ’ମାନେ ବାବରୀ ମସଜିଦକୁ ଭାଂଗି ଦେଇଥିଲେ ମଧ୍ୟ ବାବରୀ ମସଜିଦ-ରାମ ମନ୍ଦିର ବିବାଦ ଅଦାଲତରେ ବିଚାରାଧୀନ ରହିଥିଲା । ୨୦୧୯ରେ ଜଷ୍ଟିସ ରଂଜନ ଗୋଗୋଇ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଥିବା ସମୟରେ ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ପାଇଁ ଐତିହାସିକ ରାୟ ଦେଇଥିଲେ । ଏହା ବଦଳରେ ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ମୁସଲମାନ ପକ୍ଷଙ୍କୁ ଆବଶ୍ୟକ ଜମି ଯୋଗାଇ ଦିଆଯାଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS