ସରକାରୀ ବାସଭବନରୁ ବେଦଖଲ ହେଲେ ମହୁଆ ମୈତ୍ର


ପ୍ରସାଦ ରାଓ
ଜାନୁୟାରୀ ୧୯
ଲୋକସଭାରେ ‘ଆଦାନୀ ଗୃପ୍’ ବିରୋଧରେ ପ୍ରଶ୍ନ ପଚାରିବା ପାଇଁ ଦର୍ଶନ ହୀରାନନ୍ଦାନି ନାମକ ଜଣେ ବ୍ୟବସାୟୀଙ୍କଠାରୁ ନଗଦ ଓ ମୂଲ୍ୟବାନ ସାମଗ୍ରୀ ଆକାରରେ ଏକାଧିକ କୋଟି ଟଙ୍କା ଲାଂଚ ନେଇଥିବା ଅଭିଯୋଗରେ ଲୋକସଭା ଏଥିକ୍ସ କମିଟି (ସଦାଚାର କମିଟି) ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ସଂସଦ ପଦ ହରାଇ ଥିବା ଟିଏମସିର ପୂର୍ବତନ ସାଂସଦ ମହୁଆ ମୈତ୍ରଙ୍କୁ ଆଜି ଦିଲ୍ଲୀ ସରକାରୀ ବାସଭବନରୁ ବେଦଖଲ କରାଯାଇଛି । ଲୋକସଭା ବାଚସ୍ପତିଙ୍କ ନିର୍ଦେଶକ୍ରମେ ଏଥିକ୍ସ କମିଟି ମହୁଆଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରି ସଂସଦର ଗତ ଶୀତ ଅଧିବେଶନରେ ବାଚସ୍ପତିଙ୍କ ନିକଟରେ ରିପୋର୍ଟ ଉପସ୍ଥାପନ କରିଥିଲେ । ଏଥିକ୍ସ କମିଟି ରପୋର୍ଟରେ ମହୁଆଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବାରୁ ବାଚସ୍ପତି ଓମ୍ ବିରଳା ତାଙ୍କ ସାଂସଦ ପଦ ରଦ୍ଦ କରିଥିଲେ । ସାଂସଦ ପଦ ହରାଇ ଥିବାରୁ ସେ ଦିଲ୍ଲୀରେ ମିଳିଥିବା ସରକାରୀ ବାସଭବନରେ ରହିବା ଯୋଗ୍ୟତା ହରାଇଛନ୍ତି ଦର୍ଶାଇ ଲୋକସଭା ସଚିବାଳୟର ଡାଇରେକ୍ଟୋରେଟ ଇଷ୍ଟେଟସ୍ ପକ୍ଷରୁ ତାଙ୍କୁ ତୁରନ୍ତ ସରକାରୀ ଘର ଖାଲି କରିବାକୁ ନିର୍ଦେଶ ଦିଆଯାଇଥିଲା । ତେବେ, ସେ ବାଚସ୍ପତିଙ୍କ ନିର୍ଦେଶ ବିରୋଧରେ ଅଦାଲତକୁ ଯାଇଥିବାରୁ ଏବଂ ଦିଲ୍ଲୀରେ ରହଣୀ ପାଇଁ ତାଙ୍କ ନିକଟରେ ଅନ୍ୟ ବ୍ୟବସ୍ଥା ନଥିବାରୁ ୨୦୨୪ ଲୋକସଭା ନିର୍ବାଚନ ସରିବା ଯାଏଁ ସରକାରୀ ଘରୁ ବେଦଖଲ କରାନଯିବାକୁ ସେ ଆବେଦନ କରିଥିଲେ । ମହୁଆ ଏହି ନିର୍ଦେଶ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଆବେଦନ କରିଥିଲେ । ସେ ଦିଲ୍ଲୀରେ ରହିବା କାରଣ ସ୍ୱରୂପ ଜରୁରୀ ଚିକିତ୍ସାର ଆବଶ୍ୟକତା ଥିବା ମଧ୍ୟ କୋର୍ଟରେ ଦର୍ଶାଇ ଥିଲେ । ତେବେ, ଦିଲ୍ଲୀ ହାଇକୋର୍ଟ ଡାଇରେକ୍ଟୋରେଟ ଇଷ୍ଟେଟସ୍ ଦ୍ୱାରା ଜାରି ଉଚ୍ଛେଦ ନୋଟିସ ଉପରେ ସ୍ଥଗିତାଦେଶ ଦେବାକୁ ମନା କରି ଦେବାରୁ ଆଜି ମହୁଆଙ୍କୁ ସରକାରୀ ବାସଭବନରୁ ବେଦଖଲ କରାଯାଇଛି । ଡାଇରେକ୍ଟୋରେଟ ଇଷ୍ଟେଟସ୍ ମହୁଆଙ୍କୁ ସରକାରୀ ବାସଭବନରୁ ବେଦଖଲ କରିବା ପାଇଁ ଆଜି ଉଚ୍ଛେଦକାରୀ ଦଳଙ୍କ ପଠାଇ ଥିବା କୁହାଯାଉଥିବା ବେଳେ ମହୁଆ ନିଜେ ତାଙ୍କୁ ଦିଲ୍ଲୀରେ ମିଳିଥିବା ୯ବି ଟେଲିଗ୍ରାଫ ଲେନ୍ ସରକାରୀ ଘରର ଚାବି ଆଜି ସକାଳେ ଡାଇରେକ୍ଟୋରେଟ ଇଷ୍ଟେଟଙ୍କୁ ହସ୍ତାନ୍ତର କରି ଦେଇଛନ୍ତି ବୋଲି ମହୁଆଙ୍କ ଓକିଲ ସାଧନ ଫରସାତ କହିଛନ୍ତି । ମହୁଆଙ୍କୁ ସରକାରୀ ବାସଭବନ ଛାଡିବାକୁ ହୋଇଥିବା ନୋଟିସ ଉପରେ ସ୍ଥଗିତାଦେଶ ଜାରି ପାଇଁ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଆବେଦନର ବିଚାର କରିଥିଲେ ବିଚାରପତି ଜଷ୍ଟିସ ଗିରିଶ କାଠପାଲିଆ । ସାଂସଦମାନଙ୍କୁ ସେମାନଙ୍କ ପଦବୀ ପାଇଁ ଦିଲ୍ଲୀରେ ସରକାରୀ ବାସଭବନ ଯୋଗାଇ ଦିଆଯାଉଛି । ଥରେ ସେମାନେ ସାଂସଦ ପଦ ହରାଇଲେ ସରକାରୀ ବାସଭବନରେ ରହିବାର ଅଧିକାର ହରାଉଛନ୍ତି । ମହୁଆ ସାଂସଦ ପଦ ହରାଇବା ପରେ ତାହା ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ ମଧ୍ୟ ସୁପ୍ରିମ କୋର୍ଟ କୌଣସି ସ୍ଥଗିତାଦେଶ ଜାରି କରିନଥିବାରୁ ସରକାରୀ ବାସଭବନ ଛାଡିବା ନୋଟିସ ଉପରେ ସ୍ଥଗିତାଦେଶ ଜାରି କରିବା ସମ୍ଭବ ନୁହେଁ କହି ଦିଲ୍ଲୀ ହାଇକୋର୍ଟ ଗତକାଲି ମହୁଆଙ୍କ ଆବେଦନକୁ ଖାରଜ କରି ଦେଇଥିଲେ । ଦିଲ୍ଲୀ ହାଇକୋର୍ଟରେ ମହୁଆଙ୍କ ଆବେଦନ ଖାରଜ ହେବାର ଦିନକ ପରେ ଆଜି ତାଙ୍କୁ ସରକାରୀ ବାସଭବନରୁ ବେଦଖଲ କରାଯାଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS