୨୦୨୪ ଗ୍ରୀଷ୍ମରେ ବିଶ୍ୱ ତାପାୟନ ସ୍ୱାଭାବିକରୁ ଅଧିକ ରହିବ, ଓଡ଼ିଶା, ଗୁଜରାଟରେ ମାର୍ଚ୍ଚରେ ୪୦ ଡିଗ୍ରୀ ତାତି ସମ୍ଭାବନା ?


ପ୍ରସାଦ ରାଓ
ଜାନୁୟାରୀ ୨୧
ଚଳିତ ବର୍ଷ ଗ୍ରୀଷ୍ମରେ ତାତି ଅସହ୍ୟ ହୋଇପାରେ । ଏଭଳି ସମ୍ଭାବନା ପ୍ରକାଶ କରିଛନ୍ତି ପରିବେଶ ବିଜ୍ଞାନୀ ତଥା ଆଇଏମଡି (ଭାରତୀୟ ପାଣିପାଗ ବିଭାଗ) ପରିବେଶ ମନିଟରିଂ ଓ ଗବେଷଣା କେନ୍ଦ୍ର (ନୂଆଦିଲ୍ଲୀ)ର ମୁଖ୍ୟ ଡି.ଏସ.ପାଇ । ବର୍ତ୍ତମାନ ଏଲ’ ନିନୋ ପ୍ରଭାବ ରହିଛି । ଫେବୃୟାରୀ ପରେ ଏହାର ପ୍ରଭାବ ସାମାନ୍ୟ ଦୁର୍ବଳ ହେଲେ ମଧ୍ୟ ଜୁନ ପର୍ଯ୍ୟନ୍ତ ତାହା ଜାରି ରହିବ । ଜୁନ ମାସ ପରେ ଇଏନଏସଓ ନ୍ୟୁଟ୍ରଲ କଂଡିସନ୍ (ଏଲ’ ନିନୋର ପ୍ରଭାବ ଦୂର ହେବ ବା ଲା’ ନିନୋ ପ୍ରଭାବ) ଦେଖିବାକୁ ମିଳିବ । ବର୍ତ୍ତମାନ ଜାରି ଥିବା ଏଲ’ ନିନୋ ପ୍ରଭାବ ଆଗାମୀ ମୌସୁମୀ ଋତୁକୁ ବିଶେଷ ପ୍ରଭାବିତ ନକଲେ ମଧ୍ୟ ଆସନ୍ତା ଗ୍ରୀଷ୍ମ ଋତୁରେ ସ୍ୱାଭାବିକ ତାତିଠାରୁ ଅଧିକ ତାତି ଅନୁଭୂତ ହେବା ସମ୍ଭାବନା ରହିଛି ବୋଲି ପାଇ କହିଛନ୍ତି । ଆଇଏମଡି ପରିବେଶ ପରିସ୍ଥିତିକୁ ଦେଖି ମାର୍ଚ୍ଚ ମାସ ଶେଷରେ ଗ୍ରୀଷ୍ମ ଋତୁର ତାତି କଣ ରହିବ, ତାହାର ପୂର୍ବାନୁମାନ ପ୍ରକାଶ କରିବ । ପାଇ କହିଛନ୍ତି, ଏଲ’ ନିନୋ ବର୍ଷ ପରେ ଯେଉଁ ମୌସୁମୀ ଋତୁ ଆସିବ ତାହା ସ୍ୱାଭାବିକ ବର୍ଷ ଋତୁରୁ ଅଧିକ ପ୍ରଭାବଶାଳୀ ରହିବ । ତେବେ, ଆଇଓଡି ଭଳି ପରିସ୍ଥିତିରେ ୟୁରାସିଆରେ ଶୀତ ଓ ବସନ୍ତର ତୁଷାରାବୃତିକୁ ବର୍ଷକୁ ପ୍ରଭାବିତ କରିବ । ଏଲ’ ନିନୋର ଚରମ ସ୍ଥିତିରେ ଶୀତ ଋତୁରେ ଥଣ୍ଡା ହାୱା ବହିବା କମିଯାଇ ପରିବେଶରେ ଉଷ୍ଣତା ସ୍ୱାଭାବିକଠାରୁ ଅଧିକ ରହିଥାଏ ଏବଂ ଶୀତର ପ୍ରଭାବ କମ୍ ଅନୁଭୂତ ହୋଇଥାଏ । ଗ୍ରୀଷ୍ମ ଋତୁରେ ଅଧିକ ଗରମ ହାୱା ବହିବା ଦ୍ୱାରା ତାତି ସ୍ୱାଭାବିକଠାରୁ ଅଧିକ ଥାଏ । ୨୦୨୩ ବର୍ଷ ବିଶ୍ୱର ସର୍ବାଧିକ ଉତ୍ତପ୍ତ ବର୍ଷ ଥିଲା ନିକଟରେ ବିଶ୍ୱ ପାଣିପାଗ ସଂଗଠନ (ୱାର୍ଲଡ ମେଟ୍ରୋଲୋଜିକାଲ ଅର୍ଗାନାଇଜେସନ) ର୍ୟାଂକିଂ ଜାରି କରିଥିଲା । ଗତ ବର୍ଷ ବିଶ୍ୱ ତାପାୟନ ପ୍ରି-ଇଣ୍ଡଷ୍ଟିଆଲ ଲେବଲଠାରୁ ୧.୪୫ ଡିଗ୍ରୀ ସେଂଟିଗ୍ରେଡ ଅଧିକ ଥିଲା । ଗତ ବର୍ଷ ମେ’ ମାସ ଶେଷ ଭାଗରେ ସୃଷ୍ଟି ହୋଇଥିବା ଏଲ’ ନିନୋ ପରିସ୍ଥିତି ଏହାର ଅନ୍ୟତମ କାରଣ ଥିଲା ବୋଲି ସେ କହିଛନ୍ତି । ପାଇ କହିଛନ୍ତି, ଏବେ ଏଲ’ ନିନୋ ଜାରି ଥିବାରୁ ୨୦୨୪ର ଗ୍ରୀଷ୍ମ ଋତୁ ଅଧିକ ଉତ୍ତପ୍ତ ରହିବ । ଏପରିକି, ବିଶ୍ୱ ତାପାୟନ ୨୦୨୩ଠାରୁ ଅଧିକ ରହିପାରେ । ସ୍କାଇମେଟ ୱେଦର ସର୍ଭିସେସ୍ ସଭାପତି ଜି.ପିଶର୍ମା ମଧ୍ୟ ଗତ ଶୁକ୍ରବାର ଦିନ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ବିଶ୍ୱରେ ଜାରି ଥିବା ଏଲ’ ନିନୋ ପରିସ୍ଥିତି ଏବେ ଚରମରେ ରହିଛି । ଫେବୃୟାର ପରେ ତାହାର ପ୍ରଭାବ କମିବା ଆଶା କରାଯାଉଛି । ଏଲ’ ନିନୋର ପ୍ରଭାବ ଫେବୃୟାରୀ ପରେ ଛଅ ସପ୍ତାହ ଜାରି ରହିବ । ତେବେ, ତାହା ପରେ ମଧ୍ୟ ଏହାର ପ୍ରଭାବ ହଠାତ କମିବା ସମ୍ଭାବନା ନାହିଁ । ମୌସୁମୀ ଋତୁ ପୂର୍ବରୁ ଏଲ’ ନିନୋ ପରିସ୍ଥିତିରେ ସୁଧାର ଆସି ମେ’-ଜୁନ ବେଳକୁ ପ୍ରଶାନ୍ତ ମହାସାଗରରେ ଇଏନଏସଓ (ଏଲ’ ନିନୋ-ସଦର୍ଣ୍ଣ ଓସିଲେସନ) ପରିସ୍ଥିତି ସୃଷ୍ଟି ହେବା ଓ ସେପ୍ଟେମ୍ବର ଶେଷ ସପ୍ତାହ ଆଡକୁ ଲା’ ନିନୋ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରଶାନ୍ତ ମହାସାଗରରେ ଇଏସଏନଓ ପରିସ୍ଥିତି ସୃଷ୍ଟି ହେବା ଅର୍ଥ ହେଉଛି – ସମୁଦ୍ର ଜଳର ଉପର ଭାଗ ଏଲ’ ନିନୋ ଭଳି ଉତ୍ତପ୍ତ ରହିବ ନାହିଁ କି ଲା’ ନିନୋ ଭଳି ଥଣ୍ଡା ରହିବ ନାହିଁ । ଜଳର ଉତ୍ତାପ ନ୍ୟୁଟ୍ରଲ ରହିବ । ଏଲ’ ନିନୋ ଚରମରେ ପହଂଚି ଥିବାରୁ ୨୦୨୪ ମାର୍ଚ୍ଚରେ ଓଡ଼ିଶା, ଗୁଜରାଟ ଭଳି କିଛି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇ ଦିନ ବେଳର ଉତ୍ତାପ ୪୦ ଡିଗ୍ରୀରେ ପହଂଚି ଯିବ ଏବଂ ଏପ୍ରିଲ ଆଡକୁ ମହାରାଷ୍ଟ୍ରର ଆଭ୍ୟନ୍ତରୀଣ ଅଂଚଳ ଅଧିବାସୀ ପ୍ରବଳ ଗ୍ରୀଷ୍ମ ଉତ୍ତାପର ସାମ୍ନା କରିବା ସମ୍ଭାବନା ରହିଛି ବୋଲି ଶର୍ମା କହିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS