ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କାଲି


ପ୍ରସାଦ ରାଓ
ଜାନୁୟାରୀ ୨୧
କାଲି ଅପରାହ୍ନ ସାଢେ ଦୁଇଟା ବେଳେ ଅଯୋଧ୍ୟାରେ ନିର୍ମାଣାଧୀନ ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଂଚ ବର୍ଷ ବାଳକ ରୂପର ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ତ୍ତା ସାଜି ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କରିବାକୁ ଥିବା ବେଳେ କଂଗ୍ରେସ ସମେତ ଅଧିକାଂଶ ବିରୋଧୀ ଦଳ ମନ୍ଦିର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବା ବେଳେ ବିଜେପି ପକ୍ଷରୁ ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ଆସନ୍ତା କାଲିର ଉତ୍ସବକୁ ବର୍ଜନ କରୁଥିବା ଆଗୁଆ ଘୋଷଣା କରିସାରିଛନ୍ତି । ବିଜେପି ମଧ୍ୟ ନିମନ୍ତ୍ରିତ ଅତିଥିଙ୍କ ବ୍ୟତୀତ ଆନ୍ୟ କେହି କାଲିର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରତିବନ୍ଧକ ଲଗାଇଛି । ୨୩ ତାରିଖରୁ ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିବା ଆଶା କରାଯାଉଛି । ଆସନ୍ତା କାଲିର ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସମଗ୍ର ଦେଶରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ କେନ୍ଦ୍ର ସରକାର ନିଜ ଅଧିନରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ, ଉଦ୍ୟୋଗ, ଶିଳ୍ପସଂସ୍ଥା ଏବଂ ଶିକ୍ଷାନୁଷ୍ଠାନ ପାଇଁ ୨୨ ତାରିଖ ଅଧା ଛୁଟି (ଅପରାହ୍ନ ସାଢେ ୨ଟା ଯାଏଁ) ଘୋଷଣା କରିଛନ୍ତି । ୟୁପି ସରକାର କାଲି ଦିନକୁ ‘ଜାତୀୟ ଉତ୍ସବ’ ଘୋଷଣା କରି ଦିନିକିଆ ଛୁଟି ଘୋଷଣା କରିଥିବା ବେଳେ ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର ଓ ଗେଆ ସରକାର ମଧ୍ୟ ୨୨ ତାରିଖ ଛୁଟି ଘୋଷଣା କରିଛନ୍ତି । ତେବେ, ହରିୟାଣା ମୁଖ୍ୟମନ୍ତ୍ରୀ ମୋହନଲାଲ ଖଟ୍ଟରଙ୍କ ସରକାର, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଆମ୍ ଆଦମୀ ପାର୍ଟି ସରକାର, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ସରକାର, ରାଜସ୍ଥାନ, ଆସାମ, ଗୁଜରାଟର ବିଜେପି ସରକାର ଓ ଜମ୍ମୁ-କଶ୍ମୀର ସରକାର କାଲି ଦିନକୁ ଅଧା ଛୁଟି ଘୋଷଣା କରି ଅପରାହ୍ନ ସାଢେ ୨ଟା ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ସରକାରଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ ବନ୍ଦ ରହିବ ବୋଲି ବିଜ୍ଞପ୍ତିରେ କହିଛନ୍ତି । ଆସନ୍ତା କାଲି ଅଯୋଧ୍ୟାରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ହେବାକୁ ଥିବାରୁ ଭୁବନେଶ୍ୱରସ୍ଥିତି ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ସାଇନ୍ସ (ଏଆଇଆଇଏମଏସ୍) ସୋମବାର ଅପରାହ୍ନ ସାଢେ ଦୁଇଟା ଯାଏଁ ବନ୍ଦ ରହିବ ବୋଲି ବିଜ୍ଞପ୍ତି ଜାରି କରିଛି । କାଲିର ଉତ୍ସବ ପାଇଁ ଅଯୋଧ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅଯୋଧ୍ୟା ରାମ ମନ୍ଦିରରେ କାଲି ଅନୁଷ୍ଠିତ ହେଉଥିବା ପ୍ରଶର ପ୍ରତିଷ୍ଠା ଉତ୍ସବ ପାଇଁ ସାତ ହଜାରରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସେଥିରେ ୫୦୬ ଜଣ ଏ-ତାଲିକାଭୁକ୍ତ ଅତିଥି ଥିବା ଜଣାପଡିଛି । କାଲିର କାର୍ଯ୍ୟକ୍ରମ ବିଜେପି-ଆରଏସଏସର ରାଜନୈତିକ କାର୍ଯ୍ୟକ୍ରମ ଦର୍ଶାଇ କଂଗ୍ରେସ ଓ ଅନ୍ୟ ଅଧିକାଂଶ ବିରୋଧୀ ଦଳର ନେତାମାନେ ରାମଜନ୍ମଭୂମି ଟ୍ରଷ୍ଟର ଆମନ୍ତ୍ରଣକୁ ଅଗ୍ରାହ୍ୟ କରି ଦେଇଥିବା ବେଳେ ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ମୁଖ୍ୟ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶେଷ ମୁହୂର୍ତ୍ତରେ ସ୍ପିଡ୍ ପୋଷ୍ଟରେ ନିମନ୍ତ୍ରଣପତ୍ର ପାଇ ଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅଯୋଧ୍ୟରେ ରାମ ମନ୍ଦିର ପ୍ରତିଷ୍ଠା ଆନ୍ଦୋଳନରେ ଶିବସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏହାର ନେତା ଉଦ୍ଧବ ଠାକରେଙ୍କୁ ସ୍ପିଡ୍ ପୋଷ୍ଟରେ ନିମନ୍ତ୍ରଣପତ୍ର ପଠା ଯାଇଥିବା ନିନ୍ଦନୀୟ ବୋଲି ଶିବସେନା (ୟୁବିଟି) ସାଂସଦ ସଂଜୟ ରାଉତ କହି ସରକାରଙ୍କୁ ଆକ୍ରମଣ କରିଥିବା ବେଳେ ଉଦ୍ଧବ ଦୁଇ ଦିନିଆ ଦଳୀୟ କାର୍ଯ୍ୟକ୍ରମରେ ସୋମବାରରୁ ନାସିକ ଯାଉଥିବାରୁ ସେଠାରେ ଥିବା କାଲାରାମ ମନ୍ଦିରରେ ପୂଜା ଓ ଗୋଦାବରୀ ନଦୀ କୂଳରେ ମହା ଆରତୀ କରି ଦେବେ ବୋଲି ଜଣାଇ ଦେଇଛନ୍ତି । ଅପରାପକ୍ଷରେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ପରିଚାଳିତ ଶିବସେନା ଗୋଷ୍ଠୀର ନେତା ତଥା ରାଜ୍ୟର ମନ୍ତ୍ରୀ ଉଦୟ ସାମନ୍ତ କହିଛନ୍ତି, ନିମନ୍ତ୍ରଣପତ୍ର ଶୀଘ୍ର ପହଂଚାଇବା ପାଇଁ ସ୍ପିଡ୍ ପୋଷ୍ଟର ବ୍ୟବହାର କରାଯାଇଥାଏ । ଉଦ୍ଧବଙ୍କ କ୍ଷେତ୍ରରେ ତାହା ହିଁ କରାଯାଇଛି । ଆସନ୍ତା କାଲି ଅଯୋଧ୍ୟରେ ଆୟୋଜିତ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ନିମନ୍ତ୍ରିତ ହୋଇଥିଲେ ମଧ୍ୟ ଅଯୋଧ୍ୟା ନ ଯାଇ ଝଣ୍ଡେୱାଲନ ମନ୍ଦିରରୁ ଏହି ଐତିହାସିକ ଉତ୍ସବକୁ ଟେଲିଭିଜନରେ ଦେଖିବେ ବୋଲି ନୂଆଦିଲ୍ଲୀରେ ‘ଏକ୍ସ’ରେ ଏକ ପୋଷ୍ଟ୍ କରିଛନ୍ତି । ୫୦୦ ବର୍ଷର ସଂଗ୍ରାମ ପରେ ଅଯୋଧ୍ୟାରେ ଶ୍ରୀରାମଙ୍କ ଏହି ଭବ୍ୟ ମନ୍ଦିର ନିର୍ମାଣ ସମ୍ଭବ ହୋଇଛି । ୨୨ ତାରିଖ ପରେ ସେ ପରିବାର ସହ ଅଯୋଧ୍ୟା ଯାଇ ରାମଲାଲାଙ୍କ ଦର୍ଶନ କରିବେ ବୋଲି ନଡ୍ଡା କହିଛନ୍ତି । ଅଯୋଧ୍ୟା ରାମ ମନ୍ଦିରରେ କାଲି ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ରାମଲାଲାଙ୍କ ମୂତ୍ ର୍ତିର ଉଚ୍ଚତା ୫୧ ଇଂଚ ଓ ଓଜୟ ଦେଢ ଟନ୍ । ଗତ ଗୁରୁବାର ଦିନ ଏହି ବିଗ୍ରହ ମନ୍ଦିରର ଗର୍ଭଗୃହରେ ବୈଦିକ ରିତିରେ ସ୍ଥାପିତ ହୋଇଥିଲା । ୨୨ ତାରଖରେ ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ବେଳେ ଅଯୋଧ୍ୟ ରାମ ମନ୍ଦିରରେ ୧୬ ତାରିଖରୁ ବିଭିନ୍ନ ଯଜ୍ଞ ଓ କର୍ମକାଣ୍ଡ ଚାଲିଛି । କାଲି ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ ହେବା ପରେ ୨୩ ତାରିଖରୁ ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିବ । ମନ୍ଦିର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବାକୁ ଆହୁରି କିଛି ମାସ ଲାଗିବ ବୋଲି ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ବହୁ ଆଗରୁ ସୂଚିତ କରିଦିଆଯାଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS