ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ମନ୍ଦିର ଉଦ୍ଘାଟିତ, ମସଜିଦ ନିର୍ମାଣ ମେ’ରୁ ଆରମ୍ଭ


ପ୍ରସାଦ ରାଓ
ଜାନୁୟାରୀ ୨୨
୨୦୧୯ ନଭେମ୍ବର ୯ ତାରିଖରେ ସୁପ୍ରିମ କୋର୍ଟ ଅଯୋଧ୍ୟା ରାମ ମନ୍ଦିର-ବାବରୀ ମସଜିଦ ବିବାଦର ପରିସମାପ୍ତି ଘଟାଇବା ସାକାଶେ ଏକ ଐତିହାସିକ ରାୟ ଦେଇଥିଲେ । ୧୯୯୨ରେ ହିନ୍ଦୁବାଦୀ କରସେବକଙ୍କ ଦ୍ୱାରା ବାବରୀ ମସଜିଦ ଢାଂଚାକୁ ଭାଂଗି ମିଟିରେ ମିଶାଇ ଦିଆଯିବା ବେଆଇନ ଥିଲା ବୋଲି ସୁପ୍ରିମ କୋର୍ଟ କହିଥିଲେ ମଧ୍ୟ ବିବାଦୀୟ ସ୍ଥଳ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମସ୍ଥାନ ବୋଲି ସ୍ୱୀକୃତି ଦେଇ ସେଠାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ନିମନ୍ତେ ହିନ୍ଦୁ ପକ୍ଷଙ୍କୁ ପ୍ରାୟ ୨.୭୭ରୁ ଏକର ଜମି ହସ୍ତାନ୍ତର କରିଥିଲେ ଏବଂ ବିବାଦରେ ଦ୍ୱିତୀୟ ପକ୍ଷ ଥିବା ସୁନ୍ନ ମୁସଲମାନ ସଂପ୍ରଦାୟ ବା ସୁନ୍ନି ୱାକଫ ବୋର୍ଡକୁ ମସଜିଦ ନିର୍ମାଣ ପାଇଁ ଅଯୋଧ୍ୟାରେ ୦୫ ଏକର ଜମି ଯୋଗାଇ ଦେବାକୁ ୟୁପି ସରକାରଙ୍କୁ ନିର୍ଦେଶ ଦେଇଥିଲେ । ସୁପ୍ରିମ କୋର୍ଟଙ୍କ ରାୟ ବଳରେ ଆଜି ଅଯୋଧ୍ୟାର ବିବାଦୀୟ ବାବ୍ରୀ ମସଜିଦ ଭଗ୍ନସ୍ଥୁପ ଉପରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇ ଗର୍ଭଗୃହରେ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ହୋଇଥିବା ବେଳେ ଅଯୋଧ୍ୟା ସହର ଉପକଂଠରେ ୟୁପି ସରକାର ଯୋଗାଇ ଦେଇଥିବା ୦୫ ଏକର ପରିମିତ ଜମିରେ ଏକ ସୁରମ୍ୟ ମସଜିଦ ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଆସନ୍ତା ମେ’ ମାସରୁ ଆରମ୍ଭ ହେବ ବୋଲି ଇଣ୍ଡୋ-ଇସଲାମିକ କଲଚରାଲ ଫାଉଣ୍ଡେସନ ଆଜି ସୂଚନା ଦେଇଛି । ନିର୍ମାଣ ହେବାକୁ ଥିବା ମସଜିଦର ନାମ ପ୍ରଫେଟ ମହମ୍ମଦଙ୍କ ନାମରେ ନାମିତ ହେବ ଏବଂ ତାହା ନାମ ‘ମସଜିଦ ମୁହମ୍ମଦ ବିନ୍ ଅବଦୁଲ୍ଲା’ ରହିବ ବୋଲି କୁହାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କତ୍ ର୍ତା ଭାବେ ଅଯୋଧ୍ୟାରେ ନିର୍ମାତି ଭବ୍ୟ ରାମ ମନ୍ଦିର ଉଦ୍ଘାଟନ କରି ମନ୍ଦିରର ଗର୍ଭଗୃହରେ ଗୁରୁବାରରୁ ସ୍ଥାପିତ ପାଂଚ ବର୍ଷ ବୟସ ରୂପକ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା କରିଥିବା ବେଳେ ଇଣ୍ଡୋ-ଇସଲାମିକ କଲଚରାଲ ଫାଉଣ୍ଡେସନ (ଆଇଆଇସିଏଫ)ର ଡେଭଲପମେଂଟ କମିଟି ମୁଖ୍ୟ ହାଜି ଆରାଫତ ଶେଖ୍ ଏକ ଆନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥାକୁ ମସିଜିଦ ନିର୍ମାଣ ସଂପର୍କରେ ଏହି ସୂଚନା ଦେଇଛନ୍ତି । ୟୁପି ସରକାର ଅଯୋଧ୍ୟ ସହର ଉପକଂଠରେ ଯୋଗାଇ ଦେଇଥିବା ପାଂଚ ଏକର ଜମିରେ ସୁରମ୍ୟ ମସଜିଦ ନିର୍ମାଣ ଯୋଜନା ଆଇଆଇସିଏଫ ଦ୍ୱାରା ତଦାରଖ କରାଯାଉଛି । ମସଜିଦର ନିର୍ମାଣ ସକାଶେ ଆଇଆଇସିଏଫ କାହାରିଠାରୁ ପାଂଠି ମାଗି ନାହିଁ, ଏଥିସକାଶେ ତୁରନ୍ତ ଏକ କ୍ରାଉଡ ଫଣ୍ଡିଂ ୱେବସାଇଟ୍ ଖୋଲିବା ବ୍ୟବସ୍ଥା ହେଉଛି ବୋଲି ଶେଖ୍ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ସୁପ୍ରିମ କୋର୍ଟ ୨୦୧୯ରେ ଦେଇଥିବା ରାୟକୁ କେହି ଗ୍ରହଣ କରିଥା’ନ୍ତୁ ବା ନଥା’ନ୍ତୁ ଦୁଇ ସଂପ୍ରଦାୟ ମଧ୍ୟରେ ଥିବା ଶତୃତା ଓ ଘୃଣଭାବ ସଂପୂର୍ଣ୍ଣ ଦୂର କରି ସୌହାର୍ଦ୍ଧ୍ୟ ଭାଗ ପ୍ରତିଷ୍ଠା ଦିଗରେ ଆଇଆଇସିଏଫର ଉଦ୍ୟମ ରହିବ । ‘ଆମେ ଆମ ପିଲା ଓ ଲୋକଙ୍କୁ ଉପଯୁକ୍ତ ଶିକ୍ଷା ଦେଲେ ଭବିଷ୍ୟତରେ ପରସ୍ପର ବିରୋଧରେ ଲଢିବା ବନ୍ଦ ହୋଇଯିବ’ ବୋଲି ଶେଖ୍ କହିଥିବା ବେଳେ ଆଇଆଇସିଏଫ ସଭାପତି ଜୁଫର ଅହମ୍ମଦ ଫରୁକି କହିଛନ୍ତି, ଅଯୋଧ୍ୟାରେ ମସଜିଦ ନିର୍ମାଣ ଫାଉଣ୍ଡେସନ କାହାରି ଠାରୁ ପାଂଠି ମାଗି ନାହିଁ । ମସଜିଦ ନିର୍ମାଣ ପ୍ଲାନରେ ଅଧିକ ପାରଂପରିକ ଉପାଦାନ ଯୋଡିବା ସକାଶେ ଏହାର ଡିଜାଇନ ପ୍ରସ୍ତୁତିରେ ବିଳମ୍ବ ହୋଇଛି ବୋଲି ଫାଉଣ୍ଡେସନର ସଂପାଦକ ଆତହାର ହୁସେନ କହିଛନ୍ତି । ନିର୍ମାଣ କାର୍ଯ୍ୟ ମେ’ରେ ଆରମ୍ଭ ହୋଇ ସରିବାକୁ ତିନିରୁ ଚାରି ବର୍ଷ ଲାଗିବ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।
ଆଜି ମଧ୍ୟାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ ଯଜମାନ ଭାବେ ଆଯୋଧ୍ୟାରେ ରାମ ମନ୍ଦିରର ଉଦ୍ଘାଟନ ଓ ଗର୍ଭଗୃହରେ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ବୈଦିକ ରୀତିରେ ସମାପନ କରିବା ପରେ କହିଛନ୍ତି, ଶତାବ୍ଦୀ ଶତାବ୍ଦୀର ଦୀର୍ଘ ଅପେକ୍ଷା, ସହନଶୀଳତା ଓ ଉତ୍ସର୍ଗ ପରେ ଆଜି ରାମଲାଲା ନିଜ ଜନ୍ମଭୂମିରେ ପଦାର୍ପଣ କରିଛନ୍ତି । ତାଙ୍କୁ ଆଉ କୁଟୀର (ଟେଂଟ୍)ରେ ରହିବାକୁ ପଡିବ ନାହିଁ । ସେ ଭବ୍ୟ ମନ୍ଦିରରେ ଅବସ୍ଥାନ କରିବେ । ଆଜିର ସମାରୋହରେ ଦେଶ, ବିଦେଶରୁ ଆସିଥିବା ବିଶିଷ୍ଟ ଅତିଥିଙ୍କ ସମେତ ୦୮ ହଜାରରୁ ଅଧିକ ନିମନ୍ତ୍ରିତ ବ୍ୟକ୍ତି ଉପସ୍ଥିତ ରହିଥିଲେ । ମୋଦୀ କହିଲେ, ୨୦୨୪ ଜାନୁୟାରୀ ୨୨ ତାରିଖ କ୍ୟାଲେଣ୍ଡରରେ ଆଉ ତାରିଖଟିଏ ହୋଇ ରହିବ ନାହୁଁ, ଆଜି ଦିନକୁ ଏକ ନୂତନ ଯୁଗର ଆରମ୍ଭ ବୋଲି କୁହାଯିବ । ଆଜି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ଆଶୀର୍ବାଦକୁ ସମସ୍ତେ ଅନୁଭବ କରୁଛେ । ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଏହି ଦିନଟିକୁ ସମସ୍ତେ ମନେ ରଖିବେ । ଶ୍ରୀରାମଙ୍କୁ ତାଙ୍କ ଜନ୍ମଭୂମିକୁ ଫେରାଇ ଆଣିବା ସ୍ୱପ୍ନ ସାକାର କରିବାରେ ଯେଉଁ ଦୀର୍ଘ ସମୟ ଲାଗିଲା ସେଥିପାଇଁ ପ୍ରଭୁଙ୍କ ନିକଟରେ କ୍ଷମା ମାଗିବା ସକାଶେ ପ୍ରଭୁ ରାମଚନ୍ଦ୍ର ନିଶ୍ଚିତ ଭାବେ କ୍ଷମା କରିବେ ବୋଲି ସେ ବିଶ୍ୱାସ କରୁଥିବା ମୋଦୀ କହିଛନ୍ତି । ଯେଉଁମାନେ ସବୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରୁଥିଲେ ସେମାନଙ୍କୁ ମୋଦୀ କହିଛନ୍ତି, ପ୍ରଭୁ ଶ୍ରୀରାମ ନିଆଁ ନୁହନ୍ତି, ଶକ୍ତି ଉତ୍ସ । ସେ ସମସ୍ୟା ନୁହନ୍ତି, ସମାଧାନର ପଥ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମସ୍ତ ଭାରତୀୟଙ୍କ ନିମନ୍ତେ ଭାବାବେଗ ଓ ଭାବପ୍ରବଣତାର ମୂହୂର୍ତ୍ତ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଶତାବ୍ଦୀ ଶତାବ୍ଦୀ ଧରି ଯେଉଁ ସଂଘର୍ଷ ଚାଲିଥିଲା ତାହାକୁ ମନେ ପକାଇ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସୁପ୍ରିମ କୋର୍ଟଙ୍କ ୨୦୧୯ର ଐତିହାସିକ ରାୟ ଯୋଗୁଁ ଆଜି ଏହି ମନ୍ଦିର ଉଦ୍ଘାଟନ ସମ୍ଭବ ହୋଇଛି ।
ଅଯୋଧ୍ୟାରେ ନିର୍ମାଣାଧୀନ ଥିବା ଭବ୍ୟ ରାମ ମନ୍ଦିରର ଉଦ୍ଘାଟନ ଓ ଗର୍ଭଗୃହରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ଆରଏସଏସ୍ (ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ) ମୁଖ୍ୟ ମୋହନ ଭାଗବତ ଉପସ୍ଥିତ ଥିଲେ । କଂଗ୍ରେସ ସମେତ ଅଧିକାଂଶ ବିରୋଧୀ ଦଳ ନେତା ଆଜିର କାର୍ଯ୍ୟକ୍ରମକୁ ବିଜେପି ଓ ଆରଏସଏସ୍ ଏକ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରି ଦେଇଥିବା ଅଭିଯୋଗ କରି ଏହାକୁ ବର୍ଜନ କରିଥିବା ବେଳେ ହିନ୍ଦୁ ଧର୍ମର ଚାରିଟି ପୀଠର ଶଙ୍କରାଚାର୍ଯ୍ୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନଥିଲେ । ଏଥିରୁ ଦୁଇ ଜଣ ଶଙ୍କରାଚାର୍ଯ୍ୟ ମନ୍ଦିର ପ୍ରତିଷ୍ଠାକୁ ସମର୍ଥନ ଦେଇଥିଲେ ମଧ୍ୟ ପୁରୀ ଶଙ୍କରାଚାର୍ଯ୍ୟ ଓ ଯୋଶୀମଠ ଶଙ୍କରାଚାର୍ଯ୍ୟ ନିର୍ମାଣାଧୀନ ମନ୍ଦିରର ଉଦ୍ଘାଟନ ଓ ଗର୍ଭଗୃହରେ ବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ ହିନ୍ଦୁଧର୍ମ ବିରୋଧୀ ବୋଲି ସମାଲୋଚା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ରାମ ମନ୍ଦିର ଗର୍ଭଗୃହରେ ମୁଖ୍ୟ କର୍ତ୍ତା ସାଜି ବିଗ୍ରହର ପ୍ରଣ ପ୍ରତିଷ୍ଠା କାର୍ଯ୍ୟ କରୁଥିବା ବେଳେ ଚାରି ଶଙ୍କରାଚାର୍ଯ୍ୟଙ୍କ ପାଇଁ ବାହାର ଆସନ ବ୍ୟବସ୍ଥା କରାଯିବା କଥାକୁ ମଧ୍ୟ ସେମାନେ ବିରୋଧ କରିଥିଲେ । ବିରୋଧୀ ଆଜର କାର୍ଯ୍ୟକ୍ରମକୁ ରାଜନୈତିକ ରୂପ ଦେଇ ବିର୍ଜନ କରିବା ସତ୍ତ୍ୱେ ରାମ ମନ୍ଦିର ଉଦ୍ଘାଟନ ଓ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ଉତ୍ସାହର ସହ ସମାପିତ ହୋଇଛି । ସମଗ୍ର ଦେଶରେ ଏନେଇ ଗତ କିଛି ଧରି ବେଶ୍ ଉକ୍ରଂଠା ଲାଗି ରହିଥିଲା । ଆଜି ସମଗ୍ର ଦେଶରେ ଜନତା ବିଭିନ୍ନ ମନ୍ଦିରରେ ପୂଜାପାଠ କରିବା ସହ ବାଣ ଫୁଟାଇ ଅଯୋଧ୍ୟା ରାମ ମନ୍ଦିର ଉଦ୍ଘାଟନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS