ଆସାମରେ ରାହୁଲଙ୍କ ନ୍ୟାୟ ଯାତ୍ରା: କଂଗ୍ରେସ-ବିଜେପି ମୁହାଁମୁହିଁ


ପ୍ରସାଦ ରାଓ
ଜାନୁୟାରୀ ୨୩
କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆସାମରେ ପ୍ରବେଶ କରିବା ପରଠାରୁ ହିଁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଓ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଆସାମରେ କଂଗ୍ରେସ ପଦଯାତ୍ରା ବିଜେପିର କିଛି ବିଶୃଙ୍ଖଳିତ କର୍ମୀଙ୍କ ଆଡୁ ଆକ୍ରମଣର ସମ୍ମୁଖୀନ ହୋଇଥିବା ବେଳେ ରାଜ୍ୟ ବିଜେପି ସରମାର ମଧ୍ୟ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସରକାର ମଧ୍ୟ ରାହୁଲଙ୍କ ପଦଯାତ୍ରାରେ ପ୍ରତିବନ୍ଧକ ସୃଷ୍ଟି କରି ନ୍ୟାୟ ଯାତ୍ରାକୁ ଚର୍ଚ୍ଚାରେ ରଖିଛନ୍ତି । ସୋମବାର ସକାଳେ ରାହୁଲ ଗାନ୍ଧୀ ଓ ତାଙ୍କ ନ୍ୟାୟ ଯାତ୍ରା ଦଳ ଆସାମ ନାଗାଁଓ ଜିଲ୍ଲା ବୋର୍ଦ୍ଦୱା ସତାରାରେ ଥିବା ବୈଷ୍ଣବ ସନ୍ଥ ଶ୍ରୀମନ୍ତ ଶଙ୍କରଦେବଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା କାର୍ଯ୍ୟକ୍ରମ ରଖିଥିଲେ । ତେବେ, ରବିବାର ଦିନ ସତାରା ପ୍ରଶାସନ ରାସ୍ତା ଅବରୋଧ କରି ପଦଯାତ୍ରୀଙ୍କୁ ସତାରାରେ ପ୍ରବେଶ ଅନୁମତି ଦେଇନଥିଲେ । ସୋମବାର ମଧ୍ୟାହ୍ନରେ ଅଯୋଧ୍ୟାରେ ନବ ନିର୍ମିତ ରାମ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଥିବାର ଆସାମର ଶ୍ରଦ୍ଧାଳୁମାନେ ବୋର୍ଦ୍ଦୱା ଶ୍ରୀମନ୍ତ ଶଙ୍କରଦେବଙ୍କ ମନ୍ଦିରରେ ଅପରାହ୍ନ ପର୍ଯ୍ୟନ୍ତ ପୂଜାଚ୍ଚନା କରିବେ । ତେଣୁ, ପ୍ରବଳ ଜନସମାଗମ ଲାଗି ରହିବ । ରାହୁଲ ଗାନ୍ଧୀ ଅପରାହ୍ନ ୩ଟା ପରେ ସତାରା ଶଙ୍କରଦେବଙ୍କ ମନ୍ଦିରକୁ ଦର୍ଶନ ଓ ପୂଜାଚ୍ଚନା ପାଇଁ ଯିବାକୁ ସତାରା ପ୍ରଶାସନ କହିଥିଲେ । ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯାଉଥିବା କଂଗ୍ରେସ ନେତା ଓ କର୍ମୀମାନେ ପୂର୍ବରୁ ମନ୍ଦିର ପ୍ରଶାସନଠାରୁ ଅନୁମତି ନେଇଥିଲେ ମଧ୍ୟ ସେମାନଙ୍କ ପଥ ଅବରୋଧ କରାଯିବା ପ୍ରତିବାଦରେ ରାହୁଲ ଧାରଣା ଦେବା ସହ ରାସ୍ତାରେ ବସି ରାମଧୂନ ଗାଇବାକୁ ବାଧ୍ୟ ହୋଇଥିଲେ । ଅଯୋଧ୍ୟା ରାମ ମନ୍ଦିର କାର୍ଯ୍ୟକ୍ରମ ଓ ବୋର୍ଦ୍ଦୱା ସତାରା ଶଙ୍କରଦେବ ମନ୍ଦିର ମଧ୍ୟରେ ରାହୁଲ ଅଯଥା ଏକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାର ବାତାବରଣ ସୃଷ୍ଟି କରନ୍ତୁ ନାହିଁ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ପରାମର୍ଶ ଦେବାର ରହସ୍ୟ ହେଉଛି, ଜାନୁୟାରୀ ୨୨ ତାରିଖ ମଧ୍ୟାହ୍ନରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିବା ବେଳେ ଏହା ବିଜେପି-ଆରଏସଏସର ରାଜନୈତିକ କାର୍ଯ୍ୟକ୍ରମ କହି କଂଗ୍ରେସ ତାହାକୁ ବର୍ଜନ କରିଛି । ଅଯୋଧ୍ୟାରେ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ବେଳେ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବୋର୍ଦ୍ଦୱା ଶ୍ରୀମନ୍ତ ଶଙ୍କରଦେବଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବାକୁ ସ୍ଥିର କରିବା ପଛରେ ରାଜନୀତି ଥିବା ଆସାମ ସରକାର ଆଶଙ୍କା କରି ରାହୁଲଙ୍କୁ ଶଙ୍କରଦେବ ମନ୍ଦିରକୁ ଯିବାକୁ ଦେଇନଥିଲେ । ରବିବାର ଆସାମ ସୋନିତପୁର ଜିଲ୍ଲା ଜାମୁଗୁରିହାଟଠାରେ ରାହୁଲଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଉପରେ କିଛି ବିଶୃଙ୍ଖଳ ବିଜେପି କର୍ମୀ ଆକ୍ରମଣ କରିଥିଲେ । ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯାଇଥିବା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶଙ୍କ ଗାଡି ବିଶ୍ୱନାଥ ଚାରିଆଲିରୁ ଜାମୁଗୁରିହାଟ ଦେଇ ନାଗାଁଓ ଯିବା ବାଟରେ ବିଶୃଙ୍ଖଳ ବିଜେପି କର୍ମୀଙ୍କ ଆଡୁ ତାଙ୍କ ଗାଡି ଉପରେ ଆକ୍ରମଣ ଏବଂ ନ୍ୟାୟ ଯାତ୍ରା ବ୍ୟାନର, ଷ୍ଟିକର ଚିରି ଦିଆଯିବା ଭଳି ଘଟଣା ଘଟିଥିଲା । ଅଭିଯୋଗ ମିଳିବା ପରେ ରାଜ୍ୟ ପୁଲିସ ଡିଜି ଜି.ପି.ସିଂହଙ୍କ ତାହାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ବିଶ୍ୱ ଶର୍ମା କହିଛନ୍ତି । ଆଜି କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆସାମ ରାଜଧାନୀ ଗୁଆହାଟୀ ସହରରେ ପ୍ରବେଶ କରିବାକୁ ଥିଲା । ତେବେ, ସହର ବାହାରେ ପୁଲିସ ଅବରୋଧ ସୃଷ୍ଟି କରି ନ୍ୟାୟ ଯାତ୍ରାକୁ ରୋକି ଦେଇଥିଲେ । ଫଳରେ, ଉତ୍ତେଜିତ କଂଗ୍ରେସ କର୍ମୀମାନେ ପୁଲିସର ବ୍ୟାରିକେଡ ଭାଂଗି ପ୍ରବେଶ ଉଦ୍ୟମ କରିଥିଲେ ଓ ପୁଲିସ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଛି । ବ୍ୟାରିକେଡ ଭଂଗା ଓ ପୁଲିସ ସହ ଧସ୍ତାଧସ୍ତି ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ବେଳେ ଗୁଆହାଟୀ ସହର ଉପକଂଠରେ ରାହୁଲ ପଦଯାତ୍ରୀଙ୍କୁ ଉଦବୋଧନ ଦେଇ ‘ଆମେ ବ୍ୟାରିକେଡ ଭାଂଗିଛୁ, କିନ୍ତୁ ଆଇନ ଭାଂଗିବୁ ନାହିଁ’ ବୋଲି କହିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଧିକ ଉତ୍କ୍ଷୀପ୍ତ କରିଛି । ଏହା ରାହୁଲଙ୍କ ‘ନକ୍ସଲଙ୍କ ଟାକ୍ଟିସ୍’ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଅଭିଯୋଗ କରିବା ସହ କଂଗ୍ରେସ କର୍ମୀମାନେ ଗୁଆହାଟୀ ସହର ଉପକଂଠରେ ପୁଲିସ ବ୍ୟାରିକେଡ ଭାଂଗି ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିବା ଭିଡ଼ିଓ କଂଗ୍ରେସ ପକ୍ଷରୁ ହିଁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହୋଇଛି, ତାହାକୁ ପ୍ରମାଣ ଭାବେ ବ୍ୟବହାର କରି ରାହୁଲଙ୍କ ବିରୋଧରେ ହିଂସା ଉସୁକାଇବା ଅଭିଯୋଗରେ ମାମଲା ରୁଜୁ କରିବାକୁ ରାଜ୍ୟ ପୁଲିସ ମହାନିର୍ଦେଶକଙ୍କୁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ‘ଏକ୍ସ’ ପୋଷ୍ଟରେ ଲେଖିଛନ୍ତି, ‘ଆସାମ ହେଉଛି ଏକ ଶାନ୍ତିପ୍ରିୟ ରାଜ୍ୟ ଏବଂ ଆସାମୀ ସଂସ୍କୃତିରେ ହିଂସାର କୌଣସି ସ୍ଥାନ ନାହିଁ । ରାହୁଲ ଗାନ୍ଧୀ କଂଗ୍ରେସ କର୍ମୀଙ୍କୁ ଉସୁକାଇ ଗୁଆହାଟୀ ସହର ଉପକଂଠରେ ହିଂସାର ବାତାବରଣ ସୃଷ୍ଟି କରିଥିବା ଭିଡ଼ିଓ ଫୁଟେଜ ସରକାରଙ୍କ ନିକଟରେ ରହିଛି । ତାହାକୁ ପ୍ରମାଣ ଭାବେ ବ୍ୟବହାର କରି ରାହୁଲଙ୍କ ବିରୋଧରେ ମାମଲା ରୁଜୁ ପାଇଁ ପୁଲିସ ଡିଜିଙ୍କୁ ନିର୍ଦେଶ ଦିଆଯାଇଛି’ । ‘ଆପଣଙ୍କ ବିଶୃଙ୍ଖଳିତ ବ୍ୟବହାର ଏବଂ ପଦଯାତ୍ରା ପାଇଁ ରହିଥିବା ନିର୍ଦେଶାବଳୀର ଉଲଂଘନ ଗୁଆହାଟୀ ସହରରେ ପ୍ରବଳ ଟ୍ରାଫିକ ଜାମ୍ କରିଛି’ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ୱ ଶର୍ମା ରାହୁଲଙ୍କ ଉଦ୍ଦେଶ୍ୟରେ ପୋଷ୍ଟରେ ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ହେଉଛନ୍ତି ଜଣେ ପୂର୍ବତନ କଂଗ୍ରେସ ନେତା । ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆସାମରେ ପହଂଚିବା ଦିନରୁ ରାହୁଲ ଓ ବିଶ୍ୱ ଶର୍ମାଙ୍କ ମଧ୍ୟରେ ତୀବ୍ର ବାକ୍ୟ ବିନିମୟ ଚାଲିଛି । କଂଗ୍ରେସ ନ୍ୟାୟ ଯାତ୍ରା ଆସାମରେ ପ୍ରବେଶ ପରେ ରାହୁଲ ବିଭିନ୍ନ ସଭାରେ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ହେଉଛନ୍ତି ଦେଶର ସବୁଠାରୁ ଅଧିକ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ବୋଲି ଅଭିଯୋଗ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୁସି କରିବା ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଆସୁଥିବା ନିର୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ବୋଲି ମଧ୍ୟ ରାହୁଲ ଅଭିଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀ ବିଶ୍ୱ ଶର୍ମା ରାହୁଲଙ୍କୁ ‘ରାବଣ’ ବୋଲି ଆକ୍ଷେପ କରି ସେ ତାଙ୍କ କୌଣସି ଅଭିଯୋଗର ଜବାବ ଦେବାକୁ ଚାହୁଁ ନାହାନ୍ତି ବୋଲି କହିଥିଲେ । ରାହୁଲ ଓ ମୁଖ୍ୟମନ୍ତ୍ରୀ ବିଶ୍ୱ ଶର୍ମାଙ୍କ ମଧ୍ୟରେ ତୀକ୍ତତା ବଢୁଥିବା ବେଳେ ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆ ଆସାମ ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆଙ୍କୁ ସ୍ମାରକପତ୍ର ଦେଇ କଂଗ୍ରେସର ଶାନ୍ତିପୂର୍ଣ୍ଣ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଉପରେ ବିଶୃଙ୍ଖଳ ବିଜେପି କର୍ମୀଙ୍କ ଆକ୍ରମଣର ନିନ୍ଦା କରିଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସରକାର ଗୁରୁତର ପ୍ରଶାସନିକ ବିଭ୍ରାଟ ସୃଷ୍ଟି କରିବା ସହ ବିଶୃଙ୍ଖଳିତ ବିଜେପି କର୍ମୀ ଓ ଗୁଣ୍ଡାଙ୍କ ମାଧ୍ୟମରେ କଂଗ୍ରେସର ଶାନ୍ତପୂର୍ଣ୍ଣ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଉପରେ ଆକ୍ରମଣ କରାଇଥିବା ସାଇକିଆ ଅଭିଯୋଗ କରିବା ସହ ରାଜ୍ୟ କଂଗ୍ରେସ ସଭାପତି ଭୂପେନ ବୋରାଙ୍କ ଉପରେ ହୋଇଥିବା ଶାରୀରିକ ଆକ୍ରମଣର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଛନ୍ତି । ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ମଣିପୁରରୁ ଆରମ୍ଭ ହୋଇ ମେଘାଳୟ ଦେଇ ଆସାମରେ ପ୍ରବେଶ କରିବା ପର୍ଯ୍ୟନ୍ତ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନଥିଲା । ଆସାମରେ ବିଜେପି ଶାସନ ଥିବାରୁ ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗାନ୍ଧୀ ପରିବାରର ଜଣେ କଟ୍ଟର ବିରୋଧୀ ହୋଇଥିବାରୁ ଆସାମରେ ରାହୁଲଙ୍କ ପଦଯାତ୍ରା ଯେ ଏଭଳି ସଂକଟର ସମ୍ମୁଖୀନ ହେବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ଗତ ରବିବାରରୁ ଘଟି ଆସୁଥିବା ଘଟଣା ତାହାକୁ ସତ୍ୟ ସାବ୍ୟସ୍ତ କରିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS