ପଶ୍ଚିମ ବଂଗରେ ନ ପଶୁଣୁ କଂଗ୍ରେସକୁ ‘ମମତା’ ଝଟକା !


ପ୍ରସାଦ ରାଓ
ଜାନୁୟାରୀ ୨୪
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ କାଲି (ଗୁରୁବାର) ପଶ୍ଚିମ ବଂଗରେ ପ୍ରବେଶ କରିବାକୁ ଥିବା ବେଳେ ବିରୋଧୀ ମେଂଟ ‘ଇଣ୍ଡିଆ’ର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିବା ପଶ୍ଚିମ ବଂଗର ଶାସକ ଟିଏମସି (ତୃଣମୂଳ କଂଗ୍ରେସ) ପକ୍ଷରୁ ଆଜି ବଡ ଘୋଷଣା ହୋଇଛି । ରାଜ୍ୟର ୪୨ଟି ଯାକ ଲୋକସଭା ଆସନରେ ଟିଏମସି ଏକାକୀ ନିର୍ବାଚନ ଲଢିବ ଏବଂ ନିର୍ବାଚନ ଫଳାଫଳ ଆସିବା ପରେ ଜାତୀୟସ୍ତରରେ କଂଗ୍ରେସ ସହ ମେଂଟ କଥା ବିଚାର କରାଯିବ ବୋଲି ଟିଏମସି ଅଧ୍ୟକ୍ଷା ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଗଣମାଧ୍ୟମରେ ଘୋଷଣା କରି କଂଗ୍ରେସକୁ ବଡ ଝଟକା ଦେଇଛନ୍ତି । ଏହା କଂଗ୍ରେସ ବିରୋଧରେ ମମତାଙ୍କ କ୍ଷୋଭକୁ ପ୍ରତିଫଳିତ କରିବା ସହ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣାରେ କୌଣସି ଅଗ୍ରଗତି ଘଟି ନଥିବା ସ୍ପଷ୍ଟ ସୂଚନା ଦେଉଛି ।
କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଚାରି ଦିନ ହେଲା ଆସାମରେ ଚାଲିଛି । ଆସାମରେ ଏହି ଯାତ୍ରା କ୍ଷମତାରେ ଥିବା ବିଜେପି ଆଡୁ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗତକାଲି କଂଗ୍ରେସର ନ୍ୟାୟ ଯାତ୍ରାକୁ ରାଜଧାନୀ ଗୁଆହାଟୀରେ ପ୍ରବେଶ କରିବାକୁ ନଦେବାରୁ କଂଗ୍ରେସ କର୍ମୀମାନେ ବ୍ୟାରିକେଡ ଭାଂଗି ପ୍ରବେଶ ଉଦ୍ୟମ କରିଥିଲେ । ଫଳରେ, ଆସାମ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇ କିଛି ପୁଲିସ କର୍ମଚାରୀ ଆହତ ହୋଇଥିବା ସରକାରଙ୍କ ଆଡୁ ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀ ବିଶ୍ୱ ଶର୍ମାଙ୍କ ନିର୍ଦେଶରେ ଆସାମ ପୁଲିସ ହିଂସାକୁ ଉସୁକାଇବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଏଭଳି ସ୍ଥିତିରେ, ଟିଏମସି ମୁଖ୍ୟା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଜିର ଘୋଷଣା ପଶ୍ଚିମ ବଂଗରେ ମଧ୍ୟ କଂଗ୍ରେସର ନ୍ୟାୟ ଯାତ୍ରା ବିରୋଧର ସମ୍ମୁଖୀନ ହେବା ଆଶଙ୍କା ସୃଷ୍ଟି କରିଛି ।
ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣମାଧ୍ୟମକୁ କହିଛନ୍ତି, ତାଙ୍କ ଦଳ ବିରୋଧୀ ମେଂଟ ‘ଇଣ୍ଡିଆ’ର ପ୍ରମୁଖ ସଦସ୍ୟ ଥିବା ସତ୍ତ୍ୱେ କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ କାଲି ପଶ୍ଚିମ ବଂଗରେ ପ୍ରବେଶ କରୁଥିବା ନେଇ କଂଗ୍ରେସ ନେତୃତ୍ୱ ଅନ୍ତତଃ ସୌଜନତ୍ୟା ଦୃଷ୍ଟିରୁ ତାଙ୍କୁ ସୂଚିତ କରି ନାହାନ୍ତି । ତେଣୁ, କଂଗ୍ରେସ ସହ ତାଙ୍କର କିଛି ସଂପର୍କ ନାହିଁ । ବିଶେଷକରି, ପଶ୍ଚିମ ବଂଗ ସଂକ୍ରାନ୍ତରେ । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ବିଷୟରେ ଟିଏମସି ଅଧ୍ୟକ୍ଷା ମମତା ବାନାର୍ଜୀ କହିଛନ୍ତି, କଂଗ୍ରେସ ସହ ତାଙ୍କର କୌଣସି ଆଲୋଚନା ହୋଇ ନାହିଁ । ସେ କଂଗ୍ରେସକୁ ଏକାଧିକ ପ୍ରସ୍ତାବ ଦେଇଥିଲେ । ତେବେ, କଂଗ୍ରେସ ଦଳ ତାହାକୁ ଅଗ୍ରାହ୍ୟ କରି ଦେଇଛି । ଦେଶର ଅନ୍ୟତ୍ର କଣ ହେବ ସେ ଜାଣନ୍ତି ନାହିଁ । କିନ୍ତୁ, ଟିଏମସି ଏକ ଧର୍ମନିରପେକ୍ଷ ଦଳ ଭାବେ ଏକାକୀ ପଶ୍ଚିମ ବଂଗରେ ନିଜ ଦମ୍ ରେ ନିର୍ବାଚନ ଲଢିବ ଓ ବିଜେପିକୁ ପରାଜିତ କରିବ ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’କୁ ମମତା ସମାଲୋଚନା କରିବାକୁ ପଛାଇ ନଥିବାରୁ ମମତାଙ୍କ କ୍ରୋଧ ସ୍ପଷ୍ଟ ହେଉଛି । କଂଗ୍ରେସର ‘ନ୍ୟାୟ ଯାତ୍ରା’ ଗୁରୁବାର ବେଂଗଲରେ ପ୍ରବେଶ କରିବାକୁ ଥିଲେ ମଧ୍ୟ କୋଲକାତା ସହରକୁ ନ ଛୁଇଁ ଆଗକୁ ବଢି ଯାଇପାରେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ମମତାଙ୍କ ସଂପର୍କ ଉତ୍ତମ ଥିଲେ ମଧ୍ୟ ରାହୁଲଙ୍କ ସହ ସଂପର୍କ ତୀକ୍ତ ଥିବା ପୂର୍ବରୁ ମଧ୍ୟ ସେ ସୂଚନା ଦେଇ ସାରିଛନ୍ତି । ମମତା ଚାହୁଁ ନାହାନ୍ତି ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ପଶ୍ଚିମ ବଂଗରେ ପ୍ରାର୍ଥୀ ଦେଉ । ‘ଇଣ୍ଡିଆ’ ମେଂଟ ପକ୍ଷରୁ ଦିଲ୍ଲୀରେ ଅନୁଷ୍ଠିତ ଏକ ନେତୃସ୍ତରୀୟ ବୈଠକରେ ମମତା ବିରୋଧୀ ମେଂଟର ‘ପ୍ରଧାନମନ୍ତ୍ରୀ ଚେହେରା’ ଭାବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମ ଉପସ୍ଥାପିତ କରି ସମସ୍ତଙ୍କୁ ଚକିତ କରିଥିଲେ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ‘ଆମ୍ ଆଦମୀ ପାର୍ଟି’ ଜାତୀୟ ସଂଯୋଜକ ଅରବିନ୍ଦ କେଜରୀୱାଲ ମଧ୍ୟ ମମତାଙ୍କ ପ୍ରସ୍ତାବକୁ ସମର୍ଥନ ଦେଇ କଂଗ୍ରେସକୁ ଅଡୁଆରେ ପକାଇ ଥିଲେ । ଅବଶ୍ୟ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଥିରେ କ୍ଷୁବ୍ଧ ହୋଇ ବୈଠକ ସରୁ ସରୁ ବିହାର ଫେରି ଯାଇଥିଲେ । ତେବେ, ଏଆଇସିସି ସଭାପତି ଖାର୍ଗେ ମଧ୍ୟ ଅକଳରେ ପଡିଥିଲେ । ମେଂଟର ‘ପ୍ରଧାନମନ୍ତ୍ରୀ ଚେହେରା’ ହେବାକୁ ସେ ଆଗ୍ରହୀ ନୁହନ୍ତି ବୋଲି ଖାର୍ଗେ ତୁରନ୍ତ ବୟାନ ଦେବା ସହ ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କୁ ମନାଇବାକୁ ପଦକ୍ଷେପ ନେଇ ଥିଲେ । ତେବେ, ‘ଇଣ୍ଡିଆ’ ମେଂଟର ପରବର୍ତ୍ତୀ ନେତୃସ୍ତରୀୟ ବୈଠକରେ ନିଜେ ନୀତୀଶ କୁମାର ‘ଇଣ୍ଡିଆ’ ମେଂଟର ଅଧ୍ୟକ୍ଷ ହେବାକୁ ମନା କରିବା ଏବଂ ଖାର୍ଗେଙ୍କ ନାମ ପ୍ରସ୍ତାବ କରିବା ଏବଂ ଖାର୍ଗେ ମେଂଟର ଅଧ୍ୟକ୍ଷ ନିର୍ବାଚିତ ହେବା ମମତାଙ୍କ ବିଜୟ କୁହାଯାଇପାରେ । ତଥାପି ମମତା ପଶ୍ଚିମ ବଂଗରେ କଂଗ୍ରେସକୁ ସହ କୌଣସି ବୁଝାମଣା ପାଇଁ ପ୍ରସ୍ତୁତ ନଥିବା ବିଭିନ୍ନ ସମୟରେ ସେ ଦେଇଥିବା ବୟାନରୁ ସ୍ପଷ୍ଟ ହେଉଛି ।
ଆଜି ମମତା କହିଛନ୍ତି, ‘ଇଣ୍ଡିଆ’ ମେଂଟର ଅସ୍ତିତ୍ୱ ଇଣ୍ଡିଆରେ (ଭାରତରେ) ରହିବ । କିନ୍ତୁ, ପଶ୍ଚିମ ବଂଗରେ ଟିଏମସି ଏକାକୀ ଲୋକସଭା ନିର୍ବାଚନ ଲଢିବ । ରାଜ୍ୟରେ ବିଜେପିକୁ ଉଚିତ ଶିକ୍ଷା ଦେବା ମାଧ୍ୟମରେ ବିଜୟ କଣ, ତାହା ସମଗ୍ର ଦେଶକୁ ଦେଖାଇବାକୁ ଦଳ ସମର୍ଥ । ମମତାଙ୍କ ଆଜିର ବୟାନ ପରେ ଆସାମରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ସହ ଥିବା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ତୁରନ୍ତ ବୟାନ ଜାରି କରଛନ୍ତି । ମମତାଙ୍କ ବିନା ‘ଇଣ୍ଡିଆ’ ମେଂଟକୁ କଳ୍ପନା କରି ହେବ ନାହିଁ ବୋଲି ରମେଶ ମନ୍ତବ୍ୟ ଦେବା ସହ ପଶ୍ଚିମ ବଂଗରେ ‘ଇଣ୍ଡିଆ’ ମେଂଟର ସମସ୍ତ ସଦସ୍ୟ ମିଳିତ ହୋଇ ଆସନ୍ତା ଲୋକସଭା ନିର୍ବାଚନ ଲଢିବେ ବୋଲି କହିଛନ୍ତି । ମମତାଙ୍କ ଆଜିର ଘୋଷଣାକୁ ବିଜପି ତାଚ୍ଛଲ୍ୟ କରି କହିଛି, ମମତା ନିଜର ରାଜନୈତିକ ଭିତ୍ତିଭୂମି ହରାଇବା ଭୟରେ ପଶ୍ଚିମ ବଂଗର ସବୁ ଲୋକସଭା ଆସନରୁ ଲଢିବାକୁ ଚାହୁଁଛନ୍ତି । ଯାହାଦ୍ୱାରା ଫଳାଫଳ ଆସିବା ପରେ ତାଙ୍କ ଗ୍ରହଣୀୟତା ବଜାୟ ରହିବ । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ‘ଏକ୍ସ’ରେ ଏହି ପୋଷ୍ଟ୍ କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ପଶ୍ଚିମ ବଂଗରେ କଂଗ୍ରେସର ପ୍ରଦର୍ଶନ ନିରୁତ୍ସାହଜନକ ଥିଲା । କଂଗ୍ରେସ ଦଳ ରାଜ୍ୟର ୪୨ ଲୋକସଭା ଆସନରୁ ୨୦୧୪ରେ ଚାରିଟି ଓ ୨୦୧୯ରେ ଦୁଇଟି ଆସନ ଜିତିଥିଲା । ୨୦୨୪ ନିର୍ବାଚନରେ କଂଗ୍ରେସ ରାଜ୍ୟର ୧୦ରୁ ୧୨ ଲୋକସଭା ଆସନରେ ପ୍ରାର୍ଥୀ ଦେବାକୁ ଚାହୁଁଥିବା ବେଳେ ଟିଏମସି ମାତ୍ର ଦୁଇଟି ଆସନ (ଯେଉଁ ଦୁଇଟି ଆସନରେ କଂଗ୍ରେସ ୨୦୧୯ରେ ବିଜୟୀ ହୋଇଛି) ଛାଡିବାକୁ ଚାହୁଁଛି । ଏହାକୁ ନେଇ କଂଗ୍ରେସ ଓ ଟିଏମସି ମଧ୍ୟରେ ତୁ ତୁ…ମେଁ ମେଁ ଚାଲିଛି । ଟିଏମସି କଂଗ୍ରେସକୁ ମାତ୍ର ଦୁଇଟି ଆସନ ଦେବ ବୋଲି କହିବାରୁ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ଥିବା ଅଧିର ରଂଜନ ଚୌଧୁରୀ ଗଣମାଧ୍ୟମକୁ ଯାଇ ‘ଆମେ ଆସନ ବୁଝାମଣା ଚାହୁଁଛୁ, ଟିଏମସିକୁ ଭିକ ମାଗୁ ନାହୁଁ’ ବୋଲି ମନ୍ତବ୍ୟ ଦେଇଥିଲେ ।
ଏହାକୁ ନେଇ ବିରୋଧୀ ମେଂଟର ଦୁଇ ଅଂଶୀଦାର ମଧ୍ୟରେ ପ୍ରବଳ ବାକ୍ ବିନିମୟ ଚାଲିଥିବା ସମୟରେ ଗଣମାଧ୍ୟମକୁ ଶାନ୍ତ କରିବାକୁ ଯାଇ ରାହୁଲ କହିଥିଲେ – ମମତାଙ୍କ ସହ କଂଗ୍ରେସର, ବିଶେଷକରି ତାଙ୍କ ସଂପର୍କ ଉତ୍ତମ ରହିଛି’ । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିରୋଧୀ ମେଂଟ ଅଂଶୀଦାରମାନଙ୍କ ସହ ଆସନ ବୁଝାମଣା ଠିକ୍ ବାଟରେ ଚାଲିଛି ବୋଲି ରାହୁଲ ଆସାମରେ ନ୍ୟାୟ ଯାତ୍ରା ଅବସରରେ ଗଣମାଧ୍ୟମକୁ କହିଥିବା ବେଳେ ଆଜି କୋଲକାତାରେ ଟିଏମସି ମୁଖ୍ୟା ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘୋଷଣା ଚମକାଇ ଦେଲା ଭଳି ହୋଇଛି । କଂଗ୍ରେସର ନ୍ୟାୟ ଯାତ୍ରା ପଶ୍ଚିମ ବଂଗରେ ପ୍ରବେଶ କରିବା ପରେ ଆହୁରି ଅନେକ କିଛି ଦେଖିବାକୁ ଓ ଶୁଣିବାକୁ ମିଳିବ ବୋଲି ଆଲୋଚନା ହେଉଥିବା ବେଳେ ଜୟରାମ ରମେଶଙ୍କ ବୟାନ ପରେ ଦିଦି ନରମିବେ କି ପୂର୍ବପରି ଗରମ ରହିବେ – ତାହା ଦେଖିବାକୁ ବାକି ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS