ବିରୋଧୀଙ୍କ ପାଇଁ ବିଜେପିର ମାଷ୍ଟରଷ୍ଟ୍ରୋକ୍ – କର୍ପୁରୀଙ୍କୁ ‘ଭାରତ ରତ୍ନ’ !


ପ୍ରସାଦ ରାଓ
ଜାନୁୟାରୀ ୨୫
ଆସନ୍ତା ଏପ୍ରିଲ-ମେ’ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ଜନତାଙ୍କ ପାଇଁ ଏକ ‘ମାଷ୍ଟର ଷ୍ଟ୍ରୋକ୍’ ଖେଳିଛନ୍ତି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କର୍ପୁରୀ ଠାକୁରଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ କର୍ପୁରୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନୀତ କରିବାକୁ ମୋଦୀ ଘୋଷଣା କରି ବିହାରର ଅତ୍ୟନ୍ତ ପଛୁଆ ବର୍ଗ ମତାଦାତାଙ୍କୁ ବିଜେପି ପ୍ରତି ଆକୃଷ୍ଟ କରିବାକୁ ଉଦ୍ୟମ କରିଛନ୍ତି । ଏହା ସହ ସେ ବିରୋଧୀଙ୍କ ‘ଜାତି ରାଜନୀତି’ କାର୍ଡକୁ ଏକପ୍ରକାର ନିଷ୍କ୍ରିୟ କରିଛନ୍ତି । କଂଗ୍ରେସ ସମେତ ୨୮ ବିରୋଧୀ ଦଳଙ୍କୁ ନେଇ ଗଠିତ ବିରୋଧୀ ମେଂଟ ଲୋକସଭା ନିର୍ବାଚନରେ ଦେଶବ୍ୟାପୀ ଜାତି ଭିତ୍ତିକ ଜନଗଣନା କରାଯିବା ଦାବିକୁ ଦୋହରାଇ ମୋଦୀ ସରକାରଙ୍କୁ ଘେରିବା ଉଦ୍ୟମରେ ଥିଲା । ପ୍ରଧାନମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ‘ଭାରତ ରତ୍ନ’ ସମ୍ମାନର କାର୍ଡ ଖେଳି ବିରୋଧୀଙ୍କୁ କେବଳ ଚିତ୍ କରି ନାହାନ୍ତି, ବିରୋଧୀ ମେଂଟରେ ଥିବା ଫାଟକୁ ମଧ୍ୟ ଅଧିକ ବ୍ୟାପକ କରିବାରେ ସଫଳ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଘୋଷଣାକୁ ବିରୋଧୀ ମେଂଟ ‘ଇଣ୍ଡିଆ’ର ଅନ୍ୟତମ ବରିଷ୍ଠ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅନ୍ତରରୁ ସ୍ୱାଗତ କରୁଥିବା ଘୋଷଣା କରିବା ଆଗକୁ ମେଂଟରେ ବଡ ଧରଣର ଫାଟ ହେଉଥିବା ସୂଚନା ଦେଉଛି । ନୀତୀଶ ଗତକାଲି ପାଟନାରେ ଆୟୋଜିତ ଜେଡିୟୁ ସମାବେଶରେ ଉଦ୍ବୋଧନ ଦେବା ଅବସରରେ ୨୦୦୫ରେ ସେ ବିହାର ମୁଖ୍ୟମନ୍ତ୍ରୀ ହେବା ଦିନରୁ ଏଦିଗରେ ଉଦ୍ୟମ କରୁଥିବା କହି ଶ୍ରେୟ ସାଉଁଟିବା ଉଦ୍ୟମ କରିଥିଲେ । ସେ କହିଥିଲେ, କର୍ପୁରୀ ଠାକୁରଙ୍କୁ ‘ଭାରତ ରତ୍ନ’ରେ ସମ୍ମାନିତ କରାଯିବାକୁ ସେ ଗତ ୧୯ ବର୍ଷ ହେଲା ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । କଂଗ୍ରେସ ନେତୃତ୍ୱରେ କେନ୍ଦ୍ରରେ ୟୁପିଏର ସରକାର ଥିବା ସମୟରେ ତାଙ୍କ ଚିଠିକୁ ଗୁରୁତ୍ୱ ଦିଆଯାଇନଥିଲା । କିନ୍ତୁ, ୨୦୨୩ରେ ସେ ଲେଖିଥିବା ଚିଠି ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ଗୁରୁତ୍ୱ ଦେଇଛନ୍ତି ଏବଂ କର୍ପୁରୀ ଠାକୁରଙ୍କୁ ‘ଭାରତ ରତ୍ନ’ ଦେବାକୁ ଘୋଷଣା କରିଛନ୍ତି । ଏଥିସକାଶେ ସେ ସରକାରଙ୍କୁ, ବିଶେଷକରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଉଛନ୍ତି ବୋଲି ନୀତୀଶ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ସତୁରୀ ଦଶକରେ ଦୁଇ ଥର ବିହାର ମୁଖ୍ୟମନ୍ତ୍ରୀ ହୋଇଥିବା କର୍ପୁରୀ ଠାକୁର ଜଣେ ସମାଜବାଦୀ ନେତା ଥିଲେ ଏବଂ ରାଜ୍ୟ ରାଜନୀତିରେ ଅତ୍ୟନ୍ତ ପଛୁଆ ବର୍ଗର ପ୍ରତିନିଧିତ୍ୱ କରୁଥିଲେ । ୧୯୨୪ ମସିହା ଜାନୁୟାରୀ ୨୪ ତାରିଖରେ ବିହାର ସମସ୍ତିପୁର ଜିଲ୍ଲା ପିତାଉଂଝିଆ ଗ୍ରାମରେ ଏକ ଗରିବ ନାପିତ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ସତୁରୀ ଦଶକରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ସାମିଲ ହୋଇ ନିଜକୁ ପଛୁଆ ବର୍ଗର ଜଣେ ତୁଂଗ ନେତା ଭାବେ ପ୍ରତିଷ୍ଠିତ କରିବା ସହ ଡିସେମ୍ବର ୧୯୭୦ରୁ ଜୁନ ୧୯୭୧ ଏବଂ ଡିସେମ୍ବର ୧୯୭୭ରୁ ଏପ୍ରିଲ ୧୯୭୯ ପର୍ଯ୍ୟନ୍ତ ଦୁଇ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ । ପୂର୍ବରୁ ସେ ଶିକ୍ଷା ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ଥିଲେ । ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ଦୈନନ୍ଦିନ ଜୀବନ ଏତେ ସରଳ ଓ ନିରଡମ୍ବର ଥିଲା ଯେ ସେ ଚିରା କୁର୍ତ୍ତା ପିନ୍ଧି ସେ ବଡ ବଡ କାର୍ଯ୍ୟକ୍ରମରେ ଭାଗ ନେବାକୁ କୁଂଠିତ ହେଉନଥିଲେ ।
୧୯୭୭ରେ ପାଟନାରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜନ୍ମଦିନ ପାଳନ ସମୟରେ ଠାକୁର ବିହାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥା’ନ୍ତି । ରାଜ୍ୟରେ ଓ କେନ୍ଦ୍ରରେ ଜନତା ପାର୍ଟି ସରକାର ଥାଏ । ଜୟପ୍ରକାଶଙ୍କ ଜନ୍ମଦିନ ପାଳନ ପାଇଁ ଦେଶର ସବୁ ବଡ ନେତା ପାଟନାରେ ଏକାଠି ହୋଇଥିବା ସମୟରେ ମୁଖ୍ୟମନ୍ତ୍ରୀ ଥିବା ଠାକୁର ଖଣ୍ଡେ ଚିରା କୁର୍ତ୍ତା ପିନ୍ଧି ନେତାଙ୍କ ଗହଣରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତାହା ଦେଖି ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ସ୍ତବ୍ଧ ହୋଇ ଯାଇଥିଲେ । ଠାକୁରଙ୍କ ପାଇଁ ନୂଆ କୁର୍ତ୍ତା କିଣିବାକୁ ଉପସ୍ଥିତ ସବୁ ନେତା କିଛି କିଛି ଅର୍ଥ ଦାନ କରିବାକୁ ଚନ୍ଦ୍ରଶେଖର ପ୍ରସ୍ତାବ ଦେବାରୁ ସବୁ ନେତା କିଛି କିଛି ସହାୟତା ଦେଇଥିଲେ । ତେବେ, କର୍ପୁରୀ ଠାକୁର ସେହି ଦାନକୁ ଗ୍ରହଣ କରିଥିଲେ ସିନା ନୂଆ କୁର୍ତ୍ତା ନକିଣି ଦାନ ଅର୍ଥକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଂଠିକୁ ଦାନ କରି ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏକ ଜାତୀୟ ସମ୍ବାଦପତ୍ରରେ ଲେଖିଥିବା ଲେଖାରେ ଦର୍ଶାଇ ତାଙ୍କ ଆଦର୍ଶ ଜୀବନ ଶୈଳୀ ସଂପର୍କରେ ବଖାଣିଛନ୍ତି ।
କର୍ପୁରୀ ଠାକୁରଙ୍କ ଆଉ ଏକ ଉପଲବ୍ଧୀ ଥିଲା, ୧୯୭୮ରେ ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିହାରରେ ପ୍ରଥମ କରି ଓବିସିଙ୍କ ପାଇଁ ୨୬ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ହୋଇଥିଲା । ଯେଉଁଥିରେ କି ଏମବିସିଙ୍କ ପାଇଁ ସବ୍ କୋଟା, ମହିଳା ଏବଂ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ପାଇଁ ସଂରକ୍ଷଣ ଅନ୍ତର୍ଭୁକ୍ତ ଥିଲା । ଏହାକୁ ନେଇ ସେତେବେଳେ ହିଂସାତ୍ମକ ବିରୋଧ ହୋଇଥିଲା । ତେବେ, ଏହା କାର୍ଯ୍ୟକାରୀ ହେବାର ବର୍ଷକ ପରେ ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ନିମନ୍ତେ ମଣ୍ଡଳ କମିସନ ଗଠନ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ବିହାରର ଏହି ଦିବଂଗତ ନେତାଙ୍କୁ ‘ଭାରତ ରତ୍ନ’ ଦେବାକୁ ନିଷ୍ପତ୍ତି ନେଇ ଯଥାର୍ଥ ପଦକ୍ଷେପ ନେଇଥିବା ବିରୋଧୀ ମଧ୍ୟ ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବାର ଏକମାତ୍ର ଉଦ୍ଦେଶ୍ୟ ରଖି ୨୮ଟି ବିରୋଧ ରାଜନୈତିକ ଦଳ ଗୋଟିଏ ଛାତ ତଳେ ଏକାଠି ହୋଇଥିବା ବେଳେ ମୋଦୀଙ୍କ ରଣନୀତି ସେମାନଙ୍କ ମେଂଟକୁ ଧ୍ୱସ୍ତ କରିବା ସକାଶେ ଗୋଟିଏ ପରେ ଗୋଟିଏ ଖେଳ ଖେଳୁଥିବା ଏଥିରୁ ସ୍ପଷ୍ଟ ହେଉଛି ।
ଲୋକସଭା ନିର୍ବାଚନକୁ ଆଖିରେ ରଖି ବିରୋଧୀ ଏକାଠି ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଆସନ ବୁଝାମଣା ହୋଇପାରୁନଥିବା ଏବଂ ସେମାନେ ପରସ୍ପର ବିରୋଧରେ ବିଷୋଦଗାର କରୁଥିବା ତୃତୀୟ ଥର ପାଇଁ ବିଜେପି କେନ୍ଦ୍ରରେ କ୍ଷମତା ଦଖଲ କରିବାର ବାଟ ସୁଗମ କରିଛି । ବିରୋଧୀ ମେଂଟରେ ଥିବା ରାଜନୈତିକ ଦଳଙ୍କ ମଧ୍ୟରେ ଆସନ ଭାଗବଂଟା ବିବାଦ ତୁଟୁନଥିବା ବେଳେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ରାଜ୍ୟର ୪୨ଟି ଯାକ ଆସନରେ ଏକାକୀ ନିର୍ବାଚନ ଲଢିବ ବୋଲି ଘୋଷଣା କରି ବିରୋଧୀ ମେଂଟକୁ ଝଟକା ଦେଇଥିବା ବେଳେ ପଂଜାବରେ ମଧ୍ୟ ଆମ୍ ଆଦମୀ ପାର୍ଟି (ଆପ୍) ସମସ୍ତ ୧୩ଟି ଲୋକସଭା ଆସନରେ ପ୍ରାର୍ଥୀ ଦେବ, କଂଗ୍ରେସ ସହ କୌଣସି ବୁଝାମଣା କରିବ ନାହିଁ କହି କଂଗ୍ରେସକୁ ଅଡୁଆରେ ପକାଇଛି । ୟୁପିରେ ସର୍ବାଧିକ ୮୦ଟି ଲୋକସଭା ଆସନ ଥିବା ବେଳେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା ସମାଜବାଦୀ ପାର୍ଟି (ଏସପି) କଂଗ୍ରେସ ସହ ଆସନ ବୁଝାମଣା କରିବାକୁ କେତେଦୂର ରାଜି ହେବ, ତାହା ଅସ୍ପଷ୍ଟ ।
୨୦୨୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ସମାଜବାଦୀ ପାର୍ଟିର ଅଳ୍ପ କେତୋଟି ଆସନ ଦାବିକୁ କେବଳ ପ୍ରତ୍ୟାଖାନ କରିନଥିଲା, ଦଳର ମୁଖ୍ୟ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ଅପମାନିତ କରିବାକୁ କୁଂଠିତ ହୋଇନଥିଲା । ଅଖିଳେଶ ମେଂଟରେ ଥିଲେ ମଧ୍ୟ କଂଗ୍ରେସର ଅପମାନକୁ ଭୁଲି ନାହାନ୍ତି । ସେହିଭଳି, ମହାରାଷ୍ଟ୍ରରେ ଶିବସେନା (ଉଦ୍ଧବ ଠାକରେ), ଏନସିପି ଓ କଂଗ୍ରେସର ମେଂଟ ଥିଲେ ମଧ୍ୟ କଂଗ୍ରେସ ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ଲଟକି ରହିଛି । ବିହାରରେ ନୀତୀଶ କୁମାରଙ୍କ ଜେଡିୟୁ, ଆରଜେଡି ଓ କଂଗ୍ରେସର ମିଳିତ ସରକାର ରହିଛି । ତେବେ, ନୀତୀଶ ଗଲା କିଛି ମାସ ହେଲା ମେଂଟ ନେତାଙ୍କ ମତିଗତିକୁ ନେଇ କ୍ଷୁବ୍ଧ । ସେ ବିରୋଧୀ ମେଂଟର ନେତୃତ୍ୱ ନେବାକୁ ଚାହୁଁଥିଲେ । ତେବେ, କଂଗ୍ରେସ ହାତକୁ ନେତୃତ୍ୱ ଚାଲି ଯାଇଛି । ବଂଶବାଦ ରାଜନୀତି କଥା କହି ସେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡ଼ିକୁ ମଧ୍ୟ କ୍ଷୁବ୍ଧ କରିଛନ୍ତି ।
ସମାଜବାଦୀ ନେତା କର୍ପୁରୀ ଠାକୁରଙ୍କ ଜନ୍ମ ଶତବାର୍ଷିକୀ ପାଳନ ଚାଲିଥିବା ବେଳେ ପାଟନାରେ ଜେଡିୟୁ ଓ ଆରଜେଡି ଭିନ୍ନ ଭିନ୍ନ ଭାବେ ତାହା ଆୟୋଜନ କରିବା, ନୀତୀଶ ବଂଶବାଦ ରାଜନୀତି କଥା କହିବା ପରେ ଲାଲୁଙ୍କ କନ୍ୟା ତାଙ୍କୁ ବାରମ୍ବାର ରଂଗ ବଦଳାଉଥିବା ଏଣ୍ଡୁଅ ବୋଲି ଆକ୍ଷେପ କରିବା ଏବଂ ନୀତୀଶ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସାରେ ଶତମୁଖ ହୋଇ କଂଗ୍ରେସକୁ ସମାଲୋଚନା କରିବା ପ୍ରଭୃତି ଘଟଣାକୁ ପର୍ଯ୍ୟାଲୋଚନା କଲେ ନୀତୀଶ ବିରୋଧୀ ମେଂଟ ହାତଛାଡି ପୁନର୍ବାର ବିଜେପି ହାତ ଧରିବାକୁ ବ୍ୟଗ୍ର ଥିବା ସ୍ପଷ୍ଟ ହେଉଛି । ପାଟନା ଜେଡିୟୁ ସମାବେଶରେ ନୀତୀଶ କୁମାର କର୍ପୁରୀ ଠାକୁରଙ୍କୁ ‘ଭାରତ ରତ୍ନ’ ଦିଆଯିବା ପ୍ରସଙ୍ଗକୁ ନେଇ ଯେଭଳି କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି ଏବଂ କଂଗ୍ରେସକୁ ଆଇନା ଦେଖାଇଛନ୍ତି ସେଥିରୁ ନୀତୀଶ ପୁଣିଥରେ ରଂଗ ବଦଳାଇବାକୁ ଯାଉଥିବା ସ୍ପଷ୍ଟ ହେଉଛି ।
ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପରିସ୍ଥିତିକୁ ଶୁଙ୍ଘି ଫାଇଦା ନେବାରେ ଧୂରିଣ । ଲଗାତର ତୃତୀୟ ଥର ପାଇଁ ସେ ଦେଶର ପ୍ରଧାନମନ୍ତ୍ରୀ ହେବା ବାଟ ଖୋଲୁଥିବା ଦେଖି ବିହାରର ୪୩ ଲୋକସଭା ଆସନ ଦଖଲ ପାଇଁ ଗୋଟି ଚାଳନା କରିଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବିହାରର ୪୩ ଲୋକସଭା ଆସନରୁ ୧୭ଟି ପାଇଥିବା ବେଳେ ଜେଡିୟୁ ୧୬, କଂଗ୍ରେସ ଗୋଟିଏ ଓ ଅନ୍ୟମାନେ ୦୯ଟି ଆସନ ପାଇଥିଲେ । ୨୦୨୪ ଲୋକସଭା ନିର୍ବାଚନ ଆଉ ଦୁଇ ମାସ ଥିବା ଦେଖି ପ୍ରଧାନମନ୍ତ୍ରୀ ମୋଦୀ ସତୁରୀ ଦର୍ଶକର ପଛୁଆ ବର୍ଗଙ୍କ ହୃଦୟ ସମ୍ରାଟ କର୍ପୁରୀ ଠାକୁରଙ୍କୁ ମରଣୋତ୍ତର ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି । ଏହାଦ୍ୱାରା ଗୋଟିଏ ତୀରରେ ଦୁଇଟି ଶିକାର ହୋଇଛି । ପ୍ରଥମ ଶିକାର ନୀତୀଶ ହୋଇଥିବା ବେଳେ ଦ୍ୱିତୀୟ ଶିକାର ହୋଇଛିି କଂଗ୍ରେସ ଏବଂ ଆସନ୍ତା ଲୋକସଭା ନିର୍ବାଚନରେ ବିଜେପିକୁ ପରାଜିତ କରିବା ସ୍ୱପ୍ନ ଦେଖୁଥିବା ବିରୋଧୀ ମେଂଟ । ଏହାକୁ ମୋଦୀଙ୍କ ମାଷ୍ଟର ଷ୍ଟ୍ରୋକ୍ କୁହାଯିବ ନାହିଁ ତ ଆଉ କଣ କୁହାଯିବ ?
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS