ନୀତୀଶ ପୁଣି ରଂଗ ବଦଳାଇଲେ, ବିଜେପି ସମର୍ଥନରେ କାଲି ଶପଥ ନେବେ !


ପ୍ରସାଦ ରାଓ
ଜାନୁୟାରୀ ୨୭
ରାଜନୀତିରେ କେହି ସ୍ଥାୟୀ ଶତୃ ବା ମିତ୍ର ନୁହନ୍ତି । ପରିସ୍ଥିତି ଅନୁସାରେ ଶତୃ, ମିତ୍ର ବଦଳି ଥା’ନ୍ତି । ଏହା ପ୍ରମାଣିତ ହୋଇଛି ବିହାର ରାଜନୀତିରେ । ୨୦୨୨ରେ ବିଜେପିର ହାତ ଛଡି କଂଗ୍ରେସ ଓ ଆରଜେଡି ସହ ମହାଗଠବନ୍ଧନ ସରକାର ପ୍ରତିଷ୍ଠା କରିଥିବା ନୀତୀଶ କୁମାର ପରିସ୍ଥିତି ଚକ୍ରରେ ପୁଣି ଥରେ ବିଜେପିର ହାତ ଧରିଛନ୍ତି । ଆସନ୍ତା କାଲି ସେ ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ୨୦୨୨ରେ ସେ ବିଜେପି ଓ ଏନଡିଏ ସହ ସଂପର୍କ ଛିନ୍ନ କଲା ବେଳେ ତାଙ୍କ ଅଭିଯୋଗ ଥିଲା ବିଜେପି ଜେଡିୟୁ ବିଧାୟକ ଦଳରେ ବିଭାଜନ ସୃଷ୍ଟି କରି ଦଳକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଛି । ଏବେ ପୁଣିଥରେ ବିଜେପିର ହାତ ଧରିବା ବେଳେ ନୀତୀଶଙ୍କ ସମର୍ଥକ କରୁଛନ୍ତି ବିରୋଧୀ ମେଂଟ ‘ଇଣ୍ଡିଆ’ରେ ନୀତୀଶଙ୍କୁ ଉଚିତ ସମ୍ମାନ ନ ମିଳିବାରୁ ଜେଡିୟୁ ନିଜକୁ ମେଂଟରୁ ବିଚ୍ଛନ୍ନ କରିଛି । ନେତା ଯୁଆଡେ ଯିବେ ଦଳ ମଧ୍ୟ ସେହି ରାସ୍ତାରେ ଯିବ ।
ଗତକାଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକାକୀ ରାଜଭବନକୁ ଯାଇ ରାଜ୍ୟପାଳଙ୍କ ଦ୍ୱାରା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ଚା’ ଭୋଜିରେ ଯୋଗ ଦେଇଥିଲେ । ସେ ରାଜ୍ୟପାଳଙ୍କୁ ଭେଟିବା ସମୟରେ ଉପ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବଙ୍କୁ ସାଥିରେ ନଥିବା ଦେଖି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବାରୁ ‘ଯିଏ ଅନୁପସ୍ଥିତି ଅଛି ତାକୁ ପଚାର’ ବୋଲି ନୀତୀଶ ରୁକ୍ଷ ସ୍ୱରରେ ଉତ୍ତର ଦେବାରୁ ରାଜ୍ୟରେ ଜେଡିୟୁ, ଆରଜେଡି ଓ କଂଗ୍ରେସର ମହାଗଠବନ୍ଧନ ଭାଂଗୁ ଥିବା ଏବଂ ନୀତୀଶ ପୁନର୍ବାର ବିଜେପି କୋଳକୁ ଫେରୁଥିବା ଚର୍ଚ୍ଚା ଜୋର ଧରି ଥିଲା । ପରିସ୍ଥିତିର ଗମ୍ଭୀରତାକୁ ଅନୁଭବ କରି ଆରଜେଡି ମୁଖ୍ୟ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ନୀତୀଶଙ୍କୁ ବାରମ୍ବାର ଟେଲିଫୋନ କରିଥିଲେ ମଧ୍ୟ ନୀତୀଶ ଫୋନ ଉଠାଇ ନଥିଲେ । ଏପରିକି, ଲାଲୁ ଲ୍ୟାଣ୍ଡଲାଇନରେ ନୀତୀଶଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ଏହି ଖବର ଗତକାଲି ସନ୍ଧ୍ୟାରେ ନିଆ ଭଳି ବ୍ୟାପିଯିବା ପରେ ନୀତୀଶଙ୍କୁ ନେଇ କଳ୍ପନା ଜଳ୍ପନା ଅଧିକ ଜୋର ଧରିଥିଲା ।
ଏହା ଭିତରେ ‘ଇଣ୍ଡିଆ ଟୁଡେ’ରେ ପ୍ରକାଶିତ ଏକ ରିପୋର୍ଟରେ ବିହାରରେ ଚାଲି ଥିବା ରାଜନୈତିକ ମହାନାଟକ ଉପରୁ ପରଦା ଉଠାଇ ଥିଲା । ନୀତୀଶ ବିହାରରେ ଆରଜେଡି ଓ କଂଗ୍ରେସ ସହ ସଂପର୍କ ଛିନ୍ନ କରି ପୁନର୍ବାର ବିଜେପି ସହ ମେଂଟରେ ସରକାର କରୁଥିବା ଏବଂ ଜାନୁୟାରୀ ୨୮ ତାରିଖ ଦିନ ସେ ରାଜ୍ୟରେ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ଏହି ରିପୋର୍ଟରେ ସୂଚନା ଦିଆଯାଇଥିଲ । ଏଥିରେ ଆହୁରି ମଧ୍ୟ କୁହାଯାଇଛି, ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନୂଆ ସରକାରରେ ତାଙ୍କ ପୁରୁଣା ସହଯୋଗୀ ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ (ବିଜେପି) ପୁନର୍ବାର ଉପ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ମୋଦୀ ପୂର୍ବ ସରକାରରେ ନୀତୀଶଙ୍କ ଉପ ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ୨୦୨୦ରେ ବିଜେପି-ଜେଡିୟୁ ମେଂଟ ସରକାରରେ ବିଜେପି ନେତୃତ୍ୱ ତାଙ୍କୁ ନୀତୀଶଙ୍କ ସହ କାମ କରିବାକୁ ନଦେଇ କେନ୍ଦ୍ରକୁ ନେଇ ଯାଇଥିଲେ । ନୀତୀଶ ଓ ମୋଦୀ ଉଭୟ ଅସନ୍ତୁଷ୍ଟ ଥିଲେ ମଧ୍ୟ ନୀରବ ରହିବାକୁ ବାଧ୍ୟ ହୋଇଥିଲେ ।
ଠିକ୍ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିହାରରେ ନୀତୀଶଙ୍କ ନେତୃତ୍ୱରେ ପରିଚାଳିତ ଜେଡିୟୁ- ଆରଜେଡି-କଂଗ୍ରେସ ମହାଗଠବନ୍ଧନ ସରକାରକୁ ଭାଂଗି ନିଜ ସମର୍ଥିତ ସରକାର ପ୍ରତିଷ୍ଠା କରିବାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ରାଜ୍ୟର ୪୩ ଲୋକସଭା ଆସନରୁ ଅନ୍ତତଃ ୪୦ଟି ନିଜ ହାତକୁ ନେବା । ନୀତୀଶଙ୍କ ସହଯୋଗ ବିନା ଏହା ସମ୍ଭବ ନୁହେଁ ବୋଲି ବିଜେପି ନେତୃତ୍ୱ ଜାଣିଛନ୍ତି ଏବଂ ନିର୍ବାଚନ ପାଖଉ ଥିବା ବେଳେ ବିହାରରେ ଏହି ରାଜନୈତିକ ଖେଳ ଖେଳିଛନ୍ତି । ନୀତୀଶ ଆନୁଷ୍ଠାନିକ ଭାବେ ବିଜେପି ସହ ମେଂଟ ଘୋଷଣା କରିବା ପରେ ସରକାର ନଭାଂଗି ମନ୍ତ୍ରୀ ପରିଷଦରେ ଅଦଲବଦଳ କରିପାରନ୍ତି ଏବଂ ନିଜ ମନ୍ତ୍ରୀ ପରିଷଦରୁ ଆରଜେଡି ମନ୍ତ୍ରୀମାନଙ୍କୁ ହଟାଇ ସେମାନଙ୍କ ସ୍ଥାନରେ ବିଜେପି ବିଧାୟକଙ୍କୁ ନେଇ ପାରନ୍ତି ବୋଲି ମଧ୍ୟ କେତେକ ମହଲରେ ଆଲୋଚନା ହେଉଥିବା ବେଳେ ଆଜି ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେଉଥିବା ସୂଚନା ମିଳିଛି ।
ଏହି ବୈଠକରେ ନୀତୀଶ କୁମାରଙ୍କ ସପକ୍ଷରେ ବିଜେପି ବିଧାୟକମାନଙ୍କ ସମର୍ଥନପତ୍ର ସଂଗ୍ରହ କରାଯିବ ଏବଂ ରାତି ସୁଦ୍ଧା ସେସବୁ ନୀତୀଶଙ୍କୁ ହସ୍ତାନ୍ତର କରାଯିବ । କାଲି ସକାଳ ୧୦ଟାରେ ନୀତୀଶ ତାଙ୍କ ବାସଭବନରେ ଦଳର ବିଧାୟକ, ସାଂସଦ ଓ ନେତାମାନଙ୍କ ବୈଠକ କରି ବିଜେପି ସମର୍ଥନରେ ରାଜ୍ୟରେ ସରକାର ଗଠନ କରୁଥିବା ଘୋଷଣା କରିବେ । ସରକାର ଗଠନ ପାଇଁ ତାଙ୍କ ପଛରେ ଆବଶ୍ୟକ ସଂଖ୍ୟକ ସମର୍ଥନ ଥବା ରାଜ୍ୟପାଳଙ୍କ ନିକଟରେ ପ୍ରଦର୍ଶନ କରିବା ପରେ ଅପରାହ୍ନରେ ନେତୃତ୍ୱ ସରକାର ଶପଥ ନେବେ ବୋଲି ବିଜେପିର ଆଭ୍ୟନ୍ତରୀଣ ସୂତ୍ରରୁ ଖବର ମିଳିଛି । ଏଠାରେ ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୨ରେ ବିଜେପି ଓ ଏନଡିଏ ସହ ସଂପର୍କ ଛିନ୍ନ କରିବା ପରେ ଆରଜେଡ଼ି, କଂଗ୍ରେସ ସମର୍ଥନରେ ସରକାର କରିଥିଲେ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ପରାଜିତ କରି କେନ୍ଦ୍ରରେ ବିରୋଧୀ ମେଂଟ ସରକାର ପ୍ରତିଷ୍ଠା ପାଇଁ ଶପଥ ନେଇଥିଲେ । ଏହି ଲକ୍ଷ୍ୟ ହାସଲ କରିବା ସକାଶେ ସେ ବିରୋଧୀ ଦଳମାନଙ୍କୁ ଏକାଠି କରିବାକୁ ଦେଶର ଅଧିକାଂଶ ରାଜ୍ୟକୁ ଗସ୍ତ କରି ଆଂଚଳିକ ଦଳ ମୁଖ୍ୟମାନଙ୍କ ସହ ଆଲୋଚନା କରିଥିଲେ । ନୀତୀଶଙ୍କ ଉଦ୍ୟମ ବହୁମାତ୍ରାରେ ସଫଳ ହୋଇଥିଲା । ଗତବର୍ଷ ‘ଇଣ୍ଡିଆ’ ନାମରେ ବିରୋଧୀ ମେଂଟ ଗଠନ ହୋଇଥିଲା ।
ନୀତୀଶ ରାଜ୍ୟ ରାଜନୀତିରୁ ଦୂରେଇ ନିଜକୁ ଜାତୀୟ ରାଜନୀତିରେ ସାମିଲ କରିବେ ଏବଂ ବିହାରର ଶାସନ ଭାର ଉପ ମୁଖ୍ୟମନ୍ତ୍ରୀ ଥିବା ତେଜସ୍ୱୀଙ୍କ ହାତରେ ସମର୍ପି ଦେବେ ବୋଲି ମଧ୍ୟ ନୀତୀଶ ସେହି ସମୟରେ ଘୋଷଣା କରିଥିଲେ । ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପୁଅ ତେଜସ୍ୱୀଙ୍କୁ ବିହାର ମୁଖ୍ୟମନ୍ତ୍ରୀ ଆସନରେ ଦେଖିବେ ବୋଲି ଆଶା ବାନ୍ଧି ଥିବା ବେଳେ ନୀତୀଶ ରଂଗ ବଦଳାଇ ପୁନର୍ବାର ବିଜେପି କୋଳକୁ ଫେରିବା ସମସ୍ତଙ୍କୁ ଚକିତ କରିଛି । ନୀତୀଶଙ୍କ ବିଜେପି-ବାହୁଡାର ରହସ୍ୟ ହେଉଛି, ବିରୋଧୀ ମେଂଟର ସେ ‘ପ୍ରଧାନମନ୍ତ୍ରୀ ଚେହେରା’ ହେବାକୁ ଚାହୁଁଥିଲେ ମଧ୍ୟ ମେଂଟ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଅଧ୍ୟକ୍ଷ ନିର୍ବାଚିତ କରିଛି । ନୀତୀଶ ନିଜେ ଏହି ପ୍ରସ୍ତାବ ଦେଇଥିଲେ ସିନା ଅନ୍ତର ଭିତରୁ ତାହା ଚାହୁଁନଥିଲେ । ବିଜେପି ଏହାର ସୁଯୋଗ ନେଇଛି ।
ନୀତୀଶଙ୍କ ସ୍ୱପ୍ନ ଭଂଗ ହେବା ସହ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ସମାଜବାଦୀ ନେତା ତଥା ସ୍ୱର୍ଗତ କର୍ପୁରୀ ଠାକୁରଙ୍କୁ ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ‘ଭାରତ ରତ୍ନ’ରେ ଭୂଷିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ନୀତୀଶଙ୍କ ବିଜେପି-ବାହୁଡା ରାସ୍ତାକୁ ସୁଗମ କରିଛି । ୨୦୨୨ରେ ନୀତୀଶ ବିଜେପି ଓ ଏନଡିଏରୁ ସଂପର୍କ ଛିନ୍ନ କରି ଆରଜେଡି ଓ କଂଗ୍ରେସ ସମର୍ଥନରେ ବିହାରେ ମହାଗଠବନ୍ଧନ ସରକାର କରିବା ସମୟରେ ବିଜେପିର ରାଷ୍ଟ୍ରୀୟ ନେତାମାନେ ତାଙ୍କୁ ‘ପ୍ରତାରକ’ କହି ଆକ୍ଷେପ କରିବା ସହ ନୀତୀଶଙ୍କ ପାଇଁ ବିଜେପିର ଦୁଆର ସବୁ ଦିନ ପାଇଁ ବନ୍ଦ ହୋଇଗଲା ବୋଲି ଘୋଷଣା କରିଥିଲେ । ଏବେ ସେମାନେ ସ୍ୱର ବଦଳାଇ ନୀତୀଶଙ୍କ ଫେରିବା ରାସ୍ତାରେ ନାଲି କାର୍ପେଟ ବିଛାଇବା ବିଜେପିର ରାଜନୈତିକ ବାଧ୍ୟବାଧକତାକୁ ସ୍ପଷ୍ଟ କରୁଛି । ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ବିହାରର ୪୩ ଲୋକସଭା ଆସନରୁ ୪୦ଟି ଜିତିବା ଆଶା ରଖିଛି । ନୀତୀଶଙ୍କ ସମର୍ଥନ ବିନା ତାହା ସମ୍ଭବ ନୁହେଁ ବୋଲି ବିହାରର ବିଜେପି ବିଧାୟକ ଜ୍ଞାନେନ୍ଦ୍ର ସିଂହ ଜ୍ଞାନୁ ନିକଟରେ ପାଟନାଠାରେ କହିଥିଲେ ।
ବିହାର ବିଧାନସଭାର ବିରୋଧୀ ଦଳ ନେତା ବିଜୟ କୁମାର ସିହ୍ନା ମଧ୍ୟ ରାଜ୍ୟରେ ଜେଡିୟୁ-ଆରଜେଡି-କଂଗ୍ରେସ ମହାଗଠବନ୍ଧନ ସରକାର ଭାଂଗୁଥିବା ଏବଂ ଜେଡିୟୁ-ବିଜେପି ମେଂଟ ସରକାର ପ୍ରତିଷ୍ଠା ହେଉଥିବାର ସୂଚନା ଦେଇଥିଲେ । ‘ରାଜନୀତିରେ କାହା ପାଇଁ କେବେ ଦୁଆର ବନ୍ଦ ହୋଇନଥାଏ’ ବୋଲି ବିହାରର ଅନ୍ୟତମ ବିଜେପି ବିଧାୟକ ତାରକେଶ୍ୱର ପ୍ରସାଦ ମଧ୍ୟ ମନ୍ତବ୍ୟ ଦେଇଥିଲେ । ପାଟନା ଓ ଦିଲ୍ଲୀରେ ବିଜେପି ନେତୃବର୍ଗଙ୍କ ଘନ ଘନ ବୈଠକ ପରେ ନୀତୀଶଙ୍କୁ ଏନଡିଏକୁ ଫେରାଇ ଆଣିବା ରଣନୀତି ସଫଳ ହେବାକୁ ଯାଉଥିବା ଜଣାପଡିଛି । ନୀତୀଶଙ୍କ ବିରୋଧରେ ଦଳର କୌଣସି ନେତା ବାହାରେ ପ୍ରତିକୂଳ ମନ୍ତବ୍ୟ ନ ଦେବାକୁ ମଧ୍ୟ ବିଜେପି ନେତୃତ୍ୱ ନିର୍ଦେଶ ଦେଇଥିଲେ । ନୀତୀଶ କୁମାର ଗତ ଦୁଇ ଦଶନ୍ଧୀ ଧରି ବିହାର ରାଜନୀତିରେ ତାଙ୍କ ରଂଗ ବଦଳା ଖେଳ ଖେଳି ଆସୁଛନ୍ତି । କେତେବେଳେ ବିଜେପି ସହ ତ ଆଉ କେତେବେଳେ ଆରଜେଡି-କଂଗ୍ରେସ ଓ ବାମପନ୍ଥୀଙ୍କ ସମର୍ଥନରେ ସରକାର କରି ନିଜେ ମୁଖ୍ୟମନ୍ତ୍ରୀ ରହିଛନ୍ତି ।
୨୦୦୦ ମସିହାରେ ନୀତୀଶ ସ୍ୱଳ୍ପ ସମୟ ପାଇଁ ବିହାରର ମୁଖ୍ୟମନ୍ତ୍ରୀ ରହି ଥିଲେ । ପରେ, ୨୦୦୫ରୁ ୨୦୧୪ ମୁଖ୍ୟମନ୍ତ୍ରୀ ଥିଲେ । ୨୦୦୫ରେ ବିହାରରେ ଏନଡିଏ ବିପୁଳ ଜନସମର୍ଥନ ପାଇବାରୁ ମେଂଟର ନେତା ନିର୍ବାଚିତ ହୋଇ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୩ରେ ବିଜେପି ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାରୁ ନୀତୀଶ କ୍ଷୁବ୍ଧ ହୋଇ ବିଜେପି ସହ ସଂପର୍କ ଛିନ୍ନ କରିଥିଲେ ଏବଂ ଆରଜେଡି ଓ କଂଗ୍ରେସ ସହ ମେଂଟରେ ସରକାର ଚଳାଇ ଥିଲେ । କେନ୍ଦ୍ରରେ ସେ ୟୁପିଏ ସହ ସାମିଲ ହୋଇଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ଜେଡୁୟୁର ବିପର୍ଯ୍ୟୟ ହେବାରୁ ନୀତୀଶ ସେହି ବର୍ଷ ମେ’ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଜୀତନ ରାମ ମାଂଝିଙ୍କୁ କା’ ମୁଖ୍ୟମନ୍ତ୍ରୀ କରିଥିଲେ । ତେବେ, ୨୦୧୫ରେ ସେ ମୁଖ୍ୟମନ୍ତ୍ରୀ ପଦକୁ ଫେରିବାକୁ ଚାହିଁଥିଲେ ମଧ୍ୟ ମାଂଝିଙ୍କୁ ନ ହଟିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ, ପରେ ମାଂଝୀ ଇସ୍ତଫା ଦେଇଥିଲେ ଓ ନୀତୀଶ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
୨୦୧୫ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ-ଆରଜେଡି-କଂଗ୍ରେସ ମହାଗଠବନ୍ଧନ ବିପୁଳ ବିଜୟ ହାସଲ କରିଥିଲା ଓ ନୀତୀଶ ମୁଖ୍ୟମନ୍ତ୍ରୀ ହୋଇ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିଥିଲେ । ତେବେ, ଆରଜେଡ଼ି ବିରୋଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣି ନୀତୀଶ ୨୦୧୭ରେ ମେଂଟ ଭାଂଗି ଥିଲେ ଏବଂ ଏନଡିଏରେ ସାମିଲ ହୋଇ ରାଜ୍ୟରେ ବିଜେପି ସମର୍ଥନରେ ସରକାର ପ୍ରତିଷ୍ଠା କରି ମୁଖ୍ୟମନ୍ତ୍ରୀ ରହିଥିଲେ । ୨୦୨୦ ବିଧାନସଭା ନିର୍ବାଚନରେ ନୀତୀଶ ବିଜେପି ସହ ମିଳିତ ଭାବେ ନିର୍ବାଚନ ଲଢି ସଂଖ୍ୟାଗରିଷ୍ଠତା ପାଇଥିଲା ଥିଲେ ମଧ୍ୟ ବିଧାନସଭାରେ ଜେଡିୟୁ ବିଧାୟକ ସଂଖ୍ୟା କମଯାଇଥିଲା ଏବଂ ବିଜେପିର ଅଧିକ ସଂଖ୍ୟକ ବିଧାୟକ ଥିଲେ ମଧ୍ୟ ନୀତୀଶଙ୍କୁ ମୁଖମନ୍ତ୍ରୀ କରାଯାଇଥିଲା । ଦୁଇ ବର୍ଷ ପରେ ନୀତୀଶ ବିଜେପି ବିରୋଧରେ ବିଶ୍ୱାସଭଂଗ ଅଭିଯୋଗ ଆଣି ଏନଡିଏ ମେଂଟରୁ ଓହରି ଥିଲେ ଏବଂ ପୁନଶ୍ଚ ଆରଜେଡ଼ି ଓ କଂଗ୍ରେସ ସହ ମେଂଟ କରି ରାଜ୍ୟରେ ନୂଆ ସରକାର କରିବା ସହ ମୁଖ୍ୟମନ୍ତ୍ରୀ ରହିଥିଲେ । ୨୦୨୪ ଜାନୁୟାରୀରେ ସେ ପୁନର୍ବାର ବିଜେପି କୋଳକୁ ଫେରୁଛନ୍ତି ।
୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂପ୍ରତ୍ତି ଆରଜେଡ଼ିର ସର୍ବାଧିକ ୭୯ ବିଧାୟକ ଥିବା ବେଳେ ବିଜେପିର ୭୮, ଜେଡିୟୁର ୪୫, କଂଗ୍ରେସର ୧୯ ବିଧାୟକ ରହିଛନ୍ତି । ସ୍ୱାଧୀନ ଓ ଅନ୍ୟମାନେ ମିଶି ୨୨ ବିଧାୟକ ଅଛନ୍ତି । ସେଭଳି, ଲୋକସଭାର ୪୩ ଆସନରୁ ୧୭ଟି ବିଜେପି, ୧୬ଟି ଜେଡିୟୁ, ଗୋଟିଏ କଂଗ୍ରେସ ଓ ୯ଟି ଅନ୍ୟମାନଙ୍କ ହାତରେ ରହିଛି । ଲୋକସଭାରେ ନୀତୀଶ ଓ ବିଜେପିର ସଂଖ୍ୟା ମିଶିଲେ ମୋଟ ୩୩ ହେଉଥିବା ବେଳେ ବିଜେପି ୨୦୨୪ ଲୋକସଭା ନିର୍ବାଚନରେ ବିହାରରେ ୪୦ ଆସନ ଦଖଲ କରିବ ବୋଲି ଟାର୍ଗେଟ ପ୍ରସ୍ତୁତ କରିଛି । ଏହି ଟାର୍ଗେଟ ହାସଲ ପାଇଁ ବିଜେପି ନେତୃତ୍ୱ ନୀତୀଶଙ୍କୁ ମୋହରା କରିଥିବା ବେଳେ ନୀତୀଶ ମଧ୍ୟ ‘ଇଣ୍ଡିଆ’ ମେଂଟକୁ ମଝି ଦରିଆରେ ଛାଡି ବିଜେପି ସହ ହାତ ମିଳାଇବାରେ କୁଂଠିତ ନଥିବା ଭାରତୀୟ ଗଣତନ୍ତ୍ର ପ୍ରତି ବଡ ଉପହାସ ହେବାକୁ ଯାଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS