୭୫ ବର୍ଷରେ ସୁପ୍ରିମ କୋର୍ଟ, ସଂପୂର୍ଣ୍ଣ ଡିଜିଟାଲୀକରଣକୁ ଗୁରୁତ୍ୱ

ପ୍ରସାଦ ରାଓ
ନୂଆଦିଲ୍ଲୀ/ଜାନୁୟାରୀ ୨୮
ଦେଶର ସର୍ବାଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ଆଜି ୭୫ ବର୍ଷରେ ପଦାର୍ପଣ କରିଛି । ୧୯୫୦ ମସିହା ଜାନୁୟାରୀ ୨୮ ତାରିଖରେ ସୁପ୍ରିମ କୋର୍ଟ କାର୍ଯ୍ୟ ଆରମ୍ଭ କରିଥିଲା । ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଥିବା ବେଳେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ କାର୍ଯ୍ୟକ୍ରମରେ ଉପସ୍ଥିତ ବିଚାରପତି ଏବଂ ଆଇନଜୀବୀଙ୍କୁ ସଂବୋଧିତ କରି ଅତିଶୀଘ୍ର ସୁପ୍ରିମ କୋର୍ଟର ଡିଜିଟାଲା ଡାଟାକୁ ଏକ କ୍ଲାଉଡ୍-ଭିତ୍ତିକ ଭିତ୍ତିଭୂମିକୁ ସ୍ଥାନାନ୍ତର କରାଯାଇ ମାଗଣାରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଯିବ ବୋଲି ଘୋଷଣା କରିଛନ୍ତି । ଆଜି ସୁପ୍ରିମ କୋର୍ଟର ଏକ ନୂଆ ୱେବସାଇଟ୍ ମଧ୍ୟ ଉନ୍ମୋଚିତ ହୋଇଛି । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ତାଙ୍କ ଭାଷଣରେ କହିଛନ୍ତି, ସୁପ୍ରିମ କୋର୍ଟ ଏକ ଅନୁଷ୍ଠାନ ଭାବେ ନିଜର ଦକ୍ଷତାକୁ ପ୍ରତିପାଦିତ କରିବାକୁ ହେଲେ ସମ୍ମୁଖରେ ଥିବା ଚ୍ୟାଲେଂଜ ଓ ଅନ୍ୟ ସମସ୍ୟାକୁ ଚିହ୍ନଟ କରିବା ନିତାନ୍ତ ଆବଶ୍ୟକ । ସଂପୂର୍ଣ୍ଣ ଡିଜିଟାଲାଇଜେସନ୍ ମାଧ୍ୟମରେ ସୁପ୍ରିମ କୋର୍ଟର ସମସ୍ତ ରାୟ ଡିଜିଟାଲ ଫର୍ମାଟରେ ଜନସାଧାରଣଙ୍କୁ ଯୋଗାଇବାର ବ୍ୟବସ୍ଥା ହେଉଛି । ୧୯୫୦ ମସିହାରୁ ଆଜି ସୁଦ୍ଧା ସୁପ୍ରିମ କୋର୍ଟର ଯେଉଁ ୫୧୯ଟି ଭଲ୍ୟୁମ (୩୬,୩୦୮ ମାମଲାର) ରିପୋର୍ଟ ରହିଛି ସେସବୁ ଡିଜିଟାଲ ର୍ଫମାଟରେ ୱେବସାଇଟରେ ଉପଲବ୍ଧ ହେବ । ସାଧାରଣ ଜନତା ଯେଭଳି ସହଜରେ ସୁପ୍ରିମ କୋର୍ଟ ରାୟ ସବୁ ପଢି ପାରିବେ ସେଥିବା ପାଇଁ ବୁକ୍ ମାର୍କ, ଇଜି ଆକ୍ସେସ୍ ଏବଂ ସହଜ ଉପଲବ୍ଧ ବ୍ୟବସ୍ଥା ମଧ୍ୟ କରାଯିବ । ସମ୍ବିଧାନ ମାଧ୍ୟମରେ ଦେଶର ଜନତା ସୁପ୍ରିମ କୋର୍ଟକୁ ସର୍ବୋଚ୍ଚ କ୍ଷମା ପ୍ରଦାନ କରିଛନ୍ତି । ପରସ୍ପରକୁ ସମ୍ମାନ ଦେବା ହେଉଛି ଆମର ସାମ୍ବିଧାନିକ ବ୍ୟବସ୍ଥା । ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କର ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି, ସମଗ୍ର ଦେଶର ଜୁଡିସିଆଲ ଡାଟାକୁ ସୁପ୍ରିମ କୋର୍ଟରେ ମନିଟରିଂ କରିବା ନିମନ୍ତେ ଏକ ଅତ୍ୟାଧୁନିକ ବୈଷୟିକ ସୁବିଧା ସଂପନ୍ନ ୱାର୍ ରୁମ୍ ଖୋଲିବା ବ୍ୟବସ୍ଥା ହେଉଛି । ସୁପ୍ରିମ କୋର୍ଟ ତାହାର ସମସ୍ତ ରିପୋର୍ଟକୁ ଅତ୍ୟନ୍ତ ସୁରକ୍ଷିତ ଓ ସାର୍ବଭୌମ କ୍ଲାଉଡ୍-ଭିତ୍ତିକ ଡିଜିଟାଲ ଭିତ୍ତିଭୂମିକୁ ସ୍ଥାନାନ୍ତର କରିବା ସହ ‘ସୁସ୍ୱାଗତ୍’ ନାମକ ଏକ ଅନ-ଲାଇନ୍ ଆପ୍ ବ୍ୟବହାର କରି ୧.୨୩ ଲକ୍ଷ ଇ-ପାସ୍ ପ୍ରସ୍ତୁତ କରିଛି । ୟୁଜରମାନେ (ବ୍ୟବହାରକାରୀ) ଏହି ‘ଆପ୍’ରେ ନିଜକୁ ପଂଜୀକୃତ କରି କୋର୍ଟ ପ୍ରୋସିଡିଂରେ ଯୋଗ ଦେବା , ଓକିଲଙ୍କ ସହ ଯୋଗଯୋଗ କରିବା ଏବଂ ଅନ୍ୟାନ ଆଇନଗତ କାର୍ଯ୍ୟ ପାଇଁ ଇ-ପାସ୍ ଆବେଦନ କରି ପାରିବେ । ଆଜି ଦିନରେ ଅଧିକରୁ ଅଧିକ ସଂଖ୍ୟକ ମହିଳାଙ୍କୁ ଆଇନ ପେଶାର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଦେଖିବାକୁ ମିଳୁଛି ବୋଲି ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ସୂଚନା ଦେବାକୁ ଯାଇ କହିଛନ୍ତି, ପୂର୍ବରୁ ଆଇନ ପେଶା ବୁଦ୍ଧୀଜୀବୀଙ୍କ ମଧ୍ୟରେ ସୀମିତ ଥିଲା । ଆଜି ଦିନରେ ଜିଲ୍ଲାସ୍ତରୀୟ ବିଚାର ବିଭାଗରେ ୩୬ ପ୍ରତିଶତ ମହିଳା ପେଶାଦାର ରହିଛନ୍ତି । ଏବେ ଯେଉଁମାନେ ଚୟନ ହେଉଛନ୍ତି ସେମାନଙ୍କ ମଧରୁ ୫୦ ପ୍ରତିଶତରୁ ଅଧିକ ହେଉଛନ୍ତି ମହିଳା । ବିଚାରପତିମାନଙ୍କ ଲ’ କ୍ଲର୍କ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ୟା ହେଉଛି ୪୧ ପ୍ରତିଶତ । ଏଠାରେ ସୂଚନାଯୋଗ୍ୟ ଯେ, ଗତ ସପ୍ତାହରେ ସୁପ୍ରିମ କୋର୍ଟ ଦ୍ୱାରା ବରିଷ୍ଠ ଆଇନଜୀବୀ ମାନ୍ୟତା ପାିଥିବା ଓକିଲଙ୍କ ମଧ୍ୟରୁ ୧୧ ଜଣ ହେଉଛନ୍ତି ମହିଳା । ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଅଦାଲତଗୁଡିକରେ ବର୍ଷ ବର୍ଷ ଧରି ଯେଉଁ ମାମଲା ଗଡାଇବାର ସଂସ୍କୃତି (ମୁଲତବୀ ସଂସ୍କୃତି) ଚାଲି ଆସିଛି ସେଥିରୁ ବିଚାର ବ୍ୟବସ୍ଥାକୁ ମୁକ୍ତ କରିବା ଏବଂ କୋର୍ଟ କଚେରୀରେ ବିଚାରାଧୀନ ପଡି ରହିଥିବା ମାମଲାଗୁଡିକର ତୁରନ୍ତ ଫଇସଲା ଦିଗରେ ନିକଟ ଭବିଷ୍ୟତରେ ପଦକ୍ଷେପ ନିଆଯିବ ବୋଲି ମଧ୍ୟ କହିଛନ୍ତି ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS