ନୀତୀଶ ଶପଥ ନେଲେ, ତେଜସ୍ୱୀ କହିଲେ – ‘ଖେଳ ସରିନି, ଆଗକୁ ଜାରି ରହିବ’…

ପ୍ରସାଦ ରାଓ
ପାଟନା/ଜାନୁୟାରୀ ୨୮
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଆରଜେଡି ଓ କଂଗ୍ରେସ ସହ ସଂପର୍କ ଛିନ୍ନ କରି ବିଜେପି ସମର୍ଥନରେ ନୂଆ ସରକାର ଗଠନ କରିବା ପରେ ନବମ ଥର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅପରାହ୍ନରେ ରାଜଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀଙ୍କ ସମେତ ଲୋକଜନଶକ୍ତି ପାର୍ଟି ନେତା ଚିରାଗ ପାଶ୍ୱାନ, ବିଜେପିର ସମ୍ରାଟ ଚୌଧୁରୀ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ୨୦୨୦ରେ ଅନୁଷ୍ଠିତ ବିହାର ବିଧାନସଭା ନିର୍ବାଚନରେ ନୀତୀଶ ବିଜେପି ସହ ମେଂଟରେ ଥିଲେ । ମେଂଟ ବହୁମତ ପାଇବା ପରେ ନୀତୀଶ କୁମାର ଜେଡିୟୁର କମ୍ ବିଧାୟକ ଥାଇ ମଧ୍ୟ ବିଜେପି ସମର୍ଥନରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଥିଲେ । ଦୁଇ ବର୍ଷ ସରକାର ଚାଲିବା ପରେ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣି ନୀତୀଶ ୨୦୨୨ରେ ସଂପର୍କ ଛିନ୍ନ କରିଥିଲେ ଏବଂ ଆରଜେଡି, କଂଗ୍ରେସ ଓ ବାମପନ୍ଥୀଙ୍କ ସହ ମହାମେଂଟ କରି ସରକାର ଗଠନ କରିବା ସହ ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ଓ ଗୋନୀୟତାର ଶପଥ ନେଇଥିଲେ । ୨୦୨୫ରେ ନୀତୀଶ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି (୨୦୨୪ ଜାନୁୟାରୀ ୨୮ ତାରିଖ) ଆରଜେଡି, କଂଗ୍ରେସ ଓ ବାମପନ୍ଥୀଙ୍କ ସହ ମେଂଟରେ ଗଢିଥିବା ମହାଗଠବନ୍ଧନ ସରକାରକୁ ଭାଂଗି ଦେଇ ପୁନର୍ବାର ବିଜେପି କୋଳକୁ ଫେରିବା ସହ ଜେଡିୟୁ-ବିଜେପି ମେଂଟ ସରକାରର ନେତା ଭାବେ ନବମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ୨୦୨୦ରୁ ୨୦୨୪ ଜାନୁୟାରୀ ମଧ୍ୟରେ ସେ ଦୁଇ ଥର ସରକାର ଭାଂଗିଛନ୍ତି ଓ ତିନି ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଜି ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ତାଙ୍କ ସହ ମନ୍ତ୍ରୀ ଭାବେ ବିଜେପିର ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ମଧ୍ୟ ଶପଥ ନେଇଛନ୍ତି । ହିନ୍ଦୁସ୍ଥାନୀ ଆୱାମୀ ମୋର୍ଚ୍ଚା (ଧର୍ମନିରପେକ୍ଷ)ର ସଭାପତି ଡକ୍ଟର ସନ୍ତୋଷ ମୋହନ ସୁମନ ମଧ୍ୟ ଶପଥ ଗ୍ରହଣ କରିଥିବା ସୂଚନା ମିଳିଛି । ନୀତୀଶ ତାଙ୍କ ପୂର୍ବ ମନ୍ତ୍ରୀ ପରିଷଦରୁ ରାତାରାତି ଆରଜେଡି ମନ୍ତ୍ରୀମାନଙ୍କୁ ହଟାଇ ବିଜେପି ବିଧାୟକଙ୍କୁ ନେଇ ନୂଆ କ୍ୟାବିନେଟର ରୂପରେଖ ପ୍ରସ୍ତୁତ କରିଥିଲେ । ନୀତୀଶଙ୍କ ଏହି ଖେଳର ଉତ୍ତର ଦେବାକୁ ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି, ବିହାରରେ ରାଜନୈତିକ ଖେଳ ସରି ନାହିଁ, ଆଗକୁ ଆହୁରି ବାକି ଅଛି । ୨୦୨୪ରେ ଜେଡିୟୁର ଅନ୍ତିମ ସମୟ ଆସୁଛି । ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର କହିଛନ୍ତି, ବିଜେପି ସହ ନୀତୀଶଙ୍କ ମେଂଟ ବେଶି ଦିନ ତିଷ୍ଠିବ ନାହିଁ । ଅତି ବେଶିରେ ଛଅ ମାସ ଚାଲିବ । ଲୋକସଭା ନିର୍ବାଚନ ପରେ ବିଜେପି-ଜେଡିୟୁ ମେଂଟ ଭାଂଗିଯିବ । ତାହା ପରେ ନୀତୀଶ ଯାହା ସହିତ ମେଂଟ କରନ୍ତୁ ନା କାହିଁକି ୨୦୨୫ ବିହାର ବିଧାନସଭା ନିର୍ବାଚନରେ ତାଙ୍କ ଦଳ ୨୦ରୁ ଅଧିକ ଆସନ ଜିତି ପାରିବ ନାହିଁ । ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ନୀତୀଶ ପ୍ରତାରଣାରେ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ବିଜେପି ମଧ୍ୟ ଅଧିକ ଦୁର୍ବଳ ସ୍ଥିତିରେ ପହଂଚିଛି । ବିହାରରେ ନୀତୀଶ କୁମାର ୨୦୦୦ ମସିହାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଆରେଜଡି (ରାଷ୍ଟ୍ରୀୟ ଜନତା ଦଳ) ଓ ତାହାର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ବିରୋଧ କରି ନୀତୀଶ କ୍ଷମତାକୁ ଆସିଥିଲେ । ୨୦୧୩ରେ ସେ ଏନଡିଏରୁ ଓହରି ଯାଇଥିଲେ ଓ ୨୦୧୫ରେ ଆରଜେଡି ସହ ମେଂଟରେ କ୍ଷମତାକୁ ଆସିଥିଲେ । ୨୦୧୭ରେ ଆରଜେଡି ସହ ସଂପର୍କ ତୁଟାଇ ବିଜେପି ସହ ସରକାର ଗଢିଥିଲେ । ୨୦୨୨ରେ ବିଜେପି ସହ ସଂପର୍କ ତୁଟାଇ ଆରଜେଡି, କଂଗ୍ରେସ ଓ ବାମପନ୍ଥୀଙ୍କ ସମର୍ଥନରେ ସରକାରରେ ରହିଥିଲେ । ୨୦୨୪ ଜାନୁୟାରୀ ୨୮ ତାରିଖରେ ଆରଜେଡି, କଂଗ୍ରେସ ଓ ବାମପନ୍ଥୀଙ୍କ ସହ ସଂପର୍କ ଛିନ୍ନ କରି ପୁନର୍ବାର ବିଜେପି ସମର୍ଥନରେ ସରକାର କରିଛନ୍ତି ଓ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଛନ୍ତି । ବିରୋଧୀ ମେଂଟ ‘ଇଣ୍ଡିଆ’ରେ ତାଙ୍କୁ ଉଚିତ ସମ୍ମାନ ନ ମିଳିବାରୁ ଓ କଂଗ୍ରେସ ବାରମ୍ବାର ତାଙ୍କୁ ଅପମାନିତ କରିବାରୁ ସେ ପୁଣିଥରେ ଏନଡିଏ ସହ ସଂପର୍କ ଯୋଡିଥିବା ନୀତୀଶ ଆଜି ସକାଳେ କହିଥିବା ବେଳେ କଂଗ୍ରେସ କହିଛି, ନୀତୀଶଙ୍କ ମତଗତିକୁ ନେଇ ଦଳ ଆଗରୁ ଅବଗତ ଥିଲା, କିନ୍ତୁ ବିରୋଧୀ ମେଂଟ ‘ଇଣ୍ଡିଆ’ର ସ୍ୱାର୍ଥକୁ ଆଖିରେ ରଖି ଚୁପ୍ ରହିଥିଲା । ଏଆଇସିସି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ନୀତୀଶଙ୍କ ଏହା ସୁଚିନ୍ତିତ ଯୋଜନା ଥିଲା । ସେ କଂଗ୍ରେସ ଓ ଆରଜେଡିକୁ ଅନ୍ଧାରରେ ରଖିଥିଲେ ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS