ଖାର୍ଗେଙ୍କ ଚେତାବନୀ: ବିଜେପିକୁ କ୍ଷମତାରୁ ହଟାଅ, ନହେଲେ ଗଣତନ୍ତ୍ର ଆଉ ରହିବ ନାହିଁ

ପ୍ରସାଦ ରାଓ
ଭୁବନେଶ୍ୱର/ଜାନୁୟାରୀ ୨୯
ଅଗାମୀ ସଧାରଣ ନିର୍ବାଚନରେ ଦେଶବାସୀ ବିଜେପି-ଆରଏସଏସ୍ ବିରୋଧରେ ମତଦାନ କରନ୍ତୁ । ନହେଲେ ଦେଶରେ ଗଣତନ୍ତ୍ର ବୋଲି ଆଉ କିଛି ରହିବ ନାହିଁ । ଏହା କହିଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ । ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ଏକ ଜନସଭାରେ ଉଦ୍ବୋଧନ ଦେଇ ଖାର୍ଗେ ଏଭଳି ଚେତାବନୀ ଦେଇଛନ୍ତି । ଖାର୍ଗେ ଏଆଇସିସି ସଭାପତି ହେବା ପରେ ଆଜି ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସି ଏହି ଜନସଭାରେ ଉଦ୍ବୋଧନ ଦେଇଥିଲେ । ସେ ତାଙ୍କ ଭାଷଣରେ ଉଭୟ ଓଡ଼ିଶାର ବିଜେଡ଼ି ସରକାର ଏବଂ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଖାର୍ଗେ କହିଲେ, କଂଗ୍ରେସ ଶାନରେ ଦେଶରେ କିଛି ହୋଇ ନାହିଁ ବୋଲି ବିଜେପି ଅଭିଯୋଗ କରୁଛି । ତେବେ, ଦେଶରେ ଯାହା କିଛି ବିକାଶ ହୋଇଛି କଂଗ୍ରେସ ଶାସନ ସମୟରେ । ମୋଦୀ ସରକାର କଣ କରିଛନ୍ତି (?) ବୋଲି ଖାର୍ଗେ ପ୍ରଶ୍ନ କରିଛନ୍ତି । ଓଡ଼ିଶାରେ ମଧ୍ୟ ଯାହା କିଛି ବଡ ପ୍ରକଳ୍ପ ହୋଇଛି କଂଗ୍ରେସ ଦଳ କ୍ଷମତାରେ ଥିବା ସମୟରେ । ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ପାରାଦୀପ ବନ୍ଦର, ରାଉରକେଲା ଇସ୍ପାତ କାରଖାନା, ହିରାକୁଦ ଡ୍ୟାମ୍ ଭଳି ବଡ ବଡ ପ୍ରକଳ୍ପ ସବୁ କରିଥିଲେ । ନାଲକୋ, ହାଲ୍ ଭଳି ମେଗା ପ୍ରକଳ୍ପ ମଧ୍ୟ କଂଗ୍ରେସ ସରକାର ଅମଳରେ କାର୍ଯ୍ୟକାରୀ ହୋଇଛି । ବିଜୁ ବାକୁ କଂଗ୍ରେସରେ ଥିଲେ ଏବଂ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସହ ତାଙ୍କ ସଂର୍ପ ଘନିଷ୍ଠ ରହିଥିଲା । ଏବେ, ଓଡ଼ିଶାରେ ଯେଉଁ ପଟ୍ଟନାୟକ (ନବୀନ ପଟ୍ଟନାୟକ) ଶାସନରେ ଅଛନ୍ତି ତାଙ୍କର ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଘନିଷ୍ଠତା ରହିଛି । ଏହା ହିଁ ବିଡମ୍ବନା ବୋଲି ଖାର୍ଗେ କହିଛନ୍ତି । ବିଜେପି-ବିଜେଡି ସଂପର୍କକୁ ନେଇ ଖାର୍ଗେ କଟାକ୍ଷ କରିବା ସହ ଗତ ୨୪ ବର୍ଷ ମଧ୍ୟରେ ଓଡ଼ିଶାରେ କେଉଁ ବଡ ପ୍ରକଳ୍ପ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି । ନିକଟରେ ବିଜେପି-ବିଜେଡ଼ିକୁ କଂଗ୍ରେସ ବିବାହ ବନ୍ଧନରେ ବାନ୍ଧି ଥିବା କଂଗ୍ରେସର ରାଜ୍ୟ ପ୍ରଭାରୀ ଡକ୍ଟର ଅଜୟ କୁମାର କହିଥିବା ବେଳେ ଏହି ବିବାହ ବହୁ ଆଗରୁ ହୋଇସାରିଛି ବୋଲି ଏଆଇସିସି ସଭାପତି କଟାକ୍ଷ କରିଛନ୍ତି । କଂଗ୍ରେସର ଯେଉଁ ଲଢେଇ ଚାଲିଛି ତାହା ଦେଶରେ ଗଣତନ୍ତ୍ରକୁ ଜୀବୀତ ରଖିବା ପାଇଁ । ସେମାନେ ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ବିଷ ବାଂଟୁଥିବା ବେଳେ ଆମେ ସଂପ୍ରିତିର ଦୋକାନ ଖୋଲିଛୁ । ରାହୁଲ ଗାନ୍ଧୀ ‘ମୋହୋବତ୍ କି ଦୁକାନ’ କଥା ଯାହା କହୁଛନ୍ତି ତାହା ଆଜି କଂଗ୍ରେସର ମୂଳ ଲକ୍ଷ୍ୟ ରହିଛି । ବିଷକୁ ନେଇ ଆମେ ଚେତାଇ ଦେଉଛୁ । ଯଦି କେହି ଜାଣିବା ପରେ ମଧ୍ୟ ବିଷ ଚାଖିବାକୁ ଚାହିଁବ – ତା’ହେଲ ମୃତ୍ୟୁ ସୁନିଶ୍ଚିତ ବୋଲି ଖାର୍ଗେ କହିଛନ୍ତ । ଓଡ଼ିଶାବାସୀ ଆସନ୍ତା ନିର୍ବାଚନରେ କଂଗ୍ରେସ ସପକ୍ଷରେ ଭୋଟ ଦେଇ ଗଣତନ୍ତ୍ରକୁ ବଂଚାଇବାରେ ସହାୟକ ହେବାକୁ ସେ ନିବେଦନ କରିଛନ୍ତି । ଖାର୍ଗେ ଆଜି ଅପରାହ୍ନ ଗୋଟାଏ ୪୫ ମିନିଟରେ ଭୁବନେଶ୍ୱରରେ ପହଂଚିବା ପରେ ପିସିସି ପକ୍ଷରୁ ତାଙ୍କୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ବିପୁଳ ସ୍ୱାଗତ ସଂବର୍ଦ୍ଧନା ଦିଆଯାଇଥିଲା । ସେଠାରୁ ବିରାଟ ଶୋଭାଯାତ୍ରାରେ ପିସିସି କାର୍ଯ୍ୟାଳୟ ଓ ପରେ ଲୋୟର ପିଏମଜି ସଭାସ୍ଥଳକୁ ଅଣାଯିବା ପରେ ସେଠାରେ ପିସିସି ସଭାପତି ଶରତ ପଟ୍ଟନାୟକ, ଏଆଇସିସି ଦ୍ୱାରା ଓଡ଼ିଶା ପାଇଁ ନିଯୁକ୍ତ ପ୍ରଭାରୀ ଡ.ଅଜୟ କୁମାର, ପିସିସିର ପୂର୍ବତନ ସଭାପତି ଓ କର୍ମକର୍ତ୍ତାମାନେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ । ରାଜ୍ୟ କଂଗ୍ରେସର ସମସ୍ତ ବଡ ନେତା, ବିଭିନ୍ନ ଆଗୁଆ ସଂଗଠନର କାର୍ଯ୍ୟକର୍ତ୍ତା ଏବଂ ୩୦ଟି ଜିଲ୍ଲାରୁ ଆସି ଭୁବନେଶ୍ୱର ଲୋୟର ପିଏମଜିରେ ଏକତ୍ରୀତ ହୋଇଥିବା କଂଗ୍ରେସ ନେତା ଓ କର୍ମୀମାନେ ଖାର୍ଗେଙ୍କ ସଭାକୁ ସଫଳ କରିଥିଲେ । ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଏଭଳି ଉତ୍ସାହ ଦେଖିବାକୁ ମିଳିଥିଲା । କଂଗ୍ରେସର ଏହି ‘ଓଡ଼ିଶା ବଂଚାଅ ଅଭିଯାନ’ ଆଗାମୀ ଦିନରେ ଜାରି ରହିବ ଏବଂ ଦଳର ଜାତୀୟ ସଭାପତି ଖାର୍ଗେଙ୍କ ଆହ୍ୱାନ ରାଜ୍ୟର ଗାଁ ଗହଳିରେ ପହଂଚାଇବା ଦିଗରେ କଂଗ୍ରେସ ନେତା ଓ କର୍ମୀମାନେ ମନପ୍ରାଣ ଦେଇ କାର୍ଯ୍ୟ କରିବେ ବୋଲି ରାଜ୍ୟ ନେତୃତ୍ୱ ପକ୍ଷରୁ କୁହାଯାଇଛି ।
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS