ଇଂଡିଆ ମେଂଟ ଉଜୁଡିବା ଉପରେ ?

ପ୍ରସାଦ ରାଓ
ଜାନୁୟାରୀ ୩୦
୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାଜିତ କରିବା ଉଦ୍ଦେଶ୍ୟରେ ଗତ ବର୍ଷ ମଧ୍ୟଭାଗରେ ୨୮ଟି ବିରୋଧୀ ଦଳଙ୍କୁ ନେଇ ଗଠିତ ‘ଇଣ୍ଡିଆ’ ମେଂଟ ଭୁଶୁଡିବା ଆରମ୍ଭ କରିଛି । ବିରୋଧୀ ମେଂଟ ଗଠନରେ ପ୍ରମୁଖ ଭୂମିକା ନେଇଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଦେଶରେ ସାଧାରଣ ନିର୍ବାଚନ ହେବାକୁ ମାତ୍ର ଦୁଇ ମାସ ଥିବା ବେଳେ ସେ ମେଂଟ ନେତାଙ୍କୁ ଚକିତ କଲା ଭଳି ଗତ ୨୮ ତାରିଖ ଦିନ ବିଜେପି ଶିବିରକୁ ଫେରି ବିହାରରେ ନୂଆ ସରକାର ଗଠନ କରିଛନ୍ତି । ନୀତୀଶ ବିହାରରେ ଆରଜେଡ଼ି, କଂଗ୍ରେସ ଓ ବାମପନ୍ଥୀଙ୍କ ହାତଛାଡି ପୁନର୍ବାର ବିଜେପିର ହାତ ଧରିବା ଓ ବିଜେପି ବିଧାୟକଙ୍କ ସହାୟତାରେ ରାଜ୍ୟରେ ନୂତନ ସରକାର ଗଠନ କରିବା ‘ଇଣ୍ଡିଆ’ ମେଂଟ ପାଇଁ ବଡ ଝଟକା ହୋଇଥିବା ବେଳେ ବିଜେପି ପାଇଁ ବଡ ବିଜୟ ହୋଇଛି । ବିଜେପି ଆସନ୍ତା ଲୋକସଭା ନିର୍ବାଚନରେ ବଡ ବିଜୟ ପାଇଁ ଯେଉଁ ରଣନୀତି ପ୍ରସ୍ତୁତ କରିଛି ସେଥିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମୋହରା କରିଥିବା କାହାରିକୁ ଅଛପା ନାହିଁ । ତେବେ, କେବଳ ନୀତୀଶ କୁମାର ନୁହଁନ୍ତି, ଆଗାମୀ ଦିନରେ ଆଉ କିଛି ବିରୋଧୀ ମେଂଟ ନେତା ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ବିଜେପିର ଶିକାର ହେବାକୁ ଯାଉଥିବା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଉପରେ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ)ର ବଢୁଥିବା ଚାପକୁ ଦେଖିଲେ ସ୍ପଷ୍ଟ ଅନୁମାନ କରି ହେଉଛି ।
ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ତଥା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ୨୦୨୦ରୁ ୨୦୨୨ ମଧ୍ୟରେ ଜାଲ୍ କାଗଜପତ୍ରରେ ଆଦିବାସୀ ଜମି କିଣା, ବିକା କରିଥିବା ଅଭିଯୋଗରେ ଇଡି ମାମଲାରେ ଫସିଛନ୍ତି । ଏହି ଜମି ଜାଲିଆତି ମାମଲାରେ ଝାଡଖଣ୍ଡର କିଛି ସରକାରୀ ଅଧିକାରୀଙ୍କୁ ସିବିଆଇ ଓ ଇଡି ଜେରା କରି ଗିରଫ କରିବା ପରେ ମୁଖ୍ୟମନ୍ତ୍ରୀ ସୋରେନଙ୍କ ବିରୋଧରେ ଏକ ମନିଲଂଡରିଂ (ବ୍ୟାପକ ଆର୍ଥିକ ଅନିୟମିତତା) ମାମଲା କରିଛନ୍ତି । ଏହି ମାମଲାରେ ଜେରା ପାଇଁ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଗତ ବର୍ଷ ଅଗଷ୍ଟ ୧୪ରୁ ଚଳିତ ବର୍ଷ ଜାନୁୟାରୀ ୧୩ତାରିଖ ମଧ୍ୟରେ ଆଠ ଥର ନୋଟିସ କରିଥିଲେ । ତେବେ, ଇଡିର ଏହି ମାମଲା ଓ ସମନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହି ସୋରେନ ତାହାକୁ ଏଡାଇ ଆସିଥିଲେ । ତେବେ, ଇଡି ନବମ ଥର ପାଇଁ ସମନ କରିବା ପରେ ଜାନୁୟାରୀ ୨୦ ତାରିଖ ଦିନ ନିଜ ସରକାରୀ ବାସଭବନରେ ଜେରା ପାଇଁ ସୋରେନ ଇଡି ଅଧିକାରୀମାନଙ୍କୁ ଅନୁମତି ଦେଇଥିଲେ ।
ଜାନୁୟାରୀ ୨୦ ତାରିଖ ଦିନ ଇଡି ସୋରେନଙ୍କୁ ଦୀର୍ଘ ସମୟ ଜେରା କରିବା ପରେ ପୁଣି ଥରେ ଜେରା କରିବାକୁ ନୋଟିସ ଦେଇଥିଲା । ଜାନୁୟାରୀ ୨୯ ବା ୩୧ ତାରିଖରେ ସମୟ ଦେଲେ ଇଡି ଅଧିକାରୀମାନେ ତାଙ୍କ ସରକାରୀ ବାସଭବନରେ ପହଂଚି ଜେରା କରିବେ ବୋଲି ନୋଟିସ କରିବା ସହ କିଛି କାଗଜପତ୍ର ଉପସ୍ଥାପନ କରିବାକୁ କହିଥିଲେ । ତେବେ, ନୋଟିସ ପାଇବା ପରେ ମୁଖ୍ୟମନ୍ତ୍ରୀ ସୋରେନ ତାହାର କୌଣସି ଉତ୍ତର ଦେଇନଥିବା ଦର୍ଶାଇ ଗତକାଲି ଦିଲ୍ଲୀରେ ପୁଲିସ ଓ କେନ୍ଦ୍ରୀୟ ଯବାନଙ୍କ ସହାୟତାରେ ତାଙ୍କ ଦିଲ୍ଲୀ ବାସଭବନରେ ଚଢାଉ କରିଥିଲେ । ତେବେ, ସୋରେନ ଘରେ ଉପଲବ୍ଧ ନଥିଲେ ଓ ତାଙ୍କ ଫୋନ ବନ୍ଦ ଥିଲା । ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ଫୋନ ମଧ୍ୟ ବନ୍ଦ ରହିଥିଲା । ତେଣୁ, ଗିରଫ ଭୟରେ ମୁଖ୍ୟମନ୍ତ୍ରୀ ନିଖୋଜ ହୋଇଯାଇଛନ୍ତି ବୋଲି ସତର୍କ ସୂଚନା ଜାରି ହୋଇଥିବା ବେଳେ ଝାଡଖଣ୍ଡ ବିଜେପି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ‘ଏକ୍ସ’ରେ ସୋରେନଙ୍କ ଫଟୋ ସହ ଏକ ପୋଷ୍ଟ୍ କରି ‘ମୁଖ୍ୟମନ୍ତ୍ରୀ ନିଖୋଜ’, ତାଙ୍କ ସଂପର୍କରେ ଯିଏ ସଠିକ ସୂଚନା ଦେବ ନଗଦ ୧୧ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲେ । ଏହି ବିଜ୍ଞାପନ ତଳେ ମୁଖ୍ୟମନ୍ତ୍ରୀଙ୍କ ରାଂଚି ବାସଭବନ ଠିକଣା ରହିଥିଲା ।
ମୁଖ୍ୟମନ୍ତ୍ରୀ ସୋରେନ କେଉଁଠି ଅଛନ୍ତି ଯଦି ଝାଡଖଣ୍ଡ ପୁଲିସ ଜାଣିନି ତେବେ ଏହା ଗୁରୁତର ବ୍ୟାପାର ଏବଂଏହାଦ୍ୱାରା ରାଜ୍ୟରେ ସାମ୍ବିଧାନିକ ସଂକଟ ସୃଷ୍ଟି ହୋଇଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ମାରାଣ୍ଡି ରାଂଚିରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିବା ବେଳେ ଇଡି ଅଧିକାରୀମାନେ ଗତକାଲି ସେରେନଙ୍କୁ ତାଙ୍କ ଦିଲ୍ଲୀ ବାସଭବନ ବା ଦିଲ୍ଲୀ ଝାଡଖଣ୍ଡ ଭବନରେ ନପାଇ ଘରୁ ନଗଦ ୩୬ ଲକ୍ଷ ଟଙ୍କା ଓ ଗୋଟିଏ ବିଏମଡବ୍ଲୁ ଗାଡି ଜବତ କରି ଫେରିଥିବା ଜଣାପଡିଛି । ତେବେ, ସୋରେନ ଆଜି ରାଂଚି ଫେରି ସରକାରରେ ଥିବା ମେଂଟ ବିଧାୟକମାନଙ୍କ ସହ ବୈଠକ କରିଛନ୍ତି । ଅପରପକ୍ଷରେ, ସୋରେନ ୩୧ ତାରିଖରେ ଇଡି ଜେରାର ସମ୍ମୁଖୀନ ହେବେ ବୋଲି ଏକ ମେଲ୍ ପଠାଇ ଥିବା ଇଡି ପକ୍ଷରୁ ପରେ କୁହାଯାଇଛି । ଯଦି ମୁଖ୍ୟମନ୍ତ୍ରୀ ସୋରେନ ଇଡିକୁ ମେଲ୍ କରି ଜାନୁୟାରୀ ୩୧ ତାରିଖରେ ଜେରାର ସମ୍ମୁଖୀନ ହେବେ ବୋଲି ଜଣାଇ ଥିଲେ ତେବେ ଗତକାଲି ଇଡି ଓ ବିଜେପି ପକ୍ଷରୁ ଏଭଳି ପ୍ରହସନ କାହିଁକି ହୋଇଥିଲା ବୋଲି ପ୍ରଶ୍ନ ହେଉଛି । ରାଂଚିରେ ଗଣମାଧ୍ୟମ ପ୍ରତିନିଧିମାନେ ସୋରେନଙ୍କୁ ପ୍ରଶ୍ନ କରିବାରୁ ‘ସେ ସବୁ କଥା ଜଣାଇବେ’ ବୋଲି ସେମାନଙ୍କୁ କହିଥିବା ସୂଚନା ମିଳିଛି ।
ରାଜ୍ୟରେ ଜେଏମଏମ, କଂଗ୍ରେସ ଓ ଆରଜେଡିର ମେଂଟ ସରକାର ରହିଛି । ଜେଏମଏମ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗରେ ଥିବା କହିଥିବା ବେଳେ ମେଂଟ ସରକାରରେ ଅଂଶୀଦାର ଥିବା କଂଗ୍ରେସ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ବିଜେପି ‘ମୁଖ୍ୟମନ୍ତ୍ରୀ ନିଖୋଜ’ ପୋଷ୍ଟର ଜାରି କରିବା ସହ ଷଡଯନ୍ତ୍ର ରଚିଛି ବୋଲି ଅଭିଯୋଗ କରିଛି । ଅପରପକ୍ଷରେ ଝାଡଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନ କହିଛନ୍ତି, ରାଜ୍ୟରେ ଉପୁଜି ଥିବା ପରିସ୍ଥିତି ଉପରେ ସେ ସତର୍କ ଦୃଷ୍ଟି ରଖିଛନ୍ତି । ଏହା ତାଙ୍କ ଦାୟିତ୍ୱ ଏବଂ ସେ ତାହା ନିର୍ବାହ କରୁଛନ୍ତି । ‘ଯେତେବେଳେ ସୀମା ଲଂଘିବ ଆମେ ସୀମା ପାର କରିବୁ । କେହି ଆଇନର ଉର୍ଦ୍ଧରେ ନୁହନ୍ତି’ ।ମେଂଟର ସମସ୍ତ ବିଧାୟକଙ୍କୁ ରାଂଚିରେ ଉପସ୍ଥିତ ରହିବାକୁ କୁହାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସୋରେନ କାଲି ଇଡିରେ ହାଜର ହେବା ପୂର୍ବରୁ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ଯୋଜନା ଚୂଡାନ୍ତ କରିପାରନ୍ତି ବୋଲି ରାଂଚିରେ କଳ୍ପନା ଜଳ୍ପନା ଜୋର ଧରିଛି । ବିଜେପି ସାଂସଦ ତଥା ଝାଡଖଣ୍ଡର ବିଜେପି ନେତା ନିଶିକାନ୍ତ ଦୁବେ ମଧ୍ୟ ସେ ଦିଗରେ ଇଂଗିତ କରିଛନ୍ତି ।
ଝାଡଖଣ୍ଡରେ ଏଭଳି ନାଟକ ଚାଲିଥିବା ବେଳେ ଗତକାଲି ବିହାରରେ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଇଡି ରେଳବାଇରେ ଚାକିରୀ ଦେବା ପାଇଁ ମୂଲ୍ୟବାନ ଜମି ଲାଂଚ ଆକାରରେ ନିଆଯାଇଥିବା ମାମଲାରେ ଦୀର୍ଘ ୧୦ ଘଂଟା ଜେରା କରିଛି । କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଥିବା ସମୟରେ ଲାଲୁ ପ୍ରସାଦ ରେଳମନ୍ତ୍ରୀ ଥିଲେ ଏବଂ ରେଳବାଇରେ ‘ଗୃପ୍-ଡି’ ଚାକିରୀ ନିଯୁକ୍ତି ଦେବା ପାଇଁ ନିଜ ରାଜ୍ୟର ବେକାର ଯୁବକଙ୍କଠାରୁ ମୂଲ୍ୟବାନ ଜମି ଲାଂଚ ଆକାରରେ ନେଇଥିବା ଅଭିଯୋଗ ହୋଇଥିଲା । ସିବିଆଇ ଓ ଇଡି ଏହି ମାମଲାର ତଦନ୍ତ କରୁଥିଲେ । ତେବେ, ସିବିଆଇ ପ୍ରମାଣ ଅଭାବରୁ ଏହି ମାମଲାର ଡୋରି ବାନ୍ଧି ସାରିଥିଲା । କିନ୍ତୁ, ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ପୁନର୍ବାର ତଦନ୍ତ ପେଡି ଖୋଲିଛି ଏବଂ ମାମଲାରେ ଲାଲୁ, ତାଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ, ପୁଅ ତେଜସ୍ୱୀ ଓ ଝିଅମାନଙ୍କୁ ଅଭିଯୁକ୍ତ ତାଲିକାଭୁକ୍ତ କରାଯାଇ ତଦନ୍ତ ହେଉଛି । ୩୦ ତାରିଖ ଦିନ ଇଡି ତେଜସ୍ୱୀଙ୍କୁ ମଧ୍ୟ ଡକାଇ ଦୀର୍ଘ ସମୟ ଧରି ଜେରା କରିଛନ୍ତି । ଲାଲୁ ଜମି ପାଇଁ ଲାଂଚ ଅଭିଯୋଗକୁ ଅସ୍ୱୀକାର କରି ଇଡିର ସମନକୁ ‘ବିଜେପି ସମନ’ ବୋଲି ଆକ୍ଷେପ କରିଛନ୍ତି । ସାଧାରଣ ନିର୍ବାଚନ ସରିବା ଯାଏଁ ବିଜେପିର ଏହି ନାଟକ ଚାଲୁ ରହିବ ବୋଲି ଲାଲୁ କହିଛନ୍ତି ।
ସେହିଭଳି, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ‘ଆମ୍ ଆଦମୀ ପାର୍ଟି’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲରେ ମୁଣ୍ଡରେ ଇଡିର ଖଣ୍ଡା ଝୁଲି ରହିଛି । ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ ଗତବର୍ଷ ଫେବୃୟାରୀ ମାସରୁ ଗିରଫ ହୋଇ ଜେଲରେ ଅଛନ୍ତି । ପରେ, ‘ଆପ୍’ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ସିଂହ ମଧ୍ୟ ଜେଲ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ଜଣେ ଘନିଷ୍ଟ ସହଯୋଗୀଙ୍କ ସ୍ୱୀକାରୋକ୍ତିକୁ ଆଧାର କରି ସିବିଆଇ ଏହି ମାମଲାରେ କେଜରୀୱାଲକୁ ଛନ୍ଦିଛି । ଗତ ବର୍ଷ ସିବିଆଇ କେଜରୀୱାଲଙ୍କୁ ଜେରା କରିଥିଲା । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ବିରୋଧରେ ଏକ ମନିଲଂଡରିଂ ମାମଲା କରି ଜେରା ପାଇଁ ସମନ କରୁଛି । ଚାରି ଥର ସମନ ପରେ ମଧ୍ୟ କେଜରୀୱାଲ ଇଡିରେ ହାଜର ହୋଇନାହାନ୍ତି । ଅନ୍ୟପକ୍ଷରେ, ଦିଲ୍ଲୀରେ କୌଣସି ଅବକାରୀ ଦୁର୍ନୀତି ହୋଇନାହିଁ, ରାଜନୈତିକ ଉଦ୍ଦେଶ୍ୟରେ କେନ୍ଦ୍ରରେ ଥିବା ବିଜେପି ସରକାର ତାଙ୍କୁ ହାରାଶ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପାଲଟା ଅଭିଯୋଗ କରୁଛନ୍ତି ଏବଂ ବାରମ୍ବାର ଇଡି ସମନକୁ ଏଡାଇ ଆସୁଛନ୍ତି ।
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କ ଭଳି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ମଧ୍ୟ ସାଧାରଣ ନିର୍ବାଚନ ପୂର୍ବରୁ ଇଡି ଦ୍ୱାରା ଗିରଫ ହୋଇପାରନ୍ତି ବୋଲି ତାଙ୍କ ଦଳ ଏବେ ଆଶଙ୍କା କରୁଛି । କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଗିରଫ ପାଇଁ ଯୋଜନା କରିବା ସହ ‘ଆପ୍’ ବିଧାୟକ ଦଳରେ ବିଭାଜନ ସୃଷ୍ଟି ନିମନ୍ତେ ଷଡଯନ୍ତ୍ରରେ ମାତିଛନ୍ତି ବୋଲି ‘ଆପ୍’ ନେତୃବର୍ଗ ଗଣମାଧ୍ୟମରେ ବାରମ୍ବାର ଅଭିଯୋଗ କରୁଥିବା ବେଳେ ବିଜେପି ‘ଇଣ୍ଡିଆ’ ମେଂଟର ନେତାମାନେ ବଂଶବାଦୀ, ଭ୍ରଷ୍ଟ ଓ ଚରମ ଦୁର୍ନୀତିଖୋର କହି ତାହାର ବ୍ୟାଖ୍ୟାୟନ ଜାରି ରଖିଛି । ବିରୋଧୀ ମେଂଟର ଅଧ୍ୟକ୍ଷ ତଥା ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଗତକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଥିବା ଅବସରରେ ଭୁବନେଶ୍ୱର ଲୋୟର ପିଏମଜିରେ ଜନସଭାରେ ଉଦ୍ବୋଧନ ଦେଇ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ସିବିଆଇ ଓ ଇଡି ମାଧ୍ୟମରେ ବିରୋଧୀ ନେତାଙ୍କୁ ଭୟଭିତ କରୁଥିବା ଅଭିଯୋଗ କରିଛନ୍ତି । ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଏହା ଶେଷ ନିର୍ବାଚନ, ୨୦୨୪ରେ ଯଦି ମୋଦୀ ସରକାର ପୁନର୍ବାର ବହୁମତରେ କ୍ଷମତାକୁ ଆସନ୍ତି ତେବେ ଭାରତରେ ମଧ୍ୟ ରୁଷ ଭଳି ଏକଛତ୍ରବାଦ ଶାସନ ଚାଲିବ ବୋଲି ସେ ସତର୍କ କରାଇଛନ୍ତି ।
ଖାର୍ଗେଙ୍କ ଏଭଳି ଚେତାବନୀ ଦେଶବାସୀଙ୍କୁ କେତେମାତ୍ରାରେ ପ୍ରଭାବିତ କରୁଛି ତାହା ନିର୍ବାଚନ ସରି ଫଳାଫଳ ଆସିଲେ ସ୍ପଷ୍ଟ ହେବ । ତେବେ, ଦୁଇ ମାସ ପରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ବିରୋଧୀ କେତେଦୂର ଭୟଭିତ- ତାହା ଖାର୍ଗେଙ୍କ ବୟାନରୁ ସ୍ପଷ୍ଟ ହେଉଛି । ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ମେଂଟର ଗୋଟିଏ ପରେ ଗୋଟିଏ ଖୁଂଟ ଓପାଡି ଫୋପାଡି ଦେବାକୁ ଯେଉଁ ଅଭିଯାନ ଆରମ୍ଭ କରିଛି ତାହାର ପ୍ରଥମ ଶିକାର ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିଜେପି ତାଙ୍କୁ ନିଜ ପକ୍ଷକୁ ନେଇ ପ୍ରଥମ ଖୁଂଟ ଓପାଡି ଥିବା ବେଳେ ଅଭିଯାନ କାହା ପାଖରେ ସାରିବ – ତାହା ଆଜି ଦିନରେ ବଡ ପ୍ରଶ୍ନ ହୋଇଛି । ନୀତୀଶ ବିଜେପି ନିକଟରେ ଆତ୍ମସମର୍ପଣ କରି ବିହାରକୁ ଏନଡିଏ ହାତରେ ସମର୍ପି ଦେଇଛନ୍ତି । ମମତା ବାନାର୍ଜୀ ଓ ଭଗୱନ୍ତ ମାନ ପଶ୍ଚିମ ବଂଗ ଓ ପଂଜାବରେ ଏକାକୀ ନିର୍ବାଚନ ଲଢିବେ ବୋଲି ଘୋଷଣା କରି ମେଂଟର ନିଅଁ ଦୋହଲାଇଛନ୍ତି । ୟୁପିରେ ସମାଜବାଦୀ ପାର୍ଟି କଂଗ୍ରେସକୁ କେତେ ଆସନ ଛାଡିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ । ମହାରାଷ୍ଟ୍ରରେ ଶିବସେନା ଓ ଏନସିପିରେ ବିଭାଜନ କରି ବିଜେପି ନିଜକୁ ସୁରକ୍ଷିତ କରି ସାରିଛି । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ହେବା ପରେ ମେଂଟରେ ଆଉ କିଏ ରହିବ ଯେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ପାଇଁ ବିପଦ ହେବ !
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS