ନିମନ୍ତ୍ରଣ ଅପେକ୍ଷାରେ ଚଂପେଇ, ବିବାଦରେ ଝାଡଖଣ୍ଡ ରାଜ୍ୟପାଳ !


ପ୍ରସାଦ ରାଓ
ଫେବୃୟାରୀ ୦୧/୨୪
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ଅଣ-ବିଜେପି ଶାସିତ ରାଜ୍ୟର ରାଜ୍ୟପାଳମାନେ କେନ୍ଦ୍ର ସରକାରଙ୍କ ହାତବାରିସି ସାଜି ସଂପୃକ୍ତ ରାଜ୍ୟ ସରକାରଙ୍କ ସହ ଶିଂଗ ଲଢେଇରେ ମାତିବା କିଛି ନୂଆ କଥା ନୁହଁ । ପଶ୍ଚିମ ବଂଗରୁ କେରଳ, ତାମିଲନାଡୁ ପର୍ଯ୍ୟନ୍ତ ଏହାର ବହୁ ନଜିର ରହିଛି । କେତେକ ରାଜ୍ୟର ରାଜ୍ୟପାଳ ସଂପୃକ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ବିଧାନସଭାରେ ଗୃହୀତ ବିଧେୟକଗୁଡିକୁ ମାସ ମାସ ଧରି ରାଜଭବନରେ ପକାଇ ରଖିବା ଅଭିଯୋଗରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଭର୍ଛିତ ହୋଇଥିବା ଦେଶବାସୀ ଜାଣନ୍ତି । ତଥାପି, ଅଣ-ବିଜେପି ଶାସିତ ରାଜ୍ୟରେ ରାଜ୍ୟପାଳ ବନାମ ରାଜ୍ୟ ସରକାର ବିବାଦ ଅବ୍ୟାହତ ରହିଛି । କେନ୍ଦ୍ର ସରକାରଙ୍କୁ ସନ୍ତୁଷ୍ଟ ରଖିବା ଦୌଡରେ ରାଜ୍ୟପାଳମାନେ ସେମାନଙ୍କ ସାମ୍ବିଧାନିକ ଦାୟିତ୍ୱକୁ ଭୁଲି ଯାଉଥିବା ଦୌଡରେ ଏବେ ଝାଡଖଣ୍ଡ ରାଜ୍ୟପାଳ ସି.ପି.ରାଧାକ୍ରିଷ୍ଣନଙ୍କ ନାମ ଯୋଡି ହୋଇଛି ।
୬୦୦ କୋଟି ଟଙ୍କା ଜମି ଦୁର୍ନୀତି ମାମଲାରେ ପିଏମଏଲଏ ମାମଲାର ସମ୍ମୁଖୀନ ହୋଇ ଗତକାଲି ଇଡି ଦ୍ୱାରା ଦୀର୍ଘ ସାତ ଘଂଟା ଜେରାର ସମ୍ମୁଖୀନ ହେବା ପରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ସ୍ଥାନରେ ଝାଡଖଣ୍ଡର ଶାସକ ମେଂଟ ଜେଏମଏମର ବରିଷ୍ଠ ବିଧାୟକ ଚଂପାଇ ସୋରେନଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି । ଚଂପାଇ ବିଧାୟିକ ଦଳ ନିର୍ବାଚିତ ହେବା ପରେ ମଧ୍ୟ ରାଜ୍ୟପାଳ ରାଧାକ୍ରିଷ୍ଣନ ତାଙ୍କୁ ତୁରନ୍ତ ସରକାର ଗଠନ ପାଇଁ ନିମନ୍ତ୍ରଣ ନ କରିବା ବିବାଦର କାରଣ ହୋଇଛି । ଆଜି ସନ୍ଧ୍ୟା ସାଢେ ୫ଟାରେ ଚଂପାଇଙ୍କୁ ରାଜ୍ୟପାଳ ରାଜଭବନକୁ ନିମନ୍ତ୍ରଣ କରିଥିବା ଏକ ସମ୍ବାଦ ସରବରାହ ସଂସ୍ଥା ସୂଚନା ଦେଇଥିଲେ ମଧ୍ୟ ଦୀର୍ଘ ୧୮ ଘଂଟାରୁ ଅଧିକ ସମୟ ହେଲା ତାଙ୍କୁ ଝୁଲାଇ ରଖା ଯାଇଥିଲା କାହିଁକି (?) ବୋଲି ବିରୋଧୀ ମେଂଟ ‘ଇଣ୍ଡିଆ’ ପକ୍ଷରୁ ପ୍ରଶ୍ନ ହୋଇଛି । ଅଣ-ବିଜେପି ଶାସିତ ରାଜ୍ୟରେ ରାଜ୍ୟପାଳମାନଙ୍କ ଏକପାଖିଆ କାର୍ଯ୍ୟର ଏହା ଆଉ ଏକ ଉଦାହରଣ ବୋଲି କଂଗ୍ରେସ କହିଛି ।
୨୦୧୯ରୁ ଜେଏମଏମ ନେତା ହେମନ୍ତ ସୋରେନ ଝାଡଖଣ୍ଡରେ ଦ୍ୱତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ରାଜ୍ୟରେ ଜେଏମଏମ, କଂଗ୍ରେସ, ଏନସିପି, ଆରଜେଡି ଓ ସିପିଆଇ (ଏମ-ଏଲ) ଲିବରେସନର ମିଳିତ ସରକାର ଚାଲିଛି । ଗତକାଲି (ବୁଧବାର) ମୁଖ୍ୟମନ୍ତ୍ରୀ ସୋରେନ ଜାଲ ଡକ୍ୟୁମେଂଟରେ ଆଦିବାସୀଙ୍କ ଜମି କିଣା, ବିକା ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ଦ୍ୱାରା ଦୀର୍ଘ ସମୟ ଜେରାର ସମ୍ମୁଖୀନ ହେବା ପରେ ଗିରଫ ହୋଇଥିଲେ । ଗିରଫ ପୂର୍ବରୁ ସେ ଇଡି ଅଧିକାରୀଙ୍କ ହେପାଜତରେ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସୋରେନଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ଶାସକ ମେଂଟ ବିଧାୟକମାନେ ବିଧି ମୁତାବକ ବୈଠକରେ ମିଳିତ ହୋଇ ବରିଷ୍ଠ ଜେଏମଏମ ନେତା ତଥା ରାଜ୍ୟ ପରିବହନ ମନ୍ତ୍ରୀ ଚଂପାଇ ସୋରେନଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରିବା ସହ ନୂତନ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ।
୮୧ ସଭ୍ୟ ବିଧାନସଭାର ୪୯ ବିଧାୟକ ଚଂପାଇଙ୍କ ନେତୃତ୍ୱ ପ୍ରତି ସମର୍ଥନ ଜଣାଇ ତାଙ୍କ ନେତୃତ୍ୱରେ ସରକାର ଗଠନ କରିବାକୁ ଗତକାଲି ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ଦାବି ଉପସ୍ଥାପନ କରିଥିଲେ ମଧ୍ୟ ରାଜ୍ୟପାଳ ସେମାନଙ୍କ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଝୁଲାଇ ରଖିବା କଥାକୁ ବିରୋଧୀ ମେଂଟ ‘ଇଣ୍ଡିଆ’ର ନେତୃତ୍ୱ ନେଉଥିବା କଂଗ୍ରେସ ସହଜରେ ଗ୍ରହଣ କରିପାରୁନି । ରାଜ୍ୟପାଳ କାହା ଚାପରେ ନିଜ ସାମ୍ବିଧାନିକ ଦାୟିତ୍ୱ ତୁଲାଇବାକୁ ପଛାଇଲେ ବୋଲି କଂଗ୍ରେସ ନେତା ଅଭିଷେକ ମନୁ ସିଘଭି ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ କରିଛି । ବିହାରରେ ନୀତୀଶ କୁମାର ଜେଡୁୟୁ-ଆରଜେଡ଼ି-କଂଗ୍ରେସ ସହ ମେଂଟ ସରକାରକୁ ଭାଂଗି ବିଜେପି ହାତ ଧରୁ ଧରୁ ବିହାର ରାଜ୍ୟପାଳ ତାଙ୍କୁ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସୁଯୋଗ ଦେଇଥିଲେ । ଝାଡଖଣ୍ଡରେ ଚଂପାଇ ସୋରେନ ଶାସକ ମେଂଟର ନେତା ନିର୍ବାଚିତ ହେବା ପରେ ତାଙ୍କୁ ୧୮ ଘଂଟାରୁ ଅଧିକ ସମୟ ହେଲା ସରକାର ଗଠନ ପାଇଁ ଆମନ୍ତ୍ରଣ କରାନଯିବା କାରଣ କଣ ବୋଲି ସେ ପ୍ରଶ୍ନ କରିଛନ୍ତି । ନୀତୀଶଙ୍କ ପରି ହେମନ୍ତ ଏନଡିଏକୁ ଯାଇଥିଲେ ଆଜିର ଦୃଶ୍ୟପଟ୍ଟ ଭିନ୍ନ ଥାଆନ୍ତା ଓ ସେ ବିଜେଡ଼ିର ୱାସିଂ ମେସିନରେ ଧୋଇ ହୋଇସାରନ୍ତେଣି ବୋଲି ସିଂଘଭି କଟାକ୍ଷ କରିଛନ୍ତି ।
ରାଜ୍ୟର ପ୍ରାୟ ୪୯ ଜଣ ବିଧାୟକ ଚଂପାଇ ସୋରେନଙ୍କ ନେତୃତ୍ୱରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାି ଉପସ୍ଥାପନ କରିଥିବା ବେଳେ ୩୨ରୁ ୩୩ ବିଧାୟକଙ୍କ ସମର୍ଥନ ଥିବା ବିଜେପି ଚଂପାଇଙ୍କୁ କିପରି ରୋକିଛି ? ଝାଡଖଣ୍ଡ ରାଜ୍ୟପାଳ ପ୍ରଧାନମନ୍ତ୍ରୀ ମୋଦୀ ନା କେନ୍ଦ୍ର ଗୃହ ମନ୍ତ୍ରୀ ଶାହା – କାହା ନିର୍ଦେଶକୁ ଅପେକ୍ଷାରେ କରିଛନ୍ତି ? ରାଜ୍ୟରେ ସରକାର ପ୍ରତିଷ୍ଠା ପାଇଁ ବିଜେପି କିଛି ବିଧାୟକଙ୍କ ଯୋଗାଡରେ ବ୍ୟସ୍ତ ଅଛି କି ? ରାଜ୍ୟରେ ଗଣତାନ୍ତ୍ରିକ ଉପାୟରେ ପ୍ରତିଷ୍ଠିତ ସରକାରକୁ ଭାଂଗି ରାଷ୍ଟ୍ରପତି ଶାସନ ଜାରି ପାଇଁ ଷଡଯନ୍ତ୍ର ଚାଲିନି ତ ? ଝାଡଖଣ୍ଡ ରାଜ୍ୟପାଳ ରାଧାକ୍ରିଷ୍ଣନ କେଉଁ ‘ଅମୃତ କାଳ’କୁ ଅପେକ୍ଷା କରିଛନ୍ତି ? କଂଗ୍ରେସ ନେତା ସଂଘଭି ଏଭଳି ପ୍ରଶ୍ନ କରିବା ସହ ବିଜେପିକୁ ଘେରିବାକୁ ଉଦ୍ୟମ କରିଛନ୍ତି । ଗତକାଲି ଜେଏମଏମ ନେତା ସୋରେନଙ୍କୁ ଇଡି ଗିରଫ କରିବା ଘଟଣାକୁ ବିରୋଧୀ ମେଂଟ ‘ଇଣ୍ଡିଆ’ର ପକ୍ଷରୁ ନିନ୍ଦା କରାଯାଇଥିବା ବେଳେ ଆଜି ହେମନ୍ତଙ୍କ ଗିରଫଦାରୀ ପ୍ରତିବାଦରେ ବହୁ ଆଦିବାସୀ ଅଧିକାର ସଂଗଠନ ପକ୍ଷରୁ ‘ଝାଡଖଣ୍ଡ ବନ୍ଦ’ ପାଳିତ ହୋଇଛି । ରାଜ୍ୟର ୧୫ରୁ ୨୦ ଆଦିବାସୀ ସଂଗଠନ ‘ବନ୍ଦ’ ପାଳନରେ ସାମିଲ ଥିବା କେନ୍ଦ୍ରୀୟ ସରଣା ସମିତି ସଭାପତି ଅଜୟ ତିର୍କି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗତକାଲି ଇଡି ଦ୍ୱାରା ଗିରଫ ହେବା ପରେ ବିଳମ୍ବିତ ରାତ୍ରୀରେ ଝାଡଖଣ୍ଡ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିବା ସୂଚନା ମିଲିଥିଲେ ମଧ୍ୟ ସେ କେଉଁଥି ପାଇଁ ହାଇକୋର୍ଟକୁ ଯାଇଛନ୍ତି ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ । ଝାଡଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଶ୍ରୀ ଚନ୍ଦ୍ରଶେଖର ଓ ବିଚାରପତି ଜଷ୍ଟିସ ଅନୁଭା ରାୱତ ଚୌଧୁରୀଙ୍କୁ ନେଇ ଗଠିତ ବେଂଚ୍ ଆଜି ଏହି ପିଟିସନର ଶୁଣାଣୀ କରିବେ ବୋଲି ସୂଚନା ମିଳିଥିଲା । ୪୮ ବର୍ଷ ବୟସ୍କ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଠ ଏକର ଜମିକୁ ଜାଲିଆତି ଅଭିଯୋଗରେ ପିଏମଏଲଏ ମାମଲାର ସମ୍ମୁଖୀନ ଥିବା ବେଳେ ତଦନ୍ତାକରୀ ଅଧିକାରୀଙ୍କ ପ୍ରଶ୍ନର ସଠିକ୍ ଉତ୍ତର ଦେବାକୁ ଏଡାଇ ଯିବାରୁ ତାଙ୍କୁ ଗିରଫ କରାଯାଇଛି ବୋଲି ଇଡି କହିଛି । ଚଂପାଇ ସୋରେନଙ୍କୁ ରାଜ୍ୟପାଳ ସନ୍ଧ୍ୟାରେ ନିମନ୍ତ୍ରଣ କରିଥିବା ଗଣମାଧ୍ୟମରେ ସୂଚନା ଆସିଥିଲେ ମଧ୍ୟ ଗତକାଲିଠାରୁ ଯେଭଳି ସମୟ ଗଡା ଚାଲିଛି ତାହା ରାଜ୍ୟପାଳଙ୍କ ମତିଗତିକୁ ନେଇ ସନ୍ଦେହ ସୃଷ୍ଟି କରିଛି ।
ବିଜେପି ଆଡୁ ଘୋଡା ବେପାର ଆଶଙ୍କାରେ ଶାସକ ମେଂଟ ତାହାର ବିଧାୟକମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ବ୍ୟବସ୍ଥା କରିଥିବା କଂଗ୍ରେସର ଝାଡଖଣ୍ଡ ଦାୟିତ୍ୱରେ ଥିବା ପ୍ରଭାରୀ ଗୁଲାମ ଅହମ୍ମଦ ମୀର୍ ଆଜି ରାଂଚିରେ ଗଣମାଧ୍ୟମକୁ କହିଛନ୍ତି । ସ୍ୱତନ୍ତ୍ର ଝାଡଖଣ୍ଡ ରାଜ୍ୟ ଗଠନର ୨୩ ବର୍ଷ ମଧ୍ୟରେ ରାଜ୍ୟ ୧୨ ଜଣ ମୁଖ୍ୟମନ୍ତ୍ରୀଙ୍କୁ ଦେଖିଲାଣି । ରାଜ୍ୟରେ ତିନି ଥର ରାଷ୍ଟ୍ରପତି ଶାସନ ଜାରି ହୋଇଛି । ହେମନ୍ତଙ୍କ ଇସ୍ତଫା ପରେ ରାଜ୍ୟରେ ଯେଉଁ ରାଜନୈତିକ ପରିସ୍ଥିତି ସୃଷ୍ଟି ହୋଇଛି ତାହା ବିଚଳତ କଲା ଭଳି । ଚଂପାଇ ସୋରେନ ବିଧାୟକ ଦଳ ନେତା ନିର୍ବାଚିତ ହୋଇ ମଧ୍ୟ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିମନ୍ତ୍ରଣ ଆମନ୍ତ୍ରଣରେ ରହିଛନ୍ତି । ଆଗକୁ କଣ ହେଉଛି ଦେଖିବା ପାଇଁ ସମସ୍ତଙ୍କ ଅପେକ୍ଷା ରହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS