ରାଜ୍ୟସଭାରେ ଝାଡଖଣ୍ଡ ତାତି : ରାଜ୍ୟପାଳଙ୍କୁ ବିରୋଧ, ବିରୋଧୀ ସାଂସଦଙ୍କ କକ୍ଷତ୍ୟାଗ


ପ୍ରସାଦ ରାଓ
ଫେବୃୟାରୀ ୦୨/୨୪
ରାଜ୍ୟସଭାରେ ଆଜି ଝାଡଖଣ୍ଡ ତାତି ଦେଖିବାକୁ ମିଳିଛି । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟପାଳ ତୁରନ୍ତ ଜଣେ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ ନକରି ବା ଜଣେ କାମଚଳା ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ଦାୟିତ୍ୱ ନଦେଇ ରାଜ୍ୟ ଶାସନକୁ ୨୪ ଘଂଟାରୁ ଅଧିକ ସମୟ ମୁରବୀଶୂନ୍ୟ କରି ରଖିବା ସଂପୂର୍ଣ୍ଣ ଅସାମ୍ବିଧାନିକ ଥିଲା ବୋଲି ରାଜ୍ୟସଭାରେ ବିରୋଧୀ ସାଂସଦମାନେ ଅଭିଯୋଗ କରିବା ସହ ରାଜ୍ୟପାଳଙ୍କ ବିରୋଧରେ ଗୁରୁତର ଅଭିଯୋଗ କରି ଆଜି କକ୍ଷତ୍ୟାଗ କରିଛନ୍ତି । ସରକାରଙ୍କ ବିହାର ପାଇଁ ଗୋଟିଏ ନୀତି ଓ ଝାଡଖଣ୍ଡ ପାଇଁ ଆଉ ଗୋଟିଏ ନୀତିକୁ ବିରୋଧୀ ସାଂସଦ ଗୃହରେ ସମାଲୋଚନା କରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତ ୨୮ ତାରିଖ ଦିନ ରାଜ୍ୟରେ ୨୦୨୨ରୁ ଚାଲିଥିବା ମହାଗଠବନ୍ଧନ ସରକାରକୁ ଭାଂଗି ବିଜେପି ସମର୍ଥନରେ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବାର କିଛି ଘଂଟା ମଧ୍ୟରେ ରାଜ୍ୟପାଳ ତାଙ୍କୁ ନୂଆ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ ଓ ନୀତୀଶ ଜେଡିୟୁ-ବିଜେପି ମେଂଟ ସରକାର ଗଠନ କରି ନବମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଅପରପକ୍ଷରେ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗତ ଜାନୁୟାରୀ ୩୧ ତାରିଖ ଦିନ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ଦ୍ୱାରା ଗିରଫ ହେବା ପୂର୍ବରୁ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫାପତ୍ର ଦେଇଥିଲେ ମଧ୍ୟ ରାଜ୍ୟପାଳ ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା ସ୍ୱରୂପ ଜଣେ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ବା କାମଚଳା ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ନଦେଇ ରାଜ୍ୟ ଶାସନକୁ ସଂପୂର୍ଣ୍ଣ ଭାବେ ମୁରବୀ-ଶୂନ୍ୟ କରି ଦେବା ଦେଶର ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ଉପହାସ କଲା ଭଳି ହୋଇଛି ବୋଲି ବିରୋଧୀ ସାଂସଦମାନେ କହିଛନ୍ତି । ଆଜି ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଏହି ପ୍ରସଙ୍ଗ ଉଠାଇ ଥିଲେ । ଗତ ସପ୍ତାହରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପରେ ତାଙ୍କୁ ନୂଆ ମେଂଟ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଦେବାରେ ବିହାର ରାଜ୍ୟପାଳ ପାଂଚ ଘଂଟା ସମୟ ନେଇଥିବା ବେଳେ ଜାନୁୟାରୀ ୩୧ ତାରିଖ ସନ୍ଧ୍ୟାରେ ଜେଏମଏମ ନେତା ହେମନ୍ତ ସୋରେନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ୨୪ ଘଂଟା ପରେ ମଧ୍ୟ ରାଜ୍ୟରେ ନୂତନ ସରକାର ପ୍ରତିଷ୍ଠା ପାଇଁ ଶାସକ ମେଂଟର ନବ ନିର୍ବାଚିତ ନେତା ଦାବି ଉପସ୍ଥାପନ କରିବା ସତ୍ତ୍ୱେ ରାଜ୍ୟପାଳ ତାଙ୍କୁ ୨୪ ଘଂଟାରୁ ଅଧିକ ସମୟ ଝୁଲାଇ ରଖିବାର ସମାନ୍ତରାଳ ଚିତ୍ର ଖାର୍ଗେ ଗୃହରେ ଉପସ୍ଥାପନ କରି ସାମ୍ବିଧାନିକ ବିଧି ବ୍ୟବସ୍ଥର ଉଲଂଘନ ହୋଇଥିବା ଅଭିଯୋଗ କରିଥିଲେ । ଖାର୍ଗେ କହିଥିଲେ, ହେମନ୍ତ ସୋରେନ ଇସ୍ତଫା ଦେବା ପରେ ଶାସକ ମେଂଟ ବିଧାୟକ ଦଳର ବୈଠକ ବସି ଜେଏମଏମର ବରିଷ୍ଠ ନେତା ତଥା ରାଜ୍ୟର ମନ୍ତ୍ରୀ ଚଂପାଇ ସୋରେନଙ୍କୁ ନେତା ନିର୍ବାଚନ କରାଯାଇଥିଲା । ୮୧ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାର ୪୩ ସଦସ୍ୟଙ୍କ ସମର୍ଥନପତ୍ର ନେଇ ଚଂପାଇ ସୋରେନ ନୂତନ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ସେହିଦିନ ଦାବି ଉପସ୍ଥାପନ କରିଥିଲେ । ଅନ୍ୟ ଚାରି ଜଣ ବିଧାୟକ ରାଜ୍ୟବାହାରେ ଥିବାରୁ ସେମାନଙ୍କ ସମର୍ଥନ ଜଣାଇ ଥିଲେ ମଧ୍ୟ ସମର୍ଥନପତ୍ରରେ ଦସ୍ତଖତ କରିପାରି ନାହାନ୍ତି ବୋଲି ମଧ୍ୟ ରାଜ୍ୟପାଳ ସି.ପି.ରାଧାକ୍ରିଷ୍ଣନଙ୍କୁ ଅବଗତ କରାଯାଇଥିଲା । ତଥାପି, ରାଜ୍ୟପାଳ ରାଧାକ୍ରିଷ୍ଣନ ଶାସକ ମେଂଟ ନେତା ଚଂପାଇ ସୋରେନଙ୍କୁ ନୂଆ ସରକାର ଗଠନ ପାଇଁ ନିମନ୍ତ୍ରଣ କରିନଥିଲେ ବା ନୂଆ ସରକାର ଗଠନ ପର୍ଯ୍ୟନ୍ତ ରାଜ୍ୟର ଶାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ କାମଚଳା ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇନଥିଲେ । ଦୀର୍ଘ ୨୦ ଘଂଟା ଧରି ରାଜ୍ୟ ମୁରବୀ-ଶୂନ୍ୟ ରହିବା ଓ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାଜ୍ୟପାଳ ରାଧାକ୍ରିଷ୍ଣନ ଗୁରୁବାର ସନ୍ଧ୍ୟାରେ ଶାସକ ମେଂଟନେତା ଚଂପାଇ ସୋରେନଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି ଏବଂ ଦଶ ଦିନ ମଧ୍ୟରେ ସହ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ନିର୍ଦେଶ ଦେଇଛନ୍ତି । ଆଜି ଝାଡଖଣ୍ଡରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଉଛନ୍ତି । ବିହାରରେ ଯେଉଁ କାର୍ଯ୍ୟ ୧୨ ଘଂଟା ମଧ୍ୟରେ ସଂପନ୍ନ ହେଲା ଝାଡଖଣ୍ଡରେ ତାହା ହେଲା ନାହିଁ କାହିଁକି (?) ବୋଲି ଖାର୍ଗେ ସରକାରଙ୍କୁ ପ୍ରଶ୍ନ କରିବା ସହ ଦେଶର ଗଣତନ୍ତ୍ର କିଭଳି ଧ୍ୱଂସମୁଖଈ ହୋଇଛି ତାହା ଏଥିରୁ ପ୍ରତିଫଳିତ ହେଉଛି ବୋଲି କହିଛନ୍ତି । ରାଜ୍ୟସଭାରେ ବିରୋଧୀ ଦଳ ନେତା ଖାର୍ଗେଙ୍କ ବିବୃତିକୁ ଶାସକ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ରାଜ୍ୟସଭାରେ ଶାସକ ଦଳ ସଂସଦୀୟ ନେତା ତଥା କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋୟେଲ ଖାର୍ଗେଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, ଜେଏମଏମ ନେତା ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଥିବା ଅବସ୍ଥାରେ ବଡ ଧରଣର ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଇଡି ଦ୍ୱାରା ଗିରଫ ହେବା ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପଦରେ ଥାଇ ଜଣେ ଏଭଳି ବଡ ଜମି ଦୁର୍ନୀତି କେମିତି କଲା (?) – ତାହା କଂଗ୍ରେସ ପ୍ରଶ୍ନ କରିବା ବଦଳରେ ସୋରେନଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିବା କଂଗ୍ରେସ ଡିଏନଏରେ ଦୁର୍ନୀତି ଭରି ରହିଥିବା ପ୍ରମାଣିତ କରୁଛି ବୋଲି ଗୋୟେଲ ପାଳଟା ଅଭିଯୋଗ କରିଛନ୍ତି । ଝାଡଖଣ୍ଡ ରାଜ୍ୟପାଳଙ୍କୁ ସୁରକ୍ଷା ଦେବାକୁ ଯାଇ ସେ କହିଛନ୍ତି, ରାଜ୍ୟପାଳ କାହାକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିବା ପୂର୍ବରୁ ତାଙ୍କ ପ୍ରତି ସଂଖ୍ୟାଗରିଷ୍ଠ ବିଧାୟକଙ୍କ ସମର୍ଥନ ଅଛି କି ନାହିଁ ପରଖିବା ଓ ନିଜେ ସନ୍ତୁଷ୍ଟ ହେବା ନିତାନ୍ତ ଆବଶ୍ୟକ । ଏହାଛଡା, ରାଜ୍ୟପାଳଙ୍କ ଆଚରଣକୁ ନେଇ ରାଜ୍ୟସଭାରେ କୌଣସି ଆଲୋଚନା ହେବା ଯୁକ୍ତିଯୁକ୍ତ ନୁହେଁ ବୋଲି ସେ କହିଛନ୍ତି । ୨୦ ଘଂଟା ଧରି ରାଜ୍ୟ କାହିଁକି ମୂରବୀ-ଶୂନ୍ୟ ରହିଲା ବୋଲି ବିରୋଧୀ ସାଂସଦମାନେ ପ୍ରଶ୍ନ କରି ସରକାରଙ୍କୁ ଘେରିବା ବେଳେ ଶାସକ ଦଳ ଝାଡଖଣ୍ଡ ରାଜ୍ୟପାଳଙ୍କୁ ସୁରକ୍ଷା ଦେବାରେ ଅଟଳ ରହିବାରୁ ବିରୋଧୀ ସାଂସଦମାନେ କକ୍ଷତ୍ୟାଗ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଦୀର୍ଘ ୧୮ ଘଂଟା ଧରି ରାଜ୍ୟ ମୁରବୀ-ଶୂନ୍ୟ ହୋଇ ରହିଥିବା ଦର୍ଶାଇ ରାଜ୍ୟରେ ଏକ ଜନପ୍ରୀୟ ସରକାର ଗଠନ ପାଇଁ ତାଙ୍କୁ ନିମନ୍ତ୍ରଣ କରାଯିବାକୁ ଝାଡଖଣ୍ଡ ଶାସକ ମେଂଟ ନେତା ଚଂପାଇ ସୋରେନ ଗତକାଲି ରାଜ୍ୟପାଳଙ୍କୁ ଚିଠି ଲେଖିବା ପରେ ରାଜ୍ୟପାଳ ତାଙ୍କୁ ଆମନ୍ତ୍ରଣ କରିଥିଲେ । ଆଜି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ୮୧ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ସରକାର ଗଠନ ପାଇଁ ୪୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଜେଏମଏମ ମେଂଟ ସରକାର ଗଠନ ପାଇଁ ୪୩ ବିଧାୟକଙ୍କ ସମର୍ଥନପତ୍ର ରାଜ୍ୟପାଳଙ୍କୁ ଦେଇଥିବା ବେଳେ ରାଜ୍ୟ ବାହାରେ ଥିବା ଆଉ ୦୪ ଜଣ ବିଧାୟକଙ୍କ ସମର୍ଥନ ମଧ୍ୟ ମେଂଟ ସହ ରହିଥିବା ଜଣାଇଛି । ରାଜ୍ୟ ବିଧାନସଭାରେ ବିଜେପିର ୨୫, ଏଜେଏସୟୁ (ଅଲ୍ ଝାଡଖଣ୍ଡ ଷ୍ଟୁଡେଂଟସ୍ ୟୁନିୟନ)ର ୦୩, ଏନସିପି ଓ ବାମପନ୍ଥୀ ଦଳର ଜଣେ ଲେଖାଏଁ ବିଧାୟକ ଥିବା ବେଳେ ୦୩ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି । ଚଂପାଇ ସୋରେନ ୪୩ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିବାକୁ ଯାଉଥିଲେ ମଧ୍ୟ ରାଜ୍ୟପାଳ ବିଧାନସଭାରେ ଅସ୍ଥା ଭୋଟର ସମ୍ମୁଖୀନ ହେବାକୁ ନୂତନ ମୁଖ୍ୟମନ୍ତ୍ରୀ ଚଂପାଇ ସୋରେନଙ୍କୁ ୧୦ ଦିନ ସମୟ ଦେଇଥିବାରୁ ସେହି ସମୟ ମଧ୍ୟରେ ବିଜେପି ତାହାର ‘ଅପରେସନ ଲୋଟୋସ୍’କୁ କାର୍ଯ୍ୟକାରୀ କରିପାରେ ବୋଲି ଜେଏମଏମ ଆଶଙ୍କା କରୁଛି । ତେଣୁ, ଶାସକ ଦଳ ବିଧାୟକମାନଙ୍କୁ ସୁରକ୍ଷିତ ସ୍ଥାନରେ ନେଇ ରଖା ଯାଇଥିବା ଜେଏମଏମ ସୂତ୍ରରୁ ସୂଚନା ମିଳିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS