ଆଡଭାନୀଙ୍କୁ ‘ଭାରତ ରତ୍ନ’ ମୋଦୀଙ୍କ ଗୁରୁ ଦକ୍ଷିଣା !


ପ୍ରସାଦ ରାଓ
ନୂଆଦିଲ୍ଲୀ/ଫେବୃୟାରୀ ୦୩/୨୪
୨୦୧୪ରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ପ୍ରତିଷ୍ଠା ହେବା ପରେ ବିଜେପିରେ ଏକପ୍ରକାର କୋଣଠେସା ହୋଇ ରହିଥିବା ବର୍ଷିଆନ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ରେ ଭୂଷିତ କରାଯାଉଥିବା ଆଜି ଘୋଷଣା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିଛନ୍ତି । ଏହା ମୋଦୀଙ୍କ ଗୁରୁଦକ୍ଷିଣା ବୋଲି ଆଲୋଚନା ହେଉଛି । କାରଣ, ଆଡଭାନୀଜୀ ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ଗୁରୁ ଥିଲେ । ପ୍ରଧାନମନ୍ତ୍ରୀ ଆଜି ଆଡଭାନୀଙ୍କୁ ‘ଭାରତ ରତ୍ନ’ ଦିଆଯାଉଥିବା ଘୋଷଣା କରିବା ସମୟରେ ଆଡଭାନୀଙ୍କ ଢେର ପ୍ରଶଂସା କରିଥିଲେ । ଭାରତର ବିକାଶରେ ଆଡଭାନୀଙ୍କ ଐତିହାସିକ ଭୂମିକା ରହିଥିବା ସେ କହିଥିଲେ । ମୋଦୀ ଏହା ମଧ୍ୟ କହିଲେ ଯେ, ଆଡଭାନୀ ହେଉଛନ୍ତି ଦେଶର ଜଣେ ଅତ୍ୟନ୍ତ ସମ୍ମାନନୀୟ ରାଷ୍ଟ୍ରନେତା ।
ଅଯୋଧ୍ୟ ରାମ ମନ୍ଦିର ପ୍ରତିଷ୍ଠା ଆନ୍ଦୋଳନର ମୁଖ୍ୟପୁରୋଧା ଥିବା ଆଡଭାନୀଙ୍କୁ ମୋଦୀ ସରକାର ‘ଭାରତ ରତ୍ନ’ରେ ସମ୍ମାନୀତ କରିବାକୁ ଘୋଷଣା କରିବା ଦେଶରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । କେନ୍ଦ୍ର ସରକାର କିଛି ଦିନ ତଳେ ବିହାରର ଜନନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କର୍ପୁରୀ ଠାକୁରଙ୍କୁ ‘ଭାରତ ରତ୍ନ’ ଦେଉଥିବା ଘୋଷଣା କରିଥିଲେ । ଆଜି ବିଜେପିର ବରିଷ୍ଠ ନେତା ଆଡଭାନୀଙ୍କୁ ଏହି ସମ୍ମାନ ଦିଆଯାଉଥିବା ଘୋଷଣା କରିଛନ୍ତି । ଓଡ଼ିଶାରେ କିମ୍ବଦନ୍ତୀ ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ଦିଆଯିବାକୁ ବିଜୁ ଜନତା ଦଳ (ବିଜେଡ଼ି) ପକ୍ଷରୁ ବାରମ୍ବାର ଦାବି ହେଉଥିଲେ ମଧ୍ୟ କେନ୍ଦ୍ର ସରକାର କର୍ଣ୍ଣପାତ କରୁନଥିବା ବେଳେ ଆଜି ଆଡଭାନୀଙ୍କୁ ‘ଭାରତ ରତ୍ନ’ ଦିଆଯାଉଥିବା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହୋଇଛି ।
ଲୋକସଭାର ଚଳିତ ବଜେଟ ଅଧିବେଶନରେ ବ୍ରହ୍ମପୁର ବିଜେଡ଼ି ସାଂସଦ ଚନ୍ଦ୍ରଶେଖର ସାହୁ ବିଜୁ ବାବୁଙ୍କୁ ‘ଭାରତ ରତ୍ନ’ରେ ସମ୍ମାନୀତ କରାଯାଉ ବୋଲି ଦାବି ଦୋହରାଇ କେନ୍ଦ୍ର ସରକାରଙ୍କୁ ମନେ ପକାଇ ଦେବାକୁ ଉଦ୍ୟମ କରିଛନ୍ତି । ୨୪ ବର୍ଷ ହେଲା ଓଡ଼ିଶାର ବିଜୁ ଜନତା ଦଳ (ବିଜେଡ଼ି) ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମଧୁର ସଂପର୍କ ରହି ଆସିଛି । ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରରେ କଂଗ୍ରେସ କ୍ଷମତାରେ ଥିଲା । ୨୦୧୪ରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପି ସରକାର ରହିଛି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ହେଉଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା । ବିଜୁ ବାବୁଙ୍କ ନାମରେ ଓଡ଼ିଶାରେ ‘ବିଜୁ ଜନତା ଦଳ’ ପ୍ରତିଷ୍ଠା ହୋଇଛି । ଗତ ୧୦ ବର୍ଷ ହେଲା ବିଜେଡି କେନ୍ଦ୍ର ସରକାରଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନ୍ଧ ଭାବେ ସମର୍ଥନ କରି ଆସିଥିବା ବେଳେ କେନ୍ଦ୍ର ସରକାର ବିଜୁ ବାବୁଙ୍କୁ ‘ଭାରତ ରତ୍ନ’ ଦେବା ଦାବିକୁ ଅଣଦେଖା କରିଆସୁଥିବା ଓଡ଼ିଶାବାସୀଙ୍କୁ ବିସ୍ମିତ କରିଛି । ଭାରତର ବିକାଶରେ ବିଜୁ ବାବୁଙ୍କ ଯୋଗଦାନ କର୍ପୁରୀ ଠାକୁର ବା ଆଡଭାନୀଜୀଙ୍କଠାରୁ କୌଣସି ଦୃଷ୍ଟରୁ କମ୍ ନଥିଲେ ମଧ୍ୟ କେନ୍ଦ୍ର ଉପରେ ଚାପ ସୃଷ୍ଟି କରିବାରେ ରାଜ୍ୟ ସରକାରବିଫଳତା କାରଣରୁ ବିଜୁ ବାବୁଙ୍କୁ ‘ଭାରତ ରତ୍ନ’ ମିଳିବା ଆଜି ସୁଦ୍ଧା ସମ୍ଭବ ହୋଇନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି ।
ଅବଶ୍ୟ, ଆଡଭାନୀଙ୍କୁ ‘ଭାରତ ରତ୍ନ’ ସମ୍ମାନ ଦିଆଯିବା ନେଇ ପ୍ରଧାନମନ୍ତ୍ରୀ ଆଜି ଘୋଷଣା କରିବାରେ ଯଥାର୍ଥତା ରହିଛି । କାରଣ, ବିଜେପି ଆଜି ଦେଶରେ ଯେଉଁ ସ୍ଥିତିରେ ରହିଛି ସେଥିରେ ଆଡଭାନୀଙ୍କ ଯୋଗଦାନ କିଛି କମ୍ ନୁହେଁ । ଦେଶରେ ଯେତେବେଳେ ବିଜେପିର ସ୍ଥିତି ଅତି ଦୁର୍ବଳ ଥିଲା, ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଦାବିରେ ବିଜେପି ନେତା ଆଡଭାନୀ ୧୯୯୦ରେ ଦେଶବ୍ୟାପୀ ରଥଯାତ୍ରା କରି ଜନଜାଗରଣ ସୃଷ୍ଟି କରିଥିଲେ । ସେ ଗୁଜରାଟର ସୋମନାଥରୁ ‘ରଥଯାତ୍ରା’ ଆରମ୍ଭ କରି ଦେଶବ୍ୟାପୀ ପରିକ୍ରମା ମାଧ୍ୟମରେ ଯେଉଁ ଜନଜାଗରଣ ସୃଷ୍ଟି କଲେ ତାହାର ସୁଫଳ ବିଜେପିକୁ ୧୯୯୧ ସାଧାରଣ ନିର୍ବାଚନରେ ମିଳିଥିଲା । ବିଜେପି ଲୋକସଭାରେ କଂଗ୍ରେସ ପଛକୁ ଦ୍ୱତୀୟ ସର୍ବବୃହତ ରାଜନୈତିକ ଦଳ ଭାବେ ଉଭା ହେଲା । ସେହି ଭିତ୍ତିଭୂମି ଉପରେ ଆଜି ମୋଦୀ ସରକାର ଠିଆ ହୋଇଛି ଏବଂ କଂଗ୍ରେସକୁ ବହୁ ପଛରେ ପକାଇ ଦେଶର ଏକ ନମ୍ବର ରାଜନୈତିକ ଦଳ ହେବା ସହ ଗଲା ୧୦ ବର୍ଷ ହେଲା କେନ୍ଦ୍ରରେ କ୍ଷମତା ଭୋଗ କରୁଛି । ଆଡଭାନୀଜୀ ୧୯୯୦ରେ ଯେଉଁ ଉଦ୍ଦେଶ୍ୟ ପୂରଣ ପାଇଁ ‘ରଥଯାତ୍ରା’ କରିଥିଲେ ତାହା ମଧ୍ୟ ସଫଳ ହୋଇଛି ।
ଅଯୋଧ୍ୟାର ବିବାଦୀୟ ସ୍ଥଳରେ ନୂତନ ରାମ ମନ୍ଦିର ନିର୍ମାଣ ହେବା ସହ ଗତ ଜାନୁୟାରୀ ୨୨ ତାରିଖ ଦିନ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ ହୋଇଛି । ତେଣୁ, ମୋଦୀ ସରକାର ଦଳର ବୟୋଜ୍ୟେଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀଙ୍କୁ ‘ଭାରତ ରତ୍ନ’ ଦେବାର ଯଥାର୍ଥତା ଯଥାର୍ଥ କୁହାଯାଇପାରେ । ଆଡଭାନୀଙ୍କ ରାଜନୈତିକ ଜୀବନ ମଧ୍ୟ ଉଲ୍ଲେଖନୀୟ । କରାଚୀରେ ଜନ୍ମିତ ଏଲ.କେ.ଆଡଭାନୀ ଦେଶ ବିଭାଜନ ବେଳେ ଭାରତ ଚାଲି ଆସି ବମ୍ବେରେ (ଆଜିର ମୁମ୍ବାଇ) ବସବାସ କରିଥିଲେ । ୧୯୪୧ ମସିହାରେ ମାତ୍ର ୧୪ ବର୍ଷ ବୟସରେ ସେ ଆରଏସଏସ୍ ସହ ଯୋଡି ହୋଇ କାର୍ଯ୍ୟ କରିବା ପରେ ୧୯୫୧ରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ଭାରତୀୟ ଜନସଂଘ ସଦସ୍ୟ ହୋଇଥିଲେ । ୧୯୭୦ରେ ସେ ପ୍ରଥମ କରି ରାଜ୍ୟସଭାକୁ ନିର୍ବାଚିତ ହୋଇ ୧୯୮୯ ପର୍ଯ୍ୟନ୍ତ ସଂସଦର ସର୍ବୋଚ୍ଚ ଗୃହର ସଦସ୍ୟ ରହି ଥିଲେ । ୧୯୭୭ ସାଧାରଣ ନିର୍ବାଚନରେ ‘ଜନତା ପାର୍ଟି’ର ବିପୁଳ ବିଜୟ ପରେ ଆଡଭାନୀ ପ୍ରଥମ କରି କେନ୍ଦ୍ରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ସହ ରାଜ୍ୟସଭାରେ ଦଳର ନେତା ରହିଥିଲେ । ୧୯୯୯ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ କେନ୍ଦ୍ରରେ ଗୃହ ମନ୍ତ୍ରୀ ହେବା ସହ ଦେଶର ଉପ ପ୍ରଧାନମନ୍ତ୍ରୀ ଥିଲେ । ଆଡଭାନୀ ବିଜେପିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଥିଲେ ଏବଂ ଲଗାତର ତିନି ଥର ଦଳର ରାଷ୍ଟ୍ରୀୟ ସଭାପତି ରହିଥିଲେ । ୧୯୮୯ରେ ସେ ପ୍ରଥମ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ ।
୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ପ୍ରତିଷ୍ଠା ହେବା ପରେ ଆଡଭାନୀଙ୍କୁ ବୟସର ଦ୍ୱାହି ଦେଇ କୋଣଠେସା କରାଯାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ୨୦୧୫ରେ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ବିଭୂଷିତ କରିଥିଲେ । ଏବେ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ଦିଆଯାଉଥିବା ଆଜି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ଆଡଭାନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ‘ଗୁରୁ ଦକ୍ଷିଣା’ କହିବା ଠିକ ହେବ । ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ରାମ ମନ୍ଦିର ଉଦ୍ଘାଟନ ଓ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆଡଭାନୀଜୀଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ବୟସାଧିକ୍ୟ କାରଣରୁ ଅଯୋଧ୍ୟା ନ ଆସିବାକୁ ପରାମର୍ଶ ଦିଆଯାଇଥିଲା, ଯାହାକି ଦେଶବ୍ୟାପୀ ପ୍ରତିକୂଳ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଆଜି ଆଡଭାନୀଙ୍କୁ ‘ଭରତ ରତ୍ନ’ ଦିଆଯିବା କଥା ପ୍ରଧାନମନ୍ତ୍ରୀ ଘୋଷଣା କରି ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଥିବା ଅନୁମାନ କରି ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS