ମିତ୍ରତାର ଅନନ୍ୟ ଉଦାହରଣ…
ପ୍ରସାଦ ରାଓ
ଫେବୃୟାରୀ ୦୪/୨୪
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର (୩ତାରିଖ) ଦିନ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାଂପସ୍ ଉଦ୍ଘାଟନ ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ମିତ୍ର’ ବୋଲି ସମ୍ବୋଧନ କରିବା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହାର ପ୍ରତ୍ୟୁତ୍ତରରେ ମୋଦୀଙ୍କ ଦଶ ବର୍ଷ ଶାସନରେ ଭାରତ ଅର୍ଥନୈତିକ କ୍ଷେତ୍ରରେ ଏକ ବୃହତ ଶକ୍ତି କେନ୍ଦ୍ର ବା ପାୱାର ହାଉସରେ ପରିଣତ ହୋଇଛି ବୋଲି ପ୍ରଶଂସା କରିବା ଦୁଇ ଦଳ ମଧ୍ୟରେ ରହିଥିବା ସଂପର୍କକୁ ନେଇ ଅଧିକ ଚର୍ଚ୍ଚାର ଖୋରାକ ଯୋଗାଇଛି । ଓଡ଼ିଶାରେ ବିଜେପି ରାଜ୍ୟ ସରକାରଙ୍କ ଦୃଢ ବିରୋଧୀ ଭାବରେ ନିଜକୁ ଉପସ୍ଥାପନ କରୁଥିବା ବେଳେ ଦଳର ରାଷ୍ଟ୍ରୀୟ ନେତାମାନେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାରୁ ଦୂରେଇ ରହିବା ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ସମ୍ବଲପୁର ସଭାରେ ‘ମିତ୍ର’ ବୋଲି ସମ୍ବୋଧନ କରିବା ଦୁଇ ଦଳ ମଧ୍ୟରେ ଗତ ଦଶ ବର୍ଷ ଧରି ରହିଥିବା ମିତ୍ର-ସୁଲଭ ସଂପର୍କକୁ ଅଧିକ ଉଜାଗର କରିଛି । ଆସନ୍ତା ଏପ୍ରିଲରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏପ୍ରିଲରେ ରାଜ୍ୟର ତିନି ଜଣ ରାଜ୍ୟସଭା ସାଂସଦ ଅବସର ନେବାକୁ ଯାଉଥିବାରୁ ଫେବୃୟାରୀ ୨୭ ତାରିଖରେ ଏହି ତିନିଟି ଆସନ ପାଇଁ ନିର୍ବାଚନ ହେବ ବୋଲି ଭାରତୀୟ ନିର୍ବାଚନ ଆୟୁକ୍ତ (ସିଇସି) ତାରିଖ ମଧ୍ୟ ଧାର୍ଯ୍ୟ କରି ସାରିଛନ୍ତି । ଏହି ତିନିଟି ରାଜ୍ୟସଭା ଆସନରୁ ଦୁଇଟିରେ ବିଜେଡ଼ି ସାଂସଦ ଥିବା ବେଳେ ଗୋଟିଏ ଆସନ ବିଜେପି ହାତରେ ରହିଛି । ତାହା ମଧ୍ୟ ବିଜେଡ଼ି ସମର୍ଥନରେ । କେନ୍ଦ୍ର ରେଳବାଇ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ (ବିଜେପି) ୨୦୧୮ରେ ବିଜେଡ଼ି ସମର୍ଥନରେ ଓଡ଼ିଶାରୁ ରାଜ୍ୟସଭାକୁ ଯାଇଛନ୍ତି । ବୈଷ୍ଣବ ଏପ୍ରିଲରେ ରାଜ୍ୟସଭା ସାଂସଦ ପଦରୁ ଅବସର ନେବାକୁ ଥିବାରୁ ଏବଂ ଆସନ୍ତା ଏପ୍ରିଲ-ମେ’ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଓଡ଼ିଶାର କୌଣସି ଏକ ଲୋକସଭା ଆସନରୁ (ସମ୍ଭବତଃ କଟକ ଆସନ) ବିଜେପିରୁ ପ୍ରାର୍ଥୀ ହେବାକୁ ପ୍ରସ୍ତୁତି ଚଳାଇ ଥିବାରୁ ଫେବୃୟାରୀ ୨୭ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ବିଜେଡ଼ି ତିନିଟି ଯାକ ଆସନରେ ପ୍ରାର୍ଥୀ ଦେବ କି ୨୦୧୮ ଭଳି ଗୋଟିଏ ଆସନ ବିଜେପିକୁ ଦାନସୂତ୍ରରେ ଦେବ – ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ । ରାଜ୍ୟ ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା (୨୨) ଯାହା ବିଜେଡ଼ିର ସମର୍ଥନ ବିନା ଦଳ ଗୋଟିଏ ବି ରାଜ୍ୟସଭା ଆସନ ଜିତି ପାରିବ ନାହିଁ । ସେହିଭଳି, ଲୋକସଭା ନିର୍ବାଚନରେ ବିଜେଡ଼ି, ବିଜେପି ଭିନ୍ନ ଭିନ୍ନ ଭାବେ ୨୧ରୁ ଯେତିିକି ଆସନ ପାଇବେ ତାହା ପରୋକ୍ଷରେ ଏନଡିଏ ଖାତାକୁ ହିଁ ଯିବ – ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଲା ୧୦ ବର୍ଷ ହେଲା ଦେଖୁଛନ୍ତି । ତେଣୁ, ବିଜେପି କେନ୍ଦ୍ରୀୟ ନେତାଙ୍କ ଆଚରଣ ରାଜ୍ୟ ବିଜେପି ନେତାଙ୍କୁ ଦ୍ୱନ୍ଦ୍ୱଗ୍ରସ୍ତ କରୁଥିବା ଜାଣି ସୁଦ୍ଧା ଦଳର ରାଷ୍ଟ୍ରୀୟ ନେତାମାନେ ବିଜେଡ଼ି ସହ ମିତ୍ରତାରେ ଆବଦ୍ଧ ରହିବାକୁ ପସନ୍ଦ କରୁଛନ୍ତି । ବିଜେଡ଼ି ମଧ୍ୟ ଅନ୍ୟ ଅଣ-ବିଜେପି ରାଜ୍ୟ ଭଳି କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସହ ସଂପର୍କ ଖରାପ କରି ସିବିଆଇ, ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ), ଆୟକର ବିଭାଗ ଭଳି କେନ୍ଦ୍ରୀୟ ଏଜେନ୍ସୀଙ୍କ ଦ୍ୱାରା ଘାଂଟି ହେବାକୁ ଚାହୁଁ ନାହିଁ । ତେଣୁ, ଦୁଇ ଦଳ ଆସନ୍ତା ସାଧାରଣ ନିର୍ବାଚନରେ ମିତ୍ରତାର ଏକ ନୂଆ ଉଦାହରଣ ସୃଷ୍ଟି ଦିଗରେ ଅଗ୍ରସର ହେଉଥିବା ଗତକାଲି ସମ୍ବଲପୁରରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ‘ମିତ୍ର’ ବୋଲି ସମ୍ବୋଧନ କରିବା ଏବଂ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ତାହାର ଜବାବରେ ମୋଦୀଙ୍କ ଦର୍ଶ ବର୍ଷର ଶାସନରେ ଭାରତ ଅର୍ଥନୈତିକ କ୍ଷେତ୍ରରେ ଏକ ବୃହତ ଶକ୍ତି କେନ୍ଦ୍ର ବା ପାୱାର ହାଉସରେ ରୂପାନ୍ତରିତ ହୋଇଛି ବୋଲି ପ୍ରଶଂସା କରିବା କଥାରୁ ସ୍ପଷ୍ଟ ହେଉଛି । ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାଂପସ ଉଦ୍ଘାଟନ ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ‘ମିତ୍ର’ କହିବାରେ କେବଳ ସୀମିତ ନାହାନ୍ତି, ସମ୍ବଲପୁରର ରେମେଡରେ ଅନୁଷ୍ଠିତ ନିର୍ବାଚନ-ପୂର୍ବ ସାଧାରଣ ସଭାରେ ୩୫ ମିନିଟ କାଳ ଭାଷଣ ଦେଇ କଂଗ୍ରେସ ସମେତ ବିରୋଧୀ ଦଳଙ୍କୁ ସମାଲୋଚନା କରିଥିବା ବେଳେ ଓଡ଼ିଶାର ବିଜେଡ଼ି ସରକାର ସଂପର୍କରେ ପଦୁଟିଏ କହି ନାହାନ୍ତି । ଏହା ବିଜେଡ଼ି-ବିଜେପି ମଧ୍ୟରେ ନିର୍ବାଚନ ବୁଝାମଣାର ସଂକେତ ଦେଉଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଥିଲେ ମଧ୍ୟ ଆଗକୁ ଅଧିକ ବୁଝାମଣା ହେଉ ବା ନହେଉ ଯେତିକି ବୁଝାମଣା ରହିଛି ତାହା ଉଭୟଙ୍କୁ ଫାଇଦାରେ ରଖିଛି ବୋଲି ରାଜ୍ୟବାସୀ କହୁଛନ୍ତି ।
ଦଶ ବର୍ଷରେ ସପ୍ତମ ‘ଭାରତ ରତ୍ନ’, ଓଡ଼ିଶାର ପାଳି ପଡୁନି !
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ୨୦୧୪ରୁ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଚାଲିଛି । ଏହି ସରକାର ଅମଳରେ ସାତ ଜଣ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନୀତ ହେଲେଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରେ ୯୬ ବର୍ଷ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ‘ଭାରତ ରତ୍ନ’ ସମ୍ମାନରେ ଭୂଷିତ କରାଯାଉଥିବା ଘୋଷଣା କରିଥିବା ବେଳେ କିଛି ଦିନ ତଳେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ନେତା କର୍ପୁରୀ ଠାକୁରଙ୍କୁ ମରଣୋତ୍ତର ‘ଭାରତ ରତ୍ନ’ ସମ୍ମାନ ପ୍ରଦାନ କରାଯାଉଥିବା ଘୋଷଣା କରିଥିଲେ । ୨୦୧୪ରୁ ୨୦୨୪ ମଧ୍ୟରେ ମୋଦୀ ସରକାରଙ୍କ ଦ୍ୱାରା ସାତ ଜଣ ଦେଶର ଏହି ସର୍ବୋଚ୍ଚ ପାଇଥିବା ବା ପାଉଥିବା ବେଳେ ସେଥିରେ ଜଷର ବି ଓଡ଼ିଶାର ନାହାନ୍ତି । ଆଡଭାନୀ ଓ ଠାକୁରଙ୍କ ନାମ ଏବେ ଘୋଷଣା ହୋଇଛି । ତାହା ପୂର୍ବରୁ ମୋଦୀ ସରକାର ଯେଉଁ ପାଂଚ ଜଣଙ୍କୁ ‘ଭାରତ ରତ୍ନ’ରେ ଭୂଷିତ କରିଛନ୍ତି ସେମାନେ ହେଉଛନ୍ତି – ମଦନ ମୋହନ ମାଲବ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ନାନାଜୀ ଦେଶମୁଖ ଓ ଭୂପେନ ହଜାରିକା । ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଂଟରେ ‘ଭାରତ ରତ୍ନ’ ପାଇଁ ଆଡଭାନୀଜୀଙ୍କ ନାମ ଘୋଷଣା କରିବା ପରେ ଅନ୍ୟ ରାଜ୍ୟରେ ମଧ୍ୟ ଅନେକ ନେତାଙ୍କୁ ଦେଶର ଏହି ସର୍ବୋଚ୍ଚ ସମ୍ମାନ ଦିଆଯିବାକୁ ଦାବି ଉଠିଲାଣି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ମରଣୋତ୍ତର ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନୀତ କରାଯିବାକୁ ସରକାରଙ୍କ ପକ୍ଷରୁ ବହୁ ଦିନରୁ ଦାବି ହୋଇ ଆସୁଛି । ତେବେ, ଆଜି ସୁଦ୍ଧା କେନ୍ଦ୍ର ସରକାର ତାହା ବିଚାରକୁ ନେଇ ନାହାନ୍ତି । ଓଡ଼ିଶା ସରକାର ମଧ୍ୟ ଗଲା ଚବିଶି ବର୍ଷ ହେଲା କେନ୍ଦ୍ର ସହ ମିତ୍ରତାର ସଂପର୍କ ରଖି ଆସିଥିବା ବେଳେ ବିଜୁ ବାବୁଙ୍କୁ ‘ଭାରତ ରତ୍ନ’ ଦେବାକୁ କେନ୍ଦ୍ରକୁ ମନାଇ ପାରୁ ନାହାନ୍ତି । ଓଡ଼ିଶା ସରକାରଙ୍କ ଏହି ଦାବି ସଂସଦରେ ବିବୃତି ମଧ୍ୟରେ କେବଳ ସୀମିତ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ‘ଏକ୍ସ’ରେ ଆଡଭାନୀଙ୍କ କଥା ଘୋଷଣା କରିବା ପରେ ଓଡ଼ିଶା ଆସି ସମ୍ବଲପୁରରେ ଆଇଆଇଏମର ସ୍ଥାୟୀ କ୍ୟାଂପସ ଉଦ୍ଘାଟନ ଓ ଜନସଭା କରି ଫେରି ଗଲ । ରାଜ୍ୟ ପାଇଁ ୬୮ ହଜାର କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରି ବିଜେପିର ନିର୍ବାଚନ ବିଗୁଲ ବଜାଇଲେ । ମୁଖ୍ୟମନ୍ତ୍ରୀଙ୍କୁ ‘ମିତ୍ର’ ବୋଲି ସମ୍ବୋଧନ କରି ଶାସକ ବିଜେଡ଼ିକୁ ବନ୍ଧୁ ବୋଲି ସ୍ୱୀକାର କଲେ । ତେବେ, କେନ୍ଦ୍ର ସରକାର ବିଜୁ ବାବୁଙ୍କୁ କେବେ ‘ଭାରତ ରତ୍ନ’ରେ ଭୂଷିତ କରିବେ (?) ବୋଲି ରାଜ୍ୟ ସରକାରଙ୍କ ଆଡୁ ବା ରାଜ୍ୟର ଗଣମାଧ୍ୟମ ଆଡୁ -ପ୍ରଧାନମନ୍ତ୍ରୀଙ୍କୁ କେହି ପ୍ରଶ୍ନ କରିଥିବା ସୂଚନା ନାହିଁ । ଶାସକ ଓ ବିରୋଧୀ ଦଳରେ ଥିବା ରାଜ୍ୟରେ ବହୁ ରାଜନେତା ବିଜୁ ବାବୁଙ୍କ ସହ କାର୍ଯ୍ୟ କରିଛନ୍ତି ଏବଂ ତାଙ୍କୁ ନିଜ ରାଜନୈତିକ ଗୁରୁ ବୋଲି କହି ଆସିଛନ୍ତି । ତେବେ, ବିଜୁ ବାବୁଙ୍କୁ ‘ଭାରତ ରତ୍ନ’ ଦିଆଯିବା ପ୍ରସଙ୍ଗରେ ସେମାନେ ମଧ୍ୟ ନିରବ । ଯେତେବେଳେ ନିଜ ଲୋକ ନିରବ, ମୋଦୀ ସରକାର କାହିଁକି ଉପରେ ପଡି ମଂଗଳବାର କରିବେ ?
ହେମନ୍ତଙ୍କ ପରେ କେଜରୀୱାଲ…
ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜମି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ବନ୍ଧା ହେବା ପରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ପ୍ରମାଦ ବଢିବାରେ ଲାଗିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଜେରା କରିବାକୁ ପାଂଚ ଥର ସମନ କଲେ ବି ସେ ହାଜର ହେଉନଥିବାରୁ ଏବେ ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟର ଆଶ୍ରୟ ନେଇଛି । କୋର୍ଟ କେଜରୀୱାଲଙ୍କୁ ଜେରା ପାଇଁ ଇଡିରେ ହାଜର ହେବାକୁ ନିର୍ଦେଶ ଦିଆଯାଉ ବୋଲି ଇଡି ଆବେଦନ କରିଥିବା ବେଳେ ୭ ତାରିଖ ଏହାର ଶୁଣାଣୀ ହେବାକୁ ଅଛି । ମୁଖ୍ୟମନ୍ତ୍ରୀ କେଜରୀୱାଲ ଇଡି ସମନକୁ ରାଜନୈତିକ ଉଦ୍ଦେଶ୍ୟମୂଳକ କହି ଏଡାଇ ଆସୁଛନ୍ତି । ଇତିମଧ୍ୟରେ, ମୁଖ୍ୟମନ୍ତ୍ରୀ କେଜରୀୱାଲ ବିଜେପି ବିରୋଧରେ ଆଉ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ଦିଲ୍ଲୀ ସରକାରକୁ ଭାଂଗିବା ପାଇଁ ବିଜେପି ‘ଘୋଡା ବେପାର’ର ଆଶ୍ରୟ ନେଇଛି, ସାତ ଜଣ ‘ଆପ୍’ ବିଧାୟକଙ୍କୁ ଜଣ ପିଛା ୨୫ କୋଟି ଟଙ୍କା ଲେଖାଏଁ ଯଚା ଯାଇଛି ବୋଲି ‘ଆପ୍’ର ଜାତୀୟ ଆବାହକ ତଥା ମୁଖ୍ୟମନ୍ତ୍ରୀ କେଜରୀୱାଲ ଅଭିଯୋଗ କରିବା ପରେ ବିଜେପି ମୁଖ୍ୟମନ୍ତ୍ରୀ ଓ ଦିଲ୍ଲୀର ମନ୍ତ୍ରୀ ଅତଶୀଙ୍କ ବିରୋଧରେ ପୁଲିସରେ ମାମଲା କରିଛି । ଏହି ଆଧାରରେ ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଂଚ କେଜରୀୱାଲ ଓ ଅତଶୀଙ୍କୁ ଉଭୟଙ୍କୁ ଜେରା ପାଇଁ ନୋଟିସ କରିଛନ୍ତି । କେଜରୀୱାଲ ଆଜି ଦିଲ୍ଲୀ ରୋହିଣୀର କିରାରାଠାରୁ ଏକ ନୂତନ ସ୍କୁଲ ଉଦ୍ଘାଟନ ସମୟରେ ଅଭିଯୋଗ କରିଛନ୍ତି, ତାଙ୍କୁ ମଧ୍ୟ ବିଜେପି ଦଳତ୍ୟାଗ ପ୍ରସ୍ତାବ ଦେଇଛି, କିନ୍ତୁ ସେ ତାହା ଗ୍ରହଣ କରିବା ପ୍ରଶ୍ନ ଉଠୁ ନାହିଁ । କେଜରୀୱାଲଙ୍କ ଅଭିଯୋଗରେ ସତ୍ୟତା କେତେ, ତାହା ଯାଂଚରୁ ଜଣାପଡିବ । ତେବେ, ନଅ ଥର ଇଡି ସମନକୁ ଏଡାଇ ଦଶମ ଥରରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜେଲ ଗଲା ଭଳି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ମଧ୍ୟ ପାଂଚ ଥର ସମନ ଏଡାଇ ଏବେ ଜେଲ ଯିବା ପ୍ରସ୍ତୁତିରେ ଅଛନ୍ତି ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମେଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS