ଇସି ଆଡଭାଇଜରୀ – ନିର୍ବାଚନ ପ୍ରଚାରରେ ଛୋଟ ପିଲାଙ୍କୁ ବ୍ୟବହାର ମନା
ପ୍ରସାଦ ରାଓ
ନୂଆଦିଲ୍ଲୀ/ଫେବୃୟାରୀ ୦୫
ଦେଶରେ ସାଧାରଣ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ନିର୍ବାଚନ କମିଶନ ଆଜି ରାଜନୈତିକ ଦଳମାନଙ୍କ ପାଇଁ ନିର୍ଦେଶାବଳୀ (ଆଡଭାଇଜରୀ) ଜାରି କରି କୌଣସି ପ୍ରକାର ନିର୍ବାଚନ ପ୍ରଚାର କାର୍ଯ୍ୟରେ ଛୋଟ ପିଲାଙ୍କୁ ବ୍ୟବହାର କରିହେବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ସାଧାରଣତଃ ନିର୍ବାଚନ ସମୟରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ଛୋଟ ପିଲାଙ୍କୁ ପୋଷ୍ଟର ମାରିବା, ପାଂପଲେଟ ବାଂଟିବା, ନିର୍ବାଚନ ସଭାରେ ସ୍ଲୋଗାନ ଦେବା ପ୍ରଭୃତି କାର୍ଯ୍ୟରେ ବ୍ୟବହାର କରିଥା’ନ୍ତି । ତେବେ, ଆସନ୍ତା ନିର୍ବାଚନରେ ଏଭଳି କାର୍ଯ୍ୟକୁ ନା’ କରାଯାଇଛି । ରାଜନୈତିକ ଦଳ ବା ପ୍ରାର୍ଥୀ କୌଣସି ପ୍ରକାର ନିର୍ବାଚନ ପ୍ରଚାର କାମରେ ଛୋଟ ପିଲାଙ୍କୁ ବ୍ୟବହାର କରିବାକୁ ନିର୍ବାଚନ କମିଶନ ମନା କରିବା ସହ ଏନେଇ କମିଶନଙ୍କ ଶୂନ୍ୟ-ସହନଶୀଳତା ସଂପର୍କରେ ମଧ୍ୟ ଚେତାଇ ଦେଇଛନ୍ତି । ରାଜନୈତିକ ଦଳଙ୍କୁ ଆଜି ଏହି ନିର୍ଦେଶାବଳୀ ପଠା ଯାଇଛି । ନିର୍ବାଚନ ପ୍ରଚାରରେ ଥିବା ରାଜନୈତିକ ଦଳ ବା ପ୍ରାର୍ଥୀ ପ୍ରଚାର ସମୟରେ ଛୋଟ ପିଲାଙ୍କୁ କାଖେଇବା, କୁଣ୍ଢାଇବା, ପ୍ରଚାର ଗାଡିରେ ନେବା ବା ସମାବେଶରେ ସାମିଲ କରିବା ନିର୍ଦେଶବଳୀର ଉଲଂଘନ ହେବ ବୋଲି କମିଶନ ସ୍ପଷ୍ଟ କରିଦେଇଥିବା ବେଳେ ରାଜନୈତିକ ଦଳ ବା ପ୍ରାର୍ଥୀ ଛୋଟ ପିଲାଙ୍କୁ ପୋଷ୍ଟର, କଥା, ଗୀତ ବା କବିତା ମଧ୍ୟମରେ ମଧ୍ୟ ବ୍ୟବହାର କରି ପାରିବେ ନାହିଁ ବୋଲି କୁହାଯାଇଛି । ତେବେ, କୌଣସି ରାଜନୈତିକ ଦଳ ପାଇଁ ନିର୍ବାଚନ ପ୍ରଚାରରେ ସଂପୃକ୍ତ ନଥିବା ନେତାଙ୍କ ନିକଟରେ କୌଣସି ଛୋଟ ପିଲା ବାପା, ମା’ ବା ଅଭିଭାବକଙ୍କ ସହ ଉପସ୍ଥିତ ଥିଲେ ତାହାକୁ ନିର୍ବାଚନ କମିଶନଙ୍କ ନିର୍ଦେଶାବଳୀର ଉଲଂଘନ ଭାବେ ବିଚାର କରାଯିବ ନାହିଁ କମିଶନ ପକ୍ଷରୁ ବିବୃତିରେ କୁହାଯାଇଛି । ଦେଶର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଆଜି ଏହି ନିର୍ଦେଶାବଳୀ ଜାରି କରିଛନ୍ତି । ସୁସ୍ଥ ବାତାବରଣରେ ନିର୍ବାଚନ ପରିଚାଳନାରେ ରାଜନୈତିକ ଦଳମାନଙ୍କ ଭାଗିଦାରିତାକୁ ମନେ ପକାଇ ଦେଇ ଆଗାମୀ ନିର୍ବାଚନରେ, ବିଶେଷକରି ଲୋକସଭା ନିର୍ବାଚନରେ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ଦିଗରେ ସେମାନେ ସହଯୋଗ କରିବାକୁ ନିବେଦନ କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS