ଆସ୍ଥା ଭୋଟରେ ଚଂପାଇଙ୍କ ବିଜୟ, ବିଧାନସଭାରୁ ବିଜେପିକୁ ଟାର୍ଗେଟ କଲେ ହେମନ୍ତ ସୋରେନ
ପ୍ରସାଦ ରାଓ
ରାଂଚି/ଫେବୃୟାରୀ ୦୫
ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚଂପାଇ ସୋରେନ ରାଜ୍ୟ ବିଧାନସଭାରେ ନିଜ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ଅନ୍ୟପକ୍ଷରେ, ଜାନୁୟାରୀ ୩୧ ତାରିଖରେ ପିଏମଏଲଏ ମାମଲାରେ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ ଆଜି ବିଧାନସଭାରେ ଆସ୍ଥା ଭୋଟରେ ଭାଗ ନେଇ ଭାବବିହ୍ୱଳ ଭାଷଣ ଦେବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆସ୍ଥା ଭୋଟରେ ଭାଗ ନେବାକୁ ହେମନ୍ତ ଇଡି ହେପାଜତରେ ବିଧାନସଭାରେ ଉପସ୍ଥିତ ଥିଲେ । ହେମନ୍ତ ସୋରେନ ତାଙ୍କ ଭାଷଣରେ କହିଛନ୍ତି, ଜାନୁୟାରୀ ୩୧ ଦିନ ରାଂଚିରେ ଯାହା ଘଟିଲା ତାହା ଭାରତୀୟ ଗଣତନ୍ତ୍ରରେ ଏକ କଳା ଅଧ୍ୟାୟ ଯୋଡିଛି । ସେଦିନ ଯାହା ସବୁ ଘଟିଲା ସେଥିପାଇଁ ସେ ଆଖିରୁ ଲୁହ ଝରାଇବାକୁ ଚାହୁଁ ନାହାନ୍ତି । କାରଣ, ଧୋବଧାଉଳିଆ ନେତା ଆଦିବାସୀ ଓ ପଛୁଆ ଶ୍ରେଣୀଙ୍କ ଲୁହକୁ କୌଣସି ମୂଲ୍ୟ ଦିଅନ୍ତି ନାହିଁ ।
ରାଂଚିରେ ୮.୫ ଏକର ଜମି କିଣା, ବିକାରେ ଜାଲିଆତି ହୋଇଥିବା ଇଡି ମାମଲା କରିଥିବା ବେଳେ କଥିତ ଜମି ତାଙ୍କ ନାମରେ ରେଜିଷ୍ଟ୍ରୀ ହୋଇଥିବା ବିଜେପି ପ୍ରମାଣିତ କରି ଦେଲେ ସେ ରାଜନୀତିରୁ ସନ୍ୟାସ ନେବାକୁ ପ୍ରସ୍ତୁତ ବୋଲି ହେମନ୍ତ ଚ୍ୟାଲେଂଜ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ, ଇଡି ଜମି କିଣା, ବିକାରେ ଦୁର୍ନୀତି ଅଭିଯୋଗ ଆଣି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ପିଏମଏଲ ମାମଲା କରିଛି ଏବଂ ଜାନୁୟାରୀ ୩୧ ତାରିଖ ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇଛି । ଦୀର୍ଘ ସାତ ଘଂଟା ଜେରା ପରେ ସେ ସହଯୋଗ କରୁନଥିବା ଅଭିଯୋଗ କରି ଇଡି ହେମନ୍ତଙ୍କୁ ଗିରଫ କରିଥିଲା । ଗିରଫ ହେବା ପୂର୍ବରୁ ହେମନ୍ତ ସୋରେନ ଇଡି ହେପାଜତରେ ରାଜଭବନକୁ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ନୂତନ ମୁଖ୍ୟମନ୍ତ୍ରୀ ଚଂପାଇ ସୋରେନ ହେଉଛନ୍ତି ଜେଏମଏମର ଜଣେ ପୁରୁଖା ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପରିବାରର ଅତ୍ୟନ୍ତ ଅନୁଗତ । ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତଙ୍କ ଇସ୍ତଫା ପରେ ସେହି ସନ୍ଧ୍ୟାରେ ଜେଏମଏମ, କଂଗ୍ରେସ ଓ ସରକାରରେ ଥିବା ଅନ୍ୟ ଦଳର ବିଧାୟକଙ୍କ ମିଳିତ ବୈଠକ ହୋଇ ରାଜ୍ୟ ପରିବହନ ମନ୍ତ୍ରୀ ଥିବା ଚଂପାଇ ସୋରେନଙ୍କୁ ବିଧାୟକ ଦଳ ନେତା ନିର୍ବାଚନ କରାଯାଇଥିଲା ।
ଚଂପାଇ ନେତା ନିର୍ବାଚିତ ହେବା ପରେ ରାଜ୍ୟ ବିଧାନସଭାର ୪୩ ଜଣ (୮୧ରୁ) ବିଧାୟକଙ୍କ ସମର୍ଥନପତ୍ର ଧରି ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ଥିଲେ । ନୂତନ ସରକାର ଗଠନ ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଉ ବୋଲି ଚଂପାଇ ସୋରେନ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବାର ପ୍ରାୟ ୪୦ ଘଂଟା ପରେ ରାଜ୍ୟପାଳ ଚଂପାଇଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ ଓ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ । ସର୍ତ୍ତ ଥିଲା ମୁଖ୍ୟମନ୍ତ୍ରୀ ଚଂପାଇ ସୋରେନ ଦଶ ଦିନ ଭିତରେ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ । ଆଜି (୫ ତାରିଖ) ରାଚି ବିଧାନସଭାରେ ଅନୁଷ୍ଠିତ ଆସ୍ଥା ଭୋଟରେ ଚଂପାଇଙ୍କ ବିଜୟ ହୋଇଛି ।
ଅପରପକ୍ଷରେ, ଜାନୁୟାରୀ ୩୧ ତାରିଖ ରାତିରେ ରାଂଚିରେ ଯାହା ସବୁ ଘଟିଲା ସେବୁ ଭାରତୀୟ ଗଣତନ୍ତ୍ରରେ ଏକ ‘କଳା ଅଧ୍ୟାୟ’ ଥିଲା ବୋଲି ପୂର୍ବତନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ଦୀର୍ଘ ଦିନରୁ ଯୋଜନା ଚାଲି ଥିଲା ଏବଂ ସେଥିରେ ଝାଡଖଣ୍ଡ ରାଜଭବନ ଓ ରାଜ୍ୟପାଳ ମଧ୍ୟ ସଂପୃକ୍ତି ଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ‘ଆଦିବାସୀମାନେ ଜଂଗଲରେ ରହିବା ସେମାନେ ଚାହୁଁଛନ୍ତି । ଆମେ ସବୁ ଜଂଗଲରୁ ବାହାରି ଆସି ସେମାନଙ୍କ ପାଖରେ ବସିଲେ ସେମାନଙ୍କ ଲୁଗାପଟା ନଷ୍ଟ ହୋଇଯାଉଛି ବୋଲି ଭାବି ସେମାନେ ଆମକୁ ଘୃଣା କରୁଛନ୍ତି । ଆମେ ପୁନର୍ବାର ଜଂଗଲକୁ ଫେରି ଯିବା ସେମାନେ ଚାହୁଁଛନ୍ତି’ ବୋଲି ହେମନ୍ତ ଆଜି କହିବା ସହ ସେ ବିମାନରେ ଯାତ୍ରା କଲେ, ପଂଚ ତାରକା ହେଟେଲରେ ରହିଲେ ଓ ବିଏମଡବ୍ଲୁ ଗାଡି ଚଢିଲେ ସେମାନଙ୍କ ଦେହ ସହୁ ନଥିଲା ବୋଲି ଅଭିଯୋଗ କରିଛନ୍ତି ।
‘ହେମନ୍ତ ସୋରେନ ଜେଲରେ ରହିଲେ ୨୦ ବର୍ଷ ତଳେ ଜଣେ ଆଦିବାସୀ ଭାବେ ଜଂଗଲରେ ରହିବା ଅଭିଜ୍ଞତା ତାଙ୍କର ମନେ ପଡି ଯିବ’ ବୋଲି କିଛି ଗଣମାଧ୍ୟମରେ ତାଙ୍କ ପ୍ରତି ଯେଉଁ କଟୁକ୍ତି ହୋଇଥିଲା ତାହାର ଉତ୍ତର ଦେବାକୁ ଯାଇ ହେମନ୍ତ ଏହା କହିଛନ୍ତି । ‘ପରାଜୟକୁ ସେ ଗ୍ରହଣ କରି ନାହାନ୍ତି । ତାଙ୍କ ବିରୋଧରେ ଯେଉଁମାନେ ଷଡଯନ୍ତ୍ର କରିଛନ୍ତି ସେମାନେ ସଫଳ ହେବେ ନାହିଁ । କାରଣ, ଝାଡଖଣ୍ଡ ରାଜ୍ୟ ଗଠନରେ ଆଦିବାସୀ ଓ ଦଳିତଙ୍କ ଅସୀମ ବଳୀଦାନ ରହିଛି । ଯେଉଁମାନେ କୋଟି କୋଟି ଟଙ୍କା ଲୁଟି ନେଇ ଦେଶ ଛାଡି ପଳାଇଛନ୍ତି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାମାନେ ସେମାନଙ୍କର କିଛି ବିଗାଡି ପାରି ନାହାନ୍ତି । କେବଳ ଆଦିବାସୀ ଓ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛନ୍ତି’ ବୋଲି ହେମନ୍ତ ଅଭିଯୋଗ କରି ୨୪ ବର୍ଷ ହେଲା ସ୍ୱତନ୍ତ୍ର ଝାଡଖଣ୍ଡ ରାଜ୍ୟ ଗଠନ ହୋଇଥିବା ବେଳେ ରାଜ୍ୟରେ ଦୀର୍ଘ ସମୟ ଧରି କେଉଁମାନେ ସରକାରରେ ଥିଲେ ଏବଂ ସବୁ ଦୁର୍ନୀତି କଣ ୨୦୧୯ରେ ଆାରମ୍ଭ ହୋଇଛି (?) ବୋଲି ପ୍ରଶ୍ନ କରିଛନ୍ତି । ହେମନ୍ତ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ ଯିବା ପରେ ଇଡି ତାଙ୍କୁ ପାଂଚ ଦିନ ପାଇଁ ଅଦାଲତରୁ ରିମାଣ୍ଡରେ ଆଣି ଜେରା କରୁଛି । ଏହି ମାମଲାରେ ଇଡି ହେମନ୍ତଙ୍କୁ ନଅ ଥର ସମନ କରିଲେ ମଧ୍ୟ ସେ ଏହାଇ ଯାଇଥିଲେ । ତେବେ, ନବମ ସମନରେ ଜେରା ପାଇଁ ହାଜର ହୋଇଥିଲେ ଏବଂ ଦଶମ ସମନରେ ଇଡି ତାଙ୍କୁ ସାତ ଘଂଟାରୁ ଅଧିକ ସମୟ ଜେରା କରି ଜାନୁୟାରୀ ୩୧ ତାରିଖ ସନ୍ଧ୍ୟାରେ ଗିରଫ କରିଥିଲା ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS