ମେୟର ନିର୍ବାଚନ – ସୁପ୍ରିମ କୋର୍ଟରେ ବିଜେପି ମୁଖା ଖୋଲି ଗଲା ?


ପ୍ରସାଦ ରାଓ
ଫେବୃୟାରୀ ୦୬
ଗତ ମାସ ଶେଷ ଆଡକୁ ହୋଇଥିବା ଚଣ୍ଡିଗଡ଼ ମହାନଗର ନିଗମ ମେୟର ନିର୍ବାଚନରେ ଯେ ଜାଲିଆତି ହୋଇଛି, ତାହା ଗତକାଲି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ମାମଲାର ବିଚାର କରୁଥିବା ଖଣ୍ଡପୀଠଙ୍କ ପ୍ରାଥମିକ ପ୍ରତିକ୍ରିୟାରୁ ସ୍ପଷ୍ଟ ହେଉଛି । ଗତ ଜାନୁୟାରୀ ୩୦ ତାରିଖରେ ଏହି ନିର୍ବାଚନ ହୋଇଥିଲା । ୧୪ ଜଣ କାଉନସିଲର ଥାଇ ବିଜେପି ମେୟର ନିର୍ବାଚନରେ ବିଜୟୀ ହୋଇଥିବା ରିଟର୍ଣ୍ଣିଂ ଅଫିସର ଘୋଷଣା କରିଥିବା ବେଳେ ‘ଆପ୍’ ଓ କଂଗ୍ରେସର ମିଳିତ ସଂଖ୍ୟା ୨୦ ଥାଇ ମେଂଟ ପ୍ରାର୍ଥୀ ପରାଜିତ ହେବାରୁ ସମସ୍ତଙ୍କ ଆଖିରେ ଆଂଗୁଠି ଗେଂଜି ଜାଲିଆତି ହୋଇଥିବା କଂଗ୍ରେସ ଓ ଆପ୍ ପକ୍ଷରୁ ଅଭିଯୋଗ ହୋଇଥିଲା । ବିଜେପିର ମେୟର ପ୍ରାର୍ଥୀ ମନୋଜ ସୋନକର ୧୬-୧୨ ଭୋଟରେ ଆପ୍ ମେୟର ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ପରାଜିତ କରିଥିବା ରିଟର୍ଣ୍ଣିଂ ଅଫିସର ଘୋଷଣା କରିବା ପରେ ମାମଲା କୋର୍ଟକୁ ଯାଇଥିଲା । ନିର୍ବାଚନରେ ଜାଲିଆତି ଅଭିଯୋଗକୁ ବିଜେପି ଅଗ୍ରାହ୍ୟ କରିବା ସହ ଏହା ବିରୋଧୀ ମେଂଟ ‘ଇଣ୍ଡିଆ’ର ପ୍ରଥମ ପରାଜୟ ଦର୍ଶାଇ ଉତ୍ସବ ପାଳନ କରିଥିଲା । ରିଟର୍ଣ୍ଣିଂ ଅଫିସରଙ୍କ ବିରୋଧରେ ଆପ୍ ଓ କଂଗ୍ରେସ କାଉନସିଲରମାନେ ଜାଲିଆତି ଅଭିଯୋଗ ଆଣି ପଂଜାବ-ହରିୟାଣା ହାଇକୋର୍ଟରେ ମେୟର ନିର୍ବାଚନ ଫଳାଫଳକୁ ଚ୍ୟାଲେଂଜ କରିଥିବା ମଧ୍ୟ ହାଇକୋର୍ଟ ଆବେଦନକୁ ଅଗ୍ରାହ୍ୟ କରି ଦେବାରୁ ‘ଆପ୍’ କାଉନସିଲର କୁଲଦୀପ ସିଂହ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ଗତକାଲି ଚଣ୍ଡିଗଡ଼ ମେୟର ନିର୍ବାଚନର ଭିଡ଼ିଓ ଫୁଟେଜ୍ ଦେଖିବା ପରେ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ହୋଇଥିବା ଜାଲିଆତି କୋର୍ଟକୁ ବିସ୍ମିତ କରିଛି ବୋଲି କହିଛନ୍ତି । ମେୟର ନିର୍ବାଚନରେ ବ୍ୟବହୃତ ହୋଇଥିବା ବାଲଟ ପେପର୍, ନିର୍ବାଚନର ଭିଡ଼ିଓଗ୍ରାଫି ରେକର୍ଡ ଏବଂ ଅନ୍ୟାନ୍ୟ ନିର୍ବାଚନ ସାମଗ୍ରୀ ପଂଜାବ-ହରିୟାଣା ହାଇକୋର୍ଟକୁ ମାଗିବା ସହ ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ୧୨ ତାରିଖରେ ହେବ ବୋଲି ଧାର୍ଯ୍ୟ କରିଛନ୍ତି । ଚଣ୍ଡିଗଡ଼ ମହାନଗର ନିଗମ ମେୟର ନିର୍ବାଚନକୁ ଏକପାଖିଆ କରିବା ପାଇଁ ରିଟର୍ଣ୍ଣିଂ ଅଫିସର ଯେଭଳି ଜାଲିଆତିର ବାଟ ଆପଣାଇଲେ ତାହା କେହି ଦେଖି ପାରିବ ନାହିଁ ବୋଲି ସେ ଭାବୁଥିଲେ । ତେବେ, ସୁପ୍ରିମ କୋର୍ଟ ତାହା ଦେଖି ନେଇଛନ୍ତି ବୋଲି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ କହିବା ସହ ରିଟର୍ଣ୍ଣିଂ ଅଫିସର ଗଣତନ୍ତ୍ରକୁ ‘ଉପହାସ’ କରିବା ସହ ଗଣତନ୍ତ୍ରକୁ ‘ହତ୍ୟା’ କରିଛନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି । ଚଣ୍ଡିଗଡ ମହାନଗର ନିଗମର ପ୍ରଥମ ବୈଠକ ଆସନ୍ତା କାଲି ହେବାକୁ ଥିଲା । ସୁପ୍ରିମ କୋର୍ଟ ତାହାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିବା ସହ ଆବଶ୍ୟକ ମନେ କଲେ ଅଦାଲତ ଅନ୍ୟ ଜଣେ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତି ଦେଇ ନୂଆ କରି ମେୟର ନିର୍ବାଚନ କରାଇବେ ବୋଲି ଚେତାଇ ଦେଇଛନ୍ତି । ମେୟର ନିର୍ବାଚନ ପରିଚାଳନା କରୁଥିବା ରିଟର୍ଣ୍ଣିଂ ଅଫିସର ଭୋଟ ଗଣତି ସମୟରେ କିଛି ଭୋଟ କାଗଜକୁ ନାକଚ କରାଇବା ସକାଶେ ଜାଣିଶୁଣି ନଷ୍ଟ କରୁଥିବା ଏବଂ ତାଙ୍କର ଏହି କାର୍ଯ୍ୟକୁ କେହି ଦେଖୁଛି କି (?) ବୋଲି ଜାଣିବା ସକାଶେ କୋଠରୀରେ ଲାଗିଥିବା କ୍ୟାମେରା ଉପରେ ବାରମ୍ବାର ନଜର ବୁଲାଉ ଥିବା ଭିଡ଼ିଓ ଫୁଟେଜରେ ଦେଖିବାକୁ ମିଳିଛି । ସୁପ୍ରିମ କୋର୍ଟ ଖଣ୍ଡପୀଠ ଏହି ଭିଡ଼ିଓ ଫୁଟେଜ ଦେଖିବା ପରେ ହିଁ ରିଟର୍ଣ୍ଣିଂ ଅଫିସରଙ୍କ ଉପରେ ବର୍ଷିଛନ୍ତି । ମେୟର ନିର୍ବାଚନରେ ରିଟର୍ଣ୍ଣିଂ ଅଫିସର ଥାଇ ମନୋନୀତ କାଉନସିଲର ଅନୀଲ ମସିହା ମୋଟ ପଡିଥିବା ୩୬ ଭୋଟରୁ ଆଠଟି ନାକଚ କରିବା ସହ ବିଜେପି ପ୍ରାର୍ଥୀ ମନୋଜ ସୋନକର ମେୟର ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ । ଏଠାରେ ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲ-ମେ’ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଜେପିକୁ ପରାଜିତ କରିବା ଉଦ୍ଦେଶ୍ୟରେ ଦେଶର ୨୮ ବିରୋଧୀ ଦଳ ଗତ ବର୍ଷ ମଧ୍ୟଭାଗରେ ବିରୋଧୀ ମେଂଟ ‘ଇଣ୍ଡିଆ’ ଗଠନ କରିଥିଲେ ଏବଂ ଚଣ୍ଡିଗଡ଼ ମେୟର ନିର୍ବାଚନରେ ତାହାର ପ୍ରଥମ ପରୀକ୍ଷା ହେବାକୁ ଥିଲା । ମେଂଟ ଗଠନ ପରେ ମଧ୍ୟ ଅପ୍ ଓ କଂଗ୍ରେସ ପରସ୍ପରକୁ ଖୋଲା ସମାଲୋଚନା କରୁଥିଲେ ମଧ୍ୟ ଚଣ୍ଡିଗଡ଼ ମେୟର ନିର୍ବାଚନରେ ମିଳିତ ଭାବେ ‘ଆପ୍’ କାଉନସିଲର କୁଲଦୀପ କୁମାରଙ୍କୁ ମେୟର ପ୍ରାର୍ଥୀ କରିଥିଲେ । ମହାନଗର ନିଗମରେ ‘ଆପ୍’ର ୧୩ ଜଣ, କଂଗ୍ରେସର ୦୭ (ସାତ) ଜଣ – ଏଭଳି ମେଂଟର ୨୦ କାଉନସିଲର ଥିବା ସମୟରେ ବିଜେପିର ୧୪ କାଉନସିଲର ଥିବାରୁ ନିର୍ବାଚନରେ ବିଜୟ ନେଇ ଆପ୍-କଂଗ୍ରେସ ମେଂଟ ନିଶ୍ଚିନ୍ତ ଥିଲେ । ତେବେ, ମନୋନୀତ କାଉନସିଲର ଅନୀଲ ମସିହା ରିଟର୍ଣ୍ଣିଂ ଅଫିସର ରହି ବିଜେପିର ବିଜୟ ପାଇଁ କାମ କରିଥିବା ଭିଡ଼ିଓ ଫୁଟେଜରୁ ସ୍ପଷ୍ଟ ହେଉଛି । ମେୟର ନିର୍ବାଚନରେ ମୋଟ ୩୬ ଭୋଟ ପଡିଥିବା ବେଳେ ରିଟର୍ଣ୍ଣିଂ ଅଫିସର ୦୮ଟି ଭୋଟ ନାକଚ କରି ଦେଇ ବିଜେପିର ପ୍ରାର୍ଥୀ ମନୋଜ ସୋନକର ମେୟର ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ । ରିଟର୍ଣ୍ଣିଂ ଅଫିସର ଯେଉଁ ବାଲଟ୍ ପେପରରେ ବିଜେପି ସପକ୍ଷରେ ଭୋଟ ହୋଇଛି ତାହାକୁ ସୁରକ୍ଷିତ ରଖି ‘ଆପ୍’ ପ୍ରାର୍ଥୀଙ୍କ ସପକ୍ଷରେ ପଡିଥିବା ଭୋଟକୁ ହାତରେ ଦଳି ଦେଇ ନଷ୍ଟ କରୁଥିବା ଭିଡ଼ିିଓ ଫୁଟେଜ ଦେଖିବା ପରେ ସୁପ୍ରିମ କୋର୍ଟ ଖଣ୍ଡପୀଠ କ୍ଷୁବ୍ଧ ହୋଇ ଏହା ଗଣତନ୍ତ୍ର ପ୍ରତି ‘କ୍ରୁର ଉପହାସ’ ଏବଂ ‘ଗଣତନ୍ତ୍ରର ହତ୍ୟା’ ବୋଲି କଠୋର ମନ୍ତବ୍ୟ ଦେଇଥିବା ଜଣାପଡିଛି । ଆଜିଯାଏଁ ବିରୋଧୀ ଦଳମାନେ ନିର୍ବାଚନ ପରାଜୟ ପାଇଁ ‘ଇଭିଏମ୍’କୁ ଦାୟି କରୁଥିଲେ ଏବଂ ବିଜେପି ଇଭିଏମ୍ ରେ ଜାଲିଆତି କରି ନିର୍ବାଚନ ଜିତୁଛି ବୋଲି ଅଭିଯୋଗ କରୁଥିଲେ । ଏବେ, ବାଲଟ୍ ପେପର ନିର୍ବାଚନ ମଧ୍ୟ ସୁରକ୍ଷିତ ନୁହେଁ, ତାହା ଚଣ୍ଡିଗଡ଼ ମେୟର ନିର୍ବାଚନରୁ ସ୍ପଷ୍ଟ ହୋଇଯାଇଛି । ନିର୍ବାଚନ ଫଳାଫଳ ବିଜେପି ମୁଖା ଖୋଲି ଦେଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS