୧୭ରେ ଦିଲ୍ଲୀ କୋର୍ଟରେ ହାଜର ହେବେ ମୁଖ୍ୟମନ୍ତ୍ରୀ କେଜରୀୱାଲ !


ପ୍ରସାଦ ରାଓ
ନୂଆଦିଲ୍ଲୀ/ଫେବୃୟାରୀ ୦୭
କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ଏକ ଆବେଦନକୁ ବିଚାରକୁ ନେଇ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଆଜି ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ଫେବୃୟାରୀ ୧୭ ତାରିଖରେ କୋର୍ଟରେ ହାଜର ହେବାକୁ ସମନ ଜାରି କରିଛନ୍ତି । ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜରୀୱାଲ ଇଡିର ସମନକୁ ବାରମ୍ବାର ଏଡାଇ ଆସୁଥିବାରୁ ଇଡି କୋର୍ଟକୁ ଯାଇଛି ଏବଂ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବାକୁ ନିର୍ଦେଶ ଦିଆଯାଉ ବୋଲି ଆବେଦନ କରିଛି । ଫେବୃୟାରୀ ୨ ତାରିଖରେ ହାଜର ପାଇଁ ପଂଚମ ସମନ ପାଇ ମଧ୍ୟ କେଜରୀୱାଲ ତାହାକୁ ଏଡାଇ ଯାଇଥିଲେ । ଗତ ନଭେମ୍ବର ମାସରୁ ସେ ଇଡି ସମନକୁ ବାରମ୍ବାର ଏଡାଇ ଆସୁଥିବାରୁ ଇଡି କୋର୍ଟଙ୍କ ହସ୍ତକ୍ଷେପ ଲୋଡିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ ଗତ ବର୍ଷ ଫେବୃୟାରୀ ମାସରେ ଗିରଫ ହୋଇ ଜେଲରେ ଅଛନ୍ତି । ପରବର୍ତ୍ତୀ ସମୟରେ ୨୦୨୩ ଅକ୍ଟୋବର ମାସରେ ଇଡି ‘ଆପ୍’ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କୁ ଏହି ମାମଲାରେ ଗିରଫ କରିଛି । ସିସୋଦିଆ ଓ ସିଂହ ଅଦାଲତରୁ ଜାମନ ପାଇବାକୁ ସଂଘର୍ଷ କରୁଥିବା ବେଳେ ଇଡି ତାଙ୍କୁ (ମୁଖ୍ୟମନ୍ତ୍ରୀ କେଜରୀୱାଲ) ମଧ୍ୟ ଜେରା ପରେ ଗିରଫ କରିବାରେ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଶଙ୍କା କରୁଥିବାରୁ ଇଡି ସମନକୁ ଏଡାଇ ଆସୁଛନ୍ତି । ୨୦୨୦-୨୧ରେ ଦିଲ୍ଲୀରେ ସେଭଳି କୌଣସି ଅବକାରୀ ଦୁର୍ନୀତି ହୋଇ ନାହିଁ, କେନ୍ଦ୍ର ବିଜେପି ସରକାର ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକସଭା ନିର୍ବାଚନ ପୂର୍ବରୁ ଗିରଫ କରି ଜେଲରେ ପୁରାଇ ଦେବାକୁ ଇଡିକୁ ମାଧ୍ୟମ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କେଜରୀୱାଲ ବାରମ୍ବାର ଅଭିଯୋଗ କରୁଥିବା ବେଳେ କେନ୍ଦ୍ର ସରକାର ଓ ବିଜେପି ତାହାକୁ ଅଗ୍ରାହ୍ୟ କରି କେଜରୀୱାଲ ଯଦି କିଛି କରିନାହାନ୍ତି ଇଡି ଜେରାକୁ କାହିଁକି ଭୟ କରୁଛନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ କି, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ଅଭିଯୁକ୍ତ ତାଲିକାରେ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ନାମ ନଥିଲେ ମଧ୍ୟ ଏହି ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇଥିବା ଏବଂ ପରବର୍ତ୍ତୀ ସମୟରେ ରାଜସାକ୍ଷୀ ପାଲଟି ଥିବା ତାଙ୍କର ଜଣେ ଘନିଷ୍ଟ ସହଯୋଗୀଙ୍କ ସ୍ୱୀକାରୋକ୍ତି ଆଧାରରେ ଇଡି ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ନାମ ଚାର୍ଜସିଟ୍ ରେ ଅନ୍ତର୍ଭୁକ୍ତ କରି ତାଙ୍କୁ ଜେରା କରିବାକୁ ବାରମ୍ବାର ସମନ ପଠାଉଛି । ‘ଆପ୍’ ମୁଖ୍ୟ କେଜରୀୱାଲ ଇଡିର ନଭେମ୍ବର ୦୨ ତାରିଖ, ଡିସେମ୍ବର ୨୧ ତାରିଖ, ଜାନୁୟାରୀ ୧୯ ତାରିଖ ଓ ଜାନୁୟାର ୩୧ ତାରିଖ ସମନକୁ ଏଡାଇ ଯିବା ପରେ ଫେବୃୟାରୀ ୦୨ ତାରିଖରେ ହାଜର ହେବାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସମନ କରିଥିଲା । ତାହାକୁ ମଧ୍ୟ ସେ ଏଡାଇ ଯାଇଛନ୍ତି । କେତେବେଳେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବା ତ ଆଉ କେତେବେଳେ ଏହା ବିଜେପି ପ୍ରୟୋଜିତ ଷଡଯନ୍ତ୍ର କହି କେଜରୀୱାଲ ଜେରା ପାଇଁ ଇଡି ନିକଟରେ ହାଜର ହେଉନଥିବାରୁ ଇଡି ସ୍ଥାନୀୟ (ଦିଲ୍ଲୀ) କୋର୍ଟକୁ ଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ଗତ ବର୍ଷ ଏପ୍ରିଲ ମାସରେ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଦୀର୍ଘ ନଅ ଘଂଟା ଜେରାର ସମ୍ମୁଖୀନ ହୋଇଥିଲେ । ସିବିଆଇ ତାଙ୍କୁ ୫୬ଟି ପ୍ରଶ୍ନ ପଚାରି ଥିଲେ । ତେବେ, ଏହି ମାମଲା ସଂପୂର୍ଣ୍ଣ ଭାବେ ମିଛ, ତଦନ୍ତକାରୀ ସଂସ୍ଥାଙ୍କ ନିକଟରେ କାଣିଚାଏ ସୁଦ୍ଧା ପ୍ରମାଣ ନଥିବା ସେ ବିଶ୍ୱାସ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କେଜରୀୱାଲ କହିଛନ୍ତି । ଦିଲ୍ଲୀ ସରକାର ନିଜର ଅବକାରୀ ରାଜସ୍ୱ ବଢାଇବା ଉଦ୍ଦେଶ୍ୟରେ ୨୦୨୦ରେ ନୂତନ ଅବକାରୀ ନୀତି ଚିଠା ପ୍ରସ୍ତୁତ କରି ୨୦୨୧-୨୨ରେ ତାହା କାର୍ଯ୍ୟକାରୀ କରିଥିଲେ । ତେବେ, ଏହି ନୀତିର କାର୍ଯ୍ୟକାରୀତାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଦିଲ୍ଲୀ ଲ୍ୟୁଟିନାଂଟ ଗଭର୍ଣ୍ଣନ (ଏଲଜି) ତାହାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ସିବିଆଇ ଆପରାଧୀକ ଦିଗକୁ ଓ ଇଡି ଆର୍ଥିକ ଜାଲିଆତିକୁ ତଦନ୍ତ କରୁଛି । ସିବିଆଇ ତଦନ୍ତ ଆରମ୍ଭ ହେବା ପରେ ଦିଲ୍ଲୀ ସରକାର ନୂତନ ଅବକାରୀ ନୀତିକୁ ପ୍ରତ୍ୟାହାର କରି ନେଇଛନ୍ତି । ନୂଆ ଅବାକରୀ ନୀତି ଲାଗୁ ପରେ ରାଜ୍ୟର ଅବାକରୀ ରାଜସ୍ୱ ୨୭ ପ୍ରତିଶତ ବୃଦ୍ଧି ପାଇଥିବା ଏବଂ ସରକାରଙ୍କୁ ୮,୯୦୦ କୋଟି ଟଙ୍କା ରାଜସ୍ୱ ଆୟ କରିଥିବା ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ସରକାର ଦାବି କରୁଥିବା ବେଳେ ନୂଆ ନୀତିରେ ମଦ ଠିକା ଦିଆଯିବାରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଅଭିଯୋଗ କରି ଆସୁଛି । କେବଳ ମଦ ନୁହେଁ, କେଜରୀୱାଲଙ୍କ ସରକାର ରାଜ୍ୟରେ କାର୍ଯ୍ୟକାରୀ କରିଥିବା ଅନ୍ୟାନ୍ୟ ବିକାଶ କାର୍ଯ୍ୟରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଏଲଜି ସରକାରଙ୍କ ବିରୋଧରେ ସିବିଆଇ ଓ ଇଡି ତଦନ୍ତ କରାଉଥିବା ବେଳେ ଆମ୍ ଆଦମୀ ପାର୍ଟି (ଆପ୍) ଓ ରାଜ୍ୟ ସରକାରଙ୍କୁ ଅସ୍ଥିର କରି କ୍ଷମତା ହଡପ ପାଇଁ ବିଜେପି ଷଡଯନ୍ତ୍ର ଚଳାଇଛି ବୋଲି ‘ଆପ୍’ ମୁଖ୍ୟ କେଜରୀୱାଲ ଅଭିଯୋଗ କରୁଛନ୍ତି । ଆସନ୍ତା ୧୭ ତାରିଖରେ କେଜରୀୱାଲ ଦିଲ୍ଲୀ କୋର୍ଟରେ ହାଜର ହେଲେ ବିବାଦର ମୋଡ କୁଆଡେ ଯିବ – ତାହା ସ୍ପଷ୍ଟ ହୋଇଯିବ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS