ଶରଦ ପାୱାର ନୂଆ ଦଳ କରିବେ ?
ପ୍ରସାଦ ରାଓ
ନୂଆଦିଲ୍ଲୀ/ଫେବୃୟାରୀ ୦୭
ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ କର୍ତ୍ତୃତ୍ୱରେ ଥିବା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଗୋଷ୍ଠୀ ହିଁ ହେଉଛି ‘ପ୍ରକୃତ’ ଏନସିପି ବୋଲି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଗତକାଲି ରାୟ ଦେବା ସହ ୧୯୯୯ରେ ଏହି ରାଜନୈତିକ ଦଳ ପ୍ରତିଷ୍ଠା କରିଥିବା ଶରଦ ପାୱାରଙ୍କୁ ନିଜ ଗୋଷ୍ଠୀର ନୂଆ ନାମ ବାଛି ନେବାକୁ ପରାମର୍ଶ ଦେଇ ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମୟ ଦେଇଥିଲା । ଶରଦ ପାୱାରା ଏହି ସମୟ ସୀମା ମଧ୍ୟରେ ଇସିଆଇଙ୍କ ନିକଟରେ ତିନିଟି ନୂଆ ନାମ ଉପସ୍ଥାପନ ନ କଲେ ତାଙ୍କ ଗୋଷ୍ଠୀରେ ଥିବା ଏନସିପି ସାଂସଦ ଓ ବିଧାୟକଙ୍କୁ ସ୍ୱାଧୀନ ସାଂସଦ ଓ ବିଧାୟକ ଭାବେ ଗଣତିକୁ ନିଆଯିବ ବୋଲି ମଧ୍ୟ ଇସିଆଇ ଚେତାବନୀ ଦେଇଥିଲେ । ଗତକାଲି ଇସିଆଇର ରାୟ ପ୍ରକାଶ ପାଇବା ପରେ କେବଳ ମହାରାଷ୍ଟ୍ର ନୁହେଁ, ଭାରତୀୟ ରାଜନୀତିରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି । ଅଜିତ ପାୱାର ମହାରାଷ୍ଟ୍ରରେ ଶିବସେନା (ସିନ୍ଧେ) ଓ ବିଜେପି ମେଂଟରେ ସରକାରରେ ଥିବା ବେଳେ ଶରଦ ପାୱାର ବିରୋଧୀ ମେଂଟ ‘ଇଣ୍ଡିଆ’ର ଜଣେ ଆଗଧାଡିର ନେତା ରହିଛନ୍ତି । ଇସିଆଇ ଅଜିତ ପାୱାର ଗୋଷ୍ଠୀକୁ କେବଳ ଏନସିପି ନାମ ହସ୍ତାନ୍ତର କରିନାହିଁ, ଦଳର ମୂଳ ନିର୍ବାଚନ ଚିହ୍ନ ‘ଟେବୁଲ ଘଂଟା’ ମଧ୍ୟ ହସ୍ତାନ୍ତର କରି ଦେଇଛି । ଆସନ୍ତା ୨୭ ତାରିଖରେ ମହାରାଷ୍ଟ୍ରର ସାତଟି (୦୭) ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାରୁ ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ପାଇଁ ଇସିଆଇ ରାୟ ବେଶ ସମସ୍ୟା ସୃଷ୍ଟି କରିଛି । ଇସିଆଇ ରାୟ ବିରୋଧରେ ଶରଦ ପାୱାର ସୁପ୍ରିମ କୋର୍ଟକୁ ଯାଉଥିବା ସୂଚନା ମିଳୁଥିଲେ ମଧ୍ୟ ଆଗାମୀ ନିର୍ବାଚନକୁ ଆଖିରେ ରଖି ନିଜ ଗୋଷ୍ଠୀର ସାଂସଦ ଓ ବିଧାୟକଙ୍କୁ ସୁରକ୍ଷିତ ରଖିବା ପାଇଁ ନୂଆ ନାମ ଦାଖଲ କରୁଥିବା ସୂଚନା ମିଳିଛି । ୮୪ ବର୍ଷ ବୟସ୍କ ଶରଦ ପାୱାର ଆଜି ନିଜ ଗୋଷ୍ଠୀର ନେତା ଓ ଆଇନ ପରାମର୍ଶଦାତାଙ୍କ ସହ ଏକାଧିକ ବୈଠକ ଓ କନ୍ଫରେନ୍ସିଂ କଲ୍ କରି ଆଲୋଚନା କରିଛନ୍ତି ଏବଂ ଦଳର ନୂଆ ନାମରେ ‘ନ୍ୟାସନାଲିଷ୍ଟ’ ବା ‘ରାଷ୍ଟ୍ରବାଦୀ’ ଶବ୍ଦ ଓ ଶରଦ ପାୱାରଙ୍କ ନାମ ରଖିବାକୁ ତାଙ୍କ ଗୋଷ୍ଠୀ ଗୁରୁତ୍ୱ ଦେଉଥିବା ଜଣାପଡିଛି । ଶରଦ ପାୱାର ଯେଉଁ ତିନିଟି ନାମ ଇସିଆଇକୁ ପଠାଇଛନ୍ତି ସେଗୁଡିକ ହେଉଛି – ‘ଶରଦ ପାୱାର କଂଗ୍ରେସ’, ‘ମି ରାଷ୍ଟ୍ରବାଦୀ’ ଓ ‘ଶରଦ ପାୱାରା ସ୍ୱାଭିମାନୀ ପକ୍ଷ’ । ଏହି ତିନିଟି ନାମରୁ ଗୋଟିଏ ଇସିଆଇ ଦ୍ୱାରା ଅନୁମୋଦିତ ହୋଇ ଶରଦଙ୍କୁ ମିଳିବ । ସେହିଭଳି, ଶରଦ ପାୱାରଙ୍କୁ ମିଳିଥିବା ମୂଳ ନିର୍ବାଚନ ଚିହ୍ନ ‘ଟେବୁଲ ଘଂଟା’ ଅଜିତ ପାୱାରଙ୍କ ଗୋଷ୍ଠୀକୁ ମିଳିଥିବାରୁ ଶରଦ ପାୱାର ନିଜ ପାଇଁ ନୂଆ ନିର୍ବାଚନ ଚିହ୍ନ ମଧ୍ୟ ଆବେଦନ କରିଛନ୍ତି । ‘ଗ୍ଲାସ’, ‘ଉଦିତ ସୂର୍ଯ୍ୟ’ ଓ ‘ସୂର୍ଯ୍ୟମୁଖୀ ଫୁଲ’ ମଧ୍ୟରୁ ଗୋଟିକୁ ନୂଆ ଦଳର ନିର୍ବାଚନ ଚିହ୍ନ ଭାବେ ଦିଆଯିବାକୁ ଇସିଆଇକୁ ପ୍ରସ୍ତାବ ଦିଆଯାଇଛି । ଶରଦ ପାୱାର ଜଣେ ପୁରୁଖା ଜାତୀୟ ନେତା ହୋଇଥିଲେ ମଧ୍ୟ ଆସନ୍ତା ଲୋକସଭା ନିର୍ବାଚନରେ ନୂଆ ନାମ ଓ ଚିହ୍ନକୁ ନେଇ ଅଡୁଆରେ ପଡି ପାରନ୍ତି ବୋଲି ତାଙ୍କ ସହ ଥିବା ନେତାମାନେ ଅଶଙ୍କା କରୁଛନ୍ତି । କାରଣ, ମହାରାଷ୍ଟ୍ର ଜନତା ତଥା ଦେଶବାସୀ ଶରଦ ପାୱାରର ନିର୍ବାଚନ ଚିହ୍ନ ‘ଟେବୁଲ ଘଂଟା’ ବୋଲି ୨୦ ବର୍ଷରୁ ଅଧିକ ସମୟ ହେଲା ଜାଣନ୍ତି । ମହାରାଷ୍ଟ୍ରର ଗ୍ରାମାଂଚଳ ଜନତା ଶରଦ ପାୱାରଙ୍କ ନୂଆ ଦଳ ଓ ଚିହ୍ନକୁ ଚିହ୍ନିବା ପୂର୍ବରୁ ଦେଶରେ ଲୋକସଭା ଓ ରାଜ୍ୟରେ ବିଧାନସଭା ନିର୍ବାଚନ ସରିଯିବ ବୋଲି ଶରଦଙ୍କ ସହଯୋଗୀମାନେ ଆଶଙ୍କା କରୁଛନ୍ତି । ଅପରପକ୍ଷରେ, ଇସିଆଇର ନିର୍ଣ୍ଣୟକୁ ନେଇ ଅଜିତ ପାୱାର ଗୋଷ୍ଠୀ ଉଲ୍ଲସିତ ଥିବା ଦେଖିବାକୁ ମିଳିଛି । ‘ଘଂଟା’ ଚିହ୍ନ ସେମାନଙ୍କୁ ନିର୍ବାଚନରେ ବଡ ବିଜୟ ଦେବ ବୋଲି ଅଜିତ ପାୱାର ସମର୍ଥକମାନେ ଉତ୍ସାହିତ । ଗତ ବର୍ଷ ମହାରାଷ୍ଟ୍ରରେ ଏନସିପିରେ ବିଭାଜନ ଘଟିଥିଲା ଏବଂ ପୁତୁରା ଅଜିତ ପାୱାର ବୃଦ୍ଧାବସ୍ଥାରେ ପହଂଚି ସାରିଥିବା ଦାଦା ଶରଦ ପାୱାର ଏନସିପିର ନେତୃତ୍ୱ ଛାଡୁ ନଥବାରୁ ଅସନ୍ତୋଷ ବ୍ୟକ୍ତ କରି ଗୋଟିଏ ବଡ ଗୋଷ୍ଠୀ ବିଧାୟକ ଓ ସାଂସଦଙ୍କ ସହ ଅଲଗା ହୋଇଯିବା ସହ ନିଜକୁ ‘ପ୍ରକୃତ’ ଏନସିପି ବୋଲି ଦାବି କରିଥିଲେ । ଇସିଆଇ ଗତକାଲି ଅଜିତଙ୍କ ଏହି ଦାବିକୁ ଆଇନଗତ ମାନ୍ୟତା ଦେଇସାରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS