ଜବତ ବିଏମଡବ୍ଲୁ ହେମନ୍ତଙ୍କ ନୁହେଁ !
ପ୍ରସାଦ ରାଓ
ନୂଆଦିଲ୍ଲୀ/ଫେବୃୟାରୀ ୦୮
ଜାନୁୟାରୀ ୨୯ତାରିଖ ଦିନ ପୂର୍ବତନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନରୁ ଜବତ ବିଏମଡବ୍ଲୁ ଗାଡି ହେମନ୍ତଙ୍କର ନୁହେଁ, କଂଗ୍ରେସ ରାଜ୍ୟସଭା ସାଂସଦ ତଥା ଝାଡଖଣ୍ଡର ଜଣାଶୁଣା ମଦ ବ୍ୟବସାୟୀ ଧୀରଜ ପ୍ରସାଦ ସାହୁଙ୍କର ବୋଲି କେନ୍ଦ୍ର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ସୂତ୍ରରୁ ସୂଚନା ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସୋରେନ ଜାନୁୟାରୀ ୩୧ ତାରିଖ ଦିନ ଇଡି ଜେରାର ସମ୍ମୁଖୀନ ହେବା ପରେ ଗିରଫ ହୋଇଥିଲେ । ତେବେ, ତାହା ପୂର୍ବରୁ ଇଡି ଅଧିକାରୀମାନେ ସୋରେନ ନିଖୋଜ ଥିବା ଦର୍ଶାଇ ୨୯ ତାରିଖ ଦିନ ତାଙ୍କ ରାଂଚି ଓ ଦିଲ୍ଲୀସ୍ଥିତ ବାସଭବନରେ ଚଢାଉ କରିଥିଲେ ଓ ଦିଲ୍ଲୀ ବାସଭବନରୁ ବିଏମଡବ୍ଲୁ ସହ ନଗଦ ୩୬ ଲକ୍ଷ ଟଙ୍କା ଜବତ କରିଥିଲେ । ସୋରେନ ୩୦ ତାରିଖ ଦିନ ରାଂଚି ଫେରି ଜବତ ହୋଇଥିବା ବିଏମଡବ୍ଲୁ ଓ ନଗଦ ଟଙ୍କା ତାଙ୍କର ନୁହେଁ ବୋଲି ଗଣମାଧ୍ୟମରେ ବୟାନ ରଖିଥିଲେ । ଗାଡିର ମାଲିକାନାକୁ ଯାଂଚ ବେଳେ ତାହା ମଦ ବ୍ୟବସାୟୀ ସାହୁଙ୍କ ବ୍ୟବସାୟିକ ସଂସ୍ଥା ନାମରେ ପଂଜୀକୃତ ଥିବା ଜଣାପଡିଛି ବୋଲି ଇଡି କହିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ମାସରେ କେନ୍ଦ୍ର ସରକାରଙ୍କ ଆୟକର ବିଭାଗ ପକ୍ଷରୁ ମଦ ବ୍ୟବସାୟୀ ସାହୁଙ୍କ ବାସଭବନ ଓ ବ୍ୟବସାୟ ସହ ସଂପୃକ୍ତ ବିଭିନ୍ନ ସଂସ୍ଥା ଉପରେ ଚଢାଉ କରାଯାଇ ନଗଦ ୩୫୧ କୋଟି ଟଙ୍କା ଜବତ କରାଯାଇଥିଲା । ପାହାଡ ସଦୃଶ ଗଦା ହୋଇଥିବା ଟଙ୍କା ବଣ୍ଡଲଗୁଡିକୁ ଗଣିବା ପାଇଁ ଆୟକର ବିଭାଗକୁ ୧୦ ଦିନ ସମୟ ଲାଗିଥିଲା । ଏଥିରେ ୪୦ଟି ଟଙ୍କା ଗଣିବା ଯନ୍ତ୍ର ବ୍ୟବହାର କରାଯାଇଥିଲା । ନିର୍ବାଚନରେ ଖର୍ଚ୍ଚ କରିବା ପାଇଁ ଏହି ଟଙ୍କା ଗଚ୍ଛିତ ରଖା ଯାଇଥିଲା ବୋଲି ସେହି ସମୟରେ କଂଗ୍ରେସକୁ ବିଜେପି ଆଡୁ ତୀବ୍ର ଆକ୍ରମଣ ହୋଇଥିଲା । ତେବେ, ଜବତ ଟଙ୍କା ପାହାଡ ସହ ଦଳର କିଛି ସଂପର୍କ ନାହିଁ ବୋଲି କଂଗ୍ରେସ ହାତଝାଡି ଦେଇଥିଲା । ମଦ ବ୍ୟବସାୟୀ ସାହୁ ମଧ୍ୟ ଦୀର୍ଘ ନିରବତା ପରେ ଗଣମାଧ୍ୟମକୁ ଭେଟି ଜବତ ହୋଇଥିବା ଟଙ୍କା ତାଙ୍କ ମଦ ବ୍ୟବସାୟରୁ ଅର୍ଜିତ, କଂଗ୍ରେସ ଦଳ ସହ ଏହି ଟଙ୍କାର କିଛି ସଂପର୍କ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଏବେ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନରୁ ଜବତ ବିଏମଡବ୍ଲୁ ମଦ ବ୍ୟବସାୟୀ ସାହୁଙ୍କ ବ୍ୟବସାୟିକ ସଂସ୍ଥା ନାମରେ ପଂଜୀକୃତ ଥିବା ଜାଣିବା ପରେ ଇଡି ତାଙ୍କୁ ପଚରା ଉଚୁରା କରିବା ପାଇଁ ସମନ କରିଥିବା ସୂଚନା ମିଳିଛି ।
ହେମନ୍ତ ସୋରେନ ୨୦୧୯ରୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଥିଲେ । ମୁଖ୍ୟମନ୍ତ୍ରୀ ଥାଇ ରାଜ୍ୟରେ ଆଦିବାସୀଙ୍କ ଜମି କିଣା, ବିକାରେ ହୋଇଥିବା ଦୁର୍ନୀତି ସହ ସଂପୃକ୍ତ ଥିଲେ ବୋଲି ଅଭିଯୋଗ କରି ତାଙ୍କ ବିରୋଧରେ ତଦନ୍ତ ଜାରି ରଖିଛି । ସୋରେନ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ମାମଲାରେ ଜେରା କରିବା ପାଇଁ ଇଡି ତାଙ୍କୁ ବାରମ୍ବାର ସମନ କଲେ ମଧ୍ୟ ସେ ଧରାଛୁଆଁ ଦେଉନଥିଲେ । ତେବେ, ନବମ ଥର ପାଇଁ ସମନ କରି ଏଥର ଅବମାନନା କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଇଡି ଧମକ ଦେବାରୁ ସୋରେନ ତାଙ୍କ ରାଂଚି ସ୍ଥିତି ସରକାରୀ ବାସଭବନରେ ଜେରାର ସାମ୍ନା କରିଥିଲେ । ଜେରାରେ ତଦନ୍ତ ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ଦେବାରେ ସୋରେନ ସହଯୋଗ କରୁନଥିବା ଦର୍ଶାଇ ଦଶମ ଥର ପାଇଁ ସମନ କରିଥିଲା ଏବଂ ଜାନୁୟାରୀ ୨୯ରୁ ୩୧ ତାରିଖ ମଧ୍ୟରେ ଜେରା ହେବାକୁ ସମୟ ଦେବାକୁ ତାଙ୍କୁ ଚିଠି କରିଥିଲା । ତେବେ, ମୁଖ୍ୟମନ୍ତ୍ରୀ ସୋରେନ ଚିଠିର ଉତ୍ତର ନଦେଇ ଜାନୁୟାରୀ ୨୯ ତାରିଖ ଦିନ ରାଂଚିରୁ ହଠାତ ନିଖୋଜ ହୋଇଯିବାରୁ ଇଡି ଅଧିକାରୀମାନେ ସେଦିନ ମୁଖ୍ୟମନ୍ତ୍ରୀଙ୍କ ରାଂଚି ଓ ଦିଲ୍ଲୀ ବାସଭବନରେ ଚଢାଉ କରିଥିଲେ ।
ସୋରେନ ୩୦ ତାରିଖ ରାଂଚି ଫେରି ଆସି ନିଜ ଦଳ (ଜେଏମଏମ)ର କାର୍ଯ୍ୟକର୍ତ୍ତା ଓ ମେଂଟ ସରକାରରେ ଥିବା ବିଧାୟକମାନଙ୍କ ସହ ଆଲୋଚନା କରିବା ପରେ ଜାନୁୟାରୀ ୩୧ ତାରିଖରେ ଜେରାର ସମ୍ମୁଖୀନ ହୋଇଥିଲେ । ଇଡି ଅଧିକାରୀମାନେ ଦୀର୍ଘ ସାତ ଘଂଟାରୁ ଅଧିକ ସମୟ ଜେରା କରିବା ପରେ ହେମନ୍ତ ସହଯୋଗ କରୁନଥିବା ଦର୍ଶାଇ ତାଙ୍କୁ ଗିରଫ କରିଥିଲେ । ଗିରଫ ହେବା ପୂର୍ବରୁ ହେମନ୍ତ ଇଡି ଅଧିକାରୀଙ୍କ ହେପାଜତରେ ରାଜଭବନକୁ ଯାଇ ଝାଡଖଣ୍ଡ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଭେଟିବା ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଇଡି ଅଧିକାରୀମାନେ ଜାନୁୟାରୀ ୨୯ ତାରିଖ ଦିନ ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନରୁ ଜବତ କରିଥିବା ନୀଳ ରଂଗର ଏସୟୁଭି ଗାଡି ହରିୟାଣାରେ ପଂଜୀକୃତ ହୋଇଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS