ମୋଦୀଙ୍କ ‘ଭାରତ ରତ୍ନ’ ବର୍ଷା: କର୍ପୁରୀ, ଆଡଭାନୀ ପରେ ପିଭି, ଚରଣ ଓ ସ୍ୱାମୀନାଥନ
ପ୍ରସାଦ ରାଓ
ନୂଆଦିଲ୍ଲୀ/ଫେବୃୟାରୀ ୦୯
୨୦୨୪ ସାଧାରଣ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ୍ସ’ ହ୍ୟାଣ୍ଡେଲରେ ‘ଭାରତ ରତ୍ନ’ର ବର୍ଷା ଚାଲିଛି । ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରଖ୍ୟାତ ସମାଜବାଦୀ ନେତା ସ୍ୱର୍ଗତ କର୍ପୁରୀ ଠାକୁରଙ୍କୁ ‘ଭାରତ ରତ୍ନ’ ଦିଆଯିବା ଘୋଷଣା କରିଥିଲେ । ପରେ, ବରିଷ୍ଠ ବିଜେପି ନେତା ତଥା ରାମ ମନ୍ଦିର ଆନ୍ଦୋଳନର ମୁଖ୍ୟ ପୁରୋଧା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ‘ଭାରତ ରତ୍ନ’ ଦିଆଯିବା ଘୋଷଣା ହୋଇଥିଲା । ଆଜି ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଦୁଇ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ ଓ ଚୌଧୁରୀ ଚରଣ ସିଂହଙ୍କ ସହ ଦେଶର ପ୍ରଖ୍ୟାତ କୃଷି ବୈଜ୍ଞାନିକ ଡକ୍ଟର ଏମ.ଏସ.ସ୍ୱାମୀନାଥନଙ୍କୁ ମରଣୋତ୍ତର ‘ଭାରତ ରତ୍ନ’ ଦିଆଯିବା ଘୋଷଣା କରିଛନ୍ତି । ଚଳିତ ବର୍ଷ ଏହି ପାଂଚ ଜଣ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନୀତ ହେବେ ବୋଲି ଆଜିର ଘୋଷଣା ପରେ ଜଣାପଡିଛି । ଚୌଧୁରୀ ଚରଣ ସିଂହ ଖୁବ କମ୍ ଦିନ (୧୯୭୯-୮୦) ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ଜଣେ ଚାଷୀ ନେତା ଏବଂ ସମାଜବାଦୀ ଆନ୍ଦୋଳନର ଅଗ୍ରଣୀ ନେତା ଭାବେ ଦେଶରେ ପରିଚିତ ।
୧୯୭୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀ ପରିସ୍ଥିତି ଜାରି କରିବା ପରେ ତାହା ବିରୋଧରେ ଜନନାୟକ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଦେଶବ୍ୟାପୀ ଯେଉଁ ଜନଆନ୍ଦୋଳନ ଗଢି ଉଠିଥିଲା ସେଥିରେ ଚୌଧୁରୀ ଚରଣ ସିଂହଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ଅନ୍ୟ ବିରୋଧୀ ନେତାଙ୍କ ଭଳି ସେ ମଧ୍ୟ ଇନ୍ଦିରାଙ୍କ ଏମର୍ଜେନ୍ସୀକୁ ବିରୋଧ କରି ୧୯ ମାସ ଜେଲ ଯାଇଥିଲେ । ବିରୋଧୀ ନେତାମାନେଜେଲରରୁ ବାହାରିବା ପରେ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ସଂଗଠିତ ହୋଇ ‘ଜନତା ପାର୍ଟି’ ନାମରେ ରାଜନୈତିକ ଦଳ ଗଠନ କରିଥିଲେ ଏବଂ ୧୯୭୭ରେ ସାଧାରଣ ନିର୍ବାଚନରେ ଦଳ ବିପୁଳ ଜନସମର୍ଥନରେ କ୍ଷମତା ଆସିଥିଲା । ଜନତା ପାର୍ଟି ସରକାରରେ ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ମୋରାରଜୀ ଭାଇ ଦେଶାଇ । ପରେ ଚୌଧୁରୀ ଚରଣ ସିଂହ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ଜାଠ୍ ନେତା ଚୌଧୁରୀ ଚରଣ ସିଂହଙ୍କୁ ମୋଦୀ ସରକାର ‘ଭାରତ ରତ୍ନ’ ଦେବା ପଛରେ ଯାହା ରାଜନୀତି ଥାଉ ନା କାହିଁକି ଏହି ସମ୍ମାନ ପାଇବାକୁ ସେ ଜଣେ ଯୋଗ୍ୟ ନେତା, ଏଥିରେ କିଛି ସନ୍ଦେହ ନାହିଁ ।
ସେହିଭଳି, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ଦେଶର ନବମ ପ୍ରଧାନମନ୍ତ୍ରୀ ହୋଇଥିବା ପି.ଭି.ନରସିଂହ ରାଓ ଜଣେ ବିଦ୍ୱାନ ନେତା ଥିଲେ । ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତ ତାହାର ଅର୍ଥନୀତିକୁ ବିଶ୍ୱ ବଜାର ପାଇଁ ମୁକ୍ତ କରି ଏକ ନୂତନ ଯୁଗର ମୂଳଦୁଆ ପକାଇ ଥିଲା । ୨୦୦୪ରୁ ୨୦୧୪ ୟୁପିଏ ସରକାରରେ ଦେଶର ପ୍ରଧାନମନ୍ତ୍ରୀ ଥିବା ବିଶ୍ୱ ବିଖ୍ୟାତ ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂହ ନବେ ଦଶକରେ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓଙ୍କ ସରକାରରେ ଅର୍ଥ ମନ୍ତ୍ରୀ ଥାଇ ଦେଶର ଅର୍ଥନୀତିକୁ ବିଶ୍ୱୀକରଣ ଆଡକୁ ଆଗେଇ ନେଇଥିଲେ । ତାହାକୁ ଭିତ୍ତି କରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଭାରତକୁ ବିଶ୍ୱର ପଂଚମ ଅର୍ଥନୀତିରେ ପହଂଚାଇଛନ୍ତି ଏବଂ ଆସନ୍ତା ପାଂଚ ବର୍ଷରେ ତୃତୀୟ ସ୍ଥାନରେ ପହଂଚାଇବା ସ୍ୱପ୍ନ ଦେଖୁଛନ୍ତି । କୃଷି ବୈଜ୍ଞାନିକ ଡକ୍ଟର ଏମ.ଏସ.ସ୍ୱାମୀନାଥନ ମଧ୍ୟ ଦେଶରେ ଏକ ଅତ୍ୟନ୍ତ ପରିଚିତ ନାମ । ସ୍ୱାଧୀନତା ପରେ ଦେଶକୁ କୃଷି କ୍ଷେତ୍ରରେ ସ୍ୱାବଲମ୍ବୀ କରିବାରେ ଡକ୍ଟର ସ୍ୱାମୀନାଥନଙ୍କ ଅତୁଳନୀୟ ଅବଦାନ ଥିଲା । କୃଷକଙ୍କୁ ସେମାନଙ୍କ ଉତ୍ପାଦନର ସର୍ବନିମ୍ନ ଲାଭଜନକ ମୂଲ୍ୟ (ଏମଏସପି) ମିଳିବା ସପକ୍ଷରେ ସେ କାର୍ଯ୍ୟ କରୁଥିଲେ । ସ୍ୱାମୀନାଥନଙ୍କ ଏମଏସପି ସୁପାରିଶ ଆଜି ମଧ୍ୟ ସରକାରଙ୍କ ପାଇଁ ମାପକାଠି ହୋଇଛି । କିନ୍ତୁ, କୌଣସି ସରକାର ଏପର୍ଯ୍ୟନ୍ତ ଏହି ସୁପାରିଶକୁ ପୂର୍ଣ୍ଣତଃ କାର୍ଯ୍ୟକାରୀ କରି ନାହାନ୍ତି । କୃଷି ଓ କୃଷକଙ୍କ କଲ୍ୟାଣ ଏବଂ ଦେଶକୁ କୃଷି କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ କୃଷି ବିଜ୍ଞାନୀ ଡକ୍ଟର ସ୍ୱାମୀନାଥନଙ୍କ ରହିଥବା ଅବଦାନ କାରଣରୁ ତାଙ୍କୁ ସରକାର ଚଳିତ ବର୍ଷ ‘ଭାରତ ରତ୍ନ’ରେ ଭୂଷିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ଘୋଷଣା କରିଛନ୍ତି ।
ପି.ଭି.ନିରସିଂହ ରାଓ, ଚୌଧୁରୀ ଚରଣ ସିଂହ ଓ ଡକ୍ଟର ସ୍ୱାମୀନାଥନଙ୍କ ନାମ ‘ଭାରତ ରତ୍ନ’ ପାଇଁ ଘୋଷଣା ପରେ ବିଭିନ୍ନ ମହଲରେ ଅନୁକୂଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ସରକାରଙ୍କ ଏହି ଘୋଷଣାକୁ ସେ ସ୍ୱାଗତ କରୁଛନ୍ତି କି(?) ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ଆଜି ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ପ୍ରଶ୍ନ କରିବାରୁ ‘ମୁଁ କାହିଁକି ସ୍ୱାଗତ କରିବି ନାହିଁ !’ ବୋଲି ସେ ଉତ୍ତର ଦେଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ ଏଆଇସିସି ସଭାପିତ ଥିଲେ । ରାଓ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ସଂପର୍କ ତୀକ୍ତ ଥିଲା ବୋଲି ଆଲୋଚନା ହୁଏ । ନରସିଂହ ରାଓଙ୍କ ମୃତ୍ୟୁ ପରେ ମଧ୍ୟ କଂଗ୍ରେସ ନେତୃତ୍ୱ ତାଙ୍କୁ ସମ୍ମାନ ଦେଇ ନାହାନ୍ତି, ଶେଷ ଦର୍ଶନ ପାଇଁ ଶବକୁ ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ପୁରାଇ ଦେଇ ନଥିଲେ । ତେଣୁ, ଗଣମାଧ୍ୟମ ସୋନିଆଙ୍କୁ ଆଜି ଏହି ପ୍ରଶ୍ନ କରିଥିଲେ । କଂଗ୍ରେସର ବରିଷ୍ଠ ନେତା ତଥା ଜାତୀୟ ସାଧାରଣ ସଂପାଦକ ଜୟରାମ ରମେଶ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପି.ଭି.ନରସିଂହ ରାଓ ଓ କୃଷି ବିଜ୍ଞାନୀ ଡକ୍ଟର ସ୍ୱାମୀନାଥନଙ୍କୁ ‘ଭାରତ ରତ୍ନ’ ଦିଆଯିବା ଘୋଷଣାକୁ ସ୍ୱାଗତ କରିଛନ୍ତି । ଏହି ତିନି ଜଣ ଦେଶର ଗୋଟିଏ ଗୋଟିଏ ‘ରତ୍ନ’ ଥିଲେ ଏବଂ ରହିବେ ବୋଲି ସେ କହିଛନ୍ତି ।
ତେବେ, କୃଷି ବିଜ୍ଞାନୀ ଡକ୍ଟର ସ୍ୱାମୀନାଥନଙ୍କ ଚାଷୀଙ୍କ ଅର୍ଥନୈତିକ ବିକାଶକୁ ଦୃଷ୍ଟିରେ ରଖି ଯେଉଁ ଏମଏସପି ଫର୍ମୁଲା ପ୍ରସ୍ତୁତ କରିଥିଲେ ତାହାକୁ କେନ୍ଦ୍ର ସରକାର କାହିଁକି ଆଇନଗତ ମାନ୍ୟତା ଦେଉନାହାନ୍ତି ବୋଲି ଆଜି ରମେଶ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର ଦେଶରେ ତିନି ନୂଆ କୃଷି ଆଇନ ଆଣିବାରୁ ଯେଉଁ ବିରୋଧ ଚାଷୀ ଆନ୍ଦୋଳନ ହୋଇଥିଲା ସେଥିରେ ପ୍ରାୟ ୭୦୦ ଚାଷୀ ସହିଦ ହୋଇଥିଲେ । ଚାଷୀ ଆନ୍ଦୋଳନ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନମନୀୟତା କାରଣରୁ ଏହି ସବୁ ମୃତ୍ୟୁ ଘଟିଥିଲା । ବର୍ଷାଧିକ ସମୟ ଆନ୍ଦୋଳନ ଚାଲି ଦିଲ୍ଲୀ ସହର ଚାରି ଆଡୁ ଅବରୁଦ୍ଧ ରହିବା ପରେ ସରକାର ତିନି ନୂଆ କୃଷି ଆଇନ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ । ଏଆଇସିସି ସାଧାରଣ ସଂପାଦକ ଜୟରାମ ରମେଶ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହା ମନେ ପକାଇ ଦେଇଛନ୍ତି । ଆନ୍ଦୋଳନ ପ୍ରତ୍ୟାହାର ସମୟରେ ଚାଷୀ ନେତାଙ୍କୁ ଏମଏସପି (କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ)କୁ ସରକାର ଆଇନଗତ ମାନ୍ୟତା ଦିଆଯିବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇନଥବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଦାବି ପୂରଣ ପାଇଁ ଚାଷୀ ଆଜି ମଧ୍ୟ ଆନ୍ଦୋଳନ ମୁହାଁ । ପୁନର୍ବାର ଦିଲ୍ଲୀ ମୁହାଁ ହୋଇଛି ବୋଲି ରମେଶ କହିଛନ୍ତି ।
ଚଳିତ ବର୍ଷର ‘ଭାରତ ରତ୍ନ’ ପାଇଁ ପାଂଚଟି ନାମ ଘୋଷଣା ହୋଇଥିବା ବେଳେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କିମ୍ବଦନ୍ତୀ ଜାତୀୟ ନେତା ବିଜୁ ପଟ୍ଟନାୟକଙ୍କୁ କେହି ସ୍ମରଣ ନ କରିବା ବିଡମ୍ବନାର ବିଷୟ ହୋଇଛି । ମୋଦୀ ସରକାର ବିଜୁ ବାବୁଙ୍କୁ ନେଇ ନିରବ କାହିଁକି (?) – ଓଡ଼ିଶା ସରକାର ବା ‘ବିଜୁ ପ୍ରେମୀ’ – କେହି ଏପ୍ରଶ୍ନ କରୁନାହାନ୍ତି । ସ୍ୱାଧୀନତା ଆନ୍ଦୋଳନରୁ ଆରମ୍ଭ କରି ନୂତନ ଓଡ଼ିଶା ଗଠନ ପର୍ଯ୍ୟନ୍ତ ସବୁଠି ବିଜୁ ବାବୁଙ୍କ ପଦଚିହ୍ନ ରହିଛି । ଜାତୀୟ ରାଜନୀତିରେ ମଧ୍ୟ ସେ ନିର୍ଣ୍ଣାୟକ ଭୂମିକାରେ ରହିଥିଲେ । କର୍ପୁରୀ ଠାକୁର, ଲାଲକୃଷ୍ଣ ଆଡଭାନୀ, ଚୌଧୁରୀ ଚରଣ ସିଂହ, ପିଭି ନରସିଂହ ରାଓଙ୍କଠାରୁ କୌଣସି ଗୁଣରେ କମ୍ ନଥିଲେ । ତଥାପି, ନିଜକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ମିତ୍ର ବୋଲି ଦାମି କରୁଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ ବିଜେଡ଼ି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ କେବେ ‘ଭାରତ ରତ୍ନ’ ଦେବ (?) ବୋଲି ମୋଦୀଙ୍କୁ ପ୍ରଶ୍ନ କରୁନଥିବା ପଛରେ କି ରହସ୍ୟ ରହିଛି, ସେ ନେଇ ବିତର୍କ ହେବା ସମୟ ଆସିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS