‘ରାଣୀ’ କେବେ କଣ ‘ମନ୍ତ୍ରୀ’ ହୁଅନ୍ତି !
ପ୍ରସାଦ ରାଓ
ଭୁବନେଶ୍ୱର
ଫେବୃୟାରୀ ୧୦
ଜଣେ ରାଣୀ କେବେ କଣ ମନ୍ତ୍ରୀ ହୁଅନ୍ତି ! – ଏହା ଥିଲା ଗଂଜାମ ଜିଲ୍ଲା ଖଲ୍ଲିକୋଟ ଓ କବିସୂର୍ଯ୍ୟ ନଗରର ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଜ ପରିବାର ସଦସ୍ୟା ରାଣୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ଜୀବନ ମନ୍ତ୍ର । ଓଡ଼ିଶା ବିଧାନସଭାକୁ ଦଶ ଥର ନିର୍ବାଚିତ ହୋଇ ମଧ୍ୟ ସେ କେବେ ମନ୍ତ୍ରୀ ପଦ ଗ୍ରହଣ କରିବାକୁ ରାଜି ନଥିଲେ । ଅନ୍ୟମାନଙ୍କ ନାମ ସୁପାରିଶ କରି ମନ୍ତ୍ରୀ କରାଇ ଥିଲେ । ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଚିକିଟି ବିଧାୟିକା ଶ୍ରୀମତୀ ଉଷା ଦେବୀ । ୧୯୯୦ରୁ ୧୯୯୫ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଥିବା କିମ୍ବଦନ୍ତୀ ରାଜନେତା ତଥା ଜନନାୟକ ବିଜୁ ପଟ୍ଟନାୟକ ଖଲ୍ଲିକୋଟ ବିଧାୟିକା ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କୁ ମନ୍ତ୍ରୀ ପଦ ଯାଚି ଥିଲେ ମଧ୍ୟ ସେ ଗ୍ରହଣ ନକରି ଚିକିଟି ରାଣୀ ବିଧାୟିକା ଉଷର ଦେବୀଙ୍କ ନାମ ସୁପାରିଶ କରିଥିଲେ । ଏଭଳି ଜଣେ ସ୍ୱାଭିମାନୀ ନେତ୍ରୀ ହେଉଛନ୍ତି ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓ । ଗତକାଲି ବିଳମ୍ବ ରାତ୍ରୀରେ ୮୭ ବର୍ଷ ବୟସରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କ ପରଲୋକ ଘଟିଥିବା ଖବର ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଛି । ବିଶେଷକରି, ଗଂଜାମବାସୀଙ୍କୁ ।
ରାଣୀ ସୁଜ୍ଞାନ କୁମାରୀ ଦେଓ ଦୀର୍ଘ ଦିନ ଧରି ଅସୁସ୍ଥ ଥାଇ ସକ୍ରିୟ ରାଜନୀତିରୁ ସନ୍ୟାସ ନେବା ସହ ଚେନ୍ନାଇରେ ଅବସ୍ଥାନ କରୁଥିଲେ ଓ ସେଠାରେ ଚିକିତ୍ସିତ ହେଉଥିଲେ । ରାଣୀଙ୍କ ସ୍ୱାସ୍ଥାବସ୍ଥା ସଂକଟାପନ୍ନ ଥିବା ଖବର ପାଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ବିଜେଟ ଅଧିବେଶନର ସମାପ୍ତି ଘୋଷଣା ପରେ ଚିକିଟି ବିଧାୟିକା ଉଷା ଦେବୀ ଓ ୫-ଟି ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହ ସ୍ୱତନ୍ତ୍ର ବିମାନରେ ଚେନ୍ନାଇ ଯାଇ ଚିକିତ୍ସାଧୀନ ଥିବା ସୁଜ୍ଞାନଙ୍କୁ ଦେଖି ଥିଲେ ଓ ତାଙ୍କୁ ଚିକତ୍ସା କରୁଥିବା ଡାକ୍ତରୀ ଦଳକୁ ଭୋଟି ସୁଜ୍ଞାନୀଙ୍କ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ତେବେ, ବିଧିର ବିଧାନ, ମୁଖ୍ୟମନ୍ତ୍ରୀଙ୍କ ଏହା ଶେଷ ଦର୍ଶନ ଥିଲା । ସେ ଓଡ଼ିଶା ଫେରିବା ପରେ ଏହି କିମ୍ବଦନ୍ତୀ ନେତ୍ରୀଙ୍କ ପରଲୋକ ଖବର ଆସିଥିଲା । କେବଳ ବିଜୁ ବାବୁ ବା ନବୀନ ନୁହନ୍ତି, ଓଡ଼ିଶା ରାଜନୀତି ସହ ସଂପୃକ୍ତ ସବୁ ଦଳ ଓ ନେତାଙ୍କ ମନରେ ରାଣୀଙ୍କ ପ୍ରତି ଗଭୀର ସମ୍ମାନ ଥିଲା । ବିଜୁ ବାବୁଙ୍କ ଦେହାନ୍ତ ପରେ ପୁଅ ନବୀନ ରାଜନୈତିକ ଉତ୍ତରାଧିକାରୀ ଭାବେ ଯେେତେବେଳେ ଓଡିଶା ଆସିଲେ ଓ ବାପାଙ୍କ ସ୍ଥାନରେ ଗଂଜାମ ଜିଲ୍ଲାର ଆସିକା ଲୋକସଭା ଆସନରୁ ଉପ ନିର୍ବାଚନ ଲଢିଲେ ଖଲ୍ଲିକୋଟ ବିଧାୟିକା ରାଣୀ ଭି.ସୁଜ୍ଞାନ କୁମାରୀ ଦେଓ ଏବଂ କୋଦଳା ବିଧାୟକ ରାମକୃଷ୍ଣ ପଟ୍ଟନାୟକ ହିଁ ଥିଲେ ତାଙ୍କ ପ୍ରଥମ ମାର୍ଗଦର୍ଶକ ।
ନବୀନ ବାବୁ ଆସିକାରୁ ଉପ ନିର୍ବାଚନ ଲଢିବା ସମୟରେ ଗୋପାଳପୁର ପାମବିଚ୍ ହୋଟେଲରେ ଅବସ୍ଥାନ କରୁଥିଲେ ମଧ୍ୟ ପ୍ରଚାରକୁ ଯିବା ବେଳେ ତାଙ୍କ ସାଂଗରେ ରହୁଥିଲେ ‘ଗଂଜାମ ଟାଇଗର୍’ ରାମକୃଷ୍ଣ ପଟ୍ଟନାୟକ । ପ୍ରଚାର ସାରି ଭୁବନେଶ୍ୱର ଫେରିବା ବାଟରେ ନବୀନ ଚିଲିକା କୂଳରେ ଥିବା ରମ୍ଭା ରାଜପ୍ରସାଦକୁ ଯାଇ ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କୁ ଭେଟୁ ଥିଲେ ଓ ତାଙ୍କ ଆଶୀର୍ବାଦ ନେଉଥିଲେ । ରମ୍ଭା ରାଜପ୍ରାସାଦରେ ପ୍ରସ୍ତୁତ ହେଉଥିଲା ନବୀନଙ୍କ ଗଂଜାମ ରଣନୀତି । କହିବାକୁ ଗଲେ, ସୁଜ୍ଞାନ ଥିଲେ ନବୀନଙ୍କ ପ୍ରାରମ୍ଭିକ ରାଜନୈତିକ ଗୁରୁ ଓ ମାର୍ଗଦର୍ଶକ । ୨୦୦୦ରୁ ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି । ସୁଜ୍ଞାନ ସକ୍ରିୟ ରାଜନୀତିରେ ଥାଆନ୍ତୁ ବା ନଥା’ନ୍ତୁ ଗଂଜାମ ଜିଲ୍ଲାକୁ ନେଇ ଯେବେ ଯାହା ରାଜନୈତିକ ନିଷ୍ପତ୍ତି ହୋଇଛି ସେଥିରେ ରାଣୀ ସୁଜ୍ଞାନ କୁମାରୀଙ୍କ ମାର୍ଗଦର୍ଶନ ଥିବା ବିଶ୍ୱାସ କରାଯାଇଆସିଛି । ୨୦୦୯ରେ ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଜାତି (ଏସସି) ପାଇଁ ସଂରକ୍ଷିତ ହେବା ପରେ ରାଣୀ ସୁଜ୍ଞାନ ଦେଓ ଖଲ୍ଲିକୋଟ ଛାଡି ପଡୋଶୀ କବିସୂର୍ଯ୍ୟନଗର ବିଧାନସଭା ଆସନରୁ ବିଧାନସଭାକୁ ଯାଇଥିଲେ ।
୨୦୧୯ରେ ରାଣୀ ସ୍ୱେଚ୍ଛାରେ ସକ୍ରିୟ ରାଜନୀତିରୁ ଓହରି ଯିବା ପରେ ତାଙ୍କ ଆଶୀର୍ବାଦରେ ଲତିକା ପ୍ରଧାନ କବିସୂର୍ଯ୍ୟନଗରରୁ ବିଧାୟିକା ହୋଇଛନ୍ତି । ୨୦୨୪ ନିର୍ବାଚନରେ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବିଧାନସଭା ଆସନରୁ ବିଜେଡ଼ିରୁ କିଏ ପ୍ରାର୍ଥୀ ହେବେ ତାହା ନିର୍ଣ୍ଣୟ ହେବାକୁ ଥିବା ବେଳେ ରାଣୀ ଆଉ ନାହାନ୍ତି । ବିଜେଡ଼ିର ବିଧାୟକ ଆଶାୟୀମାନେ ରାଣୀଙ୍କ ସୁନଜରରେ ରହିବା ସକାଶେ ବାରମ୍ବାର ଯେଉଁ ଚେନ୍ନାଇ ଧାଉଁଥିଲେ ଏବେ ସେଥିରେ ଭଟ୍ଟା ପଡିବା ନିଶ୍ଚିତ ହୋଇଛି । ସୁଜ୍ଞାନ ହେଉଛନ୍ତି ଖଲ୍ଲିକୋଟ ରାଜା ସ୍ୱର୍ଗତ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ବୋହୂ । ରାଜାଙ୍କ ଅକାଳ ମୃତ୍ୟୁ ପରେ ବୋହୂ ସୁଜ୍ଞାନ କୁମାରୀ ୧୯୬୩ରେ ପ୍ରଥମେ କଂଗ୍ରେସ ଟିକଟରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ ପରେ ୧୯୭୦ରେ ଉକ୍ରଳ କଂଗ୍ରେସରେ ଯୋଗ ଦେଇ ଦୁଇ ଥର ପରାଜିତ ହୋଇଥିଲେ । ତେବେ, ୧୯୭୪ରେ କଂଗ୍ରେସରୁ ଓ ୧୯୭୭ରେ ଜନତା ପାର୍ଟିରୁ ଖଲ୍ଲିକୋଟ ଆସନରୁ ନିର୍ବାଚନ ଲଢି ସେ ବିଧାନସଭାକୁ ନିର୍ବାଚିତ ହେବା ପରେ ପଛକୁ ଫେରି ଚାହିଁ ନାହାନ୍ତି । ୧୯୮୫ରେ ସେ ଖଲ୍ଲିକୋଟରୁ ଜନତା ପାର୍ଟି ପ୍ରାର୍ଥୀ ଭାବେ ନିର୍ବାଚିତ ଲଢି ବିଜୟୀ ହେବା ପରେ ଜନତା ଦଳ ଓ ବିଜେଡିରୁ ୨୦୧୪ ପର୍ଯ୍ୟନ୍ତ ଲଗାତର ବିଧାୟକ ରହିଛନ୍ତି ।
ଖଲ୍ଲିକୋଟ ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ହେବା ପରେ ସୁଜ୍ଞାନ କୁମାରୀ ଦେଓ କବିସୂର୍ଯ୍ୟ ନଗର ଆସନରୁ ବିଧାୟିକା ହୋଇଥିଲେ । ଅସୁସ୍ଥ ରହିବାରୁ ସେ ୨୦୧୯ ନିର୍ବାଚନରେ ପ୍ରାର୍ଥୀ ହେବାକୁ ମନା କରିବାରୁ ବିଜେଡ଼ି ନେତୃତ୍ୱ ଲତିକା ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲେ । ଲତିକା ବର୍ତ୍ତମାନ ବିଧାୟିକା ଅଛନ୍ତି । ୧୯୩୭ ମସିହା ଅଗଷ୍ଟ ୫ ତାରିଖରେ ସୁଜ୍ଞାନ କୁମାରର ଦେଓ ଚେନ୍ନାଇ ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ହେଉଛନ୍ତି ରାଜା ଆରଭିଏମ ନେଲାଦି ଦେଓ । ମାଡ୍ରାସ (ଆଜିର ଚେନ୍ନାଇ) ବିଶ୍ୱବିଦ୍ୟାଳୟରୁ ସୁଜ୍ଞାନ କୁମାରୀ ଦେଓ ସମାଜ ବିଜ୍ଞାନ (ସେସିଆଲ ୱାର୍କ)ରେ ଏମଏ କରିଥିଲେ । ଅନର୍ଗଳ ଇଂରାଜୀ କହିପାରୁଥିବା ସୁଜ୍ଞାନ ଜଣେ ଉଚ୍ଚ ଶିକ୍ଷିତା ଓ ରାଜ ପରିବାର ସଦସ୍ୟା ହୋଇଥିବାରୁ ଓଡ଼ିଶା ରାଜନୀତିରେ ତାଙ୍କର ବେଶ୍ ଦବଦବା ରହିଥିଲା । ବିଜୁ ବାବୁଙ୍କ ସହ ତାଙ୍କର ଘନିଷ୍ଟ ରାଜନୈତିକ ସଂପର୍କ ସର୍ବଦା ଚର୍ଚ୍ଚାରେ ରହିଥିଲା । ସେ ବାହାରକୁ କଠୋର ଜଣାପଡୁଥିଲେ ମଧ୍ୟ ଭିତରେ ଦରଦୀ ଥିଲେ ଏବଂ ସାଧୁତା ଓ ସ୍ୱାଭିମାନକୁ ସର୍ବଦା ଗୁରୁତ୍ୱ ଦେଉଥିଲେ । ମନ୍ତ୍ରୀ ପଦ ହାତ ପାଆନ୍ତାରେ ଥାଇ ମଧ୍ୟ ପ୍ରଲୋଭିତ ନହୋଇ ଜୀବନର ଶେଷ ପର୍ଯ୍ୟନ୍ତ ଜଣେ ସାଧାରଣ ବିଧାୟିକା ଭାବେ ସେ ଜୀବନ ଅତିବାହିତ କରିବା ଏବଂ ଅସୁସ୍ଥତା କାରଣରୁ ସ୍ୱତଃ ସକ୍ରିୟ ରାଜନୀତିରୁ ଓହରି ଅନ୍ୟମାନଙ୍କୁ ବାଟ ଛାଡିବା ଆଜିର ରାଜନୀତିରେ ଏକ ବିରଳ ଦୃଷ୍ଟାନ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS