ରାଏବରେଲିରୁ ରାଜସ୍ଥାନ, ନାମାଂକନପତ୍ର ଦାଖଲ କଲେ ସୋନିଆ ଗାନ୍ଧୀ
ପ୍ରସାଦ ରାଓ
ନୂଆଦିଲ୍ଲୀ/ ଫେବୃୟାରୀ ୧୪
ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ତଥା ଲୋକସଭା ସାଂସଦ ଶ୍ରୀମତୀ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭାକୁ ଯାଉଛନ୍ତି । ଆଜି ରାଜଧାନୀ ଜୟପୁରରେ ସେ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ରାଜସ୍ଥାନ ବିଧାନସଭାରେ କଂଗ୍ରେସର ଆବଶ୍ୟକ ସଂଖ୍ୟା ଥିବା ଦୃଷ୍ଟିରୁ ଶ୍ରୀମତୀ ଗାନ୍ଧୀ ରାଜ୍ୟସଭାକୁ ନିର୍ବାଚିତ ହେବାରେ କିଛି ପ୍ରତିବନ୍ଧକ ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଥିଲେ । ଆସନ୍ତା ଏପ୍ରିଲରେ ଡକ୍ଟର ସିଂହଙ୍କ କାର୍ଯ୍ୟକାଳ ସରୁଥିବାରୁ ଶ୍ରୀମତୀ ଗାନ୍ଧୀ ସେହି ସ୍ଥାନ ପୂରଣ କରିବାକୁ ଯାଉଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ସିଂହ ରାଜନୀତିରୁ ଅବସର ନେଉଥିବା ଏଥିରୁ ନିଶ୍ଚିତ ହୋଇଯାଇଛି । ପତି ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାର ଆଠ ବର୍ଷ ପରେ ଶ୍ରୀମତୀ ଗାନ୍ଧୀ ଦେଶରେ କଂଗ୍ରେସ ଦଳକୁ ବଂଚାଇବା ପାଇଁ ନେତା ଓ କର୍ମୀଙ୍କ ଅନୁରୋଧକ୍ରମେ ୧୯୯୯ରେ ସକ୍ରିୟ ରାଜନୀତିକୁ ଆସିଥିଲେ ଏବଂ କଂଗ୍ରେସର ଦୁର୍ଗ ଭାବେ ପରିଚିତ ୟୁପିର ଆମେଥୀ ଓ କର୍ଣ୍ଣାଟକର ବେଲାରୀ ଲୋକସଭା ଆସନରୁ ନିର୍ବାଚନ ଲଢି ଦୁଇଟି ଯାକ ଆସନରେ ବିଜୟୀ ହୋଇଥିଲେ । ତେବେ, ଆମେଥୀ ଆସନ ରଖି ବେଲାରୀ ଆସନ ଛାଡି ଥିଲେ । ପରେ, ୨୦୦୪ ସାଧାରଣ ନିର୍ବାଚନରେ ସେ ନିର୍ବାଚନ ମଣ୍ଡଳୀ ବଦଳାଇ କଂଗ୍ରେସର ଅନ୍ୟତମ ଦୁର୍ଗ ଭାବେ ପରିଚିତ ୟୁପିର ରାୟବରେଲୀ ଆସନରୁ ପ୍ରାର୍ଥୀ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେବେଠାରୁ ରାୟବରେଲୀରୁ ସେ ଲୋକସଭା ସାଂସଦ ରହି ଆସିଛନ୍ତି । କୌଣସି ନିର୍ବାଚନରେ ସେ ୫୫ ପ୍ରତିଶତରୁ କମ୍ ଭୋଟ ପାଇ ନାହାନ୍ତି । ଏପରିକି, ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ଦେଶବ୍ୟାପୀ ମୋଦୀ ହାୱା ଥିବା ବେଳେ ଶ୍ରୀମତୀ ସୋନିଆ ଗାନ୍ଧୀ ରାୟବରେଲୀ ଆସନରୁ ବିଜୟ ଧାରା ବଜାୟ ରଖି ଆସିଛନ୍ତି । ଅପରପକ୍ଷରେ, ୨୦୧୯ ସାଧାରଣ ନିର୍ବାଚନରେ ପୁଅ ରାହୁଲ ଗାନ୍ଧୀ ୟୁପିର ଅମେଥୀ ଲୋକସଭା ଆସନରୁ ପରାଜିତ ହୋଇ ଏହି ଦୁର୍ଗକୁ ବିଜେପିକୁ ଟେକି ଦେଇଥିଲେ । ତେବେ, କେରଳର ୱାଇନାଡରୁ ବିଜୟୀ ହୋଇ ରାହୁଲ ତାଙ୍କ ଲୋକସଭା ସାଂସଦ ପଦ ବଜାୟ ରଖି ଥିଲେ । ୟୁପିର ଆମେଥୀ ଲୋକସଭା ଆସନରୁ ବିଜେପି ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ ସାଂସଦ ଅଛନ୍ତି । ୭୭ ବର୍ଷ ବୟସ୍କା ସୋନିଆ ଗାନ୍ଧୀ ଦୀର୍ଘ ୨୫ ବର୍ଷ ଧରି ଲୋକସଭା ସାଂସଦ ରହିବା ପରେ ରାଜ୍ୟସଭା ମୁହାଁ ହୋଇଥିବାରୁ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ରାୟବରେଲୀ ଲୋକସଭା ଆସନରୁ କାହାକୁ ପ୍ରାର୍ଥୀ କରିବ – ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇସାରିଛି । ସମ୍ଭବତଃ, ଗାନ୍ଧୀ ପରିବାରର ଏହି ଗଡ଼ରୁ ରାଜୀବ-କନ୍ୟା ତଥା କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରାର୍ଥୀ ହୋଇପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ପ୍ରିୟଙ୍କା ଯଦି ପ୍ରାର୍ଥୀ ହୁଅନ୍ତି ତେବେ ଏହା ତାଙ୍କ ପାଇଁ ପ୍ରଥମ ନିର୍ବାଚନ ହେବ । ତେଣୁ, ରାୟବରେଲୀ ଭଳି ଏକ ସୁରକ୍ଷିତ ଆସନରୁ ତାଙ୍କୁ କଂଗ୍ରେସ ଦଳ ଲଂଚ୍ କରିବା ଆଶା କରାଯାଉଛି । ଜେଜେ ମା’ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ନାତୁଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଚେହେରାର ଯଥେଷ୍ଟ ସାମଂଜସ୍ୟ ରହିଥିବାରୁ ରାୟବରେଲୀ ଜନତା ପ୍ରିୟଙ୍କାଙ୍କୁ ଆଦରି ନେବେ ବୋଲି କଂଗ୍ରେସ ନେତୃତ୍ୱ ବିଶ୍ୱାସ କରୁଛନ୍ତି । ତେବେ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖର୍ଗେ ପ୍ରିୟଙ୍କାଙ୍କୁ ନେଇ ଚୂଡାନ୍ତ ନିଷ୍ପତ୍ତି ନେବେ । କଂଗ୍ରେସର ମାତୃପ୍ରତୀମ ନେତ୍ରୀ ସୋନିଆ ଗାନ୍ଧୀ ଲଗାତର ୨୫ ବର୍ଷ ଲୋକସଭା ସାଂସଦ ରହିବା ପରେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ଯିବା ଅର୍ଥ ସେ ସକ୍ରିୟ ରାଜନୀତିରୁ ଅବସର ନେଉଛନ୍ତି ବୋଲି କେହି ଭାବିବା ଠିକ୍ ନୁହେଁ, ଏହା ଅବସର ନୁହେଁ – ନୂଆ ଭୂମିକାରେ ଅବସ୍ଥାପନା ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଏଠାରେ ସୂଚନାଯୋଗ୍ୟ କି, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ଗାନ୍ଧୀ ଗଲା କିଛି ବର୍ଷ ହେଲା ରିତିମତ ଅସୁସ୍ଥ ରହୁୁଥିବାରୁ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଭିନ୍ନ ନିର୍ବାଚନରେ କଂଗ୍ରେସର ପ୍ରଚାର ମଂଗ ଧରୁଛନ୍ତି । ତେବେ, ଶ୍ରୀମତୀ ଗାନ୍ଧୀ ଆବଶ୍ୟକତାକୁ ଦେଖି ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ସମାଲୋଚନା କରିବାକୁ ପଛାଇ ନାହାନ୍ତି । ୨୦୧୮ରେ ଶ୍ରୀମତୀ ଗାନ୍ଧୀ ମୋଦୀ ସରକାରଙ୍କୁ କଡା ସମାଲୋଚନା କରି – ‘ପ୍ରଧାନମନ୍ତ୍ରୀ ଜଣେ ଭଲ ବକ୍ତା, କିନ୍ତୁ ଭାଷଣ ଶୁଣି ଲୋକଙ୍କ ପେଟର ଭୋକ ମରିବ ନାହିଁ’ ବୋଲି କାଟାକ୍ଷ କରିଥିଲେ । ଜନତାକୁ ଖାଇବା ସକାଶେ ଡାଲି, ଚାଉଳ ଏବଂ ସ୍ୱାସ୍ଥ୍ୟ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ଗାନ୍ଧୀ କହିଥିଲେ । ଅପରପକ୍ଷରେ, ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି କଂଗ୍ରେସର ପରିବାରବାଦ ରାଜନୀତିକୁ ଲଗାତର ଆକ୍ରମଣ କରି ଆସୁଛନ୍ତି । ବିଶେଷକରି, ଗାନ୍ଧୀ ପରିବାର, କଂଗ୍ରେସ ଶାସନ ସମୟର ଦୁର୍ନୀତି ଏବଂ ତୁଷ୍ଟିକରଣ ନୀତି ନିର୍ବାଚନ ପ୍ରଚାର ସମୟରେ ବିଜେପିର ବଡ ନ୍ୟାରେଟିଭ୍ ବା ବ୍ୟାଖାୟନ ରହି ଆସିଛି । ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ ବିଜେପି ବିରୋଧୀ ମେଂଟ ‘ଇଣ୍ଡିଆ’ ଆପେକ୍ଷା ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ପ୍ରମୁଖ ଟାର୍ଗେଟ କରିଥିବାରୁ ଚବିଶି ନିର୍ବାଚନ ବିଜେପି ବନାମ କଂଗ୍ରେସ ହେବାକୁ ଯାଉଥିବା ଦେଖିବାକୁ ମିଳୁଛି । ରାଜ୍ୟସଭା ସାଂସଦ ହେବାରେ ସୋନିଆ ହେଉଛନ୍ତି ଗାନ୍ଧୀ ପରିବାରର ଦ୍ୱିତୀୟ ସଦସ୍ୟ । ପୂର୍ବରୁ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ୧୯୬୪ ଅଗଷ୍ଟରୁ ୧୯୬୭ ଫେବୃୟାରୀ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ରହିଥିଲେ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS