ଠିକ୍ ନିର୍ବାଚନ ସମୟରେ କେନ୍ଦ୍ରକୁ ସୁପ୍ରିମ କୋର୍ଟ ଝଟକା !


ପ୍ରସାଦ ରାଓ
ନୂଆଦିଲ୍ଲୀ/ଫେବୃୟାରୀ ୧୫
ଦେଶର ସର୍ବୋଚ୍ଚ ନ୍ୟାୟପାଳିକା ସୁପ୍ରିମ କୋର୍ଟ ଆଜି କେନ୍ଦ୍ର ସରକାରଙ୍କ ‘ଇଲୋକ୍ଟୋରାଲ ବଣ୍ଡ୍’ ସ୍କିମକୁ ଅସାମ୍ବିଧାନିକ ଘୋଷଣା କରି ସରକାରଙ୍କୁ ବଡ ଝଟକା ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ପାଂଚ ଜଣିଆ ସାମ୍ବିଧାନିକ ବେଂଚ ସର୍ବସମ୍ମତିରେ ରାୟ ଦେଇ ସରକାରଙ୍କ ‘ଇଲୋକ୍ଟୋରାଲ ବଣ୍ଡ୍’ ସ୍କିମ୍ କୁ ଅସାମ୍ବିଧାନିକ କହିବା ସହ ତୁରନ୍ତ ଏହା ବନ୍ଦ କରାଯିବାକୁ ନିର୍ଦେଶ ଦେଇଛନ୍ତି । ସାଧାରଣତଃ ନିର୍ବାଚନ ସମୟରେ ରାଜନୈତିକ ଦଳଙ୍କୁ ବିଭିନ୍ନ ସଂସ୍ଥା ଓ ଅନୁଷ୍ଠାନ ନିର୍ବଚନୀ ପାଣ୍ଠି ପାଇଁ ଅର୍ଥ ଦାନ କରିଥାନ୍ତି । ରାଜନୈତିକ ଦଳଙ୍କୁ ମିଳୁଥିବା ଏହି ପାଣ୍ଠିକୁ ଅଧିକ ପାରଦର୍ଶୀ କରିବା ପାଇଁ ୨୦୧୮ ମସିହାରେ କେନ୍ଦ୍ର ସରକାର ଆଇନରେ ଆବଶ୍ୟକ ପରିବର୍ତ୍ତନ କରି ‘ଇଲୋକ୍ଟୋରାଲ ବଣ୍ଡ୍’ ସ୍କିମ୍ କାର୍ଯ୍ୟକାରୀ କରିଥିଲେ । ତେବେ, ‘ଇଲୋକ୍ଟୋରାଲ ବଣ୍ଡ୍’ ମାଧ୍ୟମରେ କେଉଁ ସଂସ୍ଥା ବା ଅନୁଷ୍ଠାନ କେଉଁ ରାଜନୈତିକ ଦଳକୁ କେତେ ନିର୍ବାଚନୀ ପାଣ୍ଠି ଦେଇଛି ତାହା ଗୋପନୀୟ ରଖାଯିବା ବ୍ୟବସ୍ଥା ଥିବା କାରଣରୁ ପାଣ୍ଠି ସଂଗ୍ରହରେ ପାରଦର୍ଶିତା ରହୁନଥିବା ଅଭିଯୋଗ ହେଉଥିଲା । ‘ଇଲୋକ୍ଟୋରାଲ ବଣ୍ଡ୍’ ସ୍କିମ୍ ରେ ପାରଦର୍ଶିତା ନଥିବା ଦର୍ଶାଇ ଏହାର ବୈଧତାକୁ ନେଇ ସୁପ୍ରିମ କୋର୍ଟରେ ଏକାଧିକ ପିଟିସନ୍ ଦାଏର ହୋଇଥିଲା । ସୁପ୍ରିମ କୋର୍ଟର ପାଂଚ ଜଣିଆ ସାମ୍ବିଧାନିକ ବେଂଚ ସେସବୁ ଉପରେ ଶୁଣାଣୀ କରି ଆଜି ସର୍ବସମ୍ମତିରେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।
ସାମ୍ବିଧାନିକ ବେଂଚରେ ଥିବା ଅନ୍ୟ ଚାରି ଜଣ ବିଚାରପତି ହେଉଛନ୍ତି – ଜଷ୍ଟିସ ସଂଜୀବ ଖାନ୍ନା, ଜଷ୍ଟିସ ବି.ଆର.ଗଭାଇ, ଜଷ୍ଟିସ ଜେ.ବି.ପରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ର । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ସାମ୍ବିଧାନିକ ବେଂଚ ଆଜି ‘ଇଲୋକ୍ଟୋରାଲ ବଣ୍ଡ୍’ ଇସ୍ୟୁ କରୁଥିବା ବ୍ୟାଙ୍କକୁ ତୁରନ୍ତ ଏହି ବଣ୍ଡ୍ ଇସ୍ୟୁ ବନ୍ଦ କରାଯିବାକୁ ନିର୍ଦେଶ ଦେବା ସହ ୨୦୧୯ ଏପ୍ରିଲ ୧୨ ତାରିଖରେ କୋର୍ଟ ଯେଉଁ ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେଇଥିଲେ ତାହା ପରରୁ ଆଜି ସୁଦ୍ଧା ଯେଉଁ ଇଲୋକ୍ଟୋରାଲ ବଣ୍ଡ୍ ବିକ୍ରି ହୋଇଛି ତାହାର ବିସ୍ତୃତ ବିବରଣୀ ରାୟ ପ୍ରକାଶ ଦିନରୁ ତିନି ସପ୍ତାହ ମଧ୍ୟରେ, ଅର୍ଥାତ ଆସନ୍ତା ମାର୍ଚ୍ଚ ୬ ତାରିଖ ସୁଦ୍ଧା ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟରେ ଉପସ୍ଥାପନ କରିବାକୁ ଏବଂ ନିର୍ବାଚନ କମିଶନ ମଧ୍ୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରୁ ବିସ୍ତୃତ ବିବରଣୀ ହାସଲ କରିବାର ଗୋଟିଏ ସପ୍ତାହ ମଧ୍ୟରେ, ଅର୍ଥାତ ୨୦୨୪ ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ନିଜ ୱେବସାଇଟରେ ଅପଲୋଡ୍ କରିବାକୁ ସୁପ୍ରିମ କୋର୍ଟ ବେଂଚ ନିର୍ଦେଶ ଦେଇଛନ୍ତି । ବେଂଚ କହିଛନ୍ତି, ଜନପ୍ରତିନିଧି ଆଇନ, ୧୯୫୧, ୨୦୧୭ ଫାଇନାନ୍ସ ଆକ୍ଟ ଏବଂ କଂପାନୀ ଆଇନର ବିଭିନ୍ନ ଧାରାରେ ସରକାର ଯେଉଁ ସବୁ ସଂଶୋଧନ କରିଛନ୍ତି ସେସବୁ ସମ୍ବିଧାନର ୧୯ (୧) (ଏ)ର ଉଲଂଘନ କରୁଥିବାରୁ ଅସାମ୍ବିଧାନିକ । କଂପାନୀ ଆଇନର ଧାରା ୧୮୨ (୧) ଉଚ୍ଛେଦ କରାଯାଇ ରାଜନୈତିକ ଦଳମାନଙ୍କୁ ଅସୀମିତ କର୍ପୋରେଟ୍ ଫଣ୍ଡିଂ ପାଇଁ ଦିଆଯାଇଥିବା ଅନୁମତି ମଧ୍ୟ ଏକପାଖିଆ ଏବଂ ତାହା ସମ୍ବିଧାନର ଧାରା ୧୪ର ଉଲଂଘନ ବୋଲି ସାମ୍ବିଧାନିକ ବେଂଚ କହିଛନ୍ତି ।
ଜଣେ ସାଧାରଣ ବ୍ୟକ୍ତି ଗୋଟିଏ ରାଜନୈତିକ ଦଳକୁ ଯେତିକି ଦାନ ଦେବାକୁ ସକ୍ଷମ ତାହା ତୁଳନାରେ କର୍ପୋରେଟ୍ ସଂସ୍ଥାଙ୍କ ଦାନ ପରିମାଣ ବହୁମାତ୍ରାରେ ଅଧିକ ଥିବାରୁ କର୍ପୋରେଟ ସଂସ୍ଥା ରାଜନୈତିକ ଦଳଙ୍କୁ ଅସୀମିତ ଦାନ ଦେଇ ପାରିବେ ବୋଲି ଅନୁମତି ଦିଆଯିବା ଦ୍ୱାରା ନିର୍ବାଚନ ପ୍ରକ୍ରିୟାରେ ଜଣେ ସାଧାରଣ ବ୍ୟକ୍ତି ଅପେକ୍ଷା କର୍ପୋରେଟ ସଂସ୍ଥାଙ୍କ ପ୍ରଭାବ ଅଧିକ ରହିବା ସ୍ୱାଭାବିକ । ଜଣେ ବ୍ୟକ୍ତିର ଦାନ ସଂପୃକ୍ତ ରାଜନୈତିକ ଦଳ ସହ ସଂପୃକ୍ତି ବା ସମର୍ଥନ ହୋଇଥିବା ବେଳେ କର୍ପୋରେଟ ସଂସ୍ଥା ବା କଂପାନୀଙ୍କ ଅସୀମିତ ଦାନ ବ୍ୟବସାୟକୁ ସୁରକ୍ଷିତ ରଖିବା ପାଇଁ ବା ବ୍ୟବସାୟରୁ ଅଧିକ ଫାଇଦା ପାଇଁ ଉଦ୍ଦିଷ୍ଟ । ତେଣୁ, କଂପାନୀ ଆଇନର ଧାରା ୧୮୨ (୧) ଉଚ୍ଛେଦ କରାଯାଇ ରାଜନୈତିକ ଦଳଙ୍କୁ ଅସୀମିତ ଦାନ କରିବାକୁ ବ୍ୟବସାୟିକ ସଂସ୍ଥାଙ୍କୁ ଅନୁମତି ଦିଆଯିବା ସମ୍ବିଧାନର ଉଲଂଘନ ବୋଲି ସୁପ୍ରିମ କୋର୍ଟ ସାମ୍ବିଧାନିକ ବେଂଚ ସ୍ପଷ୍ଟ କରିଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ୨୦୧୮ରେ ଇଲୋକ୍ଟୋରାଲ ବଣ୍ଡ୍ ସ୍କିମ୍ କାର୍ଯ୍ୟକାରୀ କରିଥିଲେ । ଏହି ସ୍କିମ୍ ପାରଦର୍ଶୀ ନଥିବା ଦର୍ଶାଇ ତାହାକୁ ଖାରଜ କରାଯିବାକୁ ସୁପ୍ରିମ କୋର୍ଟରେ ଏଡ଼ିଆର (ଆସୋସିଏସନ୍ ଫର୍ ଡେମୋକ୍ରେଟିକ ରିଫର୍ମସ୍), କଂଗ୍ରେସ ନେତ୍ରୀ ଜୟା ଠାକୁର, ସିପିଆଇ(ଏମ) ଓ ‘କମନ କଜ୍’ ପକ୍ଷରୁ ଆବେଦନ ହୋଇଥିଲା । ସୁପ୍ରିମ କୋର୍ଟ ସାମ୍ବିଧାନିକ ବେଂଚଙ୍କ ଆଜିର ରାୟକୁ ଏଡ଼ିଆର ପକ୍ଷରୁ ସ୍ୱାଗତ କରିଛି ।
୨୦୧୮ରେ ‘ଇଲୋକ୍ଟୋରାଲ ବଣ୍ଡ୍ ସ୍କିମ୍ କାର୍ଯ୍ୟକାରୀ ହେବା ଦିନରୁ କର୍ପୋରେଟ ସଂସ୍ଥାଙ୍କ ସର୍ବାଧିକ ପରିମାଣର ନିର୍ବାଚନ ପାଣ୍ଠି ଶାସକ ବିଜେପିକୁ ମିଳିଥିବା ବିଭିନ୍ନ ସମୟରେ ଏଡ଼ିଆର ପକ୍ଷରୁ ପ୍ରକାଶିତ ସମୀକ୍ଷାରୁ ସୂଚନା ମିଳି ଥିଲା । କେଉଁ କର୍ପୋରେଟ ସଂସ୍ଥା କେତେ ପରିମାଣର ଅର୍ଥ କେଉଁ ରାଜନୈତିକ ଦଳର ନିର୍ବାଚନ ପାଣ୍ଠିକୁ ଦାନ କରିଛି ତାହା ଖୁଲାସା କରାଯିବାକୁ ବିରୋଧୀ ଦଳମାନେ ଦାବି କରିଆସୁଥିବା ବେଳେ ଦାନ ଦେଇଥିବା ବ୍ୟବସାୟୀଙ୍କ ବ୍ୟବସାୟିକ ସ୍ୱାର୍ଥ ଦୃଷ୍ଟିରୁ ସେହି ତଥ୍ୟ ଗୋପନୀୟ ରଖାଯିବା ଅନିବାର୍ଯ୍ୟ ବୋଲି କେନ୍ଦ୍ର ସରକାର ଅଦାଲତରେ ଯୁକ୍ତି ଉପସ୍ଥାପନ କରୁଥିଲେ । ତେଣୁ, ସୁପ୍ରିମ କୋର୍ଟର ଆଜିର ରାୟରେ ଶାସକ ଦଳ ବ୍ୟତୀତ ଅନ୍ୟ ରାଜନୈତିକ ଦଳମାନେ ବିଚଳିତ ହେବାର କୌଣସି କାରଣ ନାହିଁ ବୋଲି ଏଡ଼ିଆରର କୋ-ଫାଉଣ୍ଡର ଜଗଦୀପ ଏସ୍ ଚୋକର ଆଜି ପ୍ରତିକ୍ରିୟା ରଖିଛନ୍ତି । ଏକ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୮ରେ ମୋଦୀ ସରକାର ‘ଇଲୋକ୍ଟୋରାଲ ବଂଣ୍ଡ୍’ ସ୍କିମ୍ ଲାଗୁ କରିବା ପରେ ୨୦୧୯ରୁ ୨୦୨୨ ମଧ୍ୟରେ ୨୮,୫୩୧.୫୦ କୋଟି ଟଙ୍କା ମୂଲ୍ୟର ୬୭୪,୨୫୦ ସଂଖ୍ୟକ ଇଲୋକ୍ଟୋରାଲ୍ ବଣ୍ଡ୍ ନାସିକସ୍ଥିତ ଇଣ୍ଡିଆ ସିକ୍ୟୁରିଟ ପ୍ରେସରେ ଛପା ଯାଇଥିଲା । ୨୦୧୮ରୁ ୨୦୨୨ ମଧ୍ୟରେ କିଣା ଯାଇଥିବା ‘ଇଲୋକ୍ଟୋରାଲ୍ ବଣ୍ଡ୍’ରୁ ୫୭ ପ୍ରତିଶତ ବିଜେପି ଖାତାକୁ ଯାଇଛି । ରାଜନୈତିକ ଦଳମାନେ ଉପସ୍ଥାପନ କରିଥିବା ତଥ୍ୟ ଆଧାରରେ ଏଡ଼ିଆର ଏହି ଖୁଲାସା କରିଛି ।
ଏହି ସମୟ ମଧ୍ୟରେ ମୋଟ ୯୨୦୮ କୋଟି ଟଙ୍କାର ବଣ୍ଡ୍ ବିକ୍ରି ହୋଇଥିବା ବେଳେ ସେଥିରୁ ବିଜେପି ଖାତାକୁ ୫,୨୭୦ କୋଟି ଯାଇଥିବା ବେଳେ ବାକି ଟଙ୍କା ଫଳେ, ପୁଷ୍ପେ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳମାନେ ପାଇଛନ୍ତି । ୨୦୧୯ରେ ଇଲୋକ୍ଟୋରାଲ ବଣ୍ଡ ବିକ୍ରି ଉପରେ ସ୍ଥଗିତାଦେଶ ଜାରି ପାଇଁ ସୁପ୍ରିମ କୋର୍ଟରେ ଆବେଦନ ହୋଇଥିଲେ ମଧ୍ୟ ଏପ୍ରିଲ ମାସରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ଥଗିତାଦେଶ ଜାରି ପାଇଁ ମନା କରିଥିଲେ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଦେଶର ନିର୍ବାଚନ ପ୍ରକ୍ରିୟା ସହିତ ସଂପୃକ୍ତ ଥିବାରୁ କେନ୍ଦ୍ର ସରକାର ଓ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷ ଶୁଣିବା ପରେ ଯାହା ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ କରିଥିଲେ । ସୁପ୍ରିମ କୋର୍ଟ ସାମ୍ବିଧାନିକ ବେଂଚ ସମସ୍ତ ପକ୍ଷଙ୍କ ଯୁକ୍ତିର ବିସ୍ତୃତ ଭାବେ ଶୁଣିବା ପରେ ଆଜି ରାୟ ଦେଇ ‘ଇଲୋକ୍ଟୋରାଲ ବଣ୍ଡ୍’ ସ୍କିମ୍ ‘ଅସାମ୍ବିଧାନିକ’ ବୋଲି କହିଛନ୍ତି ଏବଂ ବଣ୍ଡ୍ ବିକ୍ରି ବନ୍ଦ କରିବାକୁ ଏସବିଆଇକୁ ନିର୍ଦେଶ ଦେବା ସହ ଆଜି ସୁଦ୍ଧା କେତେ ବଣ୍ଡ୍ ବିକ୍ରି ହୋଇଛି ତାହାର ସବିଶେଷ ତଥ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଇସିଆଇ ନିକଟରେ ଉପସ୍ଥାପନ କରିବାକୁ କହିଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS