ନିର୍ବାଚନ ପୂର୍ବରୁ ଆଇଟି ବିଭାଗ ଖେଳ ?


ପ୍ରସାଦ ରାଓ
ନୂଆଦିଲ୍ଲୀ/ଫେବୃୟାରୀ ୧୬
କିଛି ସପ୍ତାହ ପରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ କେନ୍ଦ୍ର ସରକାରଙ୍କ ଆୟକର ବିଭାଗ ଭାରତୀୟ ଜାତୀୟ କଂଗ୍ରେସ ଏବଂ ତାହାର ଯୁବ ଶାଖାର ଚାରିଟି ମୁଖ୍ୟ ବ୍ୟାଙ୍କ ଆକାଉଂଟରେ ଥିବା ୧୧୫ କୋଟି ଟଙ୍କାକୁ ସାମୟିକ ଭାବେ ‘ଫ୍ରିଜ୍’ କରିଦେଇ ଦେଶର ରାଜନୈତିକ ବାତାବରଣରେ ଉଷ୍ଣତା ଭରି ଦେଇଛି । ଅବଶ୍ୟ, ପରେ କଂଗ୍ରେସ ଦଳ ଆୟକର ବିଭାଗର ଏହି ପଦକ୍ଷେପ ବିରୋଧରେ ଆୟକର ବିଭାଗ ଅପିଲେଟ୍ ଟ୍ରିବ୍ୟୁନାଲରେ ଆବେଦନ କରିଥିଲା ଏବଂ ଟ୍ରିବ୍ୟୁନାଲ ଆସନ୍ତା ସପ୍ତାହରେ ମାମଲାର ଚୂଡାନ୍ତ ଶୁଣାଣୀ ପର୍ଯ୍ୟନ୍ତ ଫ୍ରିଜ୍ ହୋଇଥିବା ଟଙ୍କାକୁ ‘ଡି-ଫ୍ରିଜ୍’ କରିଛନ୍ତି । ତେବେ, ଦେଶର ମୁଖ୍ୟ ବିରୋଧୀ ରାଜନୈତିକ ଦଳ ଉପରେ ଏହା ସରକାରଙ୍କ ଅଗଣତାନ୍ତ୍ରିକ ଆକ୍ରମଣ ବୋଲି ବିଚାର କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ୨୦୧୮-୧୯ ଆଥିକ ବର୍ଷରେ କଂଗ୍ରେସ ଦଳ ଆୟକର ବାବଦରେ ୨୧୦ କୋଟି ଟଙ୍କା ବକେୟା ରଖି ଥିବା ଦର୍ଶାଇ ଆୟକର ବିଭାଗ ଗତକାଲି ଏଭଳି ଏକ ଅପ୍ରିତିକର ପଦକ୍ଷେପ ନେଇଥିଲା । କଂଗ୍ରେସର ଚାରିଟି ମୁଖ୍ୟ ବ୍ୟାଙ୍କ ଆକାଂଟରେ ଥିବା ୧୧୫ କୋଟି ଟଙ୍କାକୁ ‘ଫ୍ରିଜ୍’ କରି ଦିଆଯିବା ସହ ୧୧୫ କୋଟିରୁ ଯାହା ଅଧିକ ଜମାପୁଂଜୀ ଥିବ ତାହା ଦଳ ଖର୍ଚ୍ଚ କରି ପାରିବ ବୋଲି ବ୍ୟାଙ୍କକୁ କୁହାଯାଇଥିଲା । ଆୟକର ବିଭାଗର ବିନା ଅନୁମତିରେ ଦଳ ଜମା ଅର୍ଥରୁ ୧୧୫ କୋଟି ଟଙ୍କା ଛୁଇଁ ପାରିବ ନାହିଁ ବୋଲି ଆୟକର ବିଭାଗ ସଂପୃକ୍ତ ବ୍ୟାଙ୍କଗୁଡିକୁ ସୂଚିତ କରିଦେବା ପରେ କଂଗ୍ରେସର ଅଡୁଆ ଆରମ୍ଭ ହୋଇଥିଲା । ଦଳ ପକ୍ଷରୁ ଇସ୍ୟୁ ହୋଇଥିବା ଚେକ୍ ସବୁ ବ୍ୟାଙ୍କରେ ଗ୍ରହଣୀୟ ହେଉନଥିବା ଦେଖି ଦଳ ଜାଣିବାକୁ ପାଇଲା ଆୟକର ବିଭାଗ ବ୍ୟାଙ୍କରେ ଥିବା ଜମା ୧୧୫ କୋଟି ଟଙ୍କାକୁ ‘ଫ୍ରିଜ୍’ କରିଦେଇଛି । ଗତକାଲି ସନ୍ଧ୍ୟାରେ ଏକଥା ସାମ୍ନାକୁ ଆସିବା ପରେ ଆଜି ଦଳ ପକ୍ଷରୁ ଆୟକର ବିଭାଗ ଅପିଲେଟ୍ ଟ୍ରିବ୍ୟୁନାଲରେ ଆବେଦନ କରାଯାଇଥିଲା । ଟ୍ରିବ୍ୟୁନାଲ ଆବେଦନର ଶୁଣାଣୀ ପରେ କଂଗ୍ରେସର ୧୧୫ କୋଟି ଟଙ୍କା ବ୍ୟାଙ୍କ ଜମାକୁ ସାମୟିକ ଭାବେ ‘ଡି-ଫ୍ରିଜ୍’ କରିଛି । ଆସନ୍ତା ବୁଧବାର ଦିନ କଂଗ୍ରେସର ଏହି ଆୟକର ମାମଲାର ଚୂଡାନ୍ତ ଶୁଣାଣୀ ହେବାକୁ ଅଛି । ଆୟକର ବିଭାଗର ଅନୁମତି ନଥାଇ ଦଳ ଏହି ଚାରିଟି ଖାତାରେ ଥିବା ୧୧୫ କୋଟି ଟଙ୍କା ଖର୍ଚ୍ଚ କରି ପାରିବ ନାହିଁ ବୋଲି ବିଭାଗ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ସୂଚିତ କରିବା ‘ଫ୍ରିଜ୍’ ହିଁ କୁହାଯିବ ବୋଲି କଂଗ୍ରେସ କହିଛି । ଏଆଇସିସି କୋଷାଧ୍ୟକ୍ଷ ଅଜୟ ମାକନ ଆଜି ସକାଳେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, କଂଗ୍ରେସ ନିକଟରେ ବହୁ ଅଧିକ ଅର୍ଥ ଜମା ରହିଛି ବୋଲି ସରକାର ଭାବୁଛନ୍ତି । ତେବେ, ଆକାଉଂଟରେ ଜମା ଥିବା ୧୧୫ କୋଟି ଟଙ୍କାକୁ ଆୟକର ବିଭାଗ ‘ଫ୍ରିଜ୍’ କରିଦେବା ପରେ ଦଳର ଦୈନନ୍ଦିନ ଆବଶ୍ୟକତା ମଧ୍ୟ ମେଂଟାଇବା ସମ୍ଭବ ହେଉନି । ଦଳ ପକ୍ଷରୁ ଇସ୍ୟୁ ହୋଇଥିବା ଚେକ୍ ସବୁ ବ୍ୟାଙ୍କରୁ ଫେରି ଆସିବା ପରେ ଗତକାଲି ସନ୍ଧ୍ୟାରେ ଏହା ଜଣାପଡିଥିଲା । ଯୁବ କଂଗ୍ରେସର ଆକାଉଂଟ ସବୁ ଫ୍ରିଜ୍ ହୋଇଯାଇଛି, କଂଗ୍ରେସ ପାର୍ଟି ଆକାଉଂଟ ମଧ୍ୟ ଜବତ ହୋଇଯାଇଛି ବୋଲି ବ୍ୟାଙ୍କରୁ ସୂଚନା ମିଳିଥିଲା । ଆୟକର ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନ ଯୋଗୁଁ କଂଗ୍ରେସ ଦଳର ସମସ୍ତ ରାଜନୈତିକ କାର୍ଯ୍ୟକଳାପ ଠପ୍ ହୋଇଯାଇଛି । ଦଳ ବିଦ୍ୟୁତ ବିଲ୍ ପୈଠ କରି ପାରୁନି । କର୍ମଚାରୀଙ୍କୁ ଦରମା ଦେଇ ପାରୁନି । ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଭଳି ଦଳର ରାଜନୈତିକ କାର୍ଯ୍ୟକଳାପଗୁଡିକ ମଧ୍ୟ ଅର୍ଥାଭାବରୁ ଗୁରୁତର ପ୍ରଭାବିତ ହୋଇଛି ବୋଲି ସେ କହିଥିଲେ । କେନ୍ଦ୍ର ସରକାର ଦେଶର ପ୍ରମୁଖ ବିରୋଧୀ ଦଳକୁ ଟାର୍ଗେଟ୍ କରିବାକୁ ଯାଇ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଗଣତନ୍ତ୍ରକୁ ଅଚଳ କରି ଦେବା ସଦୃଶ ବୋଲି ମାକନ ଅଭିଯୋଗ କରିବା ସହ ଏହି ଟଙ୍କା ଦଳକୁ କର୍ପୋରେଟ୍ ବଣ୍ଡ୍ ରୁ ମିଳିନି, ଏଥରୁ କିଛି ଅଂଶ କ୍ରାଉଡ ଫଣ୍ଡିଂରୁ ଆସିଛି ବୋଲି କହିଛନ୍ତି । ନିର୍ବାଚନ ପୂର୍ବରୁ ସରକାର ଏଭଳି କାର୍ଯ୍ୟ କରି କଣ ହାସଲ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ପରେ କଂଗ୍ରେସ ନେତା ବିବେକ ଟଂକ୍ ଗଣମାଧ୍ୟମକୁ ଜଣାଇ ଥିଲେ ଯେ ଆୟକର ବିଭାଗ ଆପିଲେଟ୍ ଟ୍ରିବ୍ୟୁନାଲ ‘ଫ୍ରିଜ୍’ ହୋଇଥିବା ଟଙ୍କାକୁ ମାମଲାର ଚୂଡାନ୍ତ ଶୁଣାଣୀ ପର୍ଯ୍ୟନ୍ତ ଡି-ଫ୍ରିଜ୍ କରିଛି । ଗତକାଲି ସୁପ୍ରିମ କୋର୍ଟର ଏକ ପାଂଚ ଜଣିଆ ସାମ୍ବିଧାନିକ ବେଂଚ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୮ରୁ ଦେଶରେ କାର୍ଯ୍ୟକାରୀ ହୋଇଥିବା ‘ଇଲୋକ୍ଟୋରାଲ ବଣ୍ଡ୍’ ସ୍କିମକୁ ଅସାମ୍ବିଧାନିକ ଘୋଷଣା କରି ତାହାକୁ ବନ୍ଦ କରି ଦେଇଛନ୍ତି । ଏହାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ କେନ୍ଦ୍ର ସରକାର ଆୟକର ବିଭାଗ ଗତକାଲି ଦେଶର ପ୍ରମୁଖ୍ୟ ବିରୋଧୀ ଦଳ କଂଗ୍ରେସର ବ୍ୟାଙ୍କ ଆକାଉଂଟରେ ଥିବା ୧୧୫ କୋଟି ଟଙ୍କା ସାମୟିକ ଭାବେ ‘ଫ୍ରିଜ୍’ କରି ଦେବା ଚର୍ଚ୍ଚାର ମୋଡ ବଦଳାଇ ଦେଇଛି । କଂଗ୍ରେସ ଓ ବିଜେପିର ଯେଉଁ ଶିଙ୍ଗ ଲଢେଇ ଆରମ୍ଭ ହୋଇଛି ତାହା ଆହୁରି ଅନେକ ରଂଗ ଦେଖାଇବ ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS