ବିଜେପି ମହୁ ନା କେନ୍ଦ୍ରୀୟ ଏଜେନ୍ସୀ ଭୟ ?


ପ୍ରସାଦ ରାଓ
ଫେବୃୟାରୀ ୧୭
ମିଳିନ୍ଦ ଦେଓରା, ଅଶୋକ ଚଭନଙ୍କ ପରେ କଂଗ୍ରେସ ନେତା କମଳନାଥ ? ଏକଦା ଗାନ୍ଧୀ-ନେହେରୁ ପରିବାରର ଅତ୍ୟନ୍ତ ନିକଟତମ ଭାବେ ପରିଚିତ ନେତାଙ୍କ ମଧ୍ୟରୁ ଜଣକ ପରେ ଜଣେ କଂଗ୍ରେସ ଛାଡି ବିଜେପି ମୁହାଁ ହେଉଥିବା ଘଟଣା ଭାରତୀୟ ରାଜନୀତିର ଗତିକୁ ନେଇ ପ୍ରଶ୍ନ କରିବାର ସୁଯୋଗ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଦେଶର ଗଣତନ୍ତ୍ରକୁ ବିପନ୍ନ କରିଛନ୍ତି ବୋଲି ଅଭିଯୋଗ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ କରିବା ଦିନ ତାଙ୍କର ଜଣେ ଘନିଷ୍ଟ ସହଯୋଗୀ ମିଳିନ୍ଦ ଦେଓରା କଂଗ୍ରେସରୁ ଇସ୍ତଫା ଦେଇ ବିଜେପି ହାତ ଧରିଥିଲେ । ବିଜେପି ଏହାକୁ କଂଗ୍ରେସ ବିରୋଧୀ ପ୍ରଚାର ପାଇଁ ବ୍ୟବହାର କରିଥିଲା । ରାହୁଲ ଭାରତ ଯୋଡିବା ପାଇଁ ପଦଯାତ୍ରା କରିବା ବଦଳରେ ଆଗ ନିଜ ଘର ସଜାଡନ୍ତୁ ବୋଲି ବିଜେପି ନେତୃତ୍ୱ ବାର୍ତ୍ତା ଦେଇଥିଲେ । ମିଳିନ୍ଦ ଦେଓରାଙ୍କ ପରେ କଂଗ୍ରେସ ଅନ୍ୟତମ ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେବା ସହ କଂଗ୍ରେସ ନେତୃତ୍ୱ ବିରୋଧରେ ବିଷୋଦ୍ଗାର କରିଛନ୍ତି, ଯାହାକୁ କି ବିଜେପିର ପ୍ରଚାର-ମେସିନ୍ ଦଳ ସପକ୍ଷରେ ଭଲ ଭାବେ ବ୍ୟବହାର କରିଛି । କଂଗ୍ରେସ ଦଳ ଧୀରେ ଧୀରେ ନେତା-ଶୂନ୍ୟ ହେବାକୁ ଯାଉଛି, ଶେଷକୁ କେବଳ କଂଗ୍ରେସରେ ଗାନ୍ଧୀ ପରିବାରର ଜଣେ (ରାହୁଲ ଗାନ୍ଧୀ) ହିଁ ରହି ଯିବେ ବୋଲି ଚଭନଙ୍କ ବିଜେପି ଯୋଗଦାନ ପରେ ବିଜେପି ପ୍ରଚାର କରୁଛି । ଫେବୃୟାରୀ ୨୭ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଦେଓରା ଓ ଚଭନ ବିଜେପିରୁ ପ୍ରାର୍ଥୀ ଅଛନ୍ତି । ଦେଓରା ଓ ଚଭନଙ୍କ ଦଳତ୍ୟାଗକୁ ନେଇ କଂଗ୍ରେସ ନେତୃତ୍ୱ କଟୁ ସମାଲୋଚନାର ଶରବ୍ୟ ଥିବା ସମୟରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କଂଗ୍ରେସ ସଭାପତି କମଳନାଥ କଂଗ୍ରେସ ଛାଡୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କମଳନାଥ କଂଗ୍ରେସ ଛାଡି ବିଜେପିରେ ଯୋଗଦେଉଥିବା ସମ୍ଭାବନାକୁ ତାଙ୍କ ସାଂସଦ ପୁତ୍ର ନକୁଳନାଥ ଆଜି ଅଧିକ ବଳ ଦେଇଛନ୍ତି । ସେ (ନକୁଳନାଥ) ନିଜ ବାୟୋଡାଟା ଓ ସୋସିଆଲ ମିଡ଼ିଆ ଆକାଉଂଟରୁ ‘କଂଗ୍ରେସ’ର ନାମ ବାଦ୍ ଦେଇଛନ୍ତି । କମଳନାଥ ମଧ୍ୟ ଭୋପାଲରୁ ଆଜି ଦିଲ୍ଲୀରେ ପହଂଚିବା ପରେ ବାପ-ପୁଅ ଚର୍ଚ୍ଚାରେ ରହିଛନ୍ତି । ଦୁହେଁ ବିଜେପିରେ ଯୋଗ ଦେଉଥିବା ଚର୍ଚ୍ଚାରେ ରହିଛି । ଜବଲପୁର ମେୟର ଜଗତ ବାହାଦୂର ସିଂହ ‘ଅନ୍ନୁ’ଙ୍କ ସମେତ କମଳନାଥଙ୍କ ବହୁ ଘନିଷ୍ଟ ସହଯୋଗୀ ନିକଟରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପରେ କଂଗ୍ରେସ ନେତା କମଳନାଥଙ୍କ ବିଜେପିର ଯୋଗଦାନ ସମ୍ଭାବନାକୁ ସମ୍ଭାବନାକୁ ନେଇ ଭୋପାଳରେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ପ୍ରଦେଶ ବିଜେପି ମୁଖ୍ୟ ଭି.ଡି.ଶର୍ମାଙ୍କୁ ପ୍ରଶ୍ନ କରିଥିଲେ । ଶର୍ମା ମଧ୍ୟ ପରୋକ୍ଷରେ ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପାଇଁ ବିଜେପିର ଦ୍ୱାର ଉନ୍ମୁକ୍ତ ରହିଛି ବୋଲି ବୟାନ ରଖି ସମ୍ଭାବନାକୁ ଅଧିକ ହାୱା ଦେଇଥିଲେ । ଶର୍ମାଙ୍କ ବୟାନର ଦିନକ ପରେ ଆଜି କମଳନାଥଙ୍କ ପୁଅ ନକୁଳନାଥ ନିଜ ବାୟୋଡାଟା ଓ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲରୁ ‘କଂଗ୍ରେସ’କୁ ବାଦ୍ ଦେଇଥିବା ବେଳେ ନିଜେ କମଳନାଥ ଛିନ୍ଦୱାରାରୁ ଭୋପାଳରେ ପହଂଚି ଅପରାହ୍ନରେ ସେଠାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିବା କମଳନାଥଙ୍କୁ ନେଇ ଆଲୋଚନାକୁ ଅଧିକ ସରଗରମ କରିଛି । ଏଠାରେ ସୂଚନାଯୋଗ୍ୟ, ମଧ୍ୟ ପ୍ରଦେଶ ବିଜେପି ମୁଖ୍ୟ ବି.ଡି.ଶର୍ମାଙ୍କୁ ଗତକାଲି ଭୋପାଳରେ ଗଣମାଧ୍ୟମ ପ୍ରତିନିଧିମାନେ କମଳନାଥଙ୍କୁ ନେଇ ପ୍ରଶ୍ନ କରିବାରୁ ସେ କହିଥିଲେ – ଯଦି କେହି ବିଜେପିର ନୀତି ଓ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରୁଛନ୍ତି ସେମାନଙ୍କ ପାଇଁ ବିଜେପିର ଦ୍ୱାର ଉନ୍ନୁକ୍ତ ରହିଛି । ଗତ ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନ ଓ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ କଂଗ୍ରେସ ନେତୃତ୍ୱ ଯୋଗ ନଦେଇ ଦଳର ବହୁ ନେତାଙ୍କ ହୃଦୟ-ଭଂଗ କରିଛନ୍ତି । ଯେଉଁମାନେ ନେତୃତ୍ୱର ଏଭଳି କାର୍ଯ୍ୟରେ ହୃଦୟରେ ପୀଡା ଅନୁଭବ କରୁଛନ୍ତି ଏବଂ କଂଗ୍ରେସ ଛାଡି ବିଜେପିକୁ ଆସିବାକୁ ଚାହୁଁଛନ୍ତି ସେମାନଙ୍କୁ ବିଜେପି ସ୍ୱାଗତ କରୁଛି । ରାଜ୍ୟ ବିଜେପି ମୁଖ୍ୟ ଶର୍ମାଙ୍କ ବୟାନ, ଦିନକ ପରେ ଛିନ୍ଦୱାରା ସାଂସଦ ଥିବା କମଳନାଥଙ୍କ ପୁଅ ନକୁଳନାଥ ନିଜ ସୋସିଆଲ ମିଡିଆ ଆକାଉଂଟ ଓ ବାୟୋଡାଟାରୁ ‘କଂଗ୍ରେସ’ର ନାମ ହଟାଇ ଦେବା ଏବଂ କମଳନାଥ ଦିଲ୍ଲୀ ଯିବା କାକତାଳୀୟ କୁହାଯାଇ ନପାରେ । ଏହା ପଛରେ ଏକ ସୁଚିନ୍ତିତ ରଣନୀତି ରହିଥିବା ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ତେବେ, ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଭୋପାଳରେ ଗଣମାଧ୍ୟମରେ ବୟାନ ଦେଇ ଏହାକୁ ‘ଗୁଜବ’ ଓ ‘ଅପପ୍ରଚାର’ ବୋଲି କହିଛନ୍ତି । କମଳନାଥ ଛିନ୍ଦୱାରରେ ଥିବା ସମୟରେ ସେ ତାଙ୍କ ସହ କଥା ହୋଇଥିଲେ । ଗାନ୍ଧୀ-ନେହେରୁ ପରିବାରରୁ ଯେଉଁ ବ୍ୟକ୍ତି ନିଜ ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି ଓ ଭଲ ମନ୍ଦ ସମୟରେ ଦଳର ନେତୃତ୍ୱ ସହ ରହିଛନ୍ତି ସେ କଂଗ୍ରେସ ଛାଡି ବିଜେପିକୁ ଯାଉଥିବା ନେଇ ‘ଆପଣମାନେ କେମିତି ବିଶ୍ୱାସ କରୁଛନ୍ତି’ ବୋଲି ଦିଗବିଜୟ ଓଲଟା ପ୍ରଶ୍ନ କରିଛନ୍ତି । କମଳନାଥ ମଧ୍ୟ ମାସେ ତଳେ ଏଭଳି ସମ୍ଭାବନାକୁ ଅଗ୍ରାହ୍ୟ କରିଥିଲେ ଓ ଏମିତି ବହୁ ଗୁଜବ ପ୍ରଚାର ଚାଲିିଛି ବୋଲି କହିଥିଲେ । କଂଗ୍ରେସର ଛିନ୍ଦୱାରା ସାଂସଦ ଥିବା ନକୁଳନାଥ ମଧ୍ୟ ୨୦୨୪ରେ ପୁନର୍ବାର ସେହି ଆସନରୁ କଂଗ୍ରେସରୁ ପ୍ରାର୍ଥୀ ହେଉଥିବା ନିର୍ବାଚନ ମଣ୍ଡଳୀ ଗସ୍ତ ସମୟରେ ସୂଚନା ଦେଇଥିଲେ । ତେବେ, ଆଜି ଦିଲ୍ଲୀରେ ପହଂଚି ଥିବା କମଳନାଥ ବିଜେପିର ବରିଷ୍ଠ ନେତାଙ୍କୁ ଭେଟୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପୁଅ ନକୁଳନାଥ ମଧ୍ୟ ପ୍ରଦେଶର ଛିନ୍ଦୱାରାରୁ କଂଗ୍ରେସ ସାଂସଦ ଥିବା ବେଳେ ୨୦୨୪ରେ ସେଠାରୁ ବିଜେପିରୁ ପ୍ରାର୍ଥୀ ହେଉଥିବା ସମ୍ଭାବନାକୁ ନେଇ ମଧ୍ୟ ଆଲୋଚନା ହେଉଛି । କମଳନାଥ ଆଜି ପୁଅ ନକୁଳନାଥଙ୍କ ସହ ଦିଲ୍ଲୀରେ ପହଂଚିବା ପରେ ବିଜେପିରେ ଯୋଗ ଦେଉଛନ୍ତି କି (?) ବୋଲି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ । ତେବେ, ସେଭଳି କିଛି ନିଷ୍ପତ୍ତି ନେଲେ ସେ ପ୍ରଥମେ ଗଣମାଧ୍ୟମକୁ ହିଁ ଜଣାଇବେ ବୋଲି କମଳନାଥ ସେମାନଙ୍କୁ ଆଶ୍ୱସ୍ତ କରିଥିବା ଜଣାପଡିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଆଉ ଏକ ମହାନାଟକର ସାମ୍ନା କରିବାକୁ ଯାଉଥିବା କମଳନାଥ ‘ଏପିସୋଡ୍’ରୁ ସ୍ପଷ୍ଟ ହେଉଛି । ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜିତ ହେବା ପରେ କମଳନାଥଙ୍କୁ ଦଳ ରାଜ୍ୟ କଂଗ୍ରେସ ମୁଖ୍ୟ ପଦରୁ ହଟାଇ ଦେଇଥିଲା । ତାହା ପରଠାରୁ ସେ ଏକପ୍ରକାର ନିରବ ଥିଲେ । ସେ କଂଗ୍ରେସ ନେତୃତ୍ୱ ପ୍ରତି ଅସନ୍ତୁଷ୍ଟ ଥିବା ଆଲୋଚନା ହେଉଥିଲା ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS