ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କଲେ ଚାଷୀ, କାଲିଠୁ ‘ଦିଲ୍ଲୀ ଚଲୋ’…?


ପ୍ରସାଦ ରାଓ
ଫେବୃୟାରୀ ୨୦
ଏମଏସପିକୁ ଆଇନଗତ ସୁରକ୍ଷା ଦାବିରେ ଚାଷୀ କେନ୍ଦ୍ର ସରକାରଙ୍କ ସହ ଲମ୍ବା ଲଢାଇ ପାଇଁ ପ୍ରସ୍ତୁତ ଥିବା ଆଜି ଚାଷୀ ସଂଗଠନ ନେତାମାନଙ୍କ ମନୋଭାବରୁ ସ୍ପଷ୍ଟ ହୋଇଛି । ପାଂଚଟି ଫସଲ ଉପରେ ପାଂଚ ବର୍ଷ ପାଇଁ ଏମଏସପି ଗ୍ୟାରେଂଟି ଦେବାକୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ସେମାନେ ଅଗ୍ରାହ୍ୟ କରିବା ସହ ୨୩ଟି ଫସଲ ଉପରେ ଏମଏସପି ଗ୍ୟାରେଂଟି ଦାବିରେ ଅଟଳ ରହିଛନ୍ତି । ଆସନ୍ତା କାଲି ସେମାନେ ଶାନ୍ତିପୂର୍ଣ୍ଣ ଭାବେ ‘ଦିଲ୍ଲୀ ଚଲୋ’ ଅଭିଯାନ ଆରମ୍ଭ କରିବେ ବୋଲି ମଧ୍ୟ ଆଜି ସରକାରଙ୍କୁ ଜଣାଇ ଦେଇଛନ୍ତି । ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ତିନି ଜଣ ମନ୍ତ୍ରୀ ଚାଷୀ ସଂଗଠନ ନେତାଙ୍କ ସହ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ସମୟରେ ପାଂଚଟି ଫସଲକୁ ପାଂଚ ବର୍ଷ ପାଇଁ ଏମଏସପି ଗ୍ୟାରେଂଟି ଦେବା ପ୍ରସ୍ତାବ ରଖି ଥିଲେ । ଚାଷୀ ସଂଗଠନ ନେତାମାନେ ନିଜ ଭିତରେ ବିଚାର ବିମର୍ଷ କରିବା ପରେ ୨୧ ତାରିଖ ପଂଚମ ପର୍ଯ୍ୟାୟ ଆଲୋଚନା ହେବା କାର୍ଯ୍ୟକ୍ରମ ଥିଲା ।
ଚାଷୀ ସଂଗଠନମାନେ ୧୨ ଦଫା ଦାବିରେ ଦ୍ୱିତୀୟ ପର୍ଯ୍ୟାୟ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ସେମାନଙ୍କ ପ୍ରମୁଖ ଦାବି ରହିଛି ଏମଏସପିକୁ ଆଇନଗତ ସୁରକ୍ଷା ଦିଆଯାଉ । ଏହାଛଡା, ଋଣ ଛାଡ ଓ ଅନ୍ୟାନ୍ୟ ଦାବି ରହିଛି । ହଜାର ହଜାର ସଂଖ୍ୟାରେ ଚାଷୀ ଦିଲ୍ଲୀ-ହରିୟାଣା ସୀମାନ୍ତରେ ଏକାଠି ହୋଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ଥିବା ବେଳେ ସରକାରଙ୍କ ପକ୍ଷରୁ ସୀମା ସିଲ୍ କରାଯାଇ ଦିଲ୍ଲୀ ପ୍ରବେଶ ପଥରେ ବ୍ୟାପକ ସଂଖ୍ୟାରେ ସଶସ୍ତ୍ର ବଳଙ୍କୁ ମୁତୟନ କରାଯାଇଛି । କଂକ୍ରିଟ ଓ କଂଟା ବାଡ ଘେରାଇ ସରକାର ଦିଲ୍ଲୀ ସୀମାକୁ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରିଛନ୍ତି । ଚାଷୀ ସଂଗଠନଙ୍କ ଦାବି ଉପରେ ଗତ ୮ ତାରିଖ, ୧୨ ତାରିଖ, ୧୫ ତାରିଖ ଓ ୧୮ ତାରିଖରେ ଚାରି ପର୍ଯ୍ୟାୟ ଆଲୋଚନା ହୋଇ ମଧ୍ୟ କୌଣସି ସମାଧାନ ବାଟ ବାହାରି ନାହିଁ । ସରକାରଙ୍କ ନୂଆ ପ୍ରସ୍ତବାକୁ ଚାଷୀ ସଂଗଠନ ଅଗ୍ରାହ୍ୟ କରିଥିବାରୁ ଆନ୍ଦୋଳନ ଅଧିକ ଗମ୍ଭୀର ମୋଡ ନେବାକୁ ଯାଉଥିବା ସ୍ପଷ୍ଟ ହୋଇଯାଇଛି ।
ଫେବୃୟାରୀ ୨୧ ତାରିଖ ସୁଦ୍ଧା ସରକାର ଚାଷୀଙ୍କ ଦାବି ପୂରଣ ନ କଲେ ହରିୟାଣାର ଚାଷୀ ମଧ୍ୟ ଆନ୍ଦୋଳନରେ ଭାଗ ନେବେ ବୋଲି ଗତକାଲି ଚାଷୀ ନେତା ଗୁରନାମ ସିଂହ ଚରୁନି ଚେତାବନୀ ଦେଇଥିଲେ । ଚାଷୀ ନେତା ସରୱାନ ସିଂହ ପାନ୍ଧେର କହିଛନ୍ତି, କେନ୍ଦ୍ର ସରକାର ଯଦି ଆଲୋଚନା ମାଧ୍ୟମରେ ସେମାନଙ୍କ ଦାବି ପୂରଣ କରିପାରୁନାହାନ୍ତି ସେମାନଙ୍କୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପାଇଁ ଦିଲ୍ଲୀରେ ପ୍ରବେଶ ଅନୁମତି ଦିଆଯିବା ଆବଶ୍ୟକ । ଆସନ୍ତା କାଲିଠାରୁ ଚାଷୀ ସଂଗଠନମାନେ ସେମାନଙ୍କ ‘ଦିଲ୍ଲୀ ଚଲୋ’ ଅଭିଯାନ ପୁନଃ ଆରମ୍ଭ କରିବାକୁ ଅଡି ରହିଥିବାରୁ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଦେଶରେ ସାଧାରଣ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ଏହି ଚାଷୀ ଆନ୍ଦୋଳନ ସରକାରଙ୍କ ଅଡୁଆ ବଢାଇଛି । ସରକାର ନିର୍ବାଚନ ପୂର୍ବରୁ ସବୁ କଥାରେ ‘ଗ୍ୟାରେଂଟି’ ଦେଉଥିବା ବେଳେ ଚାଷୀଙ୍କ ଏମଏସପି କଥା ଆସିଲେ କାହିଁକି ଥଣ୍ଡା ପଡି ଯାଉଛନ୍ତି ବୋଲି ବିରୋଧୀଙ୍କ ଆଡୁ ପ୍ରଶ୍ନ ହେଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ଦଫା ସରକାରରେ ସଂସଦରେ ଗୃହୀତ ତିନିଟି ନୂଆ କୃଷି ଆଇନକୁ ପ୍ରଥମେ ଚାଷୀ ବିରୋଧ କରିଥିଲେ । ଏହି ତିନି ଆଇନ ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ସରକାର ସେତେବେଳେଦାବି କରିଥିଲେ । ତେବେ, ଚାଷୀ ସଂଗଠନମାନେ ଏହି ସରକାରଙ୍କ ଏହି ତିନି ନୂଆ ଆଇନ ପଛରେ କର୍ପୋରେଟ-ପ୍ରୀତି ରହିଥିବା ସନ୍ଦେହ କରି ତାହାର ବିରୋଧ କରିଥିଲେ । ଫଳରେ, ନୂଆ ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଆନ୍ଦୋଳନ ପ୍ରାୟ ୩୭୮ଦିନ ଚାଲିଥିଲା । ସରକାର ନାକେଦମ୍ ହେବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିସ୍ଥିତିର ଗମ୍ଭୀରତାକୁ ହୃଦବୋଧ କରି ସରକାର ତିନି ନୂଆ କୃଷି ଆଇନ ପ୍ରତ୍ୟାହାର କରୁଛନ୍ତି ବୋଲି ଦେଶ ଉଦ୍ଦେଶ୍ୟରେ ଭାଷଣ ଦେଇ ଘୋଷଣା କରିଥିଲେ ଏବଂ ଚାଷୀଙ୍କୁ ଆନ୍ଦୋଳନ ସ୍ଥଳ ଛାଡି ନିଜ ନିଜ ଘରକୁ ଫେରି ଯିବାକୁ ନିବଦେନ କରିଥିଲେ ।
ଦିଲ୍ଲୀ ସୀମାନ୍ତରେ ବର୍ଷେରୁ ଅଧିକ ଧରି ଧାରଣାରେ ବସିଥିବା ଚାଷୀ ‘ଦେଶ ବିରୋଧୀ’, ‘ଖାଲିସ୍ତାନ ସମର୍ଥକ’, ‘ଆତଙ୍କବାଦୀ’ ଭଳି ନକାରାତ୍ମକ ଟିପ୍ପଣୀ ଶୁଣି ଶୁଣି ଏତେଦୂର ବିତସ୍ପୃହ ଥିଲେ ଯେ ତିନି କୃଷି ଆଇନ ପ୍ରତ୍ୟାହାର କରାଗଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ । ସେତେବେଳକୁ ସାତ ଶହରୁ ଅଧିକ ଚାଷୀଙ୍କ ମୃତ୍ୟୁ ଘଟି ସାରିଥିଲା । ଆନ୍ଦୋଳନ ସ୍ଥଳ ଛାଡିବା ପୂର୍ବରୁ ଚାଷୀଙ୍କ ସର୍ତ୍ତ ଥିଲା – ସରକାର ବିଭିନ୍ନ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଆଇନଗତ ମାନ୍ୟତା ନଦେଲେ ସେମାନେ ପୁଣି ଥରେ ଆନ୍ଦୋଳନକୁ ଫେରିବେ । ଏହାଛଡା, କୃଷି ଋଣ ଛାଡ, ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପରିବାରଙ୍କୁ ଉଚିତ କ୍ଷତିପୂରଣ ମିଳିବା, ସେମାନଙ୍କ ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ସରକାରୀ ନିଯୁକ୍ତି ଦିଆଯିବା, କୃଷକ ଓ କୃଷି ଶ୍ରମିକଙ୍କ ପାଇଁ ପେନସନ୍ ବ୍ୟବସ୍ଥା, ଆନ୍ଦୋଳନ ସମୟରେ ଚାଷୀଙ୍କ ବିରୋଧରେ ହୋଇଥିବା ସମସ୍ତ ମାମଲାର ପ୍ରତ୍ୟାହାର ଚାଷୀଙ୍କ ଦାବି ତାଲିକା ଅନ୍ତର୍ଭୁକ୍ତ ରହି ଥିଲା ।
କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଚାଷୀ ସଂଗଠନଙ୍କ ଏସବୁ ସର୍ତ୍ତକୁ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏମଏସପିକୁ ଆଇନଗତ ମାନ୍ୟତା ଦେବା ଦାବି ଉପରେ ବିଚାର ପାଇଁ ସରକାର ବିଶେଷଜ୍ଞ କମିଟି ଗଠନ କରିବେ ଏବଂ ସେଥିରେ ଚାଷୀ ସଂଗଠନ ନେତା ମଧ୍ୟ ସ୍ଥାନ ପାଇବେ ବୋଲି କେନ୍ଦ୍ର ସରକାର ୨୦୨୦ରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତିନି ବର୍ଷ ବିତି ଥିଲେ ମଧ୍ୟ ତାହା ପୂରଣ ହୋଇନାହିଁ । ଏମଏସପିକୁ ଆଇନଗତ ଗାରେଂଟି ଦିଆଯିବା ଦାବିରେ ଚାଷୀ ବିଭିନ୍ନ ସମୟରେ ଆନ୍ଦୋଳନ କରି ମଧ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାରେ ବିଫଳ ହେବାରୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ଥରେ ବଡ ଧରଣର ଆନ୍ଦୋଳନକୁ ଫେରିଛନ୍ତି । ବିଭିନ୍ନ ନୂଆ, ପୁରୁଣା ଦାବିକୁ ନେଇ ସେମାନେ ଏକ ସପ୍ତାହ ହେଲା ଦିଲ୍ଲୀ-ହରିୟାଣା ସୀମାନ୍ତକୁ ଜାମ୍ କରିଥିବା ବେଳେ ସରକାର ଏଥର ମଧ୍ୟ କଂଟା, କଂକ୍ରିଟ ବାଡ଼ରେ ଦିଲ୍ଲୀ ସୀମାନ୍ତକୁ ଅବରୋଧ କରି ଚାଷୀଙ୍କୁ ଘଉଡାଇବାକୁ ବଳ ପ୍ରୟୋଗ କରିବାକୁ ପଛାଉ ନାହାନ୍ତି ।
୨୦୧୯-୨୦ ଚାଷୀ ଆନ୍ଦୋଳନ ସମୟରେ କେନ୍ଦ୍ରରେ ନରେନ୍ଦ୍ର ସିଂହ ତୋମର କୃଷି ମନ୍ତ୍ରୀ ଥିଲେ । ଆଜି ଦିନରେ ଅର୍ଜୁନ ମୁଣ୍ଡା କେନ୍ଦ୍ର କୃଷି ମନ୍ତ୍ରୀ ଅଛନ୍ତି । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ବୋଲି ସେ କହୁଥିଲେ ମଧ୍ୟ ଏମଏସପିକୁ ନେଇ ଆଇନଗତ ଗ୍ୟାରେଂଟି ଦିଆଯିବା ଦାବିକୁ ଯଥାସମ୍ଭବ ଟାଳିବା ଉଦ୍ୟମ କରୁଥିବାରୁ ଚାରିଟି ବୈଠକ ଫଳ-ଶୂନ୍ୟ ହୋଇଛି । ଚାଷୀ ସଂଗଠନମାନେ ଆଲୋଚନାର ବାଟ ଖୋଲା ରଖିଥିଲେ ମଧ୍ୟ ସେମାନଙ୍କ ପ୍ରମୁଖ ଦାବି ପୂରଣରେ ସରକାରଙ୍କ ଟାଳଟୁଳ ନୀତିକୁ ଦେଖି ‘ଦିଲ୍ଲୀ ଚଲୋ’ ଅଭିଯାନରେ ଅଡି ରହିଥିବା ଦେଖିବାକୁ ମିଳୁଛି । ସରକାର ଅନ୍ନଦାତାଙ୍କ ସମସ୍ୟାକୁ ନବୁଝି ଆନ୍ଦୋଳନକୁ ଭଣ୍ଡୁର କରିବାକୁ ବଳ ପ୍ରୟୋଗ କରୁଥିବା କଣ ‘ଅମୃତ କାଳ’ (?) ବୋଲି ବିରୋଧୀ ପ୍ରଶ୍ନ କରି ସରକାରଙ୍କୁ ଘେରିବା ଆରମ୍ଭ କରିଥିବାରୁ ଆଗାମୀ ସାଧାରଣ ନିର୍ବାଚନରେ ଏହା ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ହେବା ନିଶ୍ଚିତ ମନେ ହେଉଛି ।
ବିରୋଧୀ କେବଳ ଚାଷୀଙ୍କ ଦାବିକୁ ସମର୍ଥନ ଜଣାଇ ବୟାନବାଜୀ କରୁ ନାହାନ୍ତି, ନିକଟରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ‘ଭାରତ ରତ୍ନ’ ସମ୍ମାନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଦେଶର ସବୁଜ ବିପ୍ଲବର ପ୍ରଣେତା ଡକ୍ଟର ଏମ.ଏସ.ସ୍ୱାମୀନାଥନ ପ୍ରଥମେ ଚାଷୀଙ୍କୁ ସେମାନଙ୍କ ଉତ୍ପାଦନର ସର୍ବନିମ୍ନ ଲାଭଜନକ ମୂଲ୍ୟ ମିଳିବା ସପକ୍ଷରେ କେନ୍ଦ୍ର ସରକାରଙ୍କୁ ସୁପରାଶି କରି ଯେଉଁ ଫର୍ମୂଲାଉପସ୍ଥାପନ କରିଥିଲେ ତାହା ଏପର୍ଯ୍ୟନ୍ତ କୌଣସି କେନ୍ଦ୍ର ସରକାର ପୂର୍ଣ୍ଣତଃ କାର୍ଯ୍ୟକାରୀ କରି ନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪ରେ ପ୍ରଥମେ କ୍ଷମତାକୁ ଆସିବା ସମୟରେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବେ ବୋଲି ଘୋଷଣା କରିଥିଲେ । ତେବେ, ଗଲା ୧୦ ବର୍ଷରେ ତାହା ହୋଇପାରିନି । ସ୍ୱାମୀନାଥନଙ୍କୁ ୨୦୨୪ରେ ମରଣୋତ୍ତର ‘ଭାରତ ରତ୍ନ’ ଦିଆଯାଉଥିବା ସରକାର ଘୋଷଣା କରିଥିବା ବେଳେ ତାଙ୍କ ସୁପାରିଶ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସରକାରଙ୍କ ଦୋମୁହାଁ ନୀତିର ପରିଚୟ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।
ସେହିଭଳି, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ମରଣୋତ୍ତର ‘ଭାରତ ରତ୍ନ’ ଦେବାକୁ ସରକାର ଘୋଷଣା କରିବା ପଛରେ ୨୦୨୪ ସାଧାରଣ ନିର୍ବାଚନ ରାଜନୀତି ରହିଥିବା ବିରୋଧୀ ଅଭିଯୋଗ କରିଥିବା ବେଳେ ଚୌଧୁରୀଙ୍କ ନାତି ଆରଏଲଡି ନେତା ଜୟନ୍ତ ଚୌଧୁରୀ ତୁରନ୍ତ ବିରୋଧୀ ମେଂଟରୁ ଏନଡିଏକୁ ଡିଆଁ ମାରିବା ତାହାକୁ ସତ ପ୍ରମାଣିତ କରିଛି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ମରଣୋତ୍ତର ଭାରତ ରତ୍ନ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିବା ପରେ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ମେଂଟ ଛାଡି ଏନଡିଏକୁ ପ୍ରତ୍ୟାବର୍ତ୍ତନ କରିବା ମଧ୍ୟ ଆଉ ଏକ ଉଦାହରଣ ହୋଇଛି । ଏହି ଦୁଇଟି ଉଦାହରଣ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଓ ବରିଷ୍ଠ ବିଜେପି ନେତା ଏଲ.କେ.ଆଡଭାନୀଙ୍କୁ ‘ଭାରତ ରତ୍ନ’ ଦେବାକୁ ସରକାରଙ୍କ ଘୋଷଣା ପଛରେ କିଛି ନା କିଛି ରାଜନୀତି ଥିବା ସନ୍ଦେହକୁ ଦୃଢିଭୂତ କରୁଛି ।
ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତି ବର୍ଷ ଧାନ, ଗହମ, ତୈଳବୀଜ, ଡାଲି ଜାତୀୟ ଶସ୍ୟ ପ୍ରଭୃତି ଅନ୍ୟୁନ ୨୩ଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଘୋଷଣା ହୋଇଥାଏ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଜେନ୍ସୀମାନେ ସେହି ମୂଲ୍ୟ ଦେଇ ଚାଷୀଙ୍କଠାରୁ ସେମାନଙ୍କ ଉତ୍ପାଦନ ଖର୍ଦ୍ଦି କରିଥା’ନ୍ତି । ତେବେ, ସରକାର ଚାଷୀଙ୍କ ସମସ୍ତ ଉତ୍ପାଦନ କିଣିବା ସମ୍ଭବ ନଥିବାରୁ ଘରୋଇ ବ୍ୟବସାୟୀମାନେ ସେଥିରୁ ସିଂହଭାଗ ଖର୍ଦ୍ଦି କରିଥା’ନ୍ତି । ଏମଏସପିର ଆଇନଗତ ମାନ୍ୟତ ନଥିବାରୁ ଏବଂ ସରକାରଙ୍କ ଦ୍ୱାରା ଘୋଷିତ ମୂଲ୍ୟ ଚାଷୀଙ୍କୁ ମିଳୁଛି କି ନାହିଁ ତଦାରଖ କରିବାକୁ ସରକାରଙ୍କ କୌଣସି ବ୍ୟବସ୍ଥା ନଥିବାରୁ ମୁନାଫାଖୋର ବ୍ୟବସାୟୀମାନେ ଅତି କମ୍ ମୂଲ୍ୟ ଦେଇ ଚାଷୀଙ୍କ ଉତ୍ପାଦନ କିଣି ନେବା ସହ ଚଢା ମୂଲ୍ୟରେ ବକି ମୁନାଫା କମାନ୍ତି । ଚାଷୀ ନିଜର ଦୈନନ୍ଦିନ ଗୁଜରାଣ ମେଂଟାଇବା ପାଇଁ ମଧ୍ୟସ୍ଥିଙ୍କ ମାଧ୍ୟମରେ ଅତି କମ୍ ମୂଲ୍ୟରେ ତାହାର ଉତ୍ପାଦନ ବିକିଥାଏ । ଫଳରେ, ଚାଷୀ ଯେଉଁ ଗରିବକୁ ସେହି ଗରିବ ହୋଇ ରୁହେ ।
ଅଭାବୀ ବିକ୍ରି ଓ ଚାଷୀ ଆତ୍ମହତ୍ୟା ସମଗ୍ର ଦେଶର ସମସ୍ୟା । ରାଜ୍ୟ ସରକାରମାନେ ସମସ୍ୟାକୁ ଭଲରେ ଜାଣନ୍ତି । ରାଜ୍ୟସ୍ତରରେ ତାହାର ମୁକାବିଲା କରିବାକୁ ନିଜ ପକ୍ଷରୁ କିଛି ସ୍କିମ୍ ଘୋଷଣା କରିନ୍ତି ଏବଂ ଏମଏସପିକୁ ଲାଭଜନକ ସ୍ଥିତିକୁ ଆଣିବା ପାଇଁ କେନ୍ଦ୍ର ଉପରେ ଚାପ ସୃଷ୍ଟି କରନ୍ତି । ଚାଷୀଙ୍କ ଆୟ ଦ୍ୱିଗୁଣିତ କରାଯାଉ ବୋଲି ବାରମ୍ବାର ହେଉଥିବା ଦାବିକୁ କେନ୍ଦ୍ର ସରକାର ବିଭିନ୍ନ ଆଳ ଦେଖାଇ ଟାଳି ଦେଉଥିବାରୁ ଚାଷୀ ଏମଏସପିକୁ ଆଇନଗତ ସୁରକ୍ଷା ଦିଆଯିବା ଦାବି କରୁଛନ୍ତି । ଏହା ହେଲେ ସରକାର ଚାଷୀଙ୍କ ଉତ୍ପାଦନ କିଣିବା ପରେ ବଳକା ଉତ୍ପାଦନ ଯିଏ କିଣିବେ ସେମାନେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମୂଲ୍ୟ ଦେବାକୁ ବାଧ୍ୟ । ନହେଲେ ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ଦଣ୍ଡିତ ହେବା ପ୍ରାବଧାନ ରହିବ । ସରକାର ଚାଷୀଙ୍କ ଉତ୍ପାଦନ ସଂପୂର୍ଣ୍ଣ ଭାବେ କିଣିବା ସମ୍ଭବ ନୁହେଁ । ଘରୋଇ ବ୍ୟବସାୟୀଙ୍କ ଉପରେ ଅଂକୁଶ ଲଗାଇବାକୁ ମଧ୍ୟ ସରକାର ଚାହୁଁ ନାହାନ୍ତି । ଏଭଳି ସ୍ଥିତିରେ, ଚାଷୀ ଆନ୍ଦୋଳନ ୨୦୨୦ ଭଳି ଅଧାପନ୍ତୁରିଆ ସରିବ ନା ଏଥର କିଛି ନିର୍ଣ୍ଣାୟକ ମୋଡରେ ପହଂଚିବ ତାହା ଦେଖିବାକୁ ସମସ୍ତଙ୍କ ଅପେକ୍ଷା ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS