ୟୁପିରୁ ଆସିଲା ବିରୋଧୀ ମେଂଟର ପ୍ରଥମ ଖୁସି ଖବର !


ପ୍ରସାଦ ରାଓ
ନୂଆଦିଲ୍ଲୀ/ଫେବୃୟାରୀ ୨୨
୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାଜିତ କରିବା ଲକ୍ଷ୍ୟ ନେଇ ଗତ ବର୍ଷ ଜୁନରେ ଗଠିତ ବିରୋଧୀ ‘ଇଣ୍ଡିଆ’ ମେଂଟରୁ ଗତକାଲି ପ୍ରଥମ ଖୁସି ଖବର ଆସିଛି । ଦେଶର ସର୍ବାଧିକ ଲୋକସଭା ଆସନ ଥିବା ରାଜ୍ୟ ଉତ୍ତର ପ୍ରଦେଶ ମେଂଟ ଆସନ ବୁଝାମଣାରେ ସଫଳ ହୋଇଛି । ରାଜ୍ୟରେ ଗତ ୧୦ ବର୍ଷ ହେଲା ବିଜେପି ସରକାର ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଉଛନ୍ତି ବିଜେପିର ଜଣେ ଦିଗ୍ଗଜ ନେତା ଏବଂ ୟୁପିରେ ତାଙ୍କର ପ୍ରଭାବ କୌଣସି ଜାତୀୟ ନେତାଠାରୁ କମ୍ ନୁହେଁ । ୨୦୧୪ରେ ବିଜେପି ରାଜ୍ୟର ୮୦ରୁ ୭୧ ଲୋକସଭା ଆସନରେ ବିଜୟୀ ହୋଇଥିଲା । ୨୦୧୯ରେ ବିଜେପିକୁ ମିଳିଥିଲା ୬୨ ଆସନ । କେନ୍ଦ୍ରରେ ସରକାର ଗଠନ ପାଇଁ ୟୁପି ହେଉଛି ପ୍ରବେଶ ଦ୍ୱାର ଏବଂ ରାଜ୍ୟରୁ ଯେଉଁ ଦଳ ବା ମେଂଟ ସର୍ବାଧିକ ସଂଖ୍ୟକ ଲୋକସଭା ଆସନ ଜିତି ପାରିବ ସେହି ଦଳ କେନ୍ଦ୍ରରେ ସରକାର ପ୍ରତିଷ୍ଠା କରିବା ନିଶ୍ଚିତ – ଏହା ଉଭୟ ଶାସକ ଓ ବିରୋଧୀ ଦଳମାନେ ଭଲ ଭାବେ ଜାଣନ୍ତି । ୨୦୨୪ରେ ମଧ୍ୟ ବିଜେପି ୟୁପିରୁ ସର୍ବାଧିକ ସଂଖ୍ୟକ ଲୋକସଭା ଆସନରେ ବିଜୟୀ ହେବ ବୋଲି ଦମ୍ଭର ସହ କହୁଥିବା ବେଳେ ବିରୋଧୀ ମେଂଟ ଝଟକା ପରେ ଝଟକା ଖାଉ ଥିବାରୁ ମେଂଟର ସ୍ଥିତି ଓ ସ୍ଥୟିତ୍ୱକୁ ନେଇ ବିରାଟ ପ୍ରଶ୍ନବାଚୀ ରହିଥିଲା । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା ସମାଜବାଦୀ ପାର୍ଟି ବିରୋଧୀ ‘ଇଣ୍ଡିଆ’ ମେଂଟର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇଥିଲେ ମଧ୍ୟ ଆଗାମୀ ଲୋକସଭା ନିର୍ବାଚନକୁ ନେଇ କଂଗ୍ରେସ ସହ ଆସନ ବୁଝାମଣା କଥାବାର୍ତ୍ତା ଆଗଉ ନଥିବାରୁ ମେଂଟକୁ ନେଇ ଦେଶବ୍ୟାପୀ ଏକ ନକାରାତ୍ମକ ଭାବନା ସୃଷ୍ଟି ହୋଇଥିଲା । ତେବେ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ କନ୍ୟା ତଥା ଏଆଇସିସି ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ହସ୍ତକ୍ଷେପରେ ଗତକାଲି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ଭାରତୀୟ ଜାତୀୟ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ସରିଥିବା ଖବର ବିରୋଧୀ ମେଂଟରେ ନୂତନ ରକ୍ତ ସଂଚାର କରିଥିବା ଆଲୋଚନା ହେଉଛି । ୟୁପିର ୮୦ ଲୋକସଭା ଆସନରୁ ସମାଜବାଦୀ ପାର୍ଟି ନିଜ ପାଖରେ ୬୩ଟି ଆସନ ରଖିବ ଏବଂ ମେଂଟ ସହଯୋଗୀ କଂଗ୍ରେସକୁ ୧୭ଟି ଆସନ ଛାଡିବ ବୋଲି ଦୁଇ ଦଳ ନିଷ୍ପତ୍ତି ପହଂଚିଛନ୍ତି । ସମାଜବାଦୀ ପାର୍ଟି ୟୁପିରେ କଂଗ୍ରେକୁ ଛାଡିଥିବା ୧୭ ଆସନ ମଧ୍ୟରେ ହାଇ-ପ୍ରୋଫାଇଲ୍ ବାରାଣସୀ, ରାୟବରେଲୀ ଓ ଆମେଥି ରହିଛି । ଏହାଛଡା କାନପୁର ନଗର, ଫତେପୁର ସିକ୍ରି, ବାସଗାଓଁ, ସାହରନପୁର ପ୍ରୟାଗରାଜ, ମହାରାଜଗଂଜ, ଆମରୋହୀ, ଝାନ୍ସୀ, ବୁଲନ୍ଦସର, ଗାଜିଆବାଦ, ମଥୁରା, ସୀତାପୁର, ବାରାବାଂକି ଓ ଦେଓରିଆ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଦେବାକୁ ସ୍ଥିର ହୋଇଥିବା ଜଣାପଡିଛି । ସମାଜବାଦୀ ପାର୍ଟି ଯେଉଁ ୬୩ଟି ଆସନ ନିଜ ହାତରେ ରଖିଛି ସେଥିରୁ ଗୋଟିଏ ଆସନ ସହଯୋଗୀ ଦଳକୁ ଦେଇ ୬୨ଟି ଆସନରେ ନିଜ ଦଳର ପ୍ରାର୍ଥୀଙ୍କୁ ଠିଆ କରାଇବ ବୋଲି ଅଭାସ ମିଳୁଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ୟୁପିରେ ଚାଲି ଥିବା ବେଳେ କଂଗ୍ରେସ ସହ ଆସନ ବୁଝାମଣା କାର୍ଯ୍ୟ ସଂପନ୍ନ ନହେବା ପର୍ଯ୍ୟନ୍ତ ନ୍ୟାୟ ଯାତ୍ରାରେ ଅଂଶ ଗ୍ରହଣ କରିବେ ନାହିଁ ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଅଡି ରହିବାରୁ ମେଂଟର ସ୍ଥାୟିତ୍ୱ ସଂକଟରେ ପଡିଥିଲା । କଂଗ୍ରେସ ୨୦ରୁ ଅଧିକ ଆସନ ଚାହୁଁଥିବା ସମୟରେ ଅଖିଳେଶ ୧୭ଟି ଆସନରେ ଅଡି ରହିଥିଲେ । ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ନେଇ ଅଚଳାବସ୍ଥା ରହିଥିବା ବେଳେ ଗତକାଲି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କନ୍ୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାହୁଲ ଓ ଅଖିଳେଶଙ୍କ ସହ ଭିନ୍ନ ଭିନ୍ନ ଭାବେ କଥା ହୋଇ ତାହା ଦୂର କରିଥିବା କଂଗ୍ରେସ ସୂତ୍ରରୁ ସୂଚନା ମିଳିଛି । କଂଗ୍ରେସର ଦାବି ଅବାସ୍ତବ ବୋଲି ସେମାନେ ରାହୁଲଙ୍କୁ ବୁଝାଇବା ପରେ ଗତକାଲି ସମାଜବାଦୀ ପାର୍ଟି ଦେଇଥିବା ପ୍ରସ୍ତାବକୁ କଂଗ୍ରେସ ଗ୍ରହଣ କରି ନେଇଥିବା ଏବଂ ୬୩-୧୭ରେ ଅଂକ ଛିଡି ଥିବା ଜଣାପଡିଛି । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ୟୁପିର ଏକମାତ୍ର ରାୟବରେଲୀ ଲୋକସଭା ଆସନରୁ ବିଜୟୀ ହୋଇଥିଲା । ତାହା ମଧ୍ୟ ସୋନିଆ ଗାନ୍ଧୀ ତାଙ୍କ ଗଡ଼ ରକ୍ଷା କରିବାରୁ । ରାହୁଲ ଗାନ୍ଧୀ ଆମେଥୀ ସାଂସଦ ଥାଇ ନିର୍ବାଚନ ଲଢି ଥିଲେ ମଧ୍ୟ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ନିକଟରୁ ପରାଜିତ ହୋଇଥିଲେ । ୟୁପିରେ କଂଗ୍ରେସର ଅନ୍ୟତମ ଗଡ଼ ଭାବେ ପରିଚିତ ଆମେଥୀ ବିଜେପି ହାତରେ ରହିଛି । ରାହୁଲ ଗାନ୍ଧୀ ସମାନ୍ତରାଳ ଭାବେ କେରଳର ୱାଇନାଡ ଆସନରୁ ନିର୍ବାଚନ ଲଢି ଜିତି ଥିବାରୁ ଲୋକସଭାରେ ସାଂସଦ ରହିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ ଏଥର ରାୟବରେଲୀ ଆସନରୁ କନ୍ୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରାର୍ଥୀ ହେଉଥିବା ଆଲୋଚନା ଜୋର ଧରିଛି । ସୋନିଆ ରାଜ୍ୟସଭାକୁ ଯିବା ପରେ ରାୟବରେଲୀ ଜନତାଙ୍କ ଉଦ୍ଦେଶ୍ୟରେ ଯେଉଁ ଭାବନାତ୍ମକ ଚିଠି ଲେଖି ଗାନ୍ଧୀ ପରିବାର ପ୍ରତି ସେମାନଙ୍କ ଶ୍ରଦ୍ଧା ଓ ସମର୍ଥନ ଅତୁଟ ରହୁ ବୋଲି ଯେଉଁ ଆବେଦନ କରିଛନ୍ତି ସେଥିରୁ ଗାନ୍ଧୀ ପରିବାରୁ ଜଣେ ୨୦୨୪ ନିର୍ବାଚନରେ ରାୟବରେଲୀରୁ ପ୍ରାର୍ଥୀ ହେବା ଅନୁମାନ ଅଧିକ ଦୃଢ ହୋଇଛି । ରାହୁଲ ଆମେଥୀରୁ ତିନି ଥର ସାଂସଦ ରହି ଥିବାରୁ (୨୦୧୯ ନିର୍ବାଚନ ପୂର୍ବରୁ) ୨୦୨୪ରେ ସେ ସେହି ଆସନରେ ପୁଣି ଥରେ ସ୍ମୃତିଙ୍କ ସହ ମୁହାଁମୁହିଁ ହୋଇପାରନ୍ତି ବୋଲି ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଗତକାଲି ଆସନ ବୁଝାମଣା ସଂପନ୍ନ ହୋଇଯିବା ଇଣ୍ଡିଆ ମେଂଟ ପ୍ରତି ଦେଶବାସୀଙ୍କ ନିକଟରେ ଏକ ସକାରାତ୍ମକ ବାର୍ତ୍ତା ପହଂଚାଇଛି ବୋଲି ସମାଜବାଦୀ ପାର୍ଟି ସାଧାରଣ ସଂପାଦକ ରାଜେନ୍ଦ୍ର ଚୌଧୁରୀ ଓ ୟୁପି କଂଗ୍ରେସ ସାଧାରଣ ସଂପାଦକ ଅବିନାଶ ପାଣ୍ଡେ ଲକ୍ଷ୍ନୌରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଦେଶରେ ବିରୋଧୀ ମେଂଟ ଗଠନରେ ପ୍ରମୁଖ ଭୂମିକା ନେଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (ଜେଡିୟୁ) ନିକଟରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ବିରୋଧରେ ଅଭିଯୋଗ କରି ‘ଇଣ୍ଡିଆ’ ମେଂଟରୁ ପୁନର୍ବାର ବିଜେପି ନେତୃତ୍ୱାଧୀନ ଏନଡିଏ ମେଂଟକୁ ଡିଆଁ ମାରିବା ପରେ ବିରୋଧୀ ମେଂଟ ଏକପ୍ରକାର ଲୋକହସା ହୋଇଥିଲା । ତାହା ପରେ ବିଜେପି ବିରୋଧୀ ମେଂଟର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି)କୁ ନିଜ ପକ୍ଷକୁ ନେବାକୁ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କ ଜେଜେବାପା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ମରଣୋତ୍ତର ‘ଭାରତ ରତ୍ନ’ ଦେବା କାର୍ଡ ଖେଳି ଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଘୋଷଣା ପରେ ଜୟନ୍ତ ଚୌଧୁରୀ ୟୁପିରେ ସମାଜବାଦୀ ପାର୍ଟି ଓ ଇଣ୍ଡିଆ ମେଂଟ ସହ ସଂପର୍କ ଛିନ୍ନ କରି ଏନଡିଏ ମୁହାଁ ହୋଇଛନ୍ତି । ଏହି ଦୁଇଟି ଘଟଣାର ପ୍ରଭାବ ‘ଇଣ୍ଡିଆ’ ମେଂଟ ପାଇଁ ଏତେଦୂର ନକାରାତ୍ମକ ଥିଲା ଯେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଯଦି ଆସନ ବୁଝାମଣା ସଂଭବ ହୋଇନଥାନ୍ତା ତେବେ ତାହା ନିର୍ବାଚନ ପୂର୍ବରୁ ବିରୋଧୀ ମେଂଟର ପରାଜୟ ବୋଲି କୁହାଯାଇଥା’ନ୍ତା । ଅପରପକ୍ଷରେ, ୨୦୨୪ ଲୋକସଭା ନିର୍ବାଚନ ପାଇଁ ୟୁପିର ୮୦ ଆସନରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଶେଷ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଦିଲ୍ଲୀ, ଗୋଆ, ହରିୟାଣା ଓ ଗୁଜରାଟରେ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ସହ ଆସନ ବୁଝାମଣା କାର୍ଯ୍ୟ ସଂପନ୍ନ କରିଥିବା ସୂଚନା ମିଳିଛି । ଦିଲ୍ଲୀର ସାତଟି (୦୭) ଲୋକସଭା ଆସନରୁ ଚାରୋଟି (୦୪)ରେ କେଜରୀୱାଲଙ୍କ ‘ଆମ୍ ଆଦମୀ ପାର୍ଟି’ (ଆପ୍) ଓ ତିନୋଟି (୦୩) ଆସନରେ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ପ୍ରାୟତଃ ଚୂଡାନ୍ତ ହୋଇଥିବା ଜଣାପଡିଛି । ଦିଲ୍ଲୀରେ ‘ଆପ୍’ ସରକାର ରହିଛି । ଗୋଆ, ହରିୟାଣା, ଗୁଜରାଟ ଓ ଚଣ୍ଡିଗଡରେ ବିଜେପିର ଶାସନ ରହିଛି । ଗୁଜରାଟରେ କଂଗ୍ରେସର ସ୍ଥିତି ଦୁର୍ବଳ ଥିବା ବେଳେ ‘ଆପ୍’ ଗତ ବିଧାନସଭା ନିର୍ବାଚନରେ ରାଜ୍ୟର ୫ଟି ବିଧାନସଭା ଆସନ ଜିତି ନିଜର ଉପସ୍ଥିତି ଜାହିର କରିଛି । ୨୦୨୨ ସୁରଟ ପୌର ନିର୍ବାଚନରେ ମଧ୍ୟ ‘ଆପ୍’ର ପ୍ରଦର୍ଶନ ଉତ୍ସାହଜନକ ଥିଲା । ତେବେ, ଦଳ ୨୦୧୯ରେ ଲୋକସଭା ନିର୍ବାଚନରେ ଗୁଜରାଟରେ ପ୍ରାର୍ଥୀ ଦେଇନଥିଲା । କଂଗ୍ରେସ ପ୍ରାର୍ଥୀ ଦେଇ ଗୋଟିଏ ବି ଆସନ ଜିତି ନଥିଲା । ଦିଲ୍ଲୀ, ଗୋଆ, ହରିୟାଣା ଓ ଗୁଜରାଟରେ ଆପ୍ ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତସ୍ତରରେ ଥିବା ବେଳେ ପଂଜାବର ୧୩ଟି ଲୋକସଭା ଆସନ ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) କାହାରି ସହ ବୁଝାମଣା କରିବ ନାହିଁ, ଏକାକୀ ସବୁ ଆସନରୁ ନିର୍ବାଚନ ଲଢିବ ବୋଲି କରିଥିବା ଘୋଷଣା ବିରୋଧୀ ମେଂଟ ପାଇଁ ଅଡୁଆ ହୋଇଛି । ପଂଜାବରେ ‘ଆପ୍’ ସରକାର ରହିଛି ଓ ଭଗୱନ୍ତ ମାନ୍ ମୁଖ୍ୟମନ୍ତ୍ରୀ ଅଛନ୍ତି । କଂଗ୍ରେସ ସହ ଆସନ ବୁଝାମଣା ସପକ୍ଷରେ ସେ ନାହାନ୍ତି । ବିରୋଧୀ ମେଂଟ ‘ଇଣ୍ଡିଆ’ ମେଂଟ ପାଇଁ ସବୁଠାରୁ ବଡ ସମସ୍ୟା ହୋଇଛି ପଶ୍ଚିମ ବଂଗ । ରାଜ୍ୟରେ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି)ର ସରକାର ରହିଛି । ମୁଖ୍ୟମନ୍ତ୍ରୀ ଅଛନ୍ତି ମମତା ବାନାର୍ଜୀ । ‘ଇଣ୍ଡିଆ’ ମେଂଟରେ ଟିଏମସି ଏକ ପ୍ରମୁଖ ଅଂଶୀଦାର ହୋଇଥିଲେ ମଧ୍ୟ ରାଜ୍ୟରେ କଂଗ୍ରେସ ଓ ବାମପନ୍ଥୀଙ୍କ ସହ କୌଣସି ଆସନ ବୁଝାମଣା କରିବ ନାହିଁ, ରାଜ୍ୟର ୪୨ଟି ଯାକ ଲୋକସଭା ଆସନରେ ଏକାକୀ ନିର୍ବାଚନ ଲଢିବ ବୋଲି ଟିଏମସି ମୁଖ୍ୟା ମମତା ବାନାର୍ଜୀଙ୍କ ଘୋଷଣା ପରେ ଆଲୋଚନାରେ ଏକପ୍ରକାର ଠପ୍ ହୋଇଯାଇଛି । ସଂଦେଶଖାଲିରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ରାଜ୍ୟ କଂଗ୍ରେସ ମୁଖ୍ୟ ତଥା ଲୋକସଭାର ବିରୋଧୀ ଦଳ ନେତା ଅଧୀର ରଂଜନ ଚୌଧୁରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଠୋର ସମାଲୋଚନା ଜାରି ରଖିବା ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟନ୍ତ ହୋଇପଡିଛି ଦର୍ଶାଇ ପଶ୍ଚିମ ବଂଗରେ ମମତା ସରକାରଙ୍କ ବରଖାସ୍ତ ଓ ରାଷ୍ଟ୍ରପତି ଶାସନ ଜାରି ପାଇଁ ସେ କେନ୍ଦ୍ର ନିକଟରେ ଦାବି କରିବା କଂଗ୍ରେସ-ଟିଏମସି ସଂପର୍କକୁ ଅଧିକ ଜଟିଳ କରିଛି । ଏଭଳି ପରିସ୍ଥିତିରେ ସୋନିଆ ଗାନ୍ଧୀଙ୍କ ନିରବତା ରାଜନୈତିକ ବିଶ୍ଲେଷକଙ୍କୁ ଆଶ୍ଚର୍ଯ୍ୟ କରିଛି । ୟୁପି ଭଳି ପଶ୍ଚିମ ବଂଗ ପାଇଁ ସୋନିଆ କିଛି ଗୋଟାଏ ଫର୍ମୂଲା ବାହାର ନକଲେ ୨୦୨୪ ନିର୍ବାଚନରେ ରାଜ୍ୟର ୪୨ ଲୋକସଭା ଆସନରେ ଟିଏମସି, କଂଗ୍ରେସ ଓ ବାମପନ୍ଥୀ ନିଜ ନିଜ ଭିତରେ ଲଢେଇରେ ମାତିବେ ଏବଂ ତାହାର ଫାଇଦ ବିଜେପିକୁ ଯିବ ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS