ୟୁପି, ଦିଲ୍ଲୀ ପରେ ମହାରାଷ୍ଟ୍ର ଓ ପଶ୍ଚିମ ବଂଗ…


ପ୍ରସାଦ ରାଓ
ନୂଆଦିଲ୍ଲୀ/ଫେବୃୟାରୀ ୨୩
ୟୁପି ଓ ଦିଲ୍ଲୀ ପରେ କଂଗ୍ରେସ ମହାରାଷ୍ଟ୍ର ଓ ପଶ୍ଚିମ ବଂଗରେ ମେଂଟ ସହଯୋଗୀଙ୍କ ସହ ଆସନ ବୁଝାମଣା କଥାବାର୍ତ୍ତା ଆରମ୍ଭ କରି ଦେଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଓ ଏନଏସପି (ଶରଦଚନ୍ଦ୍ର ପାୱାର) ମୁଖ୍ୟ ଶରଦ ପାୱାରଙ୍କ ସହ କଥା ହେବା ପରେ ମହାରାଷ୍ଟ୍ରରେ ଆସନ ବୁଝାମଣା ଉଦ୍ୟମ ଆଗେଇ ଥିବା ସୂଚନା ମିଳିଛି । ରାଜ୍ୟର ୪୮ ଲୋକସଭା ଆସନରୁ ୩୯ଟି ପାଇଁ ବିରୋଧୀ ମେଂଟ ସହଯୋଗୀଙ୍କ ମଧ୍ୟରେ ଆସନ ବୁଝାମଣା ସରି ଥିଲେ ମଧ୍ୟ ୦୮ (ଆଠଟି) ଆସନକୁ ନେଇ କଂଟା ଅଟକି ଥିବା ଜଣାପଡିଛି । ଏହି ୦୮ଟି ଆସନ ମଧ୍ୟରେ ରହିଛି ମୁମ୍ବାଇ ଦକ୍ଷିଣ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ଆସନ । ଉଭୟ ଶିବସେନା (ୟୁବିଟି) ଓ କଂଗ୍ରେସ ମୁମ୍ବାଇ ଦକ୍ଷିଣ-କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ଆସନରୁ ନିଜ ନିଜ ପ୍ରାର୍ଥୀ ଦେବାକୁ ଚାହୁଁ ଥିବାରୁ କଥାବାର୍ତ୍ତା ଲଟକି ରହିଛି । ସେହିପରି, ବିରୋଧୀ ମେଂଟର ସହଯୋଗୀ ଥିବା ବଂଚିତ ବହୁଜନ ଅଗାଡି (ଭିବିଏ) ଦଳର ମୁଖ୍ୟ ପ୍ରକାଶ ଆମ୍ବେଦକର ୦୫ (ପାଂଚ)ଟି ଆସନ ଦାବି କରୁଥିବାରୁ ଆସନ ବୁଝାମଣା ବିଳମ୍ବିତ ହେଉଥିବା ଜଣାପଡିଛି । ୨୦୧୯ ସାଧାରଣ ନିର୍ବାଚନରେ ଭିବିଏ ୪୭ ଲୋକସଭା ଆସନରୁ ପ୍ରାର୍ଥୀ ଦେଇ ଗୋଟିଏ ବି ଜିତି ନଥିଲା । ସେହିପରି, ୨୦୧୯ ବିଧାନସଭା ନିର୍ବାଚନରେ ଭିବିଏ ୨୩୬ ଆସନରେ ପ୍ରାର୍ଥୀ ଦେଇ ବିଧାନସଭାରେ ନିଜ ଖାତା ଖୋଲିବାରେ ସଫଳ ହୋଇ ନାହିଁ । ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ସମୟରେ ମହାରାଷ୍ଟ୍ରରେ ଅବିଭକ୍ତ ଶିବସେନା ଓ ବିଜେପି ମଧ୍ୟରେ ମେଂଟ ଥିଲା । ଶିବସେନା ୨୩ ଲୋକସଭା ଆସନରେ ନିର୍ବାଚନ ଲଢି ୧୮ଟି ଆସନରେ ବିଜୟୀ ହୋଇଥିଲା । ଶିବସେନା ବିଜୟୀ ହୋଇଥିବା ଆସନ ମଧ୍ୟରେ ରହିଛି ମୁମ୍ବାଇ ଦକ୍ଷିଣ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ଆସନ । କଂଗ୍ରେସ ରାଜ୍ୟର ୨୫ଟି ଆସନରେ ପ୍ରାର୍ଥୀ ଦେଇ ମାତ୍ର ଗୋଟିଏ ଆସନ ଚନ୍ଦ୍ରପୁରରୁ ବିଜୟୀ ହୋଇଥିବା ବେଳେ ସେତେବେଳ ବିଭାଜିତ ହୋଇନଥିବା ଶରଦ ପାୱାରଙ୍କ ଏନସିପି ୧୯ଟି ଆସନରୁ ପ୍ରାର୍ଥୀ ଦେଇ ୪ଟି ଆସନରେ ବିଜୟୀ ହୋଇଥିଲା । ଅପରପକ୍ଷରେ ବିଜେପି ମହାରାଷ୍ଟ୍ରର ୨୫ ଲୋକସଭା ଆସନରେ ପ୍ରାର୍ଥୀ ଦେଇ ୨୩ ଆସନରେ ବିଜୟୀ ହୋଇଥିଲା । ଆଜି ଦିନରେ ମହାରାଷ୍ଟ୍ରରେ ଶିବସେନା ଓ ଏନସିପି ବିଭାଜିତ ଅବସ୍ଥାରେ । ଶିବସେନାର ଏକନାଥ ସିନ୍ଧେ ଗୋଷ୍ଠୀ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରି ଅଲଗା ହୋଇଯିବା ପରେ ମହାରାଷ୍ଟ୍ରରେ ବିଜେପି ସହ ମିଶି ସରକାର ଚଳାଇଛନ୍ତି ଓ ସିନ୍ଧେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି । ଇତିମଧ୍ୟରେ ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ) ଓ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରୱେକର ଶିବସେନା ସିନ୍ଧେ ଗୋଷ୍ଠୀକୁ ‘ପ୍ରକୃତ’ ଶିବସେନା ମାନ୍ୟତା ଦେଇ ଦଳ ସହ ଦଳର ମୂଳ ନିର୍ବାଚନ ଚିହ୍ନ ମଧ୍ୟ ସିନ୍ଧେ ଗୋଷ୍ଠୀକୁ ହସ୍ତାନ୍ତର କରି ଦେଇଛନ୍ତି । ଏହା ବିରୋଧରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟରେ ମାମଲା କରିଛନ୍ତି । ସେହିଭଳି, ଏନସିପିର ପ୍ରତିଷ୍ଠାତା ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ତାଙ୍କ ପୁତୁରା ଅଜିତ ପାୱାର ଗତବର୍ଷ ବିଦ୍ରୋହ ଘୋଷଣା କରି ସଂଖ୍ୟାଗରିଷ୍ଠ ବିଧାୟକଙ୍କ ସହ ନିଜର ଭିନ୍ନ ଗୋଷ୍ଠୀ ଗଠନ କରିଥିଲେ ଏବଂ ମହାରାଷ୍ଟ୍ର ସରକାରରେ ଉପ ମୁଖ୍ୟମନ୍ତ୍ରୀ ଭାବେ ସାମିଲ ହୋଇଯାଇଥିଲେ । ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ସରକାରରେ ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ପ୍ରଥମ ଉପ ମୁଖ୍ୟମନ୍ତ୍ରୀ ଥିବା ବେଳେ ଅଜିତ ପାୱାର ଦି୍ୱତୀୟ ଉପ ମୁଖ୍ୟମନ୍ତ୍ରୀ ଅଛନ୍ତି । ଶିବସେନା ଭଳି ଏନସିପିରେ ବିଭାଜନ ଘଟାଇ ଥିବା ଅଜିତ ପାୱାରଙ୍କୁ ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ) ଓ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ନରୱେକର ‘ପ୍ରକୃତ’ ଏନସିପି ଭାବେ ସ୍ୱୀକୃତି ଦେଇ ଏନସିପିର ମୂଳ ନିର୍ବାଚନ ଚିହ୍ନ ‘ଟେବୁଲ ଘଂଟା’ ଅଜିତ ଗୋଷ୍ଠୀକୁ ସମର୍ପି ଦେଇଛନ୍ତି । ଉଦ୍ଧବଙ୍କ ଭଳି ଶରଦ ପାୱାର ମଧ୍ୟ ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ)ଙ୍କ ନିର୍ଦେଶ ଅୂଯାୟୀ ନିଜ ଗୋଷ୍ଠୀର ନାମ ବଦଳାଇବାକୁ ବାଧ୍ୟ ହୋଇଛନ୍ତି । ନିର୍ବାଚନ ଆୟୋଗରେ ଉଦ୍ଧବଙ୍କ ଶିବସେନା ‘ଶିବସେନା ବାଲାସାହେବ ଠାକରେ’ ନାମରେ ପଂଜୀକୃତ ହୋଇଥିବା ବେଳେ ଶରଦ ପାୱାରଙ୍କ ଏନସିପି ‘ଏନସିପି ଶରଦଚନ୍ଦ୍ର ପାୱାର’ ନାମରେ ପଂଜୀକୃତ ହୋଇଛି । ସେମାନଙ୍କ ନିର୍ବାଚିହ୍ନ ମଧ୍ୟ ବଦଳିଛି । ତେବେ, ରାଜ୍ୟରେ ଶିବସେନା (ୟୁବିଟି)- ଏନସିପି (ଶରଦଚନ୍ଦ୍ର ପାୱାର) ଓ କଂଗ୍ରେସର ମହାଗଠବନ୍ଧନ ଅତୁଟ ରହିଛି । ଶିବସେନା ସିନ୍ଧେ ଗୋଷ୍ଠୀ ଓ ଏନସିପି ଅଜିତ ପାୱାର ଗୋଷ୍ଠୀ ବିଜେପି ସହ ମେଂଟରେ ୨୦୨୪ ସାଧାରଣ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢିବାକୁ ଯାଉଥିବା ବେଳେ ଶିବସେନା (ୟୁବିଟି) ଓ ଏନସିପି (ଶରଦଚନ୍ଦ୍ର ପାୱାର) ଗୋଷ୍ଠୀ ବିରୋଧୀ ‘ଇଣ୍ଡିଆ’ ମେଂଟରୁ ନିର୍ବାଚନ ଲଢିବେ । କେବଳ ଶିବସେନା, ଏନସିପି ନୁହେଁ; ମହାରାଷ୍ଟ୍ରରେ କଂଗ୍ରେସ ମଧ୍ୟ ଗୋଟିଏ ପରେ ଗୋଟିଏ ଝଟକା ଖାଉଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତ ଜାନୁୟାରୀ ମାସରେ ମଣିପୁରରୁ ତାଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ କରିବା ଦିନ ତାଙ୍କ ଘନିଷ୍ଟ ସହଯୋଗୀ କଂଗ୍ରେସ ନେତା ଭାବେ ପରିଚିତ ମିଳିନ୍ଦ ଦେଓରା କଂଗ୍ରେସରୁ ଇସ୍ତଫା ଦେଇ ମହାରାଷ୍ଟ୍ରରେ ଶିବସେନା (ସିନ୍ଧେ) ଗୋଷ୍ଠୀରେ ସାମିଲ ହୋଇଯାଇଥିଲେ । ଦେଓରାଙ୍କ ପରେ ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଶୋକ ଚଭନ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ଏହି ପୃଷ୍ଠଭୂମିରେ ରାଜ୍ୟରେ କଂଗ୍ରେସର ମନୋବଳ କିଛି ମାତ୍ରାରେ ହ୍ରାସ ପାଇଛି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଧିକ ବିଳମ୍ବ ନକରି ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନକୁ ନେଇ ‘ଇଣ୍ଡିଆ’ ମେଂଟର ସହଯୋଗୀ ଦଳ ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ସହ ଏନସିପି ସହ ଆସନ ବୁଝାମଣାକୁ ଗତି ଦେଇଥିବା ଜଣାପଡିଛି । ରାହୁଲ କେବଳ ମହାରାଷ୍ଟ୍ର ନୁହେଁ, ପଶ୍ଚିମ ବଂଗରେ ମଧ୍ୟ ଗତ ମାସେ ହେଲା ଟିଏମସି ସହ ଅଚଳାବସ୍ଥାରେ ଥିବା ଆସନ ବୁଝାମଣା କଥାବାର୍ତ୍ତାକୁ ଆଗକୁ ନେବାକୁ ପ୍ରୟାସ ଆରମ୍ଭ କରିଥିବା ସୂଚନା ମିଳିଛି । ଟିଏମସି ମୁଖ୍ୟ ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ୪୨ଟି ଲୋକସଭା ଆସନରୁ କଂଗ୍ରେସକୁ ମାତ୍ର ଦୁଇଟି (୦୨) ଆସନ ଛାଡିବାକୁ ରାଜି ଥିବା ବେଳେ କଂଗ୍ରେସ ୧୦ରୁ ଅଧିକ ଆସନ ଦାବି କରୁଥିଲା । ମମତା ରାଜି ନହେବାରୁ କଂଗ୍ରେସର ପଶ୍ଚିମ ବଂଗ ମୁଖ୍ୟ ତଥା ଲୋକସଭାରେ ବିରୋଧୀ ଦଳ ନେତା ଥିବା ଅଧୀର ରଂଜନ ଚୌଧୁରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଗଣମାଧ୍ୟମରେ କଠୋର ମନ୍ତବ୍ୟ ଦେବାକୁ ପଛାଇ ନଥିଲେ । ମମତା ବିରକ୍ତି ପ୍ରକାଶ କରି ତାଙ୍କ ଦଳ ଟିଏମସି ରାଜ୍ୟରେ ଏକାକୀ ବିଜେପିକୁ ମାତ୍ ଦେବାକୁ ସକ୍ଷମ ଏବଂ ୨୦୨୪ ନିର୍ବାଚନରେ ଏକାକୀ ନିର୍ବାଚନ ଲଢିବ ବୋଲି ଘୋଷଣା କରି ‘ଇଣ୍ଡିଆ’ ମେଂଟର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । କଂଗ୍ରେସ ଏବେ ମମତାଙ୍କୁ ମନାଇବା ଉଦ୍ୟମ ଆରମ୍ଭ କରିଛି । ରାଜ୍ୟର ୪୨ ଲୋକସଭା ଆସନରୁ ଅନ୍ତତଃ ୫ଟି ଆସନ ଟିଏମସି କଂଗ୍ରେସକୁ ଛାଡୁ ବୋଲି କଂଗ୍ରେସ ଦାବି ରଖିଥିବା ବେଳେ କଂଗ୍ରେସ ୨୦୧୯ ସାଧାରଣ ନିର୍ବାଚନରେ ଯେଉଁ ଦୁଇଟି ଲୋକସଭା ଆସନରେ ବିଜୟୀ ହୋଇଥିଲା ସେହି ଦୁଇଟି ଆସନ ହିଁ ଛାଡି ହେବ, କଂଗ୍ରେସ ପାଇଁ ତୃତୀୟ ଆସନ ବାଇନାକୁଲାରରେ ଦେଖିଲେ ମଧ୍ୟ ମିଳୁ ନାହିଁ ବୋଲି ଜଣେ ଟିଏମସି ମୁଖପାତ୍ର ବ୍ୟଂଗ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପଶ୍ଚିମ ବଂଗର ବେରେହମପୁର ଓ ମାଲଦା (ଦକ୍ଷିଣ) ଆସନରୁ ବିଜୟୀ ହୋଇଥିଲା । ୨୦୨୧ରେ ଅନୁଷ୍ଠିତ ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ କଂଗ୍ରେସ ଗୋଟିଏ ବି ଆସନ ଜିତି ନାହିଁ । ତେଣୁ, ରାଜ୍ୟରେ ଜଣେ ବି ବିଧାୟକ ନଥିବା କଂଗ୍ରେସ ଦଳକୁ ଟିଏମସି ଦୁଇଟି ଲୋକସଭା ଆସନ ଛାଡିବାକୁ ପ୍ରସ୍ତୁତ । ଅଧିକ ଆସନ ମାଗିବାରେ ଯଥାର୍ଥତା ରହିଲା କେଉଁଠି ବୋଲି ଟିଏମସି ମୁଖ୍ୟ ମମତା ବାନାର୍ଜୀ ଗତ ମାସରେ ପ୍ରଶ୍ନ କରିଥିଲେ । ଏବେ କଂଗ୍ରେସ ବେରେହମପୁର, ମାଲଦା (ଦକ୍ଷିଣ) ଆସନ ସହ ଦାର୍ଜିଲିଂ, ମାଲଦା (ଉତ୍ତର) ଓ ରାଇଗଂଜ ଆସନରୁ ପ୍ରାର୍ଥୀ ଦେବାକୁ ଚାହୁଁଥିବା ଟିଏମସିକୁ ଜଣାଇଛି । ଶେଷ ତିନିଟି ଲୋକସଭା ଆସନରେ ବିଜେପିର ସାଂସଦ ରହିଛନ୍ତି । ଏହାଛଡା, ପଶ୍ଚିମ ବଂଗର ପୁରୁଳିଆ ଆସନ ଉପରେ ମଧ୍ୟ କଂଗ୍ରେସର ଆଖି ରହିଛି, ଯେଉଁ ଆସନ କି ବିଜେପି ହାତରେ ରହିଛି । ଟିଏମସି ସହ ଅଚଳ ଥିବା ଆସନ ବୁଝାମଣା ଆଲୋଚନା ପୁନର୍ବାର ସକାରାତ୍ମକ ଭାବେ ଆରମ୍ଭ ହୋଇଛି । ଯାହା ନିଷ୍ପତ୍ତି ହେବ ଜଣାଇ ଦିଆଯିବ ବୋଲି ଆଜି ନୂଆଦିଲ୍ଲୀରେ କଂଗ୍ରେସ ପକ୍ଷରୁ କୁହାଯାଇଛି । ଏଠାରେ ସୂଚନାଯୋଗ୍ୟ, ୟୁପିର ୮୦ ଆସନ ପାଇଁ ‘ଇଣ୍ଡିଆ’ ମେଂଟର ଦୁଇ ପ୍ରମୁଖ ଅଂଶୀଦାର ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ବୁଧବାର ଆସନ ବୁଝାମଣା ସରିଛି । ରାଜ୍ୟର ୧୭ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ହେବ ଏବଂ ୬୩ଟି ଆସନରୁ ସମାଜବାଦୀ ପାର୍ଟି ଓ ତାହାର ସହଯୋଗୀ ଦଳ ପ୍ରାର୍ଥୀ ଦେବେ । ୟୁପିରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଆସନ ଭାଗବଂଟା ସରିବା ପରେ ଗତକାଲି ଦିଲ୍ଲୀର ସାତଟି ଲୋକସଭା ଆସନ ପାଇଁ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ବୁଝାମଣା ସରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ୦୪ (ଚାରି)ଟି ଆସନ ‘ଆମ୍ ଆଦମୀ ପାର୍ଟି’ ପାଇଁ ରଖି ୦୩ (ତିନି)ଟି ଆସନ କଂଗ୍ରେସକୁ ଛାଡିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ବିରୋଧୀ ମେଂଟ ପାଇଁ ‘କର ବା ମର’ ସଦୃଶ ହେବାକୁ ଯାଉଛି । ସେମାନେ ଏକାଠି ହୋଇ ବିଜେପିକୁ ପରାଜିତ ନକଲେ ମୋଦୀ-୩ ସରକାରରେ ଅଧିକ ହଟ୍ଟହଟା ହେବେ । ତେଣୁ, ସେମାନେ ବିଳମ୍ବରେ ହେଲେ ମଧ୍ୟ ନିଜ ଭିତରେ ଥିବା ମତଭେଦକୁ କବର ଦେଇ ଆସନ ବୁଝାମଣାର ବିକଳ୍ପକୁ ବାଛି ନେଇଥିବା ୟୁପି, ଦିଲ୍ଲୀ, ମହାରାଷ୍ଟ୍ରରେ ହୋଇଥିବା ସଫଳ ବୁଝାମଣାରୁ ସ୍ପଷ୍ଟ ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS