ବିଏମସି କମିଶନର ବଦଳିଲେ, କୁଲାଙ୍ଗେଙ୍କ ସ୍ଥାନରେ ରାଜେଶ ପାଟିଲ


ପ୍ରସାଦ ରାଓ
ଭୁବନେଶ୍ୱର/ଫେବୃୟାରୀ ୨୪
ଆଜି ରାଜ୍ୟ ସରକାର ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ସ୍ଥାନରେ ୨୦୦୫ ବ୍ୟାଚ ଆଇଏଏସ ଅଧିକାରୀ ରାଜେଶ ପ୍ରଭାକର ପାଟିଲଙ୍କୁ ବିଏମସିର ନୂତନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି । ଏନେଇ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୁଲାଙ୍ଗେ ମାସେ ଛୁଟି ନେଇ ଥିବାରୁ ଛୁଟିରୁ ଫେରିବା ପରେ କୁଲାଙ୍ଗେଙ୍କ ନୂତନ ପୋଷ୍ଟିଂ ସଂପର୍କରେ ସୂଚିତ କରାଯିବ ବୋଲି ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି । ବିଏମସିର ନୂତନ କମିଶନର ଭାବେ ନିଯୁକ୍ତି ପାଇଥିବା ରାଜେଶ ପ୍ରଭାକର ପାଟିଲ ସଂପ୍ରତି ରାଜ୍ୟ ସରକାରଙ୍କ କୋ-ଅପରରେସନ୍ ଡିପାର୍ଟମେଂଟ୍ କମିଶନର-କମ୍-ସେକ୍ରେଟାରୀ ଭାବେ କାର୍ଯ୍ୟରତ ଅଛନ୍ତି । ଏହାଛଡା, ଗୃହ ଓ ନଗର ଉନ୍ନୟନ ବିଭାଗର ସ୍ପେଶାଲ ସେକ୍ରେଟାରୀ ଭାବେ ସେ ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି । ଏହି ଦୁଇଟି ଦାୟିତ୍ୱ ସହ ପାଟିଲ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର କମିଶନର ଭାବେ କାର୍ଯ୍ୟ କରିବେ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ ଗତକାଲି ବିଏମସି ମେୟର, ଡେପୁଟୀ ମେୟର ଓ କର୍ପୋରେଟରମାନଙ୍କ ବୈଠକ ଭତ୍ତା (ସିଟିଂ ଆଲାଉନ୍ସ) ବୃଦ୍ଧି ହୋଇଥିବା ଘୋଷଣା କରିବା ପରେ ତୁରନ୍ତ ତାହା ପ୍ରତ୍ୟାହାର ହୋଇଯିବା ସନ୍ଦେହର ବାତାବରଣ ସୃଷ୍ଟି କରିଥିଲା । ଉପର ମହଲାର ଚାପରେ ମେୟର, ଡେପୁଟୀ ମେୟର ଓ କର୍ପୋରେଟରମାନଙ୍କ ବର୍ଦ୍ଧିତ ସିଟିଂ ଆଲାଉନ୍ସ ତୁରନ୍ତ ପ୍ରତ୍ୟାହାର ହୋଇଥିବା ଆଲୋଚନା ହେଉଥିଲେ ମଧ୍ୟ କାହା ଚାପରେ ତାହା ହୋଇଛି କେହି କହୁନଥିଲେ । ଆଜି କୁଲାଙ୍ଗେଙ୍କୁ ବିଏମସି କମିଶନର ପଦରୁ ବିଦାୟ ଦିଆଯାଇ ତାଙ୍କ ସ୍ଥାନରେ ରାଜେଶ ପ୍ରଭାକର ପାଟିଲଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ରାଜ୍ୟ ସରକାରଙ୍କ ଜିଏ (ସାଧାରଣ ପ୍ରଶାସନ) ବିଭାଗର ବିଜ୍ଞପ୍ତି ପଛରେ ଗତକାଲିର ଏହି ଘୋଷଣାର ଭୂମିକା ଥାଇ ପାରେ ବୋଲି ଅନୁମାନ କରାଯାଉଛି । ବିଏମସି କମିଶନର କୁଲାଙ୍ଗେ ଗତକାଲି ମେୟରଙ୍କ ସିଟିଂ ଆଲାଉନ୍ସ ବୈଠକ ପିଛା ଆଠ ହଜାରରୁ ୫୦ ହଜାର ଟଙ୍କାକୁ, ଡେପୁଟୀ ମେୟରଙ୍କ ସିଟିଂ ଆଲାଉନ୍ସ ବୈଠକ ପିଛା ଛଅ ହଜାରରୁ ୨୫ ହଜାର ଟଙ୍କାକୁ ଏବଂ କର୍ପୋରେଟରମାନଙ୍କ ସିଟିଂ ଆଲାଉନ୍ସ ବୈଠକ ପିଛା ୭୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି ପାଇଥିବା ନେଇ ଗଣମାଧ୍ୟମରେ ସୂଚନା ଦେବା ପରେ ସନ୍ଧ୍ୟାରେ ତାହା ପ୍ରମୁଖ ଖବର ରହିଥିଲା । ଏହି ଘୋଷଣା ଅନୁସାରେ ବିଏମସି ମେୟରଙ୍କ ସିଟିଂ ଆଲାଉନ୍ସ ବୈଠକ ପିଛା ଛଅ ଗୁଣ ବୃଦ୍ଧି କରାଯାଇଥିବା ବେଳେ ଡେପୁଟୀ ମେୟରଙ୍କ ଆଲାଉନ୍ସ ଚାରି ଗୁଣ ଓ କର୍ପୋରେଟରମାନଙ୍କ ଆଲାଉନ୍ସ ୧୫ ଗୁଣ ବୃଦ୍ଧି ହୋଇଥିଲା । ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଠାଯିବ ଏବଂ ରାଜ୍ୟ ସରକାର ତାହା ସମୀକ୍ଷା କରିବା ପରେ କାର୍ଯ୍ୟକାରୀ ହେବ ବୋଲି କୁଲାଙ୍ଗେ ସୂଚନା ଦେଇଥିଲେ । ଏବାବଦ ଅର୍ଥ ବିଏମସି ପାଂଠିରୁ ଭରଣା କରାଯିବ ବୋଲି ମଧ୍ୟ ସେ କହିଥିଲେ । ସାଧାରଣତଃ ବିଏମସି ବୈଠକ ମାସକୁ ଥରେ ବସିଥାଏ । ଏଭିଳି ନିଷ୍ପତ୍ତି ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଥିଲେ ମଧ୍ୟ ପରେ କମିଶନର କୁଲାଙ୍ଗେ ତାହା ପ୍ରତ୍ୟାହାର କରିନିଆଯାଇଥିବା ଗଣମାଧ୍ୟମକୁ ସୂଚିତ କରିଥିଲେ । ଏଭଳି ନିଷ୍ପତ୍ତି ନେବାରେ ସରକାରଙ୍କ ସ୍ୱୀକୃତି ନେବାର ଆବଶ୍ୟକତା ରହିଛି । କିନ୍ତୁ, ବିଏମସି ସରକାରଙ୍କ ସ୍ୱୀକୃତ ବିନା ନିଷ୍ପତ୍ତି ନେଇ ଭୁଲ କରିଥିଲା ବୋଲି ସେ ସ୍ପଷ୍ଟୀକରଣ ଦେଇଥିଲେ । କେଉଁ ପରିସ୍ଥିତିରେ କୁଲାଙ୍ଗେ ଏଭଳି ଘୋଷଣା କରିଥିଲେ ଏବଂ କାହା ଚାପରେ ତାହା ପ୍ରତ୍ୟାହାର କରି କ୍ଷମା ପ୍ରାର୍ଥନା କଲେ (?) ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଆଜି କୁଲାଙ୍ଗେଙ୍କୁ ବିଏମସି କମିଶନର ପଦରୁ ଅବ୍ୟାହତି ଦିଆଯାଇ ତାଙ୍କ ସ୍ଥାନରେ ରାଜେଶ ପ୍ରଭାକର ପାଟିଲଙ୍କୁ ପୂର୍ବ ଦୁଇଟି ଦାୟିତ୍ୱ ସହ ବିଏମସି କମିଶନର ଭାବେ ନିଯୁକ୍ତି ଦିଆଯିବା ସଂପୂର୍ଣ୍ଣ ଘଟଣାକୁ ବିବାଦୀୟ କରିଦେଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS